ଅନୁଗୁଳ

ଆଠମଲ୍ଲିକ ଓଳଥ ଗ୍ରାମରେ ଶ୍ରୀରାମ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଅନୁଗୋଳ, ୨୯/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଅଏଡ଼ା ଗ୍ରାମ ପଂଚାୟତ ଅନ୍ତର୍ଗତ ଓଳଥ ଗ୍ରାମରେ ପ୍ରଭୁ ଶ୍ରୀରାମଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ୩ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଯୁବ ଶିଳ୍ପଦ୍ୟୋଗୀ ଅର୍ଜୁନ ସାହୁଙ୍କ ବ୍ୟକ୍ତିଗତ ଉଦ୍ୟମକ୍ରମେ ଏହି ମନ୍ଦିରଟିର ନିର୍ମାଣ ସମ୍ଭବ ହୋଇପାରିଛି। ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରି ନିଜର ନିଷ୍ଠା, ଅଧ୍ୟବସାୟ ଓ ପରିଶ୍ରମ ବଳରେ ଓଡ଼ିଶାର ଜଣେ ବିଶିଷ୍ଟ ଶିଳ୍ପଦ୍ୟୋଗୀ ହୋଇପାରିଥିବା ଶ୍ରୀ ସାହୁ ନିଜସ୍ୱ ଖର୍ଚ୍ଚରେ ଏପରି ଏକ ମନ୍ଦିର ପ୍ରତିଷ୍ଠା କରି ଅଂଚଳବାସୀଙ୍କୁ ଭେଟି ଦେଇଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି। ତାଙ୍କର ଏପରି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି କହିଲେ ଭୁଲ ହେବନାହିଁ। ଓଳଥ ନିବାସୀ ଲୋକନାଥ ସାହୁ ଏବଂ କଲ୍ୟାଣୀ ସାହୁଙ୍କର ସେ ହେଉଛନ୍ତି ସୁଯୋଗ୍ୟ ସନ୍ତାନ। ମନ୍ଦିର ପ୍ରତିଷ୍ଠା ଦିବସର ୧ମ ଦିବସରେ ଆଖପାଖ ଗ୍ରାମର ମହିଳାମାନେ କଳସ ଶୋଭାଯାତ୍ରାରେ ଭାଗ ନେଇ ୫୦୧କଳସରେ ନିକଟସ୍ଥ ମହାନଦୀ ଘାଟରୁ ପବିତ୍ର ଜଳ ଆଣି ପୂଜାସ୍ଥଳୀରେ ସ୍ଥାପନ କରିଥିଲେ। ୨ୟ ଦିବସରେ ବଇଣ୍ଡା ଅଂଚଳର ପ୍ରସିଦ୍ଧ ପାଳାଦଳର ମୁଖ୍ୟ ଜଗମୋହନ ମିଶ୍ର ଏବଂ ସାଥୀମାନଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା। ୩ୟ ଦିନ ସନ୍ଧ୍ୟାରେ ଲୋକପ୍ରିୟ ଗାୟକ କୁମାର ବାପି, ଗାୟିକା ଶୈଳଭାମା ଓ ସାଥୀଙ୍କ ଭଜନ କାର୍ଯ୍ୟକ୍ରମକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ। ୩ଦିନ ବ୍ୟାପି ଏହି ଉତ୍ସବରେ ବାଙ୍କିର ପୂଜକ ସତ୍ୟ ମହାପାତ୍ର ଓ ତାଙ୍କର ସହଯୋଗୀ ସୂଚାରୁ ରୂପେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକୁ ସମ୍ପାଦିତ କରିଥିଲେ। ଗ୍ରାମାଂଚଳ ସଂକିର୍ତନମଣ୍ଡଳୀ ଦ୍ୱାରା ପ୍ରତ୍ୟେହ ପ୍ରଭୁଙ୍କର ନାମ ଗାନ କରାଯାଇଥିଲା। ଏହି ଅବସରରେ ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଶ୍ରୀ ସାହୁଙ୍କ ପିତାମାତା ଏଥିରେ କର୍ତାଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସୂଚନାଯୋଗ୍ୟ, ଆଠମଲ୍ଲିକଠାରୁ ମା’ ବିନିକେୟୀ ପୀଠକୁ ଯିବା ବାଟରେ ୧୫କି.ମି ଦୂରକୁ ଗଲେ ରାସ୍ତା ପାଶ୍ୱର୍ରେ ଏହି ମନ୍ଦିର ପଡ଼ିବ। ଏହି ଅଂଚଳରେ ରାମଙ୍କ ମନ୍ଦିର ନଥିବାବେଳେ ନୁତନ ରାମ ମନ୍ଦିରକୁ ନେଇ ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ୩୮ଫୁଟ ବିଶିଷ୍ଟ ଏହି ମନ୍ଦିରରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ଦେବୀଙ୍କ ମୂର୍ତ୍ତୀ ସ୍ଥାପନ କରାଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ସାହୁଙ୍କ ବଡ଼ଭାଇ ହରିହର ସାହୁ ଓ ତାଙ୍କ ପରିବାର, ବନ୍ଧୁ ପରିଜନ ଓ ଗ୍ରାମବାସୀ ପରିଚାଳନା କରିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ପ୍ରଭୁଙ୍କ ଆଶିଷ ଭିକ୍ଷା କରିବାସହ ଅର୍ଜୁନ ସାହୁଙ୍କୁ ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଂଶସା କରିଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top