ଓଡ଼ିଶା

 ଆଇଆଇଏମ୍ସିରେ ଜାତୀୟ ଆଲୋଚନାଚକ୍ର ‘ଭାରତୀୟ ଭାଷା ସାମ୍ବାଦିକତାର ଭବିଷ୍ୟତ ଉଜ୍ଜ୍ୱଳ’

ଢେଙ୍କାନାଳ: ୭-୮ (ଓଡ଼ିଆ ପୁଅ) ଦେଶରେ ଦିନକୁ ଦିନ ସାକ୍ଷରତା ହାର ବଢ଼ିବାରେ ଲାଗିଛି। ଫଳରେ ଲୋକେ ସେମାନଙ୍କ ଆଖପାଖର ତଥା ନିଜ ରାଜ୍ୟର ଖବର ସେମାନଙ୍କ ଭାଷାରେ ହିଁ ଜାଣିବାକୁ ଚାହୁଁଛନ୍ତି। ତେଣୁ ଭାରତୀୟ ଭାଷା ସାମ୍ବାଦିକତାର ଭବିଷ୍ୟତ ବେଶ୍ ଉଜ୍ଜ୍ୱଳ ବୋଲି କହିଛନ୍ତି ସୁଲେଖକ ତଥା ଶିକ୍ଷାବିତ ସୁବୀର ଘୋଷ।
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)ର ମିଳିତ ଆନୁକୂଲ୍ୟରେ ଭାରତୀୟ ଭାଷା ସାମ୍ବାଦିକତାର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଛି ‘ଭାଷା ସାମ୍ବାଦିକତାର ଭବିଷ୍ୟତ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର। ଏଥିରେ ବକ୍ତାଭାବେ ଯୋଗଦେଇ ଶ୍ରୀ ଘୋଷ କହିଛନ୍ତି, ଭାରତୀୟମାନେ ସାଧାରଣତଃ ଛାପା ଅକ୍ଷରକୁ ଅଧିକ ବିଶ୍ୱାସ କରନ୍ତି। ତେଣୁ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଖବରକାଗଜର ଚାହିଦା କମୁଥିବାବେଳେ ଭାରତରେ ଏହାର ଆଦର ବଢ଼ୁଛି। ଦେଶରେ ଜରୁରିକାଳୀନ ସମୟ ତଥା ତା’ପରଠାରୁ ଇଂରାଜୀ ଖବରକାଗଜ ଅପେକ୍ଷା ଆଞ୍ଚଳିକ ଭାଷାର ସମ୍ବାଦପତ୍ର ଗୁରୁତ୍ୱପୂର୍ଣ୍ଣ ହୋଇଆସୁଛି। ସମ୍ଭବତଃ ଆମର ଖବରକାଗଜର ଜନ୍ମ ଆଦର୍ଶବାଦରୁ। ସ୍ୱାଧୀନତା ପୂର୍ବରୁ ଦେଶରେ ବିଭିନ୍ନ ଭାଷାର ଖବରକାଗଜ ବିପ୍ଳବର ବାର୍ତ୍ତା ବାଣ୍ଟିବା ସହ ସେଗୁଡ଼ିକର ସର୍ବଭାରତୀୟ ମିଶନ ଥିଲା। ଯଦିଓ ଏବେର ଖବରକାଗଜ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ସେଗୁଡ଼ିକ ତିଷ୍ଠି ରହିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଅନ୍ୟତମ ଅତିଥିଭାବେ ଯୋଗଦେଇ ନାଗାର୍ଜୁନ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗୀୟ ମୁଖ୍ୟ ଡ. ଅନିତା ଗାଡ୍ଡିପାଥି ତେଲୁଗୁ ସାମ୍ବାଦିକତା ଉପରେ ନିଜର ବକ୍ତବ୍ୟ ଦେଇଛନ୍ତି। ସେ ତେଲୁଗୁ ଭାଷାର କେତୋଟି ଖବରକାଗଜର ଉଦାହରଣ ଦେଇ ଏହାର ଲୋକପ୍ରିୟତା କିପରି ବଢ଼ିଲା ଏବଂ ଲୋକଙ୍କ ଜୀବନଶୈଳୀ ସହ ଖବରକାଗଜ କିପରି ଜଡ଼ିତ ହେଲା ସେ ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ବୃକ୍ଷରୋପଣ, ଜଳ ସଂରକ୍ଷଣ ଆଦି ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ କିଛି ତେଲୁଗୁ ଖବରକାଗଜ ବୃହତ୍ ସ୍ତରରେ ଆନ୍ଦୋଳନରେ ସାମିଲ ହୋଇପାରିଥିଲା। ଏହା ସମାଜ ପାଇଁ ଯେତିକି ହିତକର ଥିଲା, ଲୋକଙ୍କୁ ସଚେତନତା କରିବାରେ ମଧ୍ୟ ସେତିକି ସହାୟକ ହୋଇପାରିଥିଲା। ସେହିପରି ଆଉ କିଛି ଖବରକାଗଜ ପ୍ରତ୍ୟେକ ଜିଲ୍ଲା ପାଇଁ ସ୍ୱତନ୍ତ୍ର ସପ୍ଲିମେଣ୍ଟ ପ୍ରକାଶ କରି ଲୋକପ୍ର ିୟ ହୋଇପାରିଛନ୍ତି। ଆଉ କିଛି ମହିଳା, କୃଷି ଓ ଯୁବ ଆଦି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ମଧ୍ୟ ନିୟମିତ ସପ୍ଲିମେଣ୍ଟ ପ୍ରକାଶ କରୁଛନ୍ତି ଓ ଆଦୃତ ହେଉଛନ୍ତି। ତେଣୁ ଭାଷା ସାମ୍ବାଦିକତାର ଏକ ସୁଭବିଷ୍ୟତ ରହିଛି। ସେ ଆହୁରି ଗୁରୁତ୍ୱାରୋପ କରିଛନ୍ତି କି’ ଦକ୍ଷିଣ ଭାରତରେ ବିଷୟବସ୍ତୁ, ଉପସ୍ଥାପନା, ପୃଷ୍ଠା, ବିଜ୍ଞାପନ ଓ ବିତରଣର ସଂଖ୍ୟା କ୍ଷେତ୍ରରେ ଇଂରାଜୀ ଓ ହିନ୍ଦୀ ଦୈନିକ ଅପେକ୍ଷା ଆଞ୍ଚଳିକ ଭାଷାର ଖବରକାଗଜ ଆଗରେ ରହିଛି। ଲୋକେ ଆଞ୍ଚଳିକ ଭାଷାର ଖବରକାଗଜକୁ ଅଧିକ ଗ୍ରହଣ କରିବା ସହ ଏହା ମଧ୍ୟ ଲୋକଙ୍କ ନିକଟତର ହେବାରେ ଲାଗିଛି। ତେଣୁ ବିକାଶରେ ଭାଷା ସାମ୍ବାଦିକତାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟତମ ଅତିଥିଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ଜୟନ୍ତ କର ଶର୍ମା କହିଛନ୍ତି, ସାହିତ୍ୟ ସମାଜର ଦର୍ପଣ ହେଲେ ସାମ୍ବାଦିକତା ସମୟର ଦର୍ପଣ। ପୂର୍ବରୁ ସାମ୍ବାଦିକତା ଏକ ନିଶା ଥିଲା, ଏବେ ଏହା ବୃତ୍ତି ହୋଇଯାଇଛି। ଏଥିସତ୍ତ୍ୱେ ବି ସାମ୍ବାଦିକତାରେ ସେବା ଓ ଆଦର୍ଶର ମୂଲ୍ୟବୋଧ ରହିବା ଜରୁରୀ। ଏହାସହ ସମ୍ବାଦପତ୍ର ନିଜର ଉତ୍ତରଦାୟିତ୍ୱ ସଠିକ୍ ଭାବେ ପ୍ରତିପାଦନ କରିପାରିଲେ, ଫେକ୍ ନିଉଜ୍ ଓ ପେଡ୍ ନିଉଜ୍କୁ ରୋକାଯାଇପାରିବ ବୋଲି ସେ କହିଛନ୍ତି। ସେହିଭଳି ଦୈନିକ ‘ହୀରାଞ୍ଚଳ’ର ସମ୍ପାଦକ ଯୁଗଳ କିଶୋର ସାମଲ ଓଡ଼ିଆ ମୁଦ୍ରିତ ସାମ୍ବାଦିକତା ଉପରେ କହିଛନ୍ତି, ଆଜିକାଲି ଅଧିକାଂଶ ଖବରକାଗଜର ଆଞ୍ଚଳିକ ସଂସ୍କରଣ ରହୁଛି। ସେଥିରେ ସେମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର କଥିତ ଭାଷାରେ କିଛି ଖବର ପ୍ରକାଶ କରୁଛନ୍ତି। ଆଉ ଏହା ମଧ୍ୟ ଗ୍ରହଣୀୟ ହେଉଛି। ତେଣୁ ଏତିକି କହିହେବ, ଭାଷା ସାମ୍ବାଦିକତାର ଏକ ଭଲ ଭବିଷ୍ୟତ ରହିଛି। ତେବେ ଇଂରାଜୀ ତୁଳନାରେ ଆଞ୍ଚଳିକ ଭାଷାର ଖବରକାଗଜକୁ କମ୍ ସରକାରୀ ବିଜ୍ଞାପନ ମିଳିବା ଠିକ୍ ନୁହେଁ। ଅଧିକନ୍ତୁ ଆଞ୍ଚଳିକ ଭାଷାର ଖବରକାଗଜକୁ ସବୁବେଳେ ଅଧିକ ପ୍ରାଧାନ୍ୟ ଦେବା ଜରୁରୀ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟତମ ବକ୍ତାଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କହିଛନ୍ତି, ୱେବ୍ ସାମ୍ବାଦିକତାର ଆଗମନ ଫଳରେ ଏହା ପାରମ୍ପରିକ ଗଣମାଧ୍ୟମ ପ୍ରତି ଏକ ଆହ୍ୱାନ ସୃଷ୍ଟି କରିଛି। ଏକରେ ତ ରାଜ୍ୟରେ ୯ଟି ଟିଭି ଚ୍ୟାନେଲ୍ ରହିଥିଲେ ମଧ୍ୟ ଆଖିଦୃଶିଆ ଦର୍ଶକ ନାହାନ୍ତି। ଅର୍ଥାତ୍ ଏହି ୯ଟି ଚ୍ୟାନେଲ୍ ଯେତିକି ଲୋକ ଦେଖିବା କଥା ସେତିକି ଦେଖୁନାହାନ୍ତି। ତେଣୁ ଅଧିକାଂଶ କମ୍ପାନୀ ଟିଭି ଅପେକ୍ଷା ପ୍ରମୁଖ ଖବରକାଗଜରେ ସେମାନଙ୍କର ବିଜ୍ଞାପନ ଦେବାକୁ ପସନ୍ଦ କରୁଛନ୍ତି। ତା’ପରେ ଟେଲିଭିଜନ୍ ଚ୍ୟାନେଲ୍ଟିଏ ଚାଲିବା ପାଇଁ ହେଲେ ଅଧିକ ଅର୍ଥ ଓ ମାନବ ସମ୍ବଳ ଆବଶ୍ୟକ। ବୋଧହୁଏ ଏହି କାରଣରୁ ୱେବ୍ ଚ୍ୟାନେଲ୍ର ଜନ୍ମ। ଏମିତି ସ୍ଥିତିରେ ସ୍ମାର୍ଟଫୋନ୍ର ବହୁଳ ବ୍ୟବହାର ଓ ୱେବ୍ ଚ୍ୟାନେଲ୍ ଏବଂ ପୋର୍ଟାଲ୍ର ସଂଖ୍ୟା ବୃଦ୍ଧି ନିଶ୍ଚିତ ଭାବେ ପ୍ରଭାବ ପକାଇବ। ଏଥିସହିତ ୱେବ୍ ପ୍ଲାଟ୍ଫର୍ମରେ ଖବର ପ୍ରସ୍ତୁତି ଓ ବିତରଣ ବହୁତ ସହଜ ଓ ଶସ୍ତା ମଧ୍ୟ। ଏହା ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରୁଥିବାରୁ ଧୀରେ ଧୀରେ ଏହାର ଆଦୃତି ବଢ଼ିଚାଲିଛି।

ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ଆଇଆଇଏମ୍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଭାଷା ସାମ୍ବାଦିକତାରେ ଗାନ୍ଧିଜୀଙ୍କର ଏକ ବଡ଼ ଭୂମିକା ରହିଛି। ଏହା ଏକ ଆନ୍ଦୋଳନ ପରି ଆରମ୍ଭ ହୋଇଥିଲା। ବିଶେଷତଃ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଭାଷା ସାମ୍ବାଦିକତାର ଚାହିଦା ବଢ଼ିଥିଲା। ଏହା ପଛରେ ଅନେକ କାରଣ ରହିଛି। ପ୍ରଥମତଃ ଭାଷା ଭିତ୍ତିରେ ବିଭିନ୍ନ ରାଜ୍ୟ ଗଠନ ହେବା। ଏଥିଯୋଗୁଁ ଲୋକଙ୍କ ମନରେ ଭାଷା ସାମ୍ବାଦିକତା ଏକ ଉତ୍ତମ ସ୍ଥାନ ଗ୍ରହଣ କରିନେଲା। ସେହିପରି ଅଶୀ ଓ ନବେ ଦଶକରେ ପ୍ରିଣ୍ଟିଂ ପ୍ରେସ୍, ଟାଇପ୍ ସେଟିଂ ଆଦି ଟେକ୍ନଲୋଜିର ଆଗମନ ତଥା ଜଗତୀକରଣ ଯୋଗୁଁ ଏହାର ବଜାର ସ୍ଥିତିରେ ସୁଧାର ଆସିଥିଲା। ଲୋକେ ମଧ୍ୟ ସେମାନଙ୍କ ନିଜ ଭାଷାରେ ଖବର ପାଇବାକୁ ଚାହିଁଲେ। ସେହିପରି ଅଶୀ ଦଶକ ପରେ ଛୋଟଛୋଟ ରାଜନୈତିକ ଦଳଗୁଡ଼ିକର ପ୍ରଭାବ ଆଞ୍ଚଳିକ ଖବରକାଗଜ ଉପରେ ରହିଥିଲା ବୋଲି ସେ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top