ଆଇରନ ଆଣ୍ଡ ଷ୍ଟିଲ କୋପରେଟିଭ ସୋସାଇଟି ଉପରେ ମାଜିଷ୍ଟ୍ରେଟ ଚଢାଉ

ରାଉରକେଲା ୮ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ଇସ୍ପାତ କାରଖାନାର ଏଲଡ଼ିବିପି ବିଭାଗରେ କାର୍ଯ୍ୟ କରୁଥିବା ଆଇରନ ଆଣ୍ଡ ଷ୍ଟିଲ କୋପରେଟିଭ ସୋସାଇଟି ଗତ ଫେବୃଆରୀ ମାସରୁ ବନ୍ଦ ଥିଲା। ଏହାର ପୂର୍ବତନ ସଭାପତି ବିଜୟ କୁମାର ଧଳ ଗତ ଡିସେମ୍ବର ମାସରେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅବସର ଗ୍ରହଣ କରିଥିଲେ। କିନ୍ତୁ ଅବସର ପୂର୍ବରୁ କୋଅପରେଟିଭ ସଂପୂର୍ଣ୍ଣ ନିୟନ୍ତ୍ରଣ ନିଜ ହାତରେ ରଖିବା ପାଇଁ ସେ ଦୀର୍ଘ ୨୦ ବର୍ଷ ଧରି ସଂପାଦକ କାର୍ଯ୍ୟ ଚଲାଇ ଆସୁଥିବା ଗଙ୍ଗାରାମ ଟୁଡ଼ୁଙ୍କୁ ଚକ୍ରାନ୍ତ କରି ବହିଷ୍କାର କରିଥିଲେ ଏବଂ ନିଜର ଜଣେ ଅନୁଗତ ବ୍ୟକ୍ତି ଅମୀୟ କୁମାର ଦାଶଙ୍କୁ ସଂପାଦକ ରୂପେ ନିଯୁକ୍ତି କରିଥିଲେ। ନୂତନ ସଂପାଦକ ସମିତିର ଅନ୍ୟ ନିର୍ଦ୍ଦେଶକଙ୍କୁ ଅବମାନନା କରି ମନମୁଖୀ କାର୍ଯ୍ୟ କରୁଥିଲେ। ସମିତିର ସମସ୍ତ ନିର୍ଦ୍ଦେଶକ ମାନେ ତାଭ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣି ତାଙ୍କୁ ବହିଷ୍କାର କରିଥିଲେ। କିନ୍ତୁ ଅମୀୟ କୁମାର ଦାଶ ନିଜ ଜିଦରେ ଅଟଳ ରହି କାର୍ଯ୍ୟଭାର ହସ୍ତାନ୍ତର କଲେ ନାହିଁ ବରଂ ଚକ୍ରାନ୍ତ କରି ସମିତିକୁ ବନ୍ଦ କରିବାକୁ ମସୁଧା କରିଥିଲେ। ସମିତିର ସଭ୍ୟ ମାନଙ୍କ ଅନୁରୋଧ ପରେ ମଧ୍ୟ ସେ ସମାଧାନ ପାଇଁ ଆଗଭର ହେଲେ ନାହିଁ। ପାନପୋଷ ସବ କଲେକ୍ଟରଙ୍କ ନିର୍ଦ୍ଦେଶ ପାଇ ମାଜିଷ୍ଟ୍ରେଟ ଏଆଇସିଏସ, ପୁଲିସ ବିଭାଗ ମିଳିତ ଭାବେ କୋଅପରେଟିଭର ତାଲା ଭାଙ୍ଗି ସବୁ ରେକର୍ଡ ପତ୍ର ଜବତ କରିଥିବା ଜଣାପଡ଼ିଛି। ନୂତନ ଭାବେ ମନୋନୀତ ସଂପାଦକ ଭାବେ ଉପେନ୍ଦ୍ର ସିଂଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରାଯାଇଛି। ଠିକ ରାସ୍ତାକୁ ଆଣି ସଭ୍ୟ ମାନଙ୍କୁ ସେବା ଯୋଗାଇବା ପାଇଁ ପ୍ରତିଶୃତି ଦିଆଯାଇଛି। ଅମୀୟ କୁମାର ଦାଶଙ୍କ କାର୍ଯ୍ୟକାଳ ଭିତରେ ହୋଇଥିବା ଆର୍ଥିକ ଅନିୟମିତତା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ମଧ୍ୟ କୁହାଯାଇଛି। ସଂପୃକ୍ତ ଅଧିକାରୀ ମାନଙ୍କର ସହାୟତା ଯୋଗୁ ସମିତିର ପୁନରୁଉଦ୍ଧାର ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *