ଆଜିଠାରୁ କୋରାପୁଟ ସଦର ଡାକ୍ତରଖାନାରେ ରକ୍ତ, ୟୁରିନ, ଷ୍ଟୁଲ ଓ ରେଡିଓଲଜି ପରୀକ୍ଷା ମାଗଣାରେ କରାଯାଉଛି

କୋରାପୁଟ ; ତା୦୧-୦୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ରାଜ୍ୟ ସରକାର ୧ ତାରିଖଠାରୁ ସରକାରୀ ଡାକ୍ତରଖାନାରେ ମାଗଣାରେ ବିଭିନ୍ନ ପରୀକ୍ଷା କରିବାକୁ ବିଜ୍ଞପ୍ତି ପ୍ରକାଶ କରିବା ପରେ କୋରାପୁଟ ସଦର ଡାକ୍ତରଖାନାରେ ହେମାଟୋଲଜି, ବାଇଓ-କେମେଷ୍ଟ୍ରୀ,  ସେରୋଲଜି, ମାଇକ୍ରୋ-ବାଇଓଲଜି ୟୁରିନ ଆନାଲେସିସ,  ଷ୍ଟୁଲ ଆନାଲେସିସ ଓ ରେଡିଓଲଜି ପରୀକ୍ଷା ମାଗଣାରେ କରାଯାଉଛି ବୋଲି ସଦର ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର କାଳୀ ପ୍ରସାଦ ବେହେରା ପ୍ରକାଶ କରିଥିଲେ।କୋରାପୁଟ ଡାକ୍ତରଖାନାରେ ସିଟିସ୍କାନ ଅଛି କିନ୍ତୁ ତାହା ଖରାପ ଥିବାରୁ ବ୍ୟବହାର ହେଉ ନ ଥିବାରୁ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ବିଶାଖାପାଟଣା ଯାଉଛନ୍ତି।ଏଣ୍ଡୋସ୍କପି ମେସିନ ଅଛି କିନ୍ତୁ ବ୍ୟବହାର ହେଉ ନ ଥିବା ଅଭିଯୋଗ ହେଉ ଥିବା ବେଳେ ଅଲଟ୍ରାସାଉଣ୍ଡ ମେସିନକୁ ଚଳେଇବାକୁ ଜଣେ ଡାକ୍ତର ରହିଛନ୍ତି।ଉକ୍ତ ଡାକ୍ତର ଛୁଟିରେ ଗଲେ ଅଲଟ୍ରାସାଉଣ୍ଡ ପରୀକ୍ଷା ହୋଇପାରେନାହିଁ।ତେଣୁ ଅଲଟ୍ରାସାଉଣ୍ଡ ମେସିନ ଚଳାଇବା ନିମନ୍ତେ ରେଡିଓଲଜିଷ୍ଟ ପ୍ରଫେସର କିମ୍ବା ସହାୟକ ପ୍ରଫେସର ନିଯୁକ୍ତି କରିବାକୁ ସାଧାରଣରେ ଦାବି ହେଉଛି।

ଏଥିପୂର୍ବରୁ ଆରକେଏସ ଦ୍ୱାରା ନିଯୁକ୍ତ ୨ ଜଣ କର୍ମଚାରୀ ପରୀକ୍ଷା କରିବା ନିମନ୍ତେ ଅର୍ଥ ଗ୍ରହଣ କରି ରସିଦ ପ୍ରଦାନ କରୁଥିଲେ।ସେମାନଙ୍କ ମଧ୍ୟରୁ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରହିଥିବା ବେଳେ ଆଉଜଣେ ପ୍ରଦୀପ୍ତ କୁମାର ସାହୁ କାର୍ଯ୍ୟ କରି ପରିବାର ଚଳାଉଥିଲେ।ଏବେ ସରକାର ମାଗଣାରେ ପରିକ୍ଷା କରୁଥିବାରୁ ରୋଗୀମାନେ ସିଧାସଳଖ ପ୍ରେସ୍କ୍ରିପସନ ଦେଖାଇ ନିଦାନକେନ୍ଦ୍ରକୁ ଯାଇ ପରିକ୍ଷା କରାଇପାରିବେ ତେଣୁ ପ୍ରଦୀପ୍ତ ସାହୁଙ୍କୁ ଡାକ୍ତରଖାନାର ଅନ୍ୟ କୋଣସି ବିଭାଗରେ ସ୍ଥାପିତ କରିବାକୁ ସାଧାରଣରେ ଦାବି ହେଉଛି।

ରାଜ୍ୟ ସରକାରଙ୍କ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଜିଲ୍ଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡିର ସଂପାଦକ ଇଂ ଇଶ୍ୱର ପାଣିଗ୍ରାହୀ ପ୍ରକାଶ କରିଛନ୍ତି।ଏହାଦ୍ୱାରା ଗରୀବ ଓ ମଧ୍ୟବିତ ପରିବାରଙ୍କୁ ସହାୟତା ହେବ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *