ଓଡ଼ିଶା

ଆଜିଠୁ ଆରମ୍ଭ ହେଲା ରାଜ୍ୟବ୍ୟାପି ବିଜେପି ମହିଳା ସୁରକ୍ଷା ଯାତ୍ରା

ମହିଳା ସୁରକ୍ଷା ଯାତ୍ରାକୁ ରାଜ୍ୟବ୍ୟାପି ବ୍ୟାପକ ଜନସମର୍ଥନ: ବିଜେପି

– ମହିଳାମାନେ ସୁରକ୍ଷିତ ରହିଲେ ଶକ୍ତିଶାଳୀ ହୋଇପାରିବେ : ପ୍ରଭାତି ପରିଡା
– ରାଜ୍ୟରେ ନାରୀମାନଙ୍କୁ ସୁରକ୍ଷା ଦେବା ବିଜେପି ମହିଳାମୋର୍ଚ୍ଚାର ପ୍ରଧାନ ଲକ୍ଷ୍ୟ
– ୭ଟି ରୁଟ୍ ରେ ଆରମ୍ଭ ହେଲା ସୁରକ୍ଷା ଯାତ୍ରା

ଭୁବନେଶ୍ୱର, ତା ୧୭/୦୫ (ଓଡ଼ିଆ ପୁଅ) : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜିଠୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇଛି। ରାଜ୍ୟର ୭ଟି ରୁଟ୍ରେ ଏହି ଯାତ୍ରା ଆରମ୍ଭ ହୋଇଛି। ରାଜ୍ୟରେ ନାରୀମାନଙ୍କୁ ସୁରକ୍ଷା ଦେବା ବିଜେପି ମହିଳାମୋର୍ଚ୍ଚାର ପ୍ରଧାନ ଲକ୍ଷ୍ୟ।

ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡାଙ୍କ ନେତୃତ୍ୱରେ ମହିଳା ସୁରକ୍ଷାଯାତ୍ରା କାକଟପୁର ମା’ମଙ୍ଗଳାଙ୍କ ମନ୍ଦିରରୁ ଆରମ୍ଭ ହୋଇଛି। ମା ମଙ୍ଗଳାଙ୍କ ଆର୍ଶୀବାଦ ନେଇ ଶତାଧିକ ମହିଳା ଏହି ଯାତ୍ରା ଆରମ୍ଭ କରିଛନ୍ତି। ଓଡିଶାର ଅଗଣିତ ମା’ ଭଉଣୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି। ଏହାକୁ ବିରୋଧ କରିବା ସହ ନାରୀ ସୁରକ୍ଷାର ବାର୍ତ୍ତା ଘରେ ଘରେ ପହଂଚାଇବା ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀମତି ପରିଡା କହିଛନ୍ତି।

ମହିଳାମାନେ ସୁରକ୍ଷିତ ରହିଲେ ଶକ୍ତିଶାଳୀ ହୋଇପାରିବେ। ଓଡିଶାର ୨ କୋଟି ୭୫ ଲକ୍ଷ ମହିଳାମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟର ନାରୀମାନେ ଦିନଦ୍ୱିପ୍ରହରରେ ରାସ୍ତାରେ ଚାଲିବାକୁ ଭୟ କଲେଣି। ମୁଖ୍ୟମନ୍ତ୍ରୀ ଆଉ କେତେଦିନ ଶୋଇ ରହି ଅପରାଧୀମାନଙ୍କୁ ସୁରକ୍ଷା ଯୋଗାଇବେ ବୋଲି ଶ୍ରୀମତି ପରିଡା ପ୍ରଶ୍ନ ଉଠାଇଛନ୍ତି।

କାକଟପୁର ମଙ୍ଗଳା ମନ୍ଦିର ଏବଂ ବାଲିଦୋକାନଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା। ପରେ କୋଣାର୍କରେ ଏବଂ ଗୋପ ଛକ ନିକଟରେ ଏକ ପ୍ରଥପ୍ରାନ୍ତ ସଭା ହୋଇଥିଲା। ଅପରାହ୍ନରେ ନିମାପଡା, ବଳଙ୍ଗା ଏବଂ ସଂଧ୍ୟାରେ ଖେଲାରରେ ଜନସଂପର୍କ ପଦଯାତ୍ରାରେ ଯୋଗ ଦେଇ ମହିଳାମାନଙ୍କୁ ଶ୍ରୀମତି ପରିଡା ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ନିମାପଡାରେ ରାତ୍ରି ରହଣୀ ସହ ଆସନ୍ତାକାଲି ଏହି ଯାତ୍ରା ପୁଣି ବାହାରିବ ବୋଲି ଶ୍ରୀମତି ପରିଡା ସୂଚନା ଦେଇଛନ୍ତି। ଏହି ସୁରକ୍ଷା ଯାତ୍ରାରେ ବରିଷ୍ଠ ସିନେ ଅଭିନେତ୍ରୀ ମହେଶ୍ୱତା ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଭଦ୍ରକର ମା ଭଦ୍ରକାଳୀ ମନ୍ଦିରୁ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନେତୃତ୍ୱରେ ସୁରକ୍ଷା ଯାତ୍ରା ବାହାରିଥିଲା। ଏହି ଯାତ୍ରା ଭଦ୍ରକାଳୀ ମନ୍ଦିରରୁ ବାହାରି ଭଣ୍ଡାରିପୋଖରୀ ଓ ଧାମନଗରରେ ଏକ ସାଧାରଣ ସଭାରେ ଯୋଗ ଦେଇ ମହିଳା ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଦେଇଥିଲେ। ସଂଧ୍ୟାରେ ଡ. ସାମନ୍ତସିଂହାର ଚାନ୍ଦବାଲିର ଆରଡିଠାରେ ଏକ ସାଧାରଣ ସଭାରେ ଯୋଗଦେଇ ମହିଳା ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ।

କଟକର ମା ଚଣ୍ଡୀ ମନ୍ଦିରରୁ ଉପ ସଭାନେତ୍ରୀ ସୁକେଶୀ ଓରାମ ନେତୃତ୍ୱରେ ମହିଳା ସୁରକ୍ଷାଯାତ୍ରା ବାହରି ଚଣ୍ଡିଛକ ଠାରେ ଏକ ସାଧାରଣ ସଭାର ଅୟୋଜନ କରାଯାଇଥିଲା। ପରେ କଟକ ନୟାସଡକ, ବକ୍ସିବଜାର, କଲେଜ ସ୍କୋୟାର ଏବଂ ଚୌଦ୍ୱାରରେ ପଥପ୍ରାନ୍ତ ସଭା କରାଯାଇ ମହିଳାମାନଙ୍କୁ ସୁରକ୍ଷା ବାର୍ତ୍ତା ପ୍ରଦାନ କରାଯାଇଥିଲା।

ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିରରୁ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ମହିଳା ଏକାଠି ହୋଇ ପଥପ୍ରାନ୍ତ ସଭା କରିଥିଲେ। ପରେ ଅପରାହ୍ନରେ ଯୁଯୋମରା ହାଟ ଏବଂ ରେଢାଖୋଲ ଛକରେ ପଥପ୍ରାନ୍ତ ସଭା ସହ ପଦଯାତ୍ରା ମାଧ୍ୟମରେ ମହିଳାମାନଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା।

ପାଟଣାଗଡର ପାଟଣେଶ୍ୱରୀ ମନ୍ଦିରରୁ ପୂର୍ବତନ ସାଂସଦ ସଂଗୀତା ସିଂହଦେଓଙ୍କ ନେତ୍ୃତ୍ୱରେ ମହିଳା ସୁରକ୍ଷା ଯାତ୍ରା ବାହିରି ବେଲପଡାଠାରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଅପରାହ୍ନରେ କଂଟାବାଜିରେ ଏକ ସାଧାରଣ ସଭା ହୋଇ ମହିଳାମାନଙ୍କୁ ନିଜ ଅଧିକାର ସଂପର୍କରେ ଅବଗତ କରାଯାଇଥିଲା।

ସୋରଡାର ମା କନ୍ଧୁଣୀ ଦେବୀ ମନ୍ଦିରରୁ ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ ନେତୃତ୍ୱରେ ମହିଳା ସୁରକ୍ଷା ଯାତ୍ରା ବାହାରି ଭଂଜନଗରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପରେ ବେଲଗୁଂଟା, ବୁଗୁଡାରେ ପଥପ୍ରାନ୍ତ ସଭା ଏବଂ ପୋଲସରା ଓ କବିସୂର୍ଯ୍ୟନଗରରେ ସାଧାରଣ ସଭାରେ ଶ୍ରୀମତି ପଟ୍ଟନାୟକ ମହିଳାମାନଙ୍କୁ ସେମାନଙ୍କ ସୁରକ୍ଷା ସଂପର୍କରେ ସଚେତନ କରାଇଥିଲେ।

ଭୁବନେଶ୍ୱରର ମା ଶିଖରଚଣ୍ଡୀ ମନ୍ଦିରରୁ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ୱରେ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇଛି। ଶିଖର ଚଣ୍ଡି ମନ୍ଦିରରୁ ଏକ ବିଶାଳ ରାଲି ବାହାରି କିଟ୍ ଛକରେ ପହଂଚି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ଦାୟୀତ୍ୱହୀନତା ପାଇଁ ଦିନକୁ ଦିନ ଗଣଦୁଷ୍କର୍ମ ରାଜ୍ୟରେ ବୃଦ୍ଧି ପାଇବାରେ ଚାଲିଛି। ମା’ କୁ ସମ୍ମାନର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ରାଜ୍ୟର ନାରୀମାନଙ୍କୁ ଅପମାନିତ କରିଚାଲିଛନ୍ତି ବୋଲି ଶ୍ରୀମତି ପାଢୀ କହିଛନ୍ତି। ଉତର ଭୁବନେଶ୍ୱରର ସମସ୍ତ ଅଂଚଳ ବୁୁଲି ଏକ ବିରାଟ ପଟୁଆରରେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ଆସି ପହଂଚି ନାରୀମାନଙ୍କୁ ସଚେତନତା ବାର୍ତ୍ତା ପହଂଚାଇଥିଲେ। ସଂଧ୍ୟାରେ ଦଳୀୟ କାର୍ଯ୍ୟାଳୟ ଆଗରେ ଏକ ବିରାଟ ସାଧାରଣ ସଭାରେ ଶ୍ରୀମତି ପାଢୀ ରାଜ୍ୟସରକାରଙ୍କ ବିଫଳତା ବଖାଣିବା ସହ ନାରୀମାନଙ୍କୁ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସଭାରେ ହଜାର ହଜାର ସଂଖା୍ୟାରେ ମହିଳା ଯୋଗ ଦେଇଥିଲେ। ଭୁବନେଶ୍ୱରର ଏହି ମହିଳା ସୁରକ୍ଷା ଯାତ୍ରାରେ ବିଜୟାଲକ୍ଷ୍ମୀ ମହାପାତ୍ର, ନିରୁପମା ଜେନା, ଅନୁସୂୟା ସାହୁ ବନ୍ଦନା ଦାସ କାନୁନ୍ଗୋ, ତୃପ୍ତିମୟୀ ମକଦ୍ଦମ, କାନନବାଳା ପଟ୍ଟନାୟକ ଏବଂ ଉର୍ମିଳା ମହାପାତ୍ର ପ୍ରମୁଖ ସାମିଲ ଥିଲେ।

ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତ୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଂଚାଇବା ପାଇଁ ଏହି ସୁରକ୍ଷାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହି ମହିଳା ସୁରକ୍ଷା ଯାତ୍ରା ଆସନ୍ତା ମେ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top