ଆତଙ୍କିତ ଅବସ୍ତାରେ ଛାତ୍ରଛାତ୍ରୀ ; ବିପଦ ସଂକୁଳ ଅବସ୍ଥାରେ ଗବେଷଣାଗାର ଗୃହ

ଯାଜପୁର-୧୪/୯(ଓଡିଆ ପୁଅ/ଏରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ମହିଶରା ପଂଚାୟତ ବାଟିଜୋଡା ସ୍ୱପ୍ନେଶ୍ୱର ଉଚ୍ଚ ବିଦ୍ୟାଳୟରେ ଥିବା ଗବେଣଷଣାଗାର ଗୃହଟି ବିପଦ ସଂକୁଳ ଅବସ୍ଥାରେ ଥିବା ଜଣାଯାଇଛି । ଫଳରେ ଛାତ୍ରଛାତ୍ରୀମାନଙ୍କ ସହିତ ଶିକ୍ଷକ, ଶିକ୍ଷୟତ୍ରୀମାନେ ମଧ୍ୟ ଅତଙ୍କିତ ଅବସ୍ଥାରେ ଅଛନ୍ତି । ଗବେଷଣା କିମ୍ବା ପାଠ୍ୟ ପୁସ୍ତକ ପଠନ ନିମନ୍ତେ ଛାତ୍ରଛାତ୍ରୀମାନେ ଗୃହ ମଧ୍ୟକୁ ପ୍ରବେଶ କରୁନାହାଁନ୍ତି । ଏ ସଂପର୍କରେ ସ୍କୁଲ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ତାର କୌଣସି ସ୍ଥାୟୀ ଉପଚାର ଅଦ୍ୟାବଧି ହୋଇପାରୁନାହିଁ । ଉକ୍ତ ଗୃହରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗବେଷଣା ନିମନ୍ତେ ବିଭିନ୍ନ ସାମଗ୍ରୀ ରହିବା ସହିତ ଅନେକ ପାଠ୍ୟ ପୁସ୍ତକ ମଧ୍ୟ ରହିଛି । ଯାହାର ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଉକ୍ତ ବିଦ୍ୟାଳୟରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ରହିଥିବା ବେଳେ ୩ଶହ ରୁ ଉର୍ଦ୍ଧ ପିଲା ଅଧ୍ୟୟନ କରୁଛନ୍ତି । ପ୍ରକାଶ ଥାଉକି ଉକ୍ତ ଗୃହ ନିର୍ମାଣ ନିମନ୍ତେ ପାଣିକୋଇଲିସ୍ଥିତ ପୁର୍ତ୍ତ ବିଭାଗ ପକ୍ଷରୁ ୧୪-୧୫ ଆର୍ଥିକ ବର୍ଷରେ ୧୦ ଲକ୍ଷଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଗୃହଟିକୁ ଗବେଷଣାଗାର ଓ ପାଠାଗାର ନିମନ୍ତେ ନିର୍ମାଣ କରାଯାଇଛି । । ସଂପୃକ୍ତ ଠିକାଦାର ନିମ୍ନମାନର କାର୍ଯ୍ୟ କରିଥିବାରୁ ଘରର କାନ୍ଥ ଫାଟି ଆଁ କରିଛି । ସେହିପରି ବାରଣ୍ଡା ଧସିଯିବା ସହିତ ଛାତରୁ ପଲସ୍ତରା ଖସୁଛି । ଏପରିକି ଘରଟି ନିର୍ମାଣ ପରେ ୧ଫୁଟ୍ ଦବି ଯାଇଥିବା ଦେଖିବାକୁ ମିଳୁଛି । ନିର୍ମାଣର ୨ବର୍ଷ ନପୁରୁଣୁ ଗୃହଟି ଧସିଯିବା ଭଳି ସମ୍ଭାବନା ସୃଷ୍ଟି ହୋଇଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳୁଛି । ଏହିଭଳି ବିପଦ ସଂକୁଳ ଅବସ୍ଥାରେ ଗବେଷଣା ଗାରଟି ରହିଥିବାରୁ ସ୍କୁଲ କର୍ତ୍ତୁପକ୍ଷ ଓ ଛାତ୍ରଛାତ୍ରୀମାନେ ଗୃହର କଡଦେଇ ଯାତାୟତ କରିବା ସୁରକ୍ଷିତ ମଣୁନାହାଁନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହିତ ଗୃହର ତୁରନ୍ତ ମରାମତି କରିବାକୁ ସ୍କୁଲ କର୍ତ୍ତୃପକ୍ଷ ଦାବି କରିଛନ୍ତି । ଯଦି ଏହା କରାନଯାଏ ତେବେ ଛାତ୍ରଛାତ୍ରୀମାନେ ସ୍କୁଲ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *