ଆକଶରେ କଳାବାଦଲ ଦେଖିଲେ ବରୀବାସୀଙ୍କ ବିଦ୍ୟୁତ କାଟର ଯନ୍ତ୍ରଣା ଭୋଗନ୍ତି

ଯାଜପୁର-୧୨/୬(ଓଡିଆ ପୁଅ/ଏ.ରାଉତ) ଆସିଲାଣି ମୈାସୁମୀ। ଆଦ୍ୟ ଆଶାଢର ବର୍ଷାକୁ ନେଇ ଜନସାଧାରଣ ପୁଲକିତ ହେଉଥିଲାବେଳେ ବାରୀବାସୀଙ୍କୁ କିନ୍ତୁ ମୈାସୁମୀର ଭୟ ଗ୍ରାସ କରିଛି। ଆକାଶରେ କଳାମେଘ ଘୋଟିଲେ ବରୀବାସୀ ଦୀର୍ଘ ସମୟ ଧରି ବିଦ୍ୟୁତ କାଟର ଯନ୍ତ୍ରଣାକୁ କିଭଳି ସମ୍ମୁଖିନ ହେବେ ସେ ନେଇ ଚିନ୍ତାରେ ପଡିଯାଉଛନ୍ତି। ଏହି ସମସ୍ୟା ସହିତ ବରୀବାସୀ ଦୀର୍ଘ ବର୍ଷ ହେଲା ଓତପ୍ରୋତ ଭାବେ ଜଡିତ ଥିଲାବେଳେ ସମସ୍ୟା ସୁଧୁରିବା ବଦଳରେ ଦିନକୁଦିନ ଅଧିକ ବିଗିଡି ଯାଉଛି। ପରିସ୍ଥିତି ଏଭଳି ହେଉଛି ବିଦ୍ୟୂତ କାଟ ୪୦ ଘଂଟା ମଧ୍ୟ ଅତିକ୍ରମ କରିଯାଉଛି। ସାରା ରାଜ୍ୟରେ ବିଦ୍ୟୁତ ସଂସ୍କାର ଚାଲିଥିଲାବେଳେ ସରକାର ବିଦ୍ୟୁତ ସଂସ୍କାରକୁ ନେଇ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। ବରୀର ବିଦ୍ୟୁତ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ନିକଟ ଅତିତରେ ମଧ୍ୟ ବିପୁଳ ଅର୍ଥ ବ୍ୟୟ କରାଯାଇଛି। ଏକ ସଂସ୍ଥା ବିଭିନ୍ନ ସ୍ଥାନରେ ଖୁଂଟ ପକାଇବା ସହିତ ତାର ମଧ୍ୟ ବଦଳ କରିଛି। ଏହା ସହିତ ଖୁଂଟ ଉପରେ ଲାଗୁଥିବା ଇନସୁଲେଟର(ଶଂଖ) ମଧ୍ୟ ପରିବର୍ତ୍ତନ ହୋଇଛି। ସଂପୃକ୍ତ ଠିକାଦାର ସଂସ୍ଥା ଏଭଳି କାର୍ଯ୍ୟ କରିଛି ସାମାନ୍ୟ ବିଜୁଳି ମାରିଲେ ଇନସୁଲେଟର ଫାଟି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇ ପଡୁଛି। ଏହି ଇନସୁଲେଟର ଗୁଡିକ ଅତି ନିମ୍ନମାନର ବୋଲି ସାଧାରଣରେ ଅଭିଯୋଗ ହେଉଛି। ଅପରପକ୍ଷେ ଏହାକୁ ଖୋଜି ମରାମତି କରିବାକୁ ବିଭାଗ ପକ୍ଷରୁ ଉଦ୍ୟମ ହେଉଥିଲାବେଳେ ଆବଶ୍ୟକୀୟ କର୍ମଚାରୀ ଅଭାବ ଏହି କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରୁଛି। ଫଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ପାଇବାରୁ ବରୀବାସୀ ବଂଚିତ ହେଉଛନ୍ତି। ଯାହାକୁ ନେଇ ସାଧାରଣ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି। ଅନ୍ୟ ପକ୍ଷରେ ବର୍ଷା ଦିନ ଆସିଯାଇଥିବାରୁ ଏହି ସମସ୍ୟା ସହିତ ଅନ୍ୟଏକ ସମସ୍ୟା ମଧ୍ୟ ବିଦ୍ୟୁତ ସେବା ଯୋଗାଣରେ ବ୍ୟାପକ ବାଧା ସୃଷ୍ଟି କରିବାର ଆଶଂକା ସୃଷ୍ଟି କରିଛି। ବହୁ ସ୍ଥାନରେ ୩୩ କେବି ଓ ୧୧ କେବି ବିଦ୍ୟୁତ ଖୁଂଟ ପରିବର୍ତ୍ତନ ହୋଇଥିଲାବେଳେ ଏହିସବୁ ଖୁଂଟକୁ ଠିକ ଭାବେ ସଂପୃକ୍ତ ଠିକାଦାର ସଂସ୍ଥା ପୋତି ନଥିବାରୁ ତାହା ବର୍ଷା କାଦୁଆରେ ଶୋଇ ଯାଉଥିବା ଦେଖିବାକୁ ମିଳେ। ଏହି ଖୁଂଟ ଗୁଡିକ ବିଭିନ୍ନ ପାଟ ଦେଇ ଯାଇଥିଲାବେଳେ ଏହି ସବୁ ସ୍ଥାନକୁ ବର୍ଷାପାଣି କିମ୍ବା ଆନ୍ଧାରରେ ଯାଇ କାମ କରିବା ମଧ୍ୟ ସମ୍ଭବ ହୋଇ ନଥାଏ। କିଛି ଖୁଂଟ ଆଖୁ କିଆରି ମଧ୍ୟରେ ରହିଥିବାରୁ ତାକୁ ମଧ୍ୟ ସଳଖ କରିବା ଦୂରୁହ ବ୍ୟାପାର ହୋଇଥାଏ। ବଜ୍ରପାତ ହେଲେ ଇନସୁଲେଟର ଫାଟିବା ଓ ବର୍ଷା ହେଲେ ଖୁଂଟ ଶୋଇଯିବା ମଧ୍ୟରେ ବିଦ୍ୟୁତ ଯୋଗାଣ ଚାଲିଥିଲାବେଳେ ବରୀବାସୀ କିଭଳି ବିଦ୍ୟୁତ ସେବା ପାଉଥିବେ ତାହା ଷ୍ପଷ୍ଟ ଅନୁମେୟ। ଏହା ସହିତ ବିଭିନ୍ନ ସ୍ଥାନରେ ତାର ଗଛ ମଧ୍ୟରେ ଯାଇଥିଲାବେଳେ ସାମାନ୍ୟ ପବନ ହେଲେ ମଧ୍ୟ ବିଦ୍ୟୁତ ବିଭ୍ରାଟ ଘଟୁଛି। ଏହି ସବୁ ଗଛକୁ ବିଦ୍ୟୁତ ବିଭାଗ ପକ୍ଷରୁ କାଟିବାର ସାମାନ୍ୟତମ ଉଦ୍ୟମ ମଧ୍ୟ ଦେଖିବାକୁ ମିଳୁନାହିଁ। ଏ ବିଷୟରେ ବରୀ ବିଦ୍ୟୁତ ବିଭାଗ ଏସଡିଓଙ୍କୁ ପଚାରିବାରୁ କର୍ମଚାରୀ ଅଭାବ ଆଳ ଦେଖାଇ ଖସିବାକୁ ଉଦ୍ୟମ କରିଥିଲେ। କର୍ମଚାରୀ ଅବାବ ଯୋଗୁ ସମସ୍ୟାକୁ ସମାଧାନ କରିବାରେ ଅନ୍ତରାୟ ହେଉଛି ବୋଲି କହିଥିଲେ। ଏ ବିଷୟରେ ଉଚ୍ଚ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଉନାହିଁ ବୋଲି ମଧ୍ୟ କହିଥିଲେ। ବିଦୂତ ବିଭାଗର ବରୀବାସୀଙ୍କ ପ୍ରତି ବୈମାତୃକ ମନୋଭାବ ଆଜକୁ ଦୀର୍ଘ ବର୍ଷ ହେଲା ଚାଲିଥିଲାବେଳେ ଉପଭୋକ୍ତା ଏହାକୁ ନେଇ ବେଶ ଦହଗଞ୍ଜ ହେଲେଣି। ବିଭାଗ ଯଦି ଏ ବିଷୟରେ ତୁରନ୍ତ ପଦକ୍ଷେପ ଗ୍ରହଣ ନକରେ ଜନସାଧାରଣଙ୍କ ମଧ୍ୟରେ ଏହାକୁ ନେଇ ବିଷ୍ପୋରକ ପରିସ୍ଥିତି ସୃଷ୍ଟି ହେବା ବିଚିତ୍ର ନୁହେଁ। ବିଦ୍ୟୁତ ବିଭାଗ ବରୀବାସୀଙ୍କ ପ୍ରତି ଦୀର୍ଘ ବର୍ଷ ହେଲା ଅବହେଳା କରି ଆସିଥିଲାବେଳେ ବରୀର ଜନସାଧାରଣ ଏହାକୁ ନୀରବରେ ସହି ଚାଲିଛନ୍ତି। ନିମ୍ନମାନର ଯନ୍ତ୍ରାଂଶ ବ୍ୟବହାର ଫଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଘଟୁଛି। ନିମ୍ନମାନର ଇନସୁଲେଟର ବ୍ୟବହାର ହୋଇଥିବାରୁ ସାମାନ୍ୟ ବିଜୁଳି ମାରିଲେ ତାହା ଫାଟି ଯାଉଛି। ଯାହା ବରୀବାସୀଙ୍କୁ ଅନ୍ଧାର ମଧ୍ୟକୁ ଠେଲି ଦେଉଛି। ବିଭାଗ ତୁରନ୍ତ ଏ ବିଷୟରେ ପଦକ୍ଷେପ ନେଇ ବରୀବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ନଦେଲେ ବରୀ କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ବରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଉମେଶ ଜେନା। ଏହା ସହିତ ନିମ୍ନମାନର ଠିକାଦାରୀ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *