ଓଡ଼ିଶା

ଆଖୁଆପଦା ଠାରେ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ, ଲଗାଣ ବର୍ଷା ଯୋଗୁ ବିସ୍ତୀର୍ଣ୍ଣ ଚାଷଜମି ଜଳାର୍ଣ୍ଣବ

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଉତ୍ତର ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ଯୋଗୁ ଆଜି ୫ଟା ସୁଦ୍ଧା ଭଦ୍ରକରେ ବର୍ଷାର ପରିମାଣ ୪୧ ମିଲିମିଟର, ଭଣ୍ଡାରିପୋଖରୀରେ ୭୫, ବାସୁଦେବପୁରରେ ୨୩, ଧାମନଗରରେ ୮୦, ତିହିଡିରେ ୯୫, ଚାନ୍ଦବାଲିରେ ୧୦୨.୮ ଓ ବନ୍ତରେ ୬୦ ମିଳିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି। ଅନୁରୂପ ସନ୍ଧ୍ୟା ୫ଟା ସୁଦ୍ଧା ଆଖୁଆପଦା ଠାରେ ବୈତରଣୀର ଜଳପତନ ବିପଦ ସଂକେତ ୧୭.୮୩ ଅତିକ୍ରମ କରି ୧୭.୯୪ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଏବେ ଲଗାଣ ବର୍ଷା ଜାରିରହୁଥିବାରୁ ଭଦ୍ରକ ଜିଲା ସମେତ ବୈତରଣୀର ଓ ଶାଖା ନଦୀ ମାନଙ୍କରେ ଏକ ବଡ ଧରଣର ବନ୍ୟାର ଆଶଙ୍କା ଦୃଢୀଭୂତ ହୋଇଛି। ତେବେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଅଧିକାରୀମାନଙ୍କୁ ସଜାଗ ରଖାଯିବା ସହ ପ୍ରାଥମିକ ରିଲିଫ୍ ସାମଗ୍ରୀ ମହଜୁଦ ରଖାଯାଇଥିବା ବିଷୟ ଜରୁରୀ କାଳୀନ ଅଧିକାରିଣୀ ଜୟଶ୍ରୀ ସେନାପତିଙ୍କ ସୂତ୍ରରୁ ଜଣାପଡିଛି। ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସାଳନ୍ଦୀ ନଦୀର ଉପର ମୁଣ୍ଡରେ ମଧ୍ୟ ବର୍ଷା ଲାଗିରହିଥିବାରୁ ହଦଗଡ ଡ୍ୟାମ୍ର ଗେଟ୍ ଖୋଲାଯିବା ଫଳରେ ସାଳନ୍ଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଭଦ୍ରକ ସହରର ପ୍ରାୟ ସମସ୍ତ ୱାର୍ଡ ଗୁଡିକ ଏବେ ଜଳମଗ୍ନ ହୋଇପଡିବା ସହ ଲୋକଙ୍କ ଘର ଭିତରେ ପାଣି ପଶିଯିବାରୁ ସେମାନେ ନାହିଁ ନଥିବାର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଅନୁରୂପ ବିଗତ ୩୬ ଘଂଟା ହେବ ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ନେରଡ଼ା ଓ ରାମଚନ୍ଦ୍ରପୁର ପଂଚାୟତ ମଧ୍ୟ ଅଂଚଳ ଜାତୀୟ ରାଜପଥ ପାର୍ଶ୍ୱ ଶହ ଶହ ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇଛି। ଗତ ସପ୍ତାହରେ ଲଗାଣ ବର୍ଷା ଯୋଗୁ ଉକ୍ତ ଚାଷ ଜିମି ଗୁଡ଼ିକ ପାଣିରେ ବୁଡ଼ିଥିବା ବେଳେ ବର୍ତମାନର ସ୍ଥିତି ସଙ୍ଗିନ ହୋଇଯାଉଛି। ପାଣି ଜମିବା ଫଳରେ ଚାଷ ଉଜୁଡ଼ି ଯିବାର ଆଶଙ୍କା ଦେଖାଦେଇଛି। ଅନୁରୁପଭାବେ ସରସଦା, ରହଣିଆ, ନିର୍ଗୁଣ୍ଡି, ମାଳଦା, ନପଙ୍ଗ, ଷୋଳମପୁର ପ୍ରଭୃତି ପଂଚାୟତ ଅଂଚଳର ଚାଷ ଜମି ଗୁଡ଼ିକ ଲଗାଣ ବର୍ଷା ଯୋଗୁ ଜଳମଗ୍ନ ହୋଇଛି। ଏ ସବୁ ଅଂଚଳରେ ଜଳ ନିଷ୍କାସନର ମାଧ୍ୟମ ସଂକିର୍ଣ୍ଣ ଥିବାରୁ ଚାଷ ଜମି ଗୁଡ଼ିକ ପ୍ରତ୍ୟେକ ବର୍ଷ କ୍ଷତିଗ୍ରସ୍ତ ହେଉଥିବା ଜଣାପଡ଼ିଛି। ଏପଟେ ବର୍ଷାର ପରିମାଣ ବଢ଼ୁଥିବାରୁ ବୈତରଣୀରେ ବନ୍ୟା ଆସିବା ଆଶଙ୍କା ସୃଷ୍ଟି ହୋଇଛି। ଜଳସେଚନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଆଖୁଆପଦା ଠାରେ ୧୨୪.୮, ଆନନ୍ଦପୁର ୨୨.୬, ସ୍ୱାମୀପାଟଣା ୪୮.୦, ଚମ୍ପୁଆ ୩.୬, କେନ୍ଦୁଝର ୪୪.୮ ଓ ଠାକୁରମୁଣ୍ଡା ଠାରେ ୩୯.୬ ମିଲି ବର୍ଷା ରେକର୍ଡ଼ ହୋଇଛି। ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ଥିବା ବେଳେ ସଂଧ୍ୟା ୬ ଟାସୁଦ୍ଧା ୧୭.୯୪ ବନ୍ୟାଜଳ ସ୍ଥିର ରହିଛି। ନଦୀର କଂଟି ଘାଇ ବାଟେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଏହାର ପ୍ରଭାବରେ ବିରୋଳୀ, ବରାହ ନୂଆପଡ଼ା, ଜଳହରୀ, ସାରଣା, ତିଖିଲିଆ, ନୌରଙ୍ଗପୁର ପ୍ରଭୃତି ଗାଁର ଚାଷ ଜମି ଜଳମଗ୍ନ ହୋଇଛି। ଏସବୁ ଅଂଚଳରେ ବ୍ୟାପକ ପରିମାଣରେ ପନି ପରିବା ଚାଷ ମଧ୍ୟକ୍ଷତିଗ୍ରସ୍ତ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top