ବଣେଇ ୧୪-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର)) ବଣାଇ ସ୍ଥିତ ରାଜା ଧରଣୀଧର ବିଦ୍ୟାଳୟ ରାସ୍ତା ଓ ଆଇଟିଡିଏ ସଭାଗୃହ ଯିବା ରାସ୍ତା କଡ଼ରେ ଜଣେ ଅସହାୟ ବୃଦ୍ଧା ପେଟ ଚାଖଣ୍ଡକେ ପାଇଁ ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ କିଛି ପାଇବା ଆଶାରେ ଖରା ବର୍ଷାରେ ବସିଥାନ୍ତି। ଜୀବନ ସହ ସଂଗ୍ରାମ କରି ପେଟ ପାଇଁ ପ୍ରତି ଦିନ ଏଠାରେ ବସିଥିବା ଦେଖିବାକୁ ମିଳିଥାଏ। ଉକ୍ତ ବୃଦ୍ଧାଙ୍କ ଘର ବଣାଇଗଡ଼ ଦେଓଗାଁ ସ୍ଥିତ ୪ ନମ୍ବର ୱାର୍ଡରେ ବୋଲି ଜଣାପଡିଛି। ସ୍ୱାମୀ ବହୁତ ପୂର୍ବରୁ ଆରପାରିକୁ ଚାଲି ଗଲେଣି। ପୁଅ ,ବହୁ ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି। ଏବେ ବୃଦ୍ଧା ଦୟମନ୍ତୀ କିଷାନଙ୍କ ବୟସ ୮୫ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ଜଣାପଡିଛି। ବର୍ତ୍ତମାନ ବୃଦ୍ଧାଙ୍କ ପରିବାରରେ ଜଣେ ନାତି ଥିବାବେଳେ ତାଙ୍କ ଅବସ୍ତା ମଧ୍ୟ ଠିକ ନଥିବା ଜଣାପଡିଛି। କେବେ କାମ ମିଳିଲେ ତ କାମ କରନ୍ତି ନହେଲେ ବୃଦ୍ଧା ଆଇଙ୍କୁ ସାହାଯ୍ୟ କରିଥାନ୍ତି। ବୃଦ୍ଧାଙ୍କୁ ସରକାରଙ୍କ ପକ୍ଷରୁ ଭତ୍ତା ୩୦୦ ଟଙ୍କା ମିଳୁ ଥିବା ବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ମାସକୁ ୫ କିଲୋଗ୍ରାମ ଚାଉଳ ମଧ୍ୟ ତାଙ୍କ ପାଇଁ ସାତସପନ। ସେ ଏହି ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଛନ୍ତି। ତେବେ ଉକ୍ତ ବୃଦ୍ଧାଙ୍କ କେହି ଜଣେ ସାହା ଭରସା ନାହାନ୍ତି। ପ୍ରତି ଦିନ ଏଠାରେ ବସି ରହି ଥିବାବେଳେ ଏହି ରାସ୍ତା ଦେଇ ଯାଉଥିବା ଲୋକମାନେ ବୃଦ୍ଧାଙ୍କ ଅବସ୍ଥା ଦେଖି କିଛି ପଇସା ଦେଇ ଦିଅନ୍ତି। ଏଠି କଥା ରହିଲା ଯେ ଏହି ରାସ୍ତା ଦେଇ ଆଇଟିଡିଏ ସଭା କକ୍ଷରେ ଆୟୋଜିତ ହେଉଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଠାରୁ ନେଇ ନେତାମନ୍ତ୍ରୀଙ୍କ ଏଠାରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହେଉଥିବା ବେଳେ ଏହି ରାସ୍ତା ଦେଇ ଯାଉଥିବା ବେଳେ କାହାରି ନଜରକୁ ଆସୁ ନାହିଁ କେମିତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
