ଜିଲ୍ଲା ପରିକ୍ରମା

ଅସରାଏ ବର୍ଷାରେ ଉବୁଟୁବୁ ବାସୁଦେବପୁର ପୌରବାସୀ, ବିପନ୍ନ ସ୍ୱରେଜ ବ୍ୟବସ୍ଥା ଯୋଗୁଁ ଭାଙ୍ଗୁଛି ମାଟିଘର

ଭଦ୍ରକ ୨୪ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – କିଛିଦିନ ଧରି ଲଘୁଚାପ ବର୍ଷା ବାସୁଦେବପୁର ସହରର ସ୍ଥିତି ବିଗାଡି ଦେଇଛି। ଲଗାଣ ଓ ତୁହାକୁ ତୁହା ବର୍ଷାରେ ସହରର କେତେକ ତଳିଆ ଅଂଚଳରେ ବର୍ଷା ପାଣି ଜମି ରହିଛି। ନିଷ୍କାସନ ବ୍ୟବସ୍ଥା ନଥିବାରୁ ଘର ବାରଣ୍ଡାକୁ ଲାଗି ରହୁଛି ବର୍ଷା ପାଣି। କେତେକ ସ୍ଥାନରେ ରାସ୍ତା ଉପରେ ପାଣିର ସୁଅ ଛୁଟୁଛି। ବର୍ଷା ପାଣି ନିଷ୍କାସିତ ହୋଇନପାରି ଦେଉଳୀ ସେଠୀ ସାହିର ପୁନାନ୍ଦ ଓ ଦୁଳିଆ ଦୁଇ ଭାଇଙ୍କୁ ବେଘର କରିଛି। ବାଲିନଗର ଗାଁର ରଘୁନାଥ ମହାକୁଡଙ୍କ ଦୁଇବଖରା ମାଟି କାନ୍ଥ ଭୁଷୁଡି ପଡିଛି। ସହରକୁ ଏହି ସାହିଗୁଡିକ ଲାଗିଥିଲେ ବି ଡ୍ରେନ୍ ବ୍ୟବସ୍ଥା ନାହିଁ। ଗାଁ ପାଖରେ ପୂର୍ବରୁ ଥିବା ଡ୍ରେନ୍ର ବିପର୍ଯ୍ୟସ୍ତ ଅବସ୍ଥା ପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ ତଳିଆ ଅଂଚଳରେ ଥିବା ପରିବାର ଲୋକମାନେ ଆଶଙ୍କାରେ ଦିନ କାଟୁଥିବା ଗ୍ରାମବାସୀ କହିଛନ୍ତି। ବାସହରା ହୋଇପଡିଥିବା ବିପନ୍ନ ପରିବାର ସାହିର କ୍ଲବ୍ ଓ ପଡୋଶୀଙ୍କ ଘରେ ମୁଣ୍ଡ ଗୁଂଜିଛନ୍ତି। ଦେଉଳୀ ସେଠୀସାହିଟି ବାସୁଦେବପୁର ପୌରପାଳିକାର ଅତି ନିକଟରେ ଅବସ୍ଥିତ। ସହରକୁ ଭିଡାଭିଡି ହୋଇ ଲାଗିଛି ସେଠୀସାହି। ପରିବାର ସଂଖ୍ୟା ୩୦ ହେବ। ଗାଁ ଭିତରକୁ ଯାଇଥିବା ରାସ୍ତାର ତଳ ପାଖରେ ପ୍ରାୟ ୧୦ ପରିବାର ବାସ କରନ୍ତି। ହେଲେ ଆଜିପର୍ଯ୍ୟନ୍ତ ସାହିକୁ ଡ୍ରେନ୍ ବ୍ୟବସ୍ଥା ହୋଇପାରିନାହିଁ। ପ୍ରତିବର୍ଷ ବର୍ଷା ଦିନରେ ସାହିର ଅବସ୍ଥା ସଂଗୀନ ହେଉଛି। ବର୍ଷା ପାଣି ନିଷ୍କାସିତ ହୋଇନପାରି ତଳ ପାଖରେ ଥିବା ପରିବାରର ମାଟି ପିଣ୍ଡାରେ ମୁଣ୍ଡ ପିଟୁଛି। ସମସ୍ୟାକୁ ନେଇ ସାହିର କେତେକ ଯୁବକ ଡ୍ରେନ୍ ବ୍ୟବସ୍ଥା ପାଇଁ ବାରମ୍ବାର ପୌରପାଳିକାକୁ ଗୁହାରି କରି ନିରାଶ ହୋଇଛନ୍ତି। ଲଘୁଚାପ ଜନିତ ଲଗାଣ ବର୍ଷା ସାହିର ସ୍ଥିତିକୁ ବେହାଲ କରୁଛି। ଦୁଇତିନି ଦିନ ଧରି ବର୍ଷାପାଣି ନିଷ୍କାସିତ ହୋଇନପାରି ଦୁଆର ମୁହଁରେ ଲାଗିରହୁଛି। ଡ୍ରେନ୍ ବ୍ୟବସ୍ଥା ନଥିବାରୁ ବହୁ ପରିବାରକୁ ଦହଗଞ୍ଜ ହେବାକୁ ପଡିଛି। ବର୍ଷାପାଣି ନିଷ୍କାସିତ ହୋଇନପାରି ଦୁଇ ଭାଇଙ୍କ ମାଟିକାନ୍ଥକୁ କ୍ଷତିଗ୍ରସ୍ତ କରିଛି। ପ୍ରଥମେ ଦୁଇଦିନ ତଳେ ଘରର ପଶ୍ଚିମ ପାଖ କାନ୍ଥ ଧସେଇ ପଡିଥିଲା। ପରେ ଉତ୍ତର ପାଖ କାନ୍ଥ କ୍ଷତିଗ୍ରସ୍ତ ହୋଇଛି। ଲଘୁଚାପ ବର୍ଷାରେ ବାସହରା ପରିବାର ଅସହାୟ ହୋଇପଡିଛନ୍ତି। ସାହିର କ୍ଲବ୍ ଘର ଓ ପାଖପଡୋଶୀ ପରିବାର ବିପନ୍ନ ପରିବାରର ସାହାରା ପାଲଟିଛି। ଖାଲି ଯେ ସେଠୀସାହିର ଏହି ଅବସ୍ଥା, ତାହାନୁହେଁ, ସହର ଛାତିରେ ବର୍ଷାପାଣି ଲହଡି ମାରୁଛି। ସହରର ଡ୍ରେନ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି। ପ୍ରତିବର୍ଷ ପୌରପାଳିକା ସମାଧାନ ପାଇଁ ଉଦ୍ୟମ ଜାରି ରଖିଥିଲେ ବି ସ୍ଥାୟୀ ସମାଧାନ ହୋଇପାରୁନି। ଖବର ପାଇ ରାଜସ୍ୱ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଆକଳନ କରିଛି। ପୌରାଧ୍ୟକ୍ଷ ଅଶୋକ କୁମାର ଦାସ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପାଣି ନିଷ୍କାସନ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ସହ ତହସିଲଦାରଙ୍କ ସହିତ ଆଲୋଚନା କରି ଯାହା ସରକାରୀ ବ୍ୟବସ୍ଥା ରହିଛି ଯୋଗାଇ ଦେବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ସେମାନେ ଯଦି ଆବାସ ଯୋଜନାରେ ଘର ନେବାକୁ ଚାହିଁଲେ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top