ଆଉ ସେଭଳି ପାଣ୍ଡିତ୍ୱ କାହିଁ !

– ଦେବପ୍ରସାଦ ମିଶ୍ର
କୀର୍ତ୍ତିମାଳିନୀ ବିରପ୍ରସବିନୀ ଓଡ଼ିଶା କାଳେ କାଳେ ବହୁ ଯୋଗୀ, ଜ୍ଞାନୀ, ବିଦ୍ୱାନ, ପଣ୍ଡିତ, ଯୁଗ ପୁରୁଷଙ୍କୁ ଜାତ କରି ଏ ଓଡ଼ିଆ ଜାତି ତଥା ଦେଶର ମହିମା ଯୁଗେ ଯୁଗେ ବୃଦ୍ଧି କରି ଆସିଛି। ସଂସ୍କୃତ ସାହିତ୍ୟ ଅମର। ଏହାର ଅଭିବୃଦ୍ଧିରେ ଓଡ଼ିଶାର ମହାକବି ଜୟଦେବ, ବିଶ୍ୱନାଥ, କବିରାଜ, ଗଦାଧର ରାଜଗୁରୁ, ଗଜପତି କପିଳେନ୍ଦ୍ର, ପୁରୁଷାତ୍ତମ ତଥା ପ୍ରତାପରୁଦ୍ର, କବି ଡିଣ୍ଡିମ ଜୟଦେବ, କବିଚନ୍ଦ୍ର ଦିବାକର, କୋଶଳାନନ୍ଦକାର ଗଙ୍ଗାଧର, ଚିନ୍ତାମଣି, କୃଷ୍ଣ ଦାସ, ଗଜପତି ରାମଚନ୍ଦ୍ର, କବିଚନ୍ଦ୍ର ବିଶ୍ୱନାଥ ସାମନ୍ତରାଜ, ହଳଧର, ଗୋପୀନାଥ, ନରସିଂହ, ରବିରତ୍ନ ପୁରୁଷାତ୍ତମ, ବସୁ ପ୍ରହରାଜ, ରଘୁନାଥ ରଥ, ବକ୍ରବାକ୍ ଚକ୍ରପାଣି, ବ୍ରଜସୁନ୍ଦର, ଗଙ୍ଗ ବଂଶାନୁ ଚରିତ ଚମ୍ପୁ ଲେଖକ ବାସୁଦେବ, କବିସୂର୍ଯ୍ୟ ବଳଦେବ, ଭଗବାନ ବ୍ରହ୍ମା, ମହାମହୋପାଧ୍ୟାୟ ନରହରି ପଣ୍ଡା, କୃଷ୍ଣଚନ୍ଦ୍ର ମିଶ୍ର, ଗୋପୀନାଥ ତୁଙ୍ଗଦେବ (ବୀର ସର୍ବସ୍ୱ), ଗୋଦାବର ମିଶ୍ର (ହରିହର ଚତୁରଙ୍ଗ), ମହମେହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହସାମନ୍ତ (ସିଦ୍ଧାନ୍ତ ଦର୍ପଣ) ବିଶ୍ୱନାଥ ମହାପାତ୍ର, ମଧୁସୁଦନ ତର୍କ ବାଚସ୍ପତି, ମ.ମ. ଜଗନ୍ନାଥ ମିଶ୍ର ପ୍ରଭୃତି ପ୍ରାଚୀନ କବିମାନେ ସଂସ୍କୃତ ସାହିତ୍ୟ ଭଣ୍ଡାରରେ ଯେଉଁ ସବୁ ଅମୂଲ୍ୟ ରତ୍ନ ସାଇତି ଜାଇଛନ୍ତି, ସେଥିରୁ ଅନେକ ଲୋକ ଲୋଚନକୁ ଆସିପାରି ନାହିଁ। କାବ୍ୟ, ନାଟକ, ଅଳଙ୍କାର, ଜ୍ୟୋତିଷ, ବୈଦିକ, ସଙ୍ଗୀତ ତଥା ଶିଳ୍ପଶାସ୍ତ୍ରାଦି ବହୁ ଗ୍ରନ୍ଥ ସଂସ୍କୃତ ଭାଷାରେ ଉତ୍କଳୀୟମାନେ ଲେଖିଯାଇଛନ୍ତି।

ତେବେ ଆଜିବି ମଧ୍ୟ ସୁର ଭାରତୀର ଶ୍ରୀ ଅଙ୍ଗ ମଣ୍ଡିବାରେ ତାର ସନ୍ତାନମାନେ ପଛେଇ ଯାଇନାହାନ୍ତି, ତେବେ ପୂର୍ବର ସେ ଆଦର ଆଉ ନାହିଁ, ସେ ଭଳି ପାଣ୍ଡିତ୍ୟ ନାହିଁ। ପୃଷ୍ଠପୋଷକ ବି ନାହାନ୍ତି, ତେଣୁ ଆମର ଭାଷା ଆଜି ବନାନ୍ତରେ ଭଳି ବଞ୍ଚି ରହିଛି। ଆଜି ଯେଉଁ ସଂସ୍କୃତ ସାହିତ୍ୟକୁ ଓଡ଼ିଶାର ଦାନ ସଂପର୍କରେ ଲେଖିବାକୁ ଯାଉଛି, ଏ ସଂପର୍କରେ କୌଣସି, ସାହିତ୍ୟିକ, ପଣ୍ଡିତ ତାଙ୍କ ସମ୍ବନେ୍ଧ କିଛି ଲେଖିବାର ଦୃଷ୍ଟି ଗୋଚର ହୋଇ ନାହିଁ। ସତୁରୀ ଦଶକରେ ଗଞ୍ଜାମର କୁଲାଡ଼ଠାରେ ବାଗ୍ ଦେବୀଙ୍କ ପୀଠରେ ସଂସ୍କୃତ ସାହିତ୍ୟକୁ ଉତ୍କଳର ଦାନ ସଂପର୍କରେ ହୋଇଥିବା ଆଲୋଚନା ଚକ୍ରରେ ସର୍ବଶ୍ରୀ ପଣ୍ଡିତ ବାଇକୋଳି ଜ୍ୟୋତିଷ ବିଶାରଦ, ଅଧ୍ୟାପକ ଗୌରୀକୁମାର ବ୍ରହ୍ମା, ଐତିହାସିକ କେଦାର ନାଥ ମହାପାତ୍ର, ରାଧାନାଥ ରଥ ପ୍ରମୁଖ ଯେଉଁ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ ତହିଁର ସାରାଂଶ ପ୍ରଦାନ କରାଗଲା।

ଗଡ଼ଜାତ ନାମରେ ପରିଚିତ ପୂର୍ବତନ ଦେଶୀୟ ରାଜ୍ୟ ମଧ୍ୟରୁ କେତୋଟି ବାସ୍ତବରେ ବିଦ୍ୟାନଗରୀ ଥିଲା। କଟକ ଜିଲ୍ଲାର ଆଠଗଡ଼ ସେଥିରୁ ଏକତମ। ‘ରୁକ୍ମିଣୀ ପରିଣୟମ୍ ’ ଏହି କାବ୍ୟ ଅଷ୍ଟ ଦୁର୍ଗ ରାଜା ବିଶ୍ୱନାଥ ଦେବ ବର୍ମାଙ୍କ ଦ୍ୱାରା ରଚିତ ହୋଇ ୧୯୧୫ ଖ୍ରୀଷ୍ଟାବ୍ଦରେ ନାଗରୀକ୍ଷରରେ କଲିକତାସ୍ଥ ଉତ୍କଳ ଯନ୍ତ୍ରାଳୟ ଦ୍ୱାରା ମୁଦ୍ରିତ ହୋଇଅଛି। ଗ୍ରନ୍ଥ ରଚନା କାଳ ୧୯୦୫ ଖ୍ରୀଷ୍ଟାବ୍ଦ ଆଠଗଡ଼ (କଟକ ଜିଳ୍ଲାର ଗଡ଼ଜାତ) ସେତେବେଳେ ଖ୍ୟାତନାମା ପଣ୍ଡିତ ମଣ୍ଡଳୀ ଅଧୁ୍ୟଷିତ ଥିଲା। ରାଜକବି ଭୁବନେଶ୍ୱର ରଥ, କବିଚନ୍ଦ୍ର ଭୁବନେଶ୍ୱର ବଡ଼ପଣ୍ଡା, ଭୁବନେଶ୍ୱର ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ମୃତ୍ୟୁଞ୍ଜୟ ବିଦ୍ୟାଭୂଷଣ, ଭଗବାନ ମିଶ୍ର, ବିଦ୍ୟାରତନ, ଗୋପୀନାଥ କାବ୍ୟତୀର୍ଥ, କାଶୀନାଥ ମହାପାତ୍ର, କବିସୂର୍ଯ୍ୟ ଆଦିଙ୍କୁ ରାଜସଭାରେ ରତ୍ନ ସଦୃଶ ପାଇଥିବା ସେ ଲେଖିଛନ୍ତି। ଜଣାଯାଏ ମୁଖ୍ୟତଃ ଭୁବନେଶ୍ୱର ରଥ କବିଚନ୍ଦ୍ର ଏହାର ରଚୟିତା ଅନ୍ୟମାନେ ସହାୟକ ରଚନା କାଳ ୧୮୦୫ ଶକାବ୍ଦ ବା ୧୮୭୩ ଖ୍ରୀଷ୍ଟାବ୍ଦ। ଗ୍ରନ୍ଥର ମୁଖ୍ୟ ବିଷୟ ଶ୍ରୀକୃଷ୍ଣଙ୍କ ସହିତ ରୁକ୍ମିଣୀଙ୍କ ପରିଣୟ। ମୂଳ ଚରିତ ଭାଗବତରୁ ନିଆଯାଉଛି। କବି ଚୈତନ୍ୟ ଭକ୍ତ ହେତୁ ପ୍ରଥମେ ଶ୍ରୀ ଚୈତନ୍ୟଙ୍କ ପ୍ରାର୍ଥନା ପାଞ୍ଚୋଟି ଶ୍ଳୋକରେ କରିଛନ୍ତି। ଲେଖିଛନ୍ତି – “ପ୍ରେମ ଭକ୍ତି ବଦାନ୍ୟାୟ ନବଦ୍ୱୀପ ଭବାୟଃ ଭକ୍ତବତାର ଦେବାୟ ଚୈତନ୍ୟାୟ ନମୋ ନମଃ”। ତାପରେ ସେ ଶ୍ରୀଗୋବିନ୍ଦ ପଞ୍ଚକ, ଶ୍ରୀ ରାଧିକା ପଞ୍ଚକ ଲେଖିଛନ୍ତି। ସ୍ୱଦେଶ ଭକ୍ତ କବି ‘ଉତ୍କଳ ପରିଚୟ, ପ୍ରକରଣରେ ଓଡ଼ିଶାର ମାହାତ୍ମ୍ୟ ଯେପରି ବଖାଣିଛନ୍ତି ତାହା ଉଲ୍ଲେଖନୀୟ। ଉତ୍କଳୀୟ କବିମାନଙ୍କର ଅନ୍ୟାନ୍ୟ ବାକ୍ୟରେ ଏଭଳି ଦେଶଭକ୍ତି ମିଳେ ନାହିଁ ସେ ଲେଖିଛନ୍ତି, “ଯତ୍ରନାଥୋ ଜଗନ୍ନାଥଃ ପ୍ରିୟାତସ୍ୟ ହରିପ୍ରିୟା, ବଳୋ ବଳବତା’ ଶ୍ରେଷ୍ଠଃ ସୁଭଦ୍ରାଭଦ୍ର ମୟିକା।” କାବ୍ୟ ଲକ୍ଷଣରେ ସେ ବୁଝାଇ ଦେଲେ ଯେ, ଏ ଉତ୍କଳ ଦେଶର ନାଥ ହେଉଛନ୍ତି ସକଳ ଜଗତର ନାଥ ‘ଜଗନ୍ନାଥ’। ତାଙ୍କର ପ୍ରିୟା ହେଉଛନ୍ତି ଲକ୍ଷ୍ମୀ-ସର୍ବସମ୍ପତ୍ ଦାୟିନୀ, ବଳବାନମାନଙ୍କ ମଧ୍ୟରେ ଶ୍ରେଷ୍ଠ ବଳରାମ ତାଙ୍କର ଭ୍ରାତା ଭଉଣୀ ସୁଭଦ୍ରା ସଦା ମଙ୍ଗଳଦାୟିନୀ ଅଟନ୍ତି। “ମାଧବୋ ମାଧବୋ ଯତ୍ର ସୁଦର୍ଶନଃ ସୁଦର୍ଶନଃ, ବିମଳା ବିମଳାଯତ୍ର ମଙ୍ଗଳା ମଙ୍ଗଳାଳୟା’। ନୀଳମାଧବରୂପୀ ନାରାୟଣ ଏଠି ମାଧବ, ଅଜ୍ଞାନଧଂସୀ ସୁଦର୍ଶନ ଏଠି ସୁଦର୍ଶନ ଚକ୍ର, ଅଜ୍ଞାନହାରିଣୀ ବିମଳା ଏଠାରେବିମଳା, ସଦା ମଙ୍ଗଳମୟୀ ମଙ୍ଗଳା ଏଠାରେ ମଙ୍ଗଳାପ୍ରଦା ରୂପେ ବିରାଜିତା। କଳ୍ପବଟୋ ବଟୋୟତ୍ର ମାର୍କଣ୍ଡେୟା ବଟୋଃବଟଃ, କୁଡାଂ ବୈ ରୋହଣାଂ କୁଣ୍ଡଂ ମୁଧଦିଶୁ ମହୋଦଧିଃ। ପୁଣ୍ୟଭୂମି ଉତ୍କଳରେ ବଟୃକ୍ଷ ସବୁ କଳ୍ପନାକୁ ପୂରଣ କରିବାରେ ସମର୍ଥ। ମାର୍କଣ୍ଡେୟ ଅବଟ ଅର୍ଥାତ୍ ଗର୍ତ୍ତ (ପୁଷ୍କରିଣୀ ଊର୍ଦ୍ଧ୍ୱ ମାର୍ଗ ଅର୍ଥାତ୍ ସ୍ୱର୍ଗଦାୟକ ଏତିକି ଟିକେ ପାଣି କୁଣ୍ଡରେ ଥିବା ପାଣି ରୋହିଣୀ କୁଣ୍ଡ, ଯାହା ମୁଣ୍ଡରେ ଲଗାଇଲେ ସର୍ବତୀର୍ଥର ଫଳ ମିଳେ। ଏଠି ସମୁଦ୍ରକୁ ଉଦଥି ନ କରି ମହୋଦଧି କୁହାଯାଏ। କାରଣ ଏ କ୍ଷେତ୍ରରେ ସମୁଦ୍ର ସ୍ନାନ ସର୍ବ ପାପନାଶକ।ନୀଳାଚଳୋଃ ଚଳେଃ ଯତ୍ର ଇନ୍ଦ୍ରଦ୍ୟୁମ୍ନ ସରଃସରଃ, ଶ୍ରୀକ୍ଷେତ୍ରଂ ଯତ୍ର ବୈକ୍ଷେତ୍ରଂ କାଣାକୋଃହ୍ୟର୍କ ଏବ ଚ।’ ଯେଉଠି ନୀଳାଚଳ ଅଚଳ ରୂପେ ପ୍ରତିଷ୍ଠିତ, ଇନ୍ଦ୍ରଦ୍ୟୁମ୍ନ ସର ଯାହାକି ସ୍ନାନ ମାତ୍ରେ ମୋକ୍ଷପ୍ରଦ ହୋଇଥାଏ। ଶ୍ରୀକ୍ଷେତ୍ର ରୂପେ ଯେଉଁ ତୀର୍ଥ ପ୍ରସିଦ୍ଧ, କାରଣ ଶରୀର ହେଉଛି କ୍ଷେତ୍ର ଏ କ୍ଷେତ୍ର ଶରୀର ମୁକ୍ତି ବିଧାୟକ ଏଠି ସୂର୍ଯ୍ୟକ୍ଷେତ୍ର କୋଣାର୍କ ନାମରେ ପ୍ରସିଦ୍ଧ, ସୂର୍ଯ୍ୟ ଜ୍ଞାନ ପ୍ରଦୀପକ।

“ଗୋପାଳଃ ସାକ୍ଷିଗୋପାଳଃ ଈଶ୍ୱରୋ ଭୁବନେଶ୍ୱରଃ ଏକାମ୍ର କାନନଂ ଯତ୍ର କାନନ ତ୍ୱେନ ରାଜତେ ଗୋପାଳିନୀ ଚ ଗୋପାଳିନୀ ଯତ୍ର ବିନ୍ଦୁ ହ୍ରଦୋହ୍ରଦଃ, ବିରଜା ବିରଜା ଦେବୀ ବିନାୟକୋ ବିନାୟକଃ।’ଏ ଉତ୍କଳରେ ଗୋପାଳ ଶ୍ରୀକୃଷ୍ଣ ସାକ୍ଷୀଗୋପାଳ ରୂପେ ସତ୍ୟବାଦୀଠାରେ ପ୍ରତିଷ୍ଠିତ ହେଇଛନ୍ତି। ଏଠାରେ ଈଶ୍ୱର ଭୁବନେଶ୍ୱର (ଲିଙ୍ଗରାଜ) ନାମରେ ପ୍ରସିଦ୍ଧ। ଏକାମ୍ର କାନନ ଯାହାକି ଭୁବନେଶ୍ୱର କ୍ଷେତ୍ର ନାମରେ ପରିଚିତ। ତାହା ବ୍ରହ୍ମାଙ୍କର ମଧ୍ୟ ପ୍ରୀତିଦାୟକ ଅଟେ। ଏଠାରେ ଗୋପାଳିନୀ ପାର୍ବତୀ ଗୋପାଳିନୀ ରୂପେ ବୃନ୍ଦାବନସ୍ଥ ଗୋପଗୋପୀଙ୍କର ପୂଜ୍ୟ ହୋଇପାରିଛନ୍ତି। ଶିବ-ବିଷ୍ଣୁତ୍ୱ ଭେଦ ଏଠି ନାହିଁ। ଏହି ଉତ୍କଳରେ ସକଳ ତୀର୍ଥରୁ ବିନ୍ଦୁ ବିନ୍ଦୁ ଜଳ ଅଣାଯାଇ “ବିନ୍ଦୁ ହ୍ରଦ’ ନିର୍ମିତ ହୋଇଅଛି। “ବିରଜା’ ବିରଜା କ୍ଷେତ୍ର (ଜ୍ଞାନକ୍ଷେତ୍ର)ରେ ବିରାଜମାନ, ବିନାୟକ ଏ ଦେଶରେ ମହାବିନାୟକ ରୂପେ ପ୍ରସିଦ୍ଧ କ୍ଷେତ୍ରସ୍ଥ, ସର୍ବସିଦ୍ଧି ପ୍ରଦ। ଏ ଦେଶରେ ଗଣେଶ; ନାରାୟଣ-ଶିବ-ଦୁର୍ଗା-ସୂର୍ଯ୍ୟ ଏକାପରି ପୂଜିତ। ଏଠି ଗାଣପତ୍ୟ, ବୈଷ୍ଣବ, ଶୈବ, ଶାକ୍ତ, ତଥା ସୌରମାନଙ୍କ ମଧ୍ୟରେ ଭେଦାଭେଦ କିଛି ନାହିଁ। ଏଠି ଚିରନ୍ତନ ଜଗନ୍ନାଥ ସଂସ୍କୃତି ମଧ୍ୟରେ ସମସ୍ତେ ପୂଜିତ। ସମସ୍ତେ ସମାନ। ସାମ୍ୟଭାବ ଓ ମୈତ୍ରୀ ଏ ଦେଶର ମୂଳ ଅଟେ। “ମହାନଦୀ ନଦୀ ଯତ୍ର ସୁଦ୍ୟୁମ୍ନ ନନ୍ଦନୋକ୍ତଳଃ ଗାସ୍ଥାବଭୂମ ଯତୈଃ ବଦତ୍ରୋକ୍ ଚଳସ୍ଥିତାବୟମ୍ ‘ ଏ ଦେଶର ପ୍ରଧାନ ନଦୀର ନାମ ମହାନଦୀ (ଚିତ୍ରୋତ୍ପଳା)। କଳି ଯୁଗରେ ଚିତ୍ରୋତ୍ପଳା ଗଙ୍ଗାତୁଲ୍ୟ ପବିତ୍ର। ସୁଦ୍ୟୁମ୍ନଙ୍କ ପୁତ୍ର ଉତ୍କଳଙ୍କ ନାମରେ ଏ ଦେଶ ନାମିତ ହେଲା। ଆମେ ସେହି ପବିତ୍ର ଦେଶର ଅଧିବାସୀ। ରୁକ୍ମିଣୀ ପରିଣୟ କାବ୍ୟ ଏଗାର ସର୍ଗରେ ବିଭକ୍ତ। କାବ୍ୟ ଆରମ୍ଭରେ ଶ୍ରୀକୃଷ୍ଣଙ୍କ ସ୍ମୃତି କରାଯାଇଛି। କବି କହିଛନ୍ତି, ମୋର କାବ୍ୟ ଅତି ସାଧାରଣ, ତଥାପି ତାରକାପୂର୍ଣ୍ଣ ଆକାଶରେ ଖଦ୍ୟୋତତାର ତେଜ ତ ଦେଖାଏ। ମଧୁକୁ କେହି ଊଚ୍ଛିଷ୍ଟ ମନେ କରନ୍ତି ନାହିଁ। ତାହା ଦେବ ଭୋଗ୍ୟ ସେହିଭଳି ଏ ଗ୍ରନ୍ଥ ପୂର୍ବସୂରୀମାନଙ୍କ କୃତ କୃଷ୍ଣ ଚରିତରୁ ଗ୍ରହଣ କରାଯାଇଛି। ଏହାକୁ ହେୟ ମନେ ନ କରି ଆସ୍ୱାଦନ କରନ୍ତୁ।

ବିଦର୍ଭ ରାଜା ଭୀଷ୍ମକଙ୍କ ଦୁହିତା ରୁକ୍ମିଣୀଙ୍କ ଜନ୍ମରୁ ରୂପ, ଗୁଣ, ଶିକ୍ଷା ବର୍ଣ୍ଣନା ପ୍ରଥମ ସର୍ଗରେ କରାଯାଇଛି। ଦ୍ୱିତୀୟ ସର୍ଗରେ ସ୍ୱୟଂମ୍ବର ଆଲୋଚନା ବେଳେ ଚେଦୀରାଜ ଶିଶୁପାଳଙ୍କ ଗୁଣ ବର୍ଣ୍ଣନା ଓ ତାଙ୍କୁ କନ୍ୟା ପ୍ରଦାନ କରିବା ପାଇଁ ନିଶ୍ଚୟତା ବର୍ଣ୍ଣିତ ହୋଇଛି। ରୁକ୍ମିଣୀ ଏ ସମ୍ବାଦ ପାଇ ଦୁଃଖିତ ହେଲେ ଓ ଶ୍ରୀକୃଷ୍ଣଙ୍କ ଗୁଣାବଳୀ କୀର୍ତ୍ତନ କରିବାରେ ଲାଗିଲେ। ଏହା ତୃତୀୟ ସର୍ଗରେ ଅଛି। ଚତୁର୍ଥ ସର୍ଗରେ ଶ୍ରୀକୃଷ୍ଣଙ୍କ ନିକଟକୁ ଦୂତ ପ୍ରେରଣ, ପଞ୍ଚମ ସର୍ଗରେ ଶ୍ରୀକୃଷ୍ଣଙ୍କୁ ବରରୂପେ ପାଇବା ପାଇଁ ନାରଦଙ୍କ ଆଶୀର୍ବାଦ ଲାଭ, ଦ୍ୱାରକା ବର୍ଣ୍ଣନା, ଶ୍ରୀକୃଷ୍ଣଙ୍କୁ ଦୂତର ରୁକ୍ମିଣୀଙ୍କୁ ପତ୍ରଦାନ ଓ ଉଦ୍ଧବଙ୍କୁ ପଠନାଦେଶ ବିଷୟସ୍ଥାନ ପାଇଛି। ଜୟତି ଯାଦବାପାଦ ସରୋରୁହଂ, ବ୍ରଜ ବଧୁ ହୃଦୟାଳିନୀ କୀଷେବିତମ୍, ସଫଳତାଂ କନୁଷଃ ପ୍ରତିପାଦାୟତ୍ ଶିରସି ଭୁଷଣମସ୍ତୁ ମମାନିଶମ୍। ଶେଷରେ ଆପଣ ଯଦି ମେତେ ନ ନେବେ, ତେବେ ମୁଁ ପ୍ରାଣତ୍ୟାଗ କରିବି। ମୋର ପଞ୍ଚଭୂତାତ୍ମକ ଶରୀର ଆପଣଙ୍କ ସେବାରେ ଲାଗିବା ପାଇଁ ପ୍ରାର୍ଥନା କରିବି। ଜଳଭୂମି, ଆକାଶ, ବାୟୁ, ତେଜ ଏହି ଶରୀରସ୍ଥ ମହାଭୂତମାନେ ଆପଣଙ୍କ ସ୍ଥାନରେ ଗମନ ମାର୍ଗରେ, ଶୂନ୍ୟ ସ୍ଥାନରେ, ବ୍ୟଜନ (ପଙ୍ଖା) ତଥା ଦର୍ପଣରେ ପ୍ରକାଶ ପାଇବେ। ଶତ ଜନ୍ମ ଯାଏ ବ୍ରତକୃପା ହୋଇ ଆପଣଙ୍କ ନାମ ଗାଉଥିବି। ତାପରେ ଶ୍ରୀକୃଷ୍ଣ ଦୂତଙ୍କୁ ଅଭୟ ଦେଇ ରୁକ୍ମିଣୀଙ୍କୁ ଆଣିବା ନିମନ୍ତେ ବିଦର୍ଭ ରାଜଧାନୀ କୁଣ୍ଡିନ ନଗରକୁ ରଥରେ ବସି ଗଲେ। ଏଣେ, ଚେଦୀ ରାଜ ଶିଶୁପାଳ ଶ୍ରୀକୃଷ୍ଣ ଆସୁଥିବା ସମ୍ବାଦ ନାରଦଙ୍କଠାୁର ଶୁଣି ନିଜ ମିତ୍ରରାଜା ତଥା ସୈନ୍ୟସାମନ୍ତଙ୍କ ସହ କୁଣ୍ଡୀନ ଯାତ୍ରା କଲେ। ଅଶ୍ଟମ ସର୍ଗରେ ବିବାହ ପୂର୍ବରୁ ରୁକ୍ମିଣୀଙ୍କ ଦେବୀ ଦର୍ଶନ ଓ ଶ୍ରୀକୃଷ୍ଣଙ୍କୁ ବର ରୂପେ ପାଇବା ପାଇଁ ପ୍ରାର୍ଥନା, ତାପରେ ଶ୍ରୀକୃଷ୍ଣଙ୍କୁ ନେଇଯିବା, ବରବେଶୀ ଶିଶୁପାଳ ତଥା ରାଜାମାନେ ଯୁଦ୍ଧରେ ହାରିଯିବା ବୃତାନ୍ତ ରହିଛି। ନବମ ସର୍ଗରେ ଦ୍ୱାରକା ପ୍ରବେଶ, ଦଶମ ସର୍ଗରେ ଜରାସନ୍ଧାଦିଙ୍କ ସହ ଯୁଦ୍ଧ ବର୍ଣ୍ଣନା ବିଶେଷ ହୃଦ୍ୟ ହୋଇପାରିଛି। ଏକାଦଶ ସର୍ଗରେ ବିବାହ ବିଧି ଓ ଭୋଜିର ବର୍ଣ୍ଣନା ଅଛି। ଏଥିରେ ଦଶାବତାର ସ୍ତୁତି, ରାଧାଙ୍କ ଅପୂର୍ବ ପ୍ରେମ କଥା ଓ ସେ ଶ୍ରୀକୃଷ୍ଣଙ୍କ ପ୍ରତି ଅନାବିଳ ପ୍ରେମାସକ୍ତି ବର୍ଣ୍ଣିତ ହେବାରୁ କବିଙ୍କ ରାଧାଭକ୍ତିର ପ୍ରମାଣ ମିଳେ। କବି ଶେଷରେ ଶ୍ରୀକୃଷ୍ଣ, ଶ୍ରୀକୃଷ୍ଣୋଷ୍ଟୋତ୍ତର ନାମ ସ୍ତୋତ୍ର ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଉପାସନା ବିଧି, ମାନସୀ ପୂଜା, ପରେ ଅଷ୍ଟଦୁର୍ଗ ପରିଚୟ ଦେଇ ଲେଖିଛନ୍ତି ଯେ, ଏଥିରେ ଦେବଦୁର୍ଗ, ଭୂମିଦୁର୍ଗ, ଜଳଦୁର୍ଗ ଆଦି ଆଠଟି ଦୁର୍ଗ ଥିବାରୁ ଅଷ୍ଟଦୁର୍ଗ ନାମରେ ଏହା ପ୍ରସିଦ୍ଧ ହୋଇଅଛି। କବି ବଂଶାବଳୀରେ ନୀଳାଦି୍ର ଦେବଙ୍କଠାରୁ ବିଶ୍ୱନାଥ ଦେବ ପର୍ଯ୍ୟନ୍ତ ଊନତି୍ରଂଶ ପୁରୁଷଙ୍କ ରାଜତ୍ୱ କାଳ ଓ କର୍ମ ଦେଇଛନ୍ତି। ବସୁଦୁର୍ଗ ରାଜଦମ୍ପତିଙ୍କ କୀର୍ତ୍ତି କୁସୁମ ନାମରେ କାର୍ଯ୍ୟକଳାପ ଶ୍ରୀ କାଶୀନାଥ କବି ଭୁଷଣଙ୍କ ଦ୍ୱାରା ସୁଲଳିତ ସଂସ୍କୃତ ଭାଷାରେ ବର୍ଣ୍ଣିତ ହୋଇଛି।

କାବ୍ୟଟିର ଭାଷା ଯେପରି, ଭାବ ମଧ୍ୟ ସେହିପରି। ଯେଉଁ ଭାରତୀୟ ତଥା ଅନ୍ୟ ଦେଶୀୟ ବିଶିଷ୍ଟ ପଣ୍ଡିତ ମାନେ ଏ ଗ୍ରନ୍ଥର ଭୂୟସୀ ପ୍ରଶଂସା କରିଛନ୍ତି ସେମାନଙ୍କ ମଧ୍ୟରେ ଭାଷାତତ୍ତ୍ୱ ପାରଙ୍ଗମ ଶ୍ରୀଏରସନ, ସଂସ୍କୃତଜ୍ଞ ୱିଟେରନିକ୍, ହାରମନ ଜାକୋବି, ବାର୍ ନେଟ୍, ନନିଲାଲ ମୁଖାର୍ଜି, ଆମାଜ ବି.ଏସ୍ . ଗୁପ୍ତ, ମହାରାଜ ଅଜୟଗଡ଼, ତଥା ସିଲିଭନ ଲେଭିଙ୍କ ସଂସ୍କୃତ ଅଭିମତଟି ବିଶେଷ ଉଲ୍ଲେଖଯୋଗ୍ୟ। ସାହିତ୍ୟ ଦର୍ପଣ ତଥା ସିଦ୍ଧାନ୍ତ ଦର୍ପଣକୁ ଛାଡ଼ିଦେଲେ ଅନ୍ୟ କୌଣସି ଗ୍ରନ୍ଥ ଏପରି ପ୍ରଶଂସିତ ହୋଇନାହିଁ। ଏବେ ରାଜ୍ୟ ସରକାର ଓଡ଼ିଆ ଭାଷା ସଂକ୍ରାନ୍ତୀୟ ଯେଉଁ ନିଷ୍ପତି ନେଇଛନ୍ତି ସେହି ଅନୁଯାୟୀ ଏହି ଉତ୍କଳୀୟ କବିମାନଙ୍କର ପୂର୍ଣ୍ଣାଙ୍ଗ ଜୀବନୀ ସହିତ ତାଙ୍କ କୀର୍ତ୍ତିରାଜିର ପ୍ରକାଶନ, ତାଙ୍କ ଉପରେ ଗବେଷଣା ଆରମ୍ଭ କରାଯାଉ ନାହିଁ କାହିଁକି ? ଅତୀତର ବହୁ କବି, ବିଦ୍ୱାନ୍, ପଣ୍ଡିତମାନଙ୍କ ଉପରେ ସର୍ବଶ୍ରୀଙ୍କ କେଦାରନାଥ ମହାପାତ୍ର, ବାରକୋଳି ଜ୍ୟୋତିଷ ବିଶାରଦ, ଗୌରୀ କୁମାର ବ୍ରହ୍ମା, କୁଞ୍ଜବିହାରୀ ଦାସ, କୁଞ୍ଜବିହାରୀ ତ୍ରିପାଠୀ, ବେଣୀ ମାଧବ ପାଢ଼ୀ, ଦେବି ପ୍ରସନ୍ନ ପଟ୍ଟନାୟକ, ଦୋଳଗୋବିନ୍ଦ ଶାସ୍ତ୍ରୀ, ଶ୍ରଦ୍ଧାକର ସୁପକାର, ନୀଳମଣି ମିଶ୍ର, କାହ୍ନୁଚରଣ ମିଶ୍ର, ଗଙ୍ଗାଧର ବଳ ପ୍ରମୁଖ ବହୁ ଓଡ଼ିଆ ସାହିତ୍ୟିକ, ଗବେଷକ ଅନେକ କଥା ଲେଖିଛନ୍ତି ସେଗୁଡ଼ିକର ସଂକଳନ ହେଉ ପାଶ୍ଚାତ୍ ଦେଶର ବହୁ ପଣ୍ଡିତ, ଗବେଷକ, ଉଭୟ ସଂସ୍କୃତ, ଓଡ଼ିଆ କବିଙ୍କର ଲେଖା ଓ ଗ୍ରନ୍ଥର ଯେଉଁ ଭୂୟସୀ ବର୍ଣ୍ଣନା କରିଛନ୍ତି ତାର ମତାମତଗୁଡ଼ିକ ସଂଗ୍ରହ କରାଯାଉ। ସଂସ୍କୃତ ସାହିତ୍ୟକୁ ଓଡ଼ିଶାର ଦାନ କିଛି କମ୍ ନୁହେଁ। ପ୍ରାଚୀନ ଗ୍ରନ୍ଥଗୁଡ଼ିକୁ ମଧ୍ୟ ସଂଗ୍ରହ କରାଯାଉ, ବୈଦିକ ସାହିତ୍ୟ ଉପରେ ପରମାନନ୍ଦ ଆଚାର୍ଯ୍ୟଙ୍କ ଲେଖା ଓ ବିବରଣୀ, ରିପୋର୍ଟଗୁଡ଼ିକୁ ସଂଗ୍ରହ କରାଯାଉ। ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟର ଓଡ଼ିଆ ପାଠ୍ୟକ୍ରମରେ ଏହାକୁ ସ୍ଥାନ ଦିଆଯାଉ।

ଆଉ ଗୋଟିଏ ବିଶେଷ ଉଲ୍ଲେଖନୀୟ ଘଟଣା ଏଠାରେ ଉଲ୍ଲେଖ କରାଯାଇ ପାରେ ତାହା ହେଲା ଅଷ୍ଟାଦଶ ଶତାବ୍ଦୀର ଶେଷ ଦଶକ ଓ ଊନବିଂଶ ଶତାବ୍ଦୀର ପ୍ରଥମ ପାଦ ଓଡ଼ିଶାର ବହୁ ପଣ୍ଡିତଙ୍କୁ ନେଇ ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାର ଫୋର୍ଟ ଉଇଲିୟମ୍ କଲେଜ, ହିନ୍ଦୁ କଲେଜ ପ୍ରଭୃତିରେ ରଖାଇଥିଲେ। ଏହି ଓଡ଼ିଆ ପଣ୍ଡିତ ମଣ୍ଡଳୀ କେବଳ ବଙ୍ଗଳା ଭାଷାକୁ ସମୃଦ୍ଧ କରିନଥିଲେ। ବଙ୍ଗଳାର ସମାଜ ଜୀବନକୁ ନିଜର ଆଦର୍ଶ ଓ ପ୍ରଜ୍ଞା ଦ୍ୱାରା ସମୁଜ୍ଜ୍ୱଳ କରିଥିଲେ। ସେ ପଣ୍ଡିତ ଓ ସାହିତ୍ୟ ଭାଷା ବିଶାରଦମାନେ କିଏ ! ତାଙ୍କର ପରିଚୟ କାର୍ଯ୍ୟାବଳୀ ସଂପର୍କରେ କିଛି ବିବରଣୀ ଅଛି କି ? ମୃତ୍ୟୁଞ୍ଜୟଙ୍କ ଯେଉଁ ଗ୍ରନ୍ଥ ଗୁଡିକ ରଚନା କରିଥିଲେ ସେ ଗୁଡିକ ହେଲା ବତ୍ରିଶ ସିଂହାସନ ପ୍ରକାଶ ସମୟ ୧୮୦୨ ହିତୋପଦେଶ, ରାଜାବଲି, ଏବଂ ତାଙ୍କର ସର୍ବଶେଷ ଓ ସର୍ବୋକୃଷ୍ଟ ରଚନା ପ୍ରବୋଧ ଚନ୍ଦ୍ରିକା। ପ୍ରବୋଧ ଚନ୍ଦ୍ରିକା ମୃତ୍ୟୁଞ୍ଜୟଙ୍କ ମୃତ୍ୟୁର ଅନେକ ବର୍ଷ ପରେ ୧୮୩୩ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା। ଏହି ଗ୍ରନ୍ଥଗୁଡ଼ିକ ବଙ୍ଗଳା ଭାଷାର ଆଦର୍ଶ ଓ ପ୍ରାମାଣିକ ଗଦ୍ୟଗ୍ରନ୍ଥ। ବଙ୍ଗଳା ଭାଷାକୁ ଊନବିଂଶ ଶତାବ୍ଦୀରେ ମୃତ୍ୟୁଞ୍ଜୟ ହିଁ ବାଂଗଲାଭାଷା ବୋଲି ନାମକରଣ କରିଥିଲେ। ଏହି ନାମରେ ପରିଚିତ ହେଲା ବୋଲି ପ୍ରଫେସର ସୁନୀତି କୁମାର ଚାଟର୍ଜି ସ୍ୱୀକାର କରିଛନ୍ତି। ଏପରି ଅତୀତର ପଣ୍ଡିତ, ବିଦ୍ୱାନ୍, ଭାଷାବିତ୍, ସଂସ୍କୃତ ସାହିତ୍ୟ, ଓଡ଼ିଆ ଭାଷାବିତ୍ ମାନଙ୍କୁ ଲୋକମାନସରେ କେବେ ପରିଚିତ କରାଯିବ ?

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Leave a Reply

Your email address will not be published. Required fields are marked *