ଅସହ୍ୟ ତାତି ସହିତ ବିଦ୍ୟୁତ ସମସ୍ୟା, ଜନସାଧାରଣ ଡ଼ହଳବିକଳ

ଯାଜପୁର-୧୮/୬(ଓଡିଆ ପୁଅ/ଏ.ରାଉତ) + ତନିଦିନ ହେଲା ଅସହ୍ୟ ତାତି ସହିତ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲାବେଳେ ବିଦ୍ୟୁତ ସମସ୍ୟା ଏହାକୁ ଦ୍ୱିଗୁଣିତ କରି ଦେଇଛି। ଲଗାତାର ତିନିଦିନ ହେଲା ପ୍ରବଳ ଖରା ସହିତ ଗୁଳୁଗୁଳି ଲାଗିରହିଛି। ମୈାସୁମୀ ବାଟ ହୁଡିଥିଲାବେଳେ ପୁନର୍ବାର ଗ୍ରୀଷ୍ମର ଲେଉଟାଣି ହୋଇଛି। ଦିନ ୧୧ଟା ପରେ ପଦାକୁ ବାହାରିବା ବି ଅସମ୍ଭବ ହୋଇ ଯାଉଛି। ଦିନ ୧୧ଟା ପରଠାରୁ ବହୁ ଦୋକାନ ବଜାର ବନ୍ଦ ହୋଇଯିବା ସହିତ ରାସ୍ତାରେ ଗତାଗତ କମ ରହୁଛି। ତାତିକୁ ଦେଖି ସରକାର ବିଦ୍ୟାଳୟ ଖୋଲିବା ମଧ୍ୟ ଘୁଂଚାଇ ଦେଇଛନ୍ତି। ଖରା ଓ ଗରମକୁ ନେଇ ସମସ୍ତେ ବ୍ୟସ୍ତ। ଖରାରେ ପଦାକୁ ବାହାରି ହେଉ ନଥିଲାବେଳେ ଲୋକମାନେ ଘରମୁଁହା ହୋଇଛନ୍ତି। ପଦାରେ ପ୍ରବଳ ଖରା ଓ ଗୁଳୁଗୁଳିରୁ ରକ୍ଷା ପାଇବାକୁ ଜନସାଧାରଣ ଘରେ ଯାଇ ଟିକେ ଫ୍ୟାନରେ ବସିବାକୁ ଚିନ୍ତା କଲାବେଳକୁ ବିଦ୍ୟତ ସମସ୍ୟା ଏଥିରେ ବାଧକ ସାଜୁଛି। ଆଜକୁ ଦୀର୍ଘ ଦିନ ହେଲା ବିଦ୍ୟୁତ ସମସ୍ୟାକୁ ନେଇ ଜନସାଧାରଣ ଅତିଷ୍ଠ ହୋଇ ପଡିଲେଣି। ସହର ଠାରୁ ନେଇ ଗାଁ ପର୍ଯ୍ୟନ୍ତ ସମସ୍ତେ ଏହାକୁ ନେଇ ବ୍ୟସ୍ତ ଓ ବିବ୍ରତ। ଲୋ ଭୋଲଟେଜ ସାଂଗକୁ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ଦେଖିବାକୁ ମିଳୁଛି। ସବୁ ଠାରୁ ବଡ ସମସ୍ୟା ସୃଷ୍ଟି କରିଛି ଲୋ-ଭୋଲଟେଜ। ଭୋଲଟେଜ ଏତେ କମ ରହୁଛି ଫ୍ୟାନ ଚାଲିବା ମଧ୍ୟ ସମ୍ଭବ ହେଉନାହିଁ। ଫ୍ୟାନ ଚାଲିବା ଯେଉଁଠାରେ ସମ୍ଭବ ହେଉନାହିଁ ସେଠାରେ କୁଲର, ଏସି ଓ ଫ୍ରିଜ ଚାଲିବା କିଭଳି ସମ୍ଭବ ତାହା ଷ୍ପଷ୍ଟ ଅନୁମେୟ। ଲୋ ଭୋଲଟେଜ ଫଳରେ ଘରୋଇ ମଟର ଗୁଡିକ ମଧ୍ୟ ଚାଲୁନାହିଁ। ସହରାଚଂଳରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଥିଲାବେଳେ ଗ୍ରାମାଚଂଳର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି। କିଛି ଗ୍ରାମରେ ସଂଧ୍ୟା ସମୟରେ ବିଦ୍ୟୁତ ବଲ୍ୱ ଜଳିବା ମଧ୍ୟ ସମ୍ଭବ ହେଉନାହିଁ। ଏହା ସହିତ ମଧ୍ୟ ରାତ୍ରରେ ମଧ୍ୟ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ଦେଖିବାକୁ ମିଳିଛି। ଦିନଭଳି ରାତିରେ ମଧ୍ୟ ପ୍ରବଳ ଗରମ ହେଉଥିବାରୁ ବାରମ୍ବାର ବିଦ୍ୟୁତ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି।

Leave a Reply

Your email address will not be published. Required fields are marked *