ଆଜି ଶ୍ରୀରାମ ନବମୀର ନଗର ସଂକୀର୍ତ୍ତନ ଶୋଭାଯାତ୍ରା ସୋସିଆଲ ମିଡିଆର ନେଟ୍ୱାର୍କିଂରେ ପ୍ରତିବନ୍ଧକ ଲାଗିଲା

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଭଦ୍ରକର ଚଳିତ ଶ୍ରୀରାମ ନବମୀ ଉତ୍ସବ ପାଳନର ସୁରକ୍ଷା ନେଇ ଆଜିଠାରୁ ଦୁଇଦିନ ପର୍ଯ୍ୟନ୍ତ ସମସ୍ତ ସୋସିଆଲ୍ ମିଡିଆର ନେଟ୍ୱାକ୍ରେ ପ୍ରତିବନ୍ଧକ ଲାଗାଯାଇଛି। ଏଠାରେ ସୂଚନାଯୋଗ୍ୟ ଗତବର୍ଷ ଏହି ଶ୍ରୀରାମ ନବମୀ ସମୟରେ ହିନ୍ଦୁ ଦେବାଦେବୀଙ୍କ ସଂପର୍କରେ ଅଶୀଳ ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ନେଇ ହିଂସାକାଣ୍ଡ ଘଟିଥିଲା। ସେତେବେଳେ ମଧ୍ୟ ଏହି ପ୍ରତିବନ୍ଧକ ଲଗାଯାଇଥିଲା। ଚଳିତବର୍ଷ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀରାମ ମହାଯଜ୍ଞ ସମିତିର ଏହି ପାଳନ ଉପରେ ଅଂକୁଶ ଲଗାଯାଇ ୧୪୪ ଧାରା ଜାରି କରାଯାଇଥିବାବେଳେ ଉଚ୍ଚ ନ୍ୟାୟାଳୟଙ୍କ ରାୟ ଭିନ୍ନ ମୋଡ ନେଇଛି। ଉତ୍ସବ ପାଳନ ବେଳେ ଶୋଭାଯାତ୍ରା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବାବେଳେ ଗତକାଲି ଉଚ୍ଚ ନ୍ୟାୟାଳୟଙ୍କର ମୁଖ୍ୟ ବିଚାରପତି ବିନିତ ସରଣ ଓ ଡ. ଜଷ୍ଟିସ୍ ବି.ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀରାମ ମହାଯଜ୍ଞ ସମିତି ଆବେଦନ ଉପରେ ଶୁଣାଣି କରି ପାରମ୍ପରିକ ରୀତି ଅନୁସାରେ ପୂର୍ବବର୍ଷ ଭଳି ଏହା ପାଳନ ହେବ ବୋଲି ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟ ଓ କୋଲକାତା ହାଇକୋର୍ଟଙ୍କ ଏକାଧିକ ରାୟକୁ ଅଦାଲତରେ ଉପସ୍ଥାପନ କରାଯାଇଥିଲା। ଏଥିସହ ଭାରତୀୟ ସମ୍ବିଧାନର ଧାରା ୨୫୨୬ ମୂଳେ କୌଣସି ଧାର୍ତ୍ମିକ କାର୍ଯ୍ୟ ଏକ ମୌଳିକ ଅଧିକାର ବୋଲି ଆବେଦନକାରୀଙ୍କ ଓକିଲ ବରିଷ୍ଠ ଆଇନ୍ଜୀବୀ ପିତାମ୍ବର ଆଚାର୍ଯ୍ୟ ଯୁକ୍ତି ବାଢିଥିଲେ। ଏଠାରେ ସୂଚନାଯୋଗ୍ୟ ଏହି ଉତ୍ସବ ପାଳନ ବେଳେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କିରବା ପାଇଁ ମାନ୍ୟବର କୋର୍ଟ ରାଜ୍ୟ ସରକାର, ଭଦ୍ରକ ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଉତ୍ସବର ସୁରକ୍ଷା ଦୃଷ୍ଟିକୋଣରୁ ଗତବର୍ଷ ଭଳି ସୋସିଆଲ ମିଡିଆ ଉପରେ ରୋକ୍ ଲାଗିଛି। ଯେଉଁଥିପାଇଁ ଆଜି ବିଭିନ୍ନ ଗଣମାଧ୍ୟମ ସେମାନଙ୍କର ନ୍ୟୁଜ୍ ପଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଭଦ୍ରକ ସହରରେ ଦୀର୍ଘ ୨୭ ବର୍ଷ ଧରି ଏହା ପାଳିତ ହୋଇଆସୁଅଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଜିଲା ପ୍ରଶାସନ ପକ୍ଷରୁ ଯାହାଫଳରେ ଗତକାଲି କଳସ ଶୋଭାଯାତ୍ରା ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ଦିନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାହା ଉଠାଇ ଦିଆଯାଇଥିଲା। ପରେ ତାହା ଲାଗୁ କରାଯାଇଛି। ଆସନ୍ତାକାଲି ନଗର ସଂକୀର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *