ଆଇ.ଓ.ସି.ଏଲ ପାଇପ ଲାଇନରୁ ତେଲ ଚୋରି ଘଟଣାରେ ୧୨ ଗିରଫ

ଅନୁଗୋଳ, ୫/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲାର ଜରପଡ଼ା ଥାନା ଅନ୍ତର୍ଗତ କଞ୍ଜରା ନିକଟରେ ଆଇ.ଓ.ସି.ଏଲ ପାଇପ ଲାଇନରୁ ତେଲ ଚୋରି କରିଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ବିନିତ ଗୁପ୍ତାଙ୍କ ସମେତ ୧୨ ଜଣ ଆନ୍ତଃ ରାଜ୍ୟ ଚୋରଙ୍କୁ ସୋମବାର ଦିନ ଗିରଫ କରା ଯାଇଥିବାର ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ଅଭିଯୁକ୍ତ ବିନିତ ଓରଫ ପପୁଙ୍କର ଘର ଉତରପ୍ରଦେଶର ମଥୁରାରେ ଏବଂ ସେ ଆଇ.ଓ.ସି.ଏଲ.ର ଜଣେ କର୍ମଚାରୀଙ୍କ ପୁଅ ହୋଇଥିବାବେଳେ ପେଷାରେ ଜଣେ ମେକାନିକାଲ ଇଞ୍ଜିନିୟର ବୋଲି ଜଣାପଡ଼ିଛି। ପ୍ରକାଶ ଥାଉକି, ଆଇ.ଓ.ସି.ଏଲ.ର ପାଇପ ପାରାଦ୍ୱୀପର ଝାରସୁଗୁଡ଼ା ପର୍ଯ୍ୟନ୍ତ ଯାଇଥିବା ବେଳେ ବିନିତ ଏବଂ ତାର ସହଯୋଗୀ ଉକ୍ତ ପାଇପରେ ଭାଲଭ କରି ଫେବୃଆରୀ ୨ରୁ ୮ ତାରିଖ ପର୍ଯ୍ୟନ୍ତ ତେଲ ଚୋରି କରିଥିଲେ। ତେବେ ତେଲ ପରିମାଣ କମିବା ନେଇ ଆଇ.ଓ.ସି.ଏଲ.ର କର୍ମଚାରୀ ଉକ୍ତ ଘଟଣା ସମ୍ପର୍କରେ ଫେବୃଆରୀ ୧୩ ତାରିଖରେ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯାଗକୁ ଭିତି କରି ପୋଲିସ ତଦନ୍ତ କରିବାପରେ ଆଜି ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୨ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୬ଟି ଗାଡ଼ି ଓ ୪ ଲକ୍ଷ ଟଙ୍କା ଜବତ କରିଛି। ଜବତ ଗାଡ଼ି ମଧ୍ୟରେ ୨ଟି ଟ୍ୟାଙ୍କର, ଗୋଟିଏ ଇନୋଭା ଓ ସ୍କୋରପିଓ ଗାଡ଼ି ଆଦି ରହିଛି। ୨ଟି ଗ୍ରୁପରେ ବିଭକ୍ତ ହୋଇ ସେମାନେ ଏହି ତେଲ ଚୋରି କରୁଥିଲେ। ଅନ୍ୟ ଅଭିଯୁକ୍ତମାନେ ହେଲେ ରାଜକୁମାର ଉର୍ମା, କରନ ଶର୍ମା, ମଦନ ମୋହନ ସ୍ୱାଇଁ, ଗୈାରୀ ଶଙ୍କର ପୃଷ୍ଟି, ଅଭିମନ୍ୟୁ ଭୋଇ, ଧନଞ୍ଜୟ ଦ୍ୱିବେଦୀ, ରଞ୍ଜନ କୁମାର ସିଂ, କାମାକ୍ଷା ପ୍ରସାଦ ସିଂ, ସୁବ୍ରତ ଦାସ, ବସନ୍ତ କୁମାର ସାହୁଓ ପ୍ରଫୁଲ୍ଲ କୁମାର ପ୍ରଧାନ। ଅଭିଯୁକ୍ତମାନେ ଉତର ପ୍ରଦେଶ, କଟକ ଏବଂ ଅନୁଗୋଳ ଅଂଚଳର ବୋଲି ଜଣାପଡ଼ିଛି। ତେବେ ଉକ୍ତ ଅଭିଯୁକ୍ତମାନେ ଭଦ୍ରକ, ବାଲେଶ୍ୱରରୁ ମଧ୍ୟ ତେଲ ଚୋରି ଘଟଣାରେ ଜଡ଼ିତ ରହିଥିବାର ସୂଚନା ମିଳିଛି। ବର୍ତମାନ ସୁଦ୍ଧା ଉକ୍ତ ଗ୍ୟାଙ୍ଗ୍ ପ୍ରାୟ ୪୯ ହଜାର ଲିଟର ତେଲ ଚୋରି କରିଥିବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଅନୁଗୋଳ ପୋଲିସ କଟକ ଏବଂ ଯାଜପୁର ପୋଲିସ ସହାୟତାରେ ଏହି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଥିବାର ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *