‘ଆଇକ୍ରିଏଟ୍’ ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

କମ୍ ଖର୍ଚ୍ଚରେ ସାଧାରଣ ଲୋକଙ୍କ ଜୀବନରେ ସୁଧାର ପାଇଁ ପ୍ରଯୁକ୍ତି ଉଦ୍ଭାବନ ଲାଗି ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଅହମ୍ମଦାବାଦ ଉପକଣ୍ଠ ଅଚଂଳରେ ‘ଆଇକ୍ରିଏଟ’ ସୁବିଧା ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ଆଇକ୍ରିଏଟ୍ ଏକ ସ୍ୱତନ୍ତ୍ର କେନ୍ଦ୍ର, ଯାହାର ଉଦ୍ଦେଶ୍ୟ – ଖାଦ୍ୟ ସୁରକ୍ଷା, ଜଳ, ଯୋଗାଯୋଗ, ସାଇବର ସୁରକ୍ଷା, ଆଇଟି ଓ ଇଲେକ୍ଟ୍ରୋନିକ୍ସ, ଶକ୍ତି, ବାୟୋ-ମେଡିକାଲ ଉପକରଣ ଓ ଯନ୍ତ୍ରାଂଶ ଆଦି ଭଳି ପ୍ରମୁଖ ପ୍ରସଙ୍ଗରେ କାର୍ଯ୍ୟ ନିମନ୍ତେ ସୃଜନଶୀଳତା, ନବସୃଜନ, ଇଞ୍ଜିନିୟରିଂ, ଉତ୍ପାଦ ଡିଜାଇନ୍ ଓ ବିକାଶଶୀଳ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା। ଗୁଣାତ୍ମକ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ଭାରତରେ ଏକ ଉନ୍ନତ ବାତାବରଣ ବିକଶିତ କରିବା ହେଉଛି ଆଇକ୍ରିଏଟ୍ର ପ୍ରମୁଖ ଉଦ୍ଦେଶ୍ୟ।

ଦୁଇ ନେତା ବିଭିନ୍ନ ଷ୍ଟଲ୍କୁ ଯାଇ ବିବିଧ କ୍ଷେତ୍ରରେ ପ୍ରମୁଖ ପ୍ରଯୁକ୍ତବିଦ୍ୟା ଓ ନବସୃଜନ କ୍ଷେତ୍ରକୁ ଦେଖିଥିଲେ।

ସେଠାରେ ଉପସ୍ଥିତି ଜନସମୂହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଓ ଇସ୍ରାଏଲର ଲୋକଙ୍କୁ ପରସ୍ପରର ନିକଟତର କରାଇବାରେ ନବସୃଜନର ପ୍ରମୁଖ ଭୂମିକା ରହିଛି। ସମଗ୍ର ବିଶ୍ୱରେ ଇସ୍ରାଏଲର ପ୍ରଯୁକ୍ତି କୌଶଳ ଓ ସୂଜନଶୀଳତାର ଖାସ୍ ପ୍ରସିଦ୍ଧି ରହିଛି।

ସେ କହିଛନ୍ତି ଯେ ଭାରତର ଯୁବବର୍ଗଙ୍କ ମଧ୍ୟରେ ଜୋସ୍ ଓ ଉତ୍ସାହ ରହିଛି। ଯୁବବର୍ଗଙ୍କୁ କେବଳ ସାମାନ୍ୟ ପ୍ରୋତ୍ସାହନ ଓ ସଂସ୍ଥାଗତ ସହାୟତା ଦେବାର ଆବଶ୍ୟକତା ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ସମଗ୍ର ବ୍ୟବସ୍ଥାକୁ ନବସୃଜନ ଅନୁକୂଳ କରାଇବା ନିମନ୍ତେ କାର୍ଯ୍ୟ କରୁଛନ୍ତି। ଏହା ମାଧ୍ୟମରେ ନୂଆ ଚିନ୍ତାଧାରା ସୃଷ୍ଟି ହୋଇପାରିବ। ଚିନ୍ତାଧାରାରୁ ନବସୃଜନ ଆସିବ, ଆଉ ନବ୍ୟ ଭାରତ ନିର୍ମାଣରେ ନବସୃଜନ ସହାୟତା ମିଳିବ।

ସେ କହିଛନ୍ତି ଯେ ଏହି ସଫଳତାର ପ୍ରଥମ ପ୍ରାକ୍ ସର୍ତ ହେଉଛି ସାହାସ। ସେ ଆଇକ୍ରିଏଟ୍ରେ ନବସୃଜନ କାର୍ଯ୍ୟରେ ନିୟୋଜିତ ସାହାସୀ ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଇଥିଲେ।

କାଳିଦାସଙ୍କ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଲୋକାଚାର ଓ ନବସୃଜନ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ଦେଶ ସମ୍ମୁଖରେ ଉଭା ହେଉଥିବା ଚାଲେଞ୍ଜର ମୁକାବିଲା ପାଇଁ ନବସୃଜନ କରିବା ଓ କମ୍ ଖର୍ଚ୍ଚରେ ସାଧାରଣ ଲୋକଙ୍କ ଜୀବନରେ ସୁଧାର କରିବା ପାଇଁ ପ୍ରଯୁକ୍ତି ଉଦ୍ଭାବନ ଲାଗି ପ୍ରଧାନମନ୍ତ୍ରୀ ଭାରତର ଯୁବବର୍ଗଙ୍କୁ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ ଭାରତ ଓ ଇସ୍ରାଏଲ ମଧ୍ୟରେ ଖାଦ୍ୟ, ଜଳ, ସ୍ୱାସ୍ଥ୍ୟ ଓ ଶକ୍ତି କ୍ଷେତ୍ରରେ ନବସୃଜନ ଦିଗରେ ସହଯୋଗ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ମାନବତା ଇତିହାସରେ ଉଭୟ ଦେଶ ମଧ୍ୟରେ ସହଯୋଗର ଏକ ନୂଆ ଅଧ୍ୟାୟ ଲେଖାଯିବ।

Leave a Reply

Your email address will not be published. Required fields are marked *