ଆତଙ୍କବାଦୀ ଆକ୍ରମଣରେ ଶହୀଦ ଓଡ଼ିଆ ଯବାନଙ୍କ ମରଶରୀର ଆସନ୍ତାକାଲି ପହଞ୍ଚିବ

ସମ୍ବଲପୁର, ୯/୯ (ଓଡ଼ିଆ ପୁଅ) – ଭାରତୀୟ ସେନାବାହିନୀର ଆସାମ ରାଇଫଲସରେ କାର୍ଯ୍ୟରତ ଜଣେ ଓଡ଼ିଆ ଯବାନ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି। ଶହୀଦ ଯବାନ ସମ୍ବଲପୁର ଜିଳ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କଦଳୀଗଡ଼ ପଞ୍ଚାୟତ ଧଉରାଖମଣ ଗ୍ରାମର ଚମ୍ପେଶ୍ୱର ମହାକୁଡ଼ (୩୭) ବୋଲି ଜଣାପଡ଼ିଛି। ଶୁକ୍ରବାର ମଣିପୁରର ଚାନ୍ଦୋଲ ଜିଲ୍ଲା ଅନ୍ତର୍ଗତ ଜୁପି ଠାରେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ସେ ପ୍ରାଣ ହରାଇଛନ୍ତି। ଏହି ଆତଙ୍କବାଦୀମାନେ ପିଏଲଏ ସଂଗଠନର ବୋଲି ଜଣାପଡ଼ିଛି। ଭାରତ-ମିଆଁମାର ସୀମାବର୍ତ୍ତୀ ଘଞ୍ଚ ଜଙ୍ଗଲରୁ ଯବାନଙ୍କ ମର ଶରୀରକୁ ଆଜି ଇମ୍ଫାଲ ଅଣାଯାଇଛି। ଆସନ୍ତାକାଲି ଶହୀଦ ଯବାନଙ୍କ ମରଶରୀର ତାଙ୍କ ଗାଁରେ ପହଞ୍ଚିବ। ଏହି ଦୁଃଖଦ ଘଟଣା ପହଞ୍ଚିବା ପରେ ରେଢ଼ାଖୋଲ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସମ୍ବଲପୁର ଏସପି ସଂଜୀବ ଆରୋରା କହିଛନ୍ତି। ଶେଷକୃତ୍ୟ ପାଇଁ ଗାଁରେ ପ୍ରସ୍ତୁତି କରାଯାଇଛି।

ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ଚମ୍ପେଶ୍ୱର ଗତ ୨୦୦୧ ମସିହାରେ ସେନାରେ ଭର୍ତ୍ତି ହୋଇଥିଲେ। ନିଯୁକ୍ତି ପରଠାରୁ ସେ ଆସାମ ରାଇଫଲସ୍ ରେଜିମେଣ୍ଟରେ ନିୟୋଜିତ ଥିଲେ। ସେ ସଂପ୍ରତି ମଣିପୁର ଜୁପି ଠାରେ ଅବସ୍ଥାପିତ ଥିଲେ। ସେ ଶୁକ୍ରବାର ସକାଳୁ କମ୍ବିଂ ଅପରେସନରେ ବାହାରିଥିଲେ। ସାଥୀ ଯବାନମାନଙ୍କ ସହିତ ଜଙ୍ଗଲ ଭିତରେ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ଗୁଳି ବର୍ଷାରେ ଚମ୍ପେଶ୍ୱର ଏବଂ ଆଉଜଣେ ସାଥୀ ଯବାନ ଶହୀଦ ହୋଇଯାଇଥିବା ସମ୍ପର୍କରେ ସେନା ପକ୍ଷରୁ ତାଙ୍କ ଧର୍ମପତ୍ନୀ ମଧୁସ୍ମିତା ମହାକୁଡ଼ଙ୍କ ପାଖକୁ ଟେଲିଫୋନ ବାର୍ତ୍ତା ଆସିଛି।

ଚମ୍ପେଶ୍ୱର ଧଉରାଖମଣ ଗ୍ରାମର ସୁରଥ ମହାକୁଡ଼ (୭୦) ଓ ଲକ୍ଷ୍ମୀ ମହାକୁଡ଼ (୬୫)ଙ୍କ ୪ ପୁଅ ଓ ୨ ଝିଅଙ୍କ ମଧ୍ୟରେ ସବା ସାନ। ମହାକୁଡ଼ ପରିବାରରେ କେବଳ ସେ ଚାକିରୀ କରୁଥିଲେ। ଅନ୍ୟ ୩ ଭାଇ ଗ୍ରାମରେ ଚାଷ କରନ୍ତି। ଚମ୍ପେଶ୍ୱର ଗତ ୨୦୦୮ ନଭେମ୍ବର ୨୧ ତାରିଖରେ ନରସିଂହପୁର ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ଏକ ୭ ବର୍ଷ ବୟସର ପୁଅ ଅଛି। ପୁଅକୁ ପାଠ ପଢ଼ାଇବା ପାଇଁ ମଧୁସ୍ମିତା ଏବେ ଅନୁଗୁଳରେ ଏକ ଘର ଭଡ଼ା ନେଇ ରହୁଛନ୍ତି। ପୁଅର ମୃତ୍ୟୁ ଖବର ପାଇ ଏହି ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଜ୍ୱାଇଁ ଶହୀଦ ହେବା ଖବର ପାଇବା ପରେ ଶ୍ୱଶୁର ଘର ଲୋକେ ମଧ୍ୟ ଧଉରାଖମଣରେ ପହଞ୍ଚିଛନ୍ତି। ରେଢ଼ାଖୋଲ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ କହିଛନ୍ତି ଯେ ଚମ୍ପେଶ୍ୱରଙ୍କ ମରଶରୀର ଏଠାରେ ପହଞ୍ଚିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଗତକାଲି ରେଢ଼ାଖୋଲ ସାମ୍ବାଦିକ ସଂଘର ଅଚ୍ୟୁତାନନ୍ଦ ପୁରୋହିତ, ଦେବାନନ୍ଦ ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଧଉରାଖମଣକୁ ଯାଇ ଶହୀଦଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *