ଅସୁରକ୍ଷିତ ଅଠରନଳା, ପ୍ରତ୍ନତତ୍ତ୍ୱ ବିଭାଗ ଚୁପ୍ କାହିଁକି ?

ଯାଜପୁର -୧୮/୫(ଓଡିଆ ପୁଅ/ଏ.ରାଉତ) ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରକୁ ଯିବା ରାସ୍ତାରେ ପଡ଼େ ଅଠରନଳା ପୋଲ। ଏହି ଅଠରନଳା ଏବେ ଅସୁରକ୍ଷିତ ଅବସ୍ଥାରେ ଥିବାବେଳେ ପ୍ରତ୍ନତତ୍ତ୍ୱ ବିଭାଗ ଚୁପ୍ ବସିଥିବା ଦେଖିବାକୁ ମିଳିଛି। ବିଭାଗ କେବଳ ସୂଚନା ଫଳକ ଲଗାଇ ନୀରବଦ୍ରଷ୍ଟା ସାଜିଛି। ଅଠରନଳା ପ୍ରାଚୀନ କୀର୍ତ୍ତିରାଜ ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ରହିଛି। ବିଭାଗର ବିନା ଅନୁମତିରେ ଏହାକୁ କ୍ଷତି ପହଞ୍ଚାଇ ପାରିବ ନାହିଁ ବୋଲି ଲଗାଯାଇଥିବା ନିୟମ ଫଳକରେ, ସୂଚନା ଦିଆଯାଇଛି। ଏପରିକି ବିଭାଗର ବିନା ଅନୁମତିରେ ମରାମତି ମଧ୍ୟ କରାଯାଇପାରିବ ନାହିଁ। ଏହି କୀର୍ତ୍ତିରାଜି ପାଶ୍ୱର୍ରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ ନିୟମ ଫଳକରେ ସୂଚନା ଦିଆଯାଇଥିବାବେଳେ ନିୟମ ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ଏହି ଅଠରନଳା ପୋଲଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟକ ଭାରୀଯାନ ଯାଜପୁର ସହର ସମେତ ବିଞ୍ଝାରପୁର, ସିଂହପୁର ପଡ଼ୋଶୀ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍ଥାନକୁ ଗାଡ଼ି ଚଳାଚଳ କରିଥାଏ। ଏପରିକି ଉକ୍ତ ଅଠରନଳା ଦେଇ ରାଜ୍ୟ ସମେତ ରାଜ୍ୟ ବାହାରୁ ବହୁ ତୀର୍ଥଗାଡ଼ି ବିରଜା ମନ୍ଦିରକୁ ଚଳାଚଳ କରିଥାଏ। ଭାରୀଯାନ ଚଳାଚଳ ଯୋଗୁ ଅଠରନଳା ପୋଲଟି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ମରାମତି ଅଭାବରୁ ପୋଲ ଉପରେ ବଡ଼ ବଡ଼ ଖାଲ ହୋଇଥିବା ଦେଖିବାକୁ ମିଳିଛି। ପ୍ରାଚୀନ କୀର୍ତ୍ତିରାଜି ବହନ କରୁଥିବା ଏହି ଅଠରନଳା ପୋଲଟି କ୍ରମଶଃ ଦୁର୍ବଳ ହେବାସହ ଅସୁରକ୍ଷିତ ହୋଇପଡ଼ିଛି। ଏପଟେ ବିଭାଗ ସୂଚନାଫଳକ ଲଗାଇ ନିଜ କାର୍ଯ୍ୟ ସମ୍ପାଦନ କରିଥିବା ଦେଖିବାକୁ ମିଳିଛି। ଐତିହାସିକମାନଙ୍କ କହିବାନୁସାରେ ଭାରତବର୍ଷରେ ଦୁଇଟି ସ୍ଥାନରେ ଅଠରନଳା ଦେଖିବାକୁ ମିଳିଥାଏ। ଗୋଟିଏ ଶ୍ରୀକ୍ଷେତ୍ର ପୁରୀ ମନ୍ଦିରକୁ ଯିବା ରାସ୍ତାରେ ଅଠରନଳା ପଡ଼ୁଥିବାବେଳେ ଅନ୍ୟଟି ବିରଜାକ୍ଷେତ୍ରରେ ଅଠରନଳା ରହିଛି। କିନ୍ତୁ ଏହାର ସୁରକ୍ଷା ପ୍ରତି ବିଭାଗ ଦୃଷ୍ଟି ଦେଉନଥିବାରୁ ପ୍ରାଚୀନ କୀର୍ତ୍ତିରାଜି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହି ଅଠରନଳା ପୋଲତଳେ ବହୁ ପ୍ରାଚୀନ ମୂର୍ତ୍ତି ତଥା ବିରଳ ମୂର୍ତ୍ତି ରହିଛି। ଏହାର ରକ୍ଷଣାବେକ୍ଷଣ ବ୍ୟବସ୍ଥା ଅଭାବରୁ ନଷ୍ଟ ହେବାକୁ ବସିଲାଣି। ଅଧିକାଂଶ ସମୟରେ ବର୍ଷାଜଳ ନିଷ୍କାସନ ହୋଇନପାରି ଅଠରନଳା ପୋଲତଳେ ଜମିରହି ଦୁର୍ବଳ ହେଉଛି। ବିଭାଗ ପକ୍ଷରୁ ପୋଲତଳ କେବେ ସଫା କରାଯାଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମରାମତି ନହେବା ଯୋଗୁ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ପୁରୀଠାରେ ଥିବା ଅଠରନଳା ପୋଲକୁ ସୁରକ୍ଷିତ ରଖିବାପାଇଁ ବିଭାଗ ଯେତେ ତତ୍ପର ହୋଉଇଠିଛି ଯାଜପୁର ଅଠରନଳା ପୋଲ ପ୍ରତି ବିଭାଗର ସେତେଟା ଆନ୍ତରିକ ନଥିବା ଦେଖିବାକୁ ମିଳିଛି। ଯଦି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏହି ପ୍ରାଚୀନ କୀର୍ତ୍ତିରାଜି ତଥା କିମ୍ବଦନ୍ତୀ ବହନ କରୁଥିବା ସ୍ମାରକ ପ୍ରତି ଗୁରୁତ୍ୱ ନଦିଏ ତେବେ କୀର୍ତ୍ତିରାଜିଟି ଧ୍ୱଂସ ପାଇଯିବ ବୋଲି ବହୁ ଐତିହାସିକ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *