ଓଡ଼ିଶା

ଆତ୍ମହତ୍ୟା କବଳରୁ ବର୍ତ୍ତି ଯାଇଥିବା ଦୁଇ ଚାଷୀଙ୍କ ଅନୁଭବ କଥା

ବରଗଡ଼ ୨୪.୦୬.୨୦୧୮(ଓଡ଼ିଆ ପୁଅ/ଜଗଦୀଶ ସୁନା) ଈଶ୍ୱରଙ୍କ ଦୁଲ୍ଲଭ ଜୀବନ ପ୍ରାପ୍ତ କରିଛି ମଣିଷ ଜୀବନ। ସାଧାରଣ ଲୋକଟି ବଞ୍ଚିବା ପାଇଁ ଦାନା ମୁଠାଏ ପାଇଁ ଅହରହ ସଂଗ୍ରାମ କରିଚାଲେ। ତାଆରି ଭିତରେ ପୁଣି ପରିବାର ପ୍ରତିପୋଷଣ ଓ ପୁଅଝିଅଙ୍କୁ ପାଠ ପଢ଼ା ନେଇ ମଣିଷ ଆଉଟୁ ପାଉଟୁ ହୋଇଯାଏ। ମଣିଷକୁ ବହୁତ କିଛି ଅସହ୍ୟ ଯନ୍ତ୍ରଣା ହେଲେ ଯାଇ ଚୂଡ଼ାନ୍ତ ପର୍ଯ୍ୟାୟରେ ନିଜ ମୂଲ୍ୟବାନ ଜୀବନକୁ ଆତ୍ମହତ୍ୟା କରିଦେଇଥାଏ। ଏହାର ଜ୍ୱଳନ୍ତ ଉଦାହରଣ ନିରଞ୍ଜନ ଭୋଇ ଓ ଅକୁର ବିଶିଙ୍କ ଠାରୁ ଜଣାଯାଏ।

ଚଳିତ ବର୍ଷର ପ୍ରାକୃତିକ ଦୁର୍ବିପାକ ଚାଷୀକୂଳକୁ ହତାଶ କରିଦେଇଛି। ଏହି ଦୁର୍ବିପାକ ପ୍ରଭାବରେ ହଜାର ହଜାର ସଂଖ୍ୟାରେ ଚାଷବାସ ନଷ୍ଟ ହୋଇଯାଇଛି। ଏ ନେଇ କେଉଁଠି ଚାଷୀ ଆତ୍ମହତ୍ୟା କରିଛି ତ କେଉଁଠି ଦୁଃଖରେ ଭାଙ୍ଗିପଡ଼ି ପେଟପାଟଣା ପାଇଁ ଚିନ୍ତା କରୁଛନ୍ତି। ଗତ ତା: ୩୦.୦୪.୨୦୧୮ ଓ ତା:୦୮.୦୫.୨୦୧୮ରେ ପ୍ରବଳ କୁଆପଥର ମାଡ଼ ହେବା ସାଙ୍ଗକୁ କାଳବୈଶାଖୀ ହୋଇଥିଲା ବରଗଡ଼ ଜିଲ୍ଲା, ବରପାଲି ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ମାନଙ୍କରେ। ସେହି ପଞ୍ଚାୟତ ମାନଙ୍କ ମଧ୍ୟରୁ କନବାର ପଞ୍ଚାୟତର ସରଜମିନ ତଦନ୍ତରୁ ଜଣାପଡ଼ିଥିଲା ଯେ, ଜନୈକ ଆଦିବାସୀ ଯୁବକ ନିରଞ୍ଜନ ଭୋଇ, ବୟସ ୩୨ ବର୍ଷ, ଅନ୍ୟ ଜଣେ ଚାଷୀ ପଛୁଆ ବର୍ଗ ସଂପ୍ରଦାୟର ଅକୁର ବିଶି, ବୟସ ୪୦ ବର୍ଷ। ଏହି ଦୁଇ ଚାଷୀ ଆତ୍ମହତ୍ୟା କରି ଜିଲ୍ଲାକୁ ଚର୍ଚ୍ଚାରେ ପରିଣତ କରିଦେଇଥିଲେ। ନିରଞ୍ଜନ ଭୋଇ ନିଜ ବିଲରେ ୭ ଡ଼ିସିମିଲ ଜାଗାରେ ପନିପରିବା (ଭେଣ୍ଡି ଓ ପୋଟଳ) ଚାଷ କରିଥିବା ବେଳେ ଧାନ ଚାଷ ତିନି ଏକର ଜମିରେ କରିଥିଲେ। ଚାଷ ଏ ବର୍ଷ ଭଲ ହୋଇଥିଲା। ତାଙ୍କ ବଡ଼ ପରିବାର, ଘରେ ମାଁ ସହିତ ଭାଇ ଓ ଭଉଣୀ ଅଛନ୍ତି। ବଡ଼ ଭାଇ ଶତୃଘ୍ନ ୪୦ ବର୍ଷର। ସେ କେବଳ ଅଲଗା ହୋଇ ଚାଷକରି ରହି ଆସୁଛନ୍ତି। ସାନ ଭାଇ ପାଣ୍ଡବ ଓ ଦୁଇ ଭଉଣୀ ମିନତି, ରଚନା ଏବଂ ସେ ନିଜେ ମାଁଙ୍କ ସହ ରହି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଯେହେତୁ ଛୋଟ ଭାଇ ଭଉଣୀ ମାନଙ୍କ ବୟସ ଛୋଟ, ସେଥିନେଇ ନିରଞ୍ଜନ ନିଜ ପରିବାରକୁ ଦେଖ୍ଭାଲ୍ କରିଆସୁଛନ୍ତି। ନିରଞ୍ଜନ ଜଣେ ଅବିବାହିତ ଯୁବକ, ପରିଶ୍ରମି ବ୍ୟକ୍ତି, ଚାଷ ଉପରେ ତାର ମନ ଥାଏ। ତାଙ୍କ ବାପା ଦୀର୍ଘ ବର୍ଷରୁ ଆରପାରିକୁ ଚାଲିଯାଇଥିଲେ। ତାଙ୍କ ପିତୃ ସମ୍ପତ୍ତିର ସାଢ଼େ ଚାରି ଏକର ଜମିରୁ ତିନି ଏକର ସତୁରୀ ଡ଼ିସିମିଲରେ ଚାଷ କରିଆସୁଥିଲେ। ବଳକା ଜମି ତାଙ୍କ ବଡ଼ଭାଇ ଚାଷ କରୁଥିଲେ। ଜମି ଜଳସେଚିତ ଅଟେ, ଫଳରେ ଭଲ ଚାଷ ହେଉଥିଲା। ଏହି ଯୁବକଟି ଫସଲ ଓ ପନିପରିବା ଦୁଇ ପର୍ଯ୍ୟାୟରେ (ରବି ଓ ଖରିପ ଚାଷ) କରି ବଞ୍ଚୁଥିଲେ। ଗରୀବ ଆଦିବାସୀ ପରିବାର କାହା ଉପରେ ନିର୍ଭର ନ କରି ଚାଷ ହେଲେ ପରିବାର ଚଳେ ନ ହେଲେ ନାହିଁ। କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ଚଳିତ ବର୍ଷ କାଳବୈଶାଖୀ ଓ କୁଆପଥର ମାଡ଼ ହେବା ଫଳରେ ତାଙ୍କ ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା। ରାଜସ୍ୱ ଅଧିକାରୀଙ୍କ ରିପାର୍ଟ ମୁତାବକ ବରପାଲି ବ୍ଲକରେ ୭୭୭୪ ଜଣ ଚାଷୀ କ୍ଷତି ହୋଇଥିବା ବେଳେ ୨୩ ଗୋଟି ପଞ୍ଚାୟତରୁ ୪୫ ଖଣ୍ଡ ଗ୍ରାମ ସମ୍ପୁର୍ଣ୍ଣ ଚାଷ କ୍ଷତି ହୋଇଥିଲା। ସମୁଦାୟ ଉକ୍ତ ବ୍ଲକରେ ୬୭୭୧.୬୩ ହେକ୍ଟର ଜମି ଚାଷ କ୍ଷତି ହେଇଥିବାର ପ୍ରଶାସନିକ ନିକଟରେ ରିପୋର୍ଟ ରହିଛି। ତନ୍ମଧ୍ୟରୁ ନିରଞ୍ଜନ ଭୋଇ ମଧ୍ୟ ଜଣେ। ତାଙ୍କ କନବାର ପଞ୍ଚାୟତରେ ୨୮୨.୫୦ ହେକ୍ଟର ଜମି ଚାଷ କ୍ଷତି ହୋଇଛି। ସେ ନିଜ ବିଲକୁ ଯାଇ ନିଜକୁ ନିଜେ ଭାଙ୍ଗି ପଡ଼ି କୀଟନାଶକ ଔଷଧ କ୍ଷତି ବିଲରେ ଖାଇ ସେଠାରେ ଆତ୍ମହତ୍ୟା କରିଦେଇଥିଲେ ଦିନ ଦ୍ୱିପ୍ରହରେ। ଘଟଣା ଦିନ ଥିଲା ତା:୦୪.୦୫.୨୦୧୮। ପ୍ରବଳ ଗ୍ରୀଷ୍ମ ଖରା ରବି ଫସଲ ଚାଷ କରିଥିଲେ। ତା ବଡ଼ ଭାଇ ସେହି ରାସ୍ତାରେ ଯାଉଥିବା ବେଳେ ବିଲରେ ପଡ଼ିଥିବା ତା ଭାଇଙ୍କୁ ଦେଖିପାରି ଘରଲୋକଙ୍କୁ ଡ଼କେଇ ତାଙ୍କୁ ସାଙ୍ଗେ ସାଙ୍ଗେ ବରଗଡ଼ ହସ୍ପିଟାଲକୁ ନେଇଥିଲେ। ପୁଣି ବରଗଡ଼ରୁ ବୁର୍ଲା ହସ୍ପିଟାଲକୁ ଡ଼ାକ୍ତର ପଠେଇଦେବା ଫଳରେ ସେଠାରେ ଚାରିଦିନ ଚିକିତ୍ସା ହୋଇ ମୂଳଜୀବନ ଫେରିପାଇଥିଲେ। ଆତ୍ମହତ୍ୟା କରିଥିବା ସମ୍ପର୍କରେ ତାଙ୍କୁ ପଚାରିବାରୁ ଚାଷ ନଷ୍ଟ ସମ୍ପର୍କରେ ବିସ୍ତୃତ ବିବରଣୀ ବର୍ଣ୍ଣନା କରି କହିଥିଲେ- “କେଁ କର୍ବି ? ଘର୍ କେ ଚଲାମି କେନ୍ତାକରି ବୋଲି ବିଷ ଖାଇଦେଇଥିବା କଥା କହିଥିଲେ” ତାର ମାଁ ବେଟୀଖାଇ ଭୋଇ ମଧ୍ୟ ତା ପୁଅର ପାଲିଆ ଧରି କହେ କାଏଁ କର୍ମୁଁ ଫସଲ ନଷ୍ଟ ହେଇଗଲା, ସରକାରତ ଶୁଣୁ ନାହିଁ କେଁ କରମୁଁ, ନେଇଁ ମର୍ମୁଁ ଯେ, ବୋଲି କହିବସେ। ତାର କ୍ଷତି ହୋଇଥିବା ଚାଷ ବାବଦକୁ ହିସାବ କରି ଗୋଟି ଗୋଟି କରି କହିବସେ – ସାର ବାବଦକୁ ଟ.୧୫, ୦୦୦/-ଙ୍କା, ପଲ୍ଲା ରୁଆ ବାବଦକୁ ଟ.୭, ୦୦୦/-ଙ୍କା, ଧାନ ଔଷଧ ଟ.୫, ୦୦୦/-ଙ୍କା, ଟ୍ରାକ୍ଟର ଯୋଗେ ଚାଷ ଯୋତିବା ଖର୍ଚ୍ଚ ଟ.୭, ୦୦୦/-ଙ୍କା ଖର୍ଚ୍ଚ ହୁଏ। ଏତେ ନୁକ୍ସାନ ହି ଛେ ଯେ, ସରକାର କିଛି ଦେଲାକେଁ ? ଗାଁର ସଭେ ମର୍ବା କଥା ? ଫେର୍ ମର୍ବାର୍ ଅଛେ, ଛୁଆ ପିଲାକେ କାଏଁଟା ଖୁଆମୁଁ, ବିଷ ନାଇଁ ଖାଏମୁଁ, କାଏଁଟା ସେ କର୍ମୁଁ ? ଏହି ଦୁଃଖ ଭରା ସ୍ୱର ସ୍ୱତଃ ତାଙ୍କ ମାଁଙ୍କ ପାଟିରୁ ବାହାରି ଆସୁଥିଲା।

ଅନ୍ୟପଟେ ଦେଖିବାକୁ ଗଲେ ଅନ୍ୟଜଣେ ଚାଷୀ ଅକୁର ବିଶି କୋଳଥା ସମ୍ପ୍ରଦାୟର, ୪୦ ବର୍ଷର ଯୁବକ। ସେହି ଗାଁରେ ରହନ୍ତି, ସାହି ଅଲଗା, ବିଚାର କିନ୍ତୁ ଗୋଟିଏ। ଏ ଜଣେ ମଧ୍ୟମ ଶ୍ରେଣୀର ଯୁବକ। କିନ୍ତୁ ତାଙ୍କ ଘଟଣା ମଧ୍ୟ ହୃଦୟସ୍ପର୍ଶୀ ଓ ହୃଦୟ ବିଦାରକ ଥିଲା। ନିଆରା ଢ଼ଙ୍ଗରେ ବରଗଡ଼ ଜିଲ୍ଲାପ୍ରଶାସନିକ ଉପସ୍ଥିତିରେ ଆତ୍ମହତ୍ୟା କରିନେଇଥିଲେ। ତାଙ୍କ କହିବା ମୁତାବକ କୁଆପଥର ଓ କାଳବୈଶାଖୀ ମାଡ଼ ହେବା ଫଳରେ ଗାଁର ଫସଲ ଯାକ ନଷ୍ଟ ହୋଇଯାଇଥିଲା। ଏ ସମ୍ପର୍କରେ ସ୍ଥାନୀୟ ଅଧକାରୀ ମାନଙ୍କୁ ଜଣାଇଥିଲେ। ରାଜସ୍ୱ ଅଧିକାରୀମାନଙ୍କଠାରୁ ନେଇ ତହସିଲଦାର ମାନଙ୍କ ପର୍ଯ୍ୟନ୍ତ ଜଣେଇବା ଫଳରେ ଉପରୋକ୍ତ ଅଧିକାରୀ ମାନେ କ୍ଷତି ଫସଲ ଅନୁଧ୍ୟାନ କରି ଆସିନଥିଲେ। ଗାଁର ସମସ୍ତେ ଶହ ଶହ ସଂଖ୍ୟାରେ ୨୦ଟଙ୍କା ଲେଖାଏଁ ଚାନ୍ଦା କରି କିଏ ଟ୍ରାକ୍ଟରରେ ଚଢ଼ି ଗଲାତ, କିଏ ମଟର ସାଇକେଲରେ। ଗତ ତା:୦୩.୦୫.୨୦୧୮ରେ ଗାଁର ଲୋକେ ଚାଷ ସମ୍ପର୍କିୟ କ୍ଷତିକୁ ଜଣେଇବା

ପାଇଁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଜିଲ୍ଲାପାଳ ଆଗତୁରା ଏହା ଜାଣିପାରି ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ମାତ୍ରାରେ ପୋଲିସ ମୃତୟନ କରାଯାଇଥିଲା। ଏ ସମ୍ପର୍କରେ ଗାଁ ଲୋକଙ୍କୁ କାହାରିକୁ ଜଣାନଥିଲା, ଗୁହାରୀ କରିବା ବଦଳରେ ଆନ୍ଦୋଳନ ବୋଲି ପ୍ରଶାସନିକ ଭାବି ନେଇଥିଲେ। ସେଠାରେ ଗାଁ ଲୋକ ପହଞ୍ଚି ଫସଲ କ୍ଷତି ନେଇ ଯାଇଥିଲେ। ହାତରେ ଲୋକଙ୍କ ଦସ୍ତଖତ ରହିତ ଦରଖାସ୍ତଟିଏ ମଧ୍ୟ ଧରିଥିଲେ। ଜିଲ୍ଲାପାଳ ଏମାନଙ୍କ କଥାକୁ ନ ଶୁଣିଲା ପରି ଦୀର୍ଘ ଦୁଇ ଘଣ୍ଟା ଯାଏ ବାହାରି ନଥିଲେ। ଫଳରେ ସରକାରଙ୍କ ବିରୋଧି ନାରାବାଜି ହୋଇଥିଲା। ଅନ୍ୟପଟେ ଭୀଷଣ ଖରା, ରାସ୍ତାରେ ଛିଡ଼ା ହୋଇଥାନ୍ତି ଶହ ଶହ ମହିଳା, ପୁରୁଷ ଓ ଯୁବକ ମାନେ। ଜିଲ୍ଲାପାଳ ନ ବାହାରିବା ଦ୍ୱାରା ସେମାନଙ୍କ ମଧ୍ୟରୁ ଜଣେ ଅକୁର ବିଶି ଜୋର୍ରେ ଜିଲ୍ଲାପାଳଙ୍କୁ ରଡ଼ି କହିଥିଲେ “ଚାଷୀ ଆତ୍ମହତ୍ୟାକୁ ବରଗଡ଼ ଜିଲ୍ଲାରେ ଯେତେବି ଚାଷୀ ମୃତ୍ୟୁ ହୋଇଛନ ତାକୁ ସରକାର କେବେବି ମାନୁନାହାନ୍ତି, ପରିବାର ଗଣ୍ଡଗୋଳ ବା ଅନ୍ୟାନ୍ୟ ରୋଗ କିମ୍ବା ଝାଡ଼ା ବାନ୍ତିରେ ମରୁଛନ ବୋଲି କହନ୍ତି।” ଏହାକୁ ସ୍ୱୀକାର କରୁନାହାନ୍ତି। ଏ ଯାଏ ୧୨୩ ଲୋକଙ୍କ ମୃତ୍ୟୁ ହେଲାଣି। ଆମ୍ଭ କଥାକୁ ଶୁଣୁନାହାନ୍ତି। ମୁଁ ଆପଣଙ୍କ ସମ୍ମୁଖରେ ବିଷପାନ କରି ଆତ୍ମହତ୍ୟା କରୁଛି ତେବେ ଯାଏ ବିଶ୍ୱାସ କର୍ବେ ଓ ଆତ୍ମହତ୍ୟାକୁ ଗ୍ରହଣ କରିବେ ବୋଲି “ଜୟ ବୃନ୍ଦାବିହାରୀ ଲାଲ କି ଜୟ” ବୋଲି ହାତରେ ଧରିଥିବା କୀଟନାଶକ ଔଷଧକୁ ପି’ ଦେଇଥିଲେ। ସେଠାରେ ସେ ଅଚେତ ହୋଇ ତଳେ ପଡ଼ିଯିବା ଦ୍ୱାରା ସାଙ୍ଗେ ସାଙ୍ଗେ ତାଙ୍କୁ ବରଗଡ଼ ହସ୍ପିଟାଲକୁ ନିଆଯାଇଥିଲା। ପରେ ତାଙ୍କୁ ବୁର୍ଲା ହସ୍ପିଟାଲକୁ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ନିଆଯାଇଥିଲା। ସେଠାରେ ଦୀର୍ଘ ୯ ରୁ ୧୦ ଦିନ ଚିକିତ୍ସା ହେଲାପରେ ନିଜ ଜୀବନ ଫେରିପାଇଥଲେ। ବିଷପାନ ପରେ ଜିଲ୍ଲାପାଳ ପଦାକୁ ବାହାରି ଗାଁଲୋକଙ୍କ କଥାକୁ ଶୁଣିଥିଲେ ଓ ତଦନ୍ତ କରିଯିବାପାଇଁ ଦୃଢ଼ ପ୍ରତିଶୃତି ଦେଲାପରେ ଗାଁଲୋକ ଫେରି ଯାଇଥିଲେ। ଅକୁରଙ୍କ କହିବା ମତରେ ଗାଁର ସାତ ଆଠ ଜଣ ଲୋକ ବିଷ ଧରି ଯାଇଥିଲେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଷ ଖାଇବା ପାଇଁ, ନିଷ୍ପତ୍ତି ନେଇଥିଲୁ ବୋଲି କହିବସନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ ବରଗଡ଼ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ପଚାରିବାରେ ବିଷଖାଇଥିବା କଥା କହିଥିଲେ ଓ ସ୍ୱୀକାର ମଧ୍ୟ କରିଥିଲେ କିନ୍ତୁ ଚାଷୀ ଆତ୍ମହତ୍ୟାକୁ ବିଶ୍ୱାସ କରୁନାହାନ୍ତି। ସେଠାରେ ଅନ୍ୟାନ୍ୟ କାରଣ ଅଛି-ଚାଷ କ୍ଷତି ରହିଛି, ତନ୍ମଧ୍ୟରୁ ଋଣ ମଧ୍ୟ ତାଙ୍କର ସମସ୍ୟା ବୋଲି କହିବସନ୍ତି। ସୂଚନା ଯେ ଅକୁର ବିଶି ନିଜ ଜମି ଅଧା ଏକରରେ ଧାନ ଚାଷ କରିଥିଲେ ଏବଂ କର ବାବଦରେ ତିନି ଏକର ଗାଁର ପ୍ରମୋଦ ପ୍ରଧାନଙ୍କ ଠାରୁ ନେଇ ଦୀର୍ଘ ବର୍ଷ ଧାନ ଚାଷ କରିଆସୁଥିଲେ। ପୁଣି ୪୦ ଡ଼ିସିମିଲ ଜାଗାରେ ବାଇଗଣ ଓ ପୋଟଳ ଚାଷ କରିଥିଲେ। ଏ ବର୍ଷ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା ଚାଷବାସ। କୁଆପଥର ଓ କାଳବୈଶାଖୀ ମାଡ଼ରେ। ପୁଣି ଗତ ବର୍ଷ ଚକଡ଼ାପୋକ ଦ୍ୱାରା ଜୀବନକୁ ହରାଇଥିଲା ସେହି ସମୟରେ ତାଙ୍କ ଜମିର ୭୦ ଶତକଡ଼ା କ୍ଷତି ହୋଇଥିଲା। ସରକାରଙ୍କ ଯୋଗାଇଥିବା ଇନ୍ପୁଟ ସବ୍ସିଡ଼ି ଟ.୧୩, ୫୦୦/- ସେହି ଗାଁରେ କିଏ ପାଇଲେ କିଏ ନାହିଁ ତାକୁ ମଧ୍ୟ ଚାଷୀଭାଇ ମାନେ ସହ୍ୟ କଲେ, ଧୈର୍ଯ୍ୟ ଧରିଲେ ପୁଣି ଚଳିତ ବର୍ଷ ଚାଷ କଲେ ଯେ, ଏହି ଦଶା ଏ ବର୍ଷ ଭୋଗିବାକୁ ପଡ଼ିଥିଲା। ଅନ୍ୟପଟେ ଭାତହାଣ୍ଡି କହୁଥିବା ବରଗଡ ଜିଲ୍ଲାପାଳଙ୍କ ନିକଟକୁ ଯାଇ ଗୁହାରି ପ୍ରାର୍ଥନା କଲେ ଖାମ୍ଖିଆଲି ମନୋଭାବ ପ୍ରଶାସନ ନେଉଛନ୍ତି ବୋଲି ଅକୁର କହିବସନ୍ତି। ସୂଚନା ଯେ- ଅକୁର ବିଶି ଙ୍କ ଚିକିତ୍ସା ବାବଦକୁ ତାଙ୍କୁ ରେଡ଼କ୍ରସ ପାଣ୍ଠିରୁ ଟ.୧୦, ୦୦୦/-ଙ୍କା ଜିଲ୍ଲା ପ୍ରଶାସନ ତରଫରୁ ବହନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ଅନ୍ୟାନ୍ୟ ଚିକିତ୍ସା ବାବଦର ଖର୍ଚ୍ଚ ବହନ କରିବା ପାଇଁ ମଧ୍ୟ କହିଥିଲେ। ଅକୁର ବିଶିଙ୍କ ଛୋଟ ପରିବାର ପୁଅ ଗୋଟିଏ ଓ ଝିଅ ଗୋଟିଏ। ପୁଅ ଓ ଝିଅକୁ ବାହା ମଧ୍ୟ କରିସାରିଲେଣି। ଅତୀତ କଥାକୁ ନେଇ ଅକୁର କହେ ସେ ତୃତୀୟ ଯାଏ ପାଠ ପଢ଼ିଛନ୍ତି କିନ୍ତୁ ଆଧ୍ୟାତ୍ମିକ ଉପରେ ବେଶୀ ଧ୍ୟାନ ଦେଇ ଆସନ୍ତି। ଗାଁ ଗାଁକୁ ଯାଇ ରାମାୟଣ ପ୍ରବଚନ କରନ୍ତି। ରାମାୟଣ ବିଷୟରେ ତାଙ୍କର ଗଭୀର ଜ୍ଞାନ ରହିଛି। ସେ ବାଗ୍ବାଡ଼ି ଓ କନବାର ଗାଁର ପାଞ୍ଚରୁ ଛଅ ଜଣ ଯୁବକ ମାନଙ୍କୁ ନେଇ ରାମାୟଣ ପ୍ରବଚନ କରିଯାଆନ୍ତି। ସେ ଏପରି ଆତ୍ମହତ୍ୟା କେବେବି କରିବି ନାହିଁ, ତାହାଥିଲା ମୋର ଜୀବନର ଶେଷ ଦିନ। ଲୋକଙ୍କ ହିତ ପାଇଁ, ଗାଁ ଲୋକଙ୍କ ପାଇଁ ଏମିତି ଘଟଣା କରିବସିଥିଲି। ଏବେ ଆଉ କରିବି ନାହିଁ, ମୋର ପରିବାର ଓ ଛୁଆ ମାନେ ଅଛନ୍ତି ବୋଲି କହି ବସନ୍ତି।

ଏନ୍. ଏଫ.ଆଇ. ମିଡିଆ ଫେଲୋ

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top