ଓଡ଼ିଶା

ଆକାଶ ମାର୍ଗରୁ ଗଞ୍ଜାମ, ଗଜପତି ଓ ରାୟଗଡାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ସମୀକ୍ଷା: ୧୫ ଦିନ ପାଇଁ ରିଲିଫ ଯୋଗାଇ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର ୧୩-୧୦ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ଗଞ୍ଜାମ, ଗଜପତି ଓ ରାୟଗଡାର ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରାୟ ୩ ଘଣ୍ଟା ଧରି ଆକାଶମାର୍ଗରେ ବୁଲି ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଏହାପରି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନଙ୍କ ସହିତ ଏକ ବୈଠକରେ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଫସଲ, ରାସ୍ତାଘାଟ, ବିଦ୍ୟୁତ ପରିବହନରେ ଯଥେଷ୍ଟ କ୍ଷତି ହୋଇଛି।

ଏହି ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଞ୍ଜାମ, ଗଜପତିର ଓ ରାୟଗଡା ଜିଲ୍ଲାର ଗୁଣୁପୁର ସବ୍ ଡିଭିଜନର ସମସ୍ତ କ୍ଷତିଗ୍ରସ୍ତ ପରିବାରକୁ ୧୫ ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇ ଦିଆଯିବ। ବୟସ୍କ ମାନଙ୍କୁ ଦୈନିକ ୬୦ ଟଙ୍କା ହିସାବରେ ଏବଂ ପିଲାମାନଙ୍କୁ ଦୈନିକ ୪୫ ଟଙ୍କା ଲେଖାଏ ହିସାବରେ ସମସ୍ତ ପରିବାରକୁ ୩୦୦୦ ଟଙ୍କାରୁ ଅଧିକ ଟଙ୍କାର ରିଲିଫ ପ୍ରଦାନ କରାଯିବ।

ଏହାସହିତ ବିଭିନ୍ନ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳ ଗୁଡିକୁ ୪୮ ଘଣ୍ଟା ମଧ୍ୟରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳର ୯୦ ଭାଗ ସ୍ଥାନକୁ ୪୮ ଘଣ୍ଟା ମଧ୍ୟରେ ଓ ବାକି ସ୍ଥାନରେ ୩ ରୁ ୫ ଦିନ ମଧ୍ୟରେ ବିଦ୍ୟୁତ ସରବରାହ ପୁନଃସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମସ୍ତ ବ୍ଲକ୍ ଗୁଡିକୁ ୪୮ ଘଣ୍ଟା ମଧ୍ୟରେ ପାନୀୟ ଜଳ ଯୋଗାଇ ଦେବା ସହିତ ଆସନ୍ତାକାଲି ମଧ୍ୟରେ ସମସ୍ତ ନଳକୂପ ଗୁଡିକୁ ମରାମତି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ତା ସହିତ ସହରାଞ୍ଚଳ ଗୁଡିକରେ ୨୪ ଘଣ୍ଟା ମଧ୍ୟରେ ପାନୀୟ ଜଳ ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ଜେନସେଟ୍ ଲଗାଇ ଜଳଯୋଗାଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ଵତନ୍ତ୍ର ରିଲିଫ କମିଶନର କ୍ଷୟକ୍ଷତି ଓ ସରକାରଙ୍କ ପଦକ୍ଷେପ ସଂପର୍କରେ ଏକ ଉପସ୍ଥାପନା ପ୍ରଦାନ କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ସ୍ଵତନ୍ତ୍ର ରିଲିଫ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ଏବଂ ପାଣିପାଗ ବିଭାଗର ନିର୍ଦ୍ଦେଶକ ଉପସ୍ଥିତ ଥିଲେ।

ବୈଠକ ପରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କର ବନ୍ୟାଞ୍ଚଳ ପରିଦର୍ଶନ ଓ ରିଲିଫ ପ୍ୟାକେଜ ସଂପର୍କରେ ସୂଚନା ଦେଇ ଥିଲେ। ବିରୋଧୀ ଦଳ ମାନଙ୍କ ସମାଲୋଚନା ସଂପର୍କରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ୧୯୯୯ର ମହାବାତ୍ୟା ପରଠାରୁ ଏହା ହେଉଛି ସବୁଠାରୁ ବଡ ପ୍ରାକୃତିକ ବିପର୍ଯ୍ୟୟ। ବିରୋଧୀ ଦଳ ଚାହିଁଲେ ସମାଲୋଚନା କରିପାରନ୍ତି। ସେମାନେ ଅଭିଯୋଗ କରନ୍ତୁ। କିନ୍ତୁ ଆମେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟସ୍ତ ଅଛୁ। ଆପଣମାନେ କଣ ଭାବୁନାହାନ୍ତି ଯେ ଆମେ ଏହାକୁ ଠିକ୍ ଭାବରେ ମୁକାବିଲା କରୁଛୁ ? ସେହିପରି ଗଜପତି ଜିଲ୍ଲାର ବରଘର ଅଞ୍ଚଳର ଦୁର୍ଘଟଣାକୁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଦୁଃଖଦାୟକ ବୋଲି ବର୍ଣ୍ଣନା କରି ସବିଶେଷ ରିପୋର୍ଟ ମିଳିବା ପରେ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ।

ଇଣ୍ଡିଆ ଟୁଡେ ପତ୍ରିକାର ମତାମତ ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କୁ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପିତ କରାଯାଇଥିବା ସଂପର୍କରେ ସାମ୍ବାଦିକମାନଙ୍କ ଦୃଷ୍ଟି ଆକର୍ଷଣର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ମୋତେ ଅଧିକ ନମ୍ର କରିଛି। ଆହୁରି ଅଧିକ ନିଷ୍ଠାର ସହିତ ମୁଁ ଲୋକଙ୍କ ସେବା କରିଚାଲିବି। କେନ୍ଦ୍ରକୁ କ୍ଷୟକ୍ଷତିର ସହାୟତା ଦାବି ସଂପର୍କରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ସମସ୍ତ କ୍ଷୟକ୍ଷତିର ଆକଳନ ହେବା ପରେ କେନ୍ଦ୍ରକୁ ଏ ବିଷୟରେ ଆବଶ୍ୟକ ସହାୟତା ଦାବି କରାଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top