ଆଜି ସାରା ଓଡ଼ିଶାରେ ବସ ଚଳାଚଳ ବନ୍ଦ! ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବସ ଧର୍ମଘଟ

ଭୁବନେଶ୍ୱର ୧୪-୩ (ଓଡ଼ିଆ ପୁଅ) ରାଜ୍ୟ ଘରୋଇ ବସ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମଙ୍ଗଳବାର ଦୀର୍ଘ ୨ ଘଣ୍ଟା ଧରି ହୋଇଥିବା ଆଲୋଚନା ବିଫଳ ହୋଇଛି। ସରକାର ସମସ୍ତ ଦାବି ନ ମାନିବାରୁ ବୁଧବାର ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ଏହି ବିଷୟରେ ମଙ୍ଗଳବାରଦିନ ସଂଧ୍ୟାରେ ସରକାର ଓ ବସ୍‌ ମାଲିକ ସଂଘ ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ଏହା ଫଳରେ ସଂଘ ନିଜ ଜିଦ୍‌ରେ ଅଟଳ ରହିବା ସହିତ ଆଜି ସକାଳୁ ବସ୍‌ ଧର୍ମଘଟ ଆରମ୍ଭ କରିବାକୁ ଯାଉଛି। ଏହା ଫଳରେ ରାଜ୍ୟର ୧୭ ହଜାର ବସ୍‌ ଚାଲିବ ନାହିଁ।

ସୂଚନାଯୋଗ୍ୟଯେ, ବିଶେଷକରି ୩ ଦଫା ଦାବି ନେଇ ଧର୍ମଘଟ ରୋକିବା ପାଇଁ ମଙ୍ଗଳବାରଦିନ ପରିବହନ ମନ୍ତ୍ରୀ ଆଲୋଚନା କରିବା ପାଇଁ ଡାକିଥିଲେ। ମୁଖ୍ୟତଃ ସିଟି ବସ୍ ଗୁଡିକ ସହର ମଧ୍ୟରେ ଚଳାଚଳ କରିବା, ଟୋଲଗେଟ୍ ଗୁଡିକରୁ ଯାତ୍ରୀବାହି ବସ୍ ଦେୟ ମୁକ୍ତ କରିବା ଏବଂ ରୋଡ୍ ଟ୍ୟାକ୍ସ କମାଇବା ପାଇଁ ଦାବି କରିଥିଲା ସଂଘ।

ସୂଚନା ଅନୁସାରେ ବସ୍‌ ଧର୍ମଘଟ ଡାକରାକୁ ଦୃଷ୍ଟିରେ ରଖି ମଙ୍ଗଳବାରଦିନ ପରିବହନ ବିଭାଗ ବସ୍‌ ମାଲିକ ସଂଘକୁ ମନାଇବା ପାଇଁ ଉଦ୍ୟମ କରିଥିଲା। ସଚିବାଳୟରେ ଆଲୋଚନା ସମୟରେ ପରିବହନ ମନ୍ତ୍ରୀ ଡା ନୃସିଂହ ଚରଣ ସାହୁ ଓ ସଚିବ ସଂଘର ୧୪ ଦଫା ଦାବି ମଧ୍ୟରୁ ଅନେକ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ବୈଠକରେ ରାଜପଥରେ ସିଟିବସ୍‌ ଚଳାଚଳ ବନ୍ଦ କରିବା ଦାବି ସମ୍ପର୍କରେ ବିଶେଷକିଛି ଆଲୋଚନା ହୋଇ ପାରିନଥିଲା। କିନ୍ତୁ ପରେ ସଂଘର ଏକ ଜରୁରୀ ବୈଠକରେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯିବା ସହିତ ପୂର୍ବ ଘୋଷଣା ଅନୁସାରେ ରାଜ୍ୟବ୍ୟାପି ବସ୍‌ ଧର୍ମଘଟ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଆଜି ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ସଚିବାଳୟରେ ପୁଣି ଥରେ ସଂଘ ସହିତ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।

“ସରକାର ଆମର ଅଧିକାଂଶ ଦାବି ପୂରଣ ପାଇଁ ପଦକ୍ଷେପ ନେବାକୁ ନିର୍ଭର ପ୍ରତିଶୃତି ଦେଇଛନ୍ତି। କିନ୍ତୁ ସିଟିବସ୍‌ ଚଳାଚଳ ନେଇ କୌଣସି ଆଲୋଚନା ହୋଇ ନପାରିବା ଦୁଖର ବିଷୟ। ତେଣୁ ଆମେ ବୁଧବାର ଠାରୁ ରାଜ୍ୟର ୧୭ ହଜାର ବସ୍‌ର ଚଳାଚଳ ବନ୍ଦ କରିବୁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ଏହା ସତ୍ତ୍ୱେ ଆସନ୍ତା କାଲି (ବୁଧବାରଦିନ) ଆମେ ନଗର ଉନ୍ନୟନ ଓ ପରିବହନ ବିଭାଗ ମନ୍ତ୍ରୀ ତଥା ସଚିବଙ୍କ ସହ ଆଲେଚନା କରିବୁ ଏବଂ ଏହା ପରେ ଯାଇ ପରବର୍ତ୍ତି ନିଷ୍ପତ୍ତି ହେବ।” ବୋଲି ଗଣମାଧ୍ୟମକୁ କହିଛି ସଂଘ।

ବିଶେଷକରି ସିଟି ବସ୍‌ ଚଳାଚଳକୁ ବିରୋଧ କରି ଘରୋଇ ବସ ମାଲିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସଂଘର କହିବା କଥା ହେଲା ସିଟି ବସ ସହରରେ ନ ଚାଲି ଅନ୍ୟ ରୁଟ୍‌ରେ ଚଳାଚଳ କରୁଛି। ଏଥିଯୋଗୁ ବସମାଲିକଙ୍କୁ ବହୁ କ୍ଷତି ସହିବାକୁ ପଡୁଛି। “ସିଟି ବସ୍‌ କେଉଁଠି ଓ କେଉଁ ସମୟରେ ଚାଲିବ ସେନେଇ ସରକାର ନୀତି ନିର୍ଦ୍ଧାରଣ କରନ୍ତୁ। ନଚେତ ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ।” ବୋଲି କହିଛି ସଂଘ।

ଦାବି ପୂରଣ ନେଇ ବୁଧବାର ପୂର୍ବାହ୍ନ ୧୧ଟା ୩୦ ମିନିଟରେ ପୁଣି ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ତରଫରୁ ବିଭାଗୀୟ ମନ୍ତ୍ରୀ ସଂଘକୁ ଧର୍ମଘଟରୁ ନିବୃତ ରହିବାକୁ ସଂଘ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ। ତେବେ ମନ୍ତ୍ରୀଙ୍କ ଅନୁରୋଧକୁ ସଂଘ ପ୍ରତ୍ୟାଖ୍ୟାନ କରିବା ସହ ଧର୍ମଘଟକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟଯେ, ୨୦୧୭ ଅକ୍ଟୋବର ଏବଂ ୨୦୧୮ ଫେବୃୟାରୀ ମାସରେ ରେ ସଂଘର ପ୍ରତିନିଧିମାନେ ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ପରିବହନ ସଚିବଙ୍କୁ ସ୍ମାରକପତ୍ର ଦେଇଥିଲେ। ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ଗତ ୯ ତାରିଖରେ ସଂଘ ସଭାପତି ପ୍ରକାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀ ବୈଠକରେ ବସ୍‌ ନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ସୂଚନା ମିଳିଛି। ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରେ, ସହର ବାହାରେ ସିଟିବସ ଚଳାଚଳକୁ ବନ୍ଦ କରିବା, ମୋଟର ଯାନ ଟିକସ ବୃଦ୍ଧିକୁ ହ୍ରାସ କରିବା, ଟୋଲ ଟିକସ ପ୍ରସ୍ତାବ ଅନୁଯାୟୀ ବହନ କରିବା, ନୂତନ ବସ ପରମିଟ ଦେବା ପୂର୍ବରୁ ଉକ୍ତ ମାର୍ଗରେ ସମୟ ନିର୍ଦ୍ଧାରଣ କରିବା, ଯାତ୍ରୀବାହି(ବସ୍‌) ପରମିଟ ମାଲିକାନା ପରିବର୍ତ୍ତନ ପ୍ରସ୍ତାବ କାର୍ଯ୍ୟକାରୀ କରିବା, ଘାଟି ଅଞ୍ଚଳ, ଖରାପ ରାସ୍ତା ପାଇଁ ସ୍ବତନ୍ତ୍ର ଯାତ୍ରୀ ଭଡା ନିର୍ଦ୍ଧାରଣ କରିବା, ବସ ଉପରେ ବର୍ଦ୍ଧିତ ବୀମା ରାଶି ହ୍ରାସ ନେଇ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଜଣାଇବା, ବେଆଇନ ଭାବେ ଚଳାଚଳ କରୁଥିବା ଛୋଟ ଗାଡିଗୁଡିକୁ ତୁରନ୍ତ ବନ୍ଦ କରିବା ଏବଂ ରାଜ୍ୟରେ ଥିବା ବସଷ୍ଟାଣ୍ଡ ଗୁଡିକର ଉନ୍ନତୀକରଣ କରି ଯାତ୍ରୀମାନଙ୍କ ବ୍ୟବହାର ଉପଯୋଗୀ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *