ଓଡ଼ିଶା

 ଅଶୋକଙ୍କ ଲେଉଟାଣିକୁ କୋରେଇ ବିଜେଡି କର୍ମୀ ଗ୍ରହଣ କରିପାରୁନାହିନ୍ତି

ଯାଜପୁର-୧୨/୬(ଓଡିଆ ପୁଅ/ଏ.ରାଉତ) ବିଜେଡି ଶଂଖକୁ ଛାଡି ବିଜେପି ପଦ୍ମ ଧରି ବିଜେଡି ବିରୁଦ୍ଧରେ ରଣନୀତି ପ୍ରସ୍ତୁତ କରୁଥିବା କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଶୋକ ବଳଙ୍କ ବିଜେପି ମୋହଭଙ୍ଗ ହୋଇଛି। ବିଜେପି ଛାଡି ନିଜ ଦଳବଳ ସହିତ ନବୀନ ନିବାସରେ ପହଂଚି ପୁନର୍ବାର ଶଂଖକୁ ଆପଣେଇଛନ୍ତି। ପ୍ରାକ୍ତନ ଜିଲା ପରିଷଦ ଉପାଧ୍ୟକ୍ଷ ଅଶୋକ ବଳ ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଉଦ୍ୟମ କରିଥିଲେ। ଦଳ ଶେଷ ମୁହୁର୍ତରେ ବିଶିଷ୍ଟ ଶ୍ରମିକ ନେତା ମାୟାଧର ନାୟକଙ୍କ ପୁତ୍ର ତଥା ଚଳଚ୍ଚିତ୍ର ଅଭିନେତା ଆକାଶ ଦାସନାୟକଙ୍କୁ ଟିକେଟ ପ୍ରଦାନ କରିଥିଲା। ପ୍ରଥମ ଥର ନିର୍ବାଚନ ଲଢୁଥିବା ଆକାଶ ନବୀନ ପଟ୍ଟନାୟକଙ୍କ ଭାବମୁର୍ତି ଓ ନିଜର ଲୋକପ୍ରିୟତାକୁ ପାଥେୟ କରି ୪୫ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇ ନିର୍ବାଚନ ବୈତରଣୀ ପାର ହୋଇଥିଲେ। ଆକାଶଙ୍କ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ ଏବର ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ। ଦଳ ତାଙ୍କୁ ଶେଷ ମୁହୁର୍ତରେ ଏଠାରୁ ଅପସାରଣ କରି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ପ୍ରଦାନ କରିଥିଲା। ସେ ସମୟରେ ଦଳୀୟ ସୃଙ୍ଖଳା ରକ୍ଷା କରିବାକୁ ଯାଇ ପ୍ରୀତିରଞ୍ଜନ (ଡ୍ୟାନି) କୋରେଇରେ ଥିବା ନିଜ ବଳିଷ୍ଠ ସଂଗଠନକୁ ଆକାଶଙ୍କ କାର୍ଯ୍ୟରେ ଲଗାଇଥିଲେ। ଏହା ସହିତ ଏହି ନିର୍ବାଚନ ମଣ୍ଡଳୀ ଉପରେ ପ୍ରଭାବଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଆକାଶଙ୍କୁ ସହାୟତା ପ୍ରଦାନ କରିଥିଲେ। ଉଭୟ ବିଧାୟକଙ୍କ ସହଯୋଗ ବଳରେ ଆକାଶଙ୍କ ବିଜୟ ସୁଗମ ହୋଇଥିଲା। ନିର୍ବାଚିତ ହେଲାପରେ ଆକାଶ ନିର୍ବାଚନ ମଣ୍ଡଳୀର ବିକାଶକୁ ଗୁରୁତ୍ୱ ଦେବା ସହିତ ବିଜେଡି ସଂଗଠନକୁ ବଳଶାଳି କରିବାର ଉଦ୍ୟମ କରିଥିଲେ। ଅପରପକ୍ଷେ ହଠାତ ଆକାଶ ରାଜନୀତିକୁ ଲମ୍ଫ ଦେବା ଓ ବିଧାୟକ ହେବା କିଛି ନେତାଙ୍କୁ ହଜମ ହୋଇନଥିଲା। ନିଜର ଅମାୟିକ ବ୍ୟବହାର ଓ ରାଜନୈତିକ ପେଂଚପାଂଚରୁ ଉଦ୍ଧ୍ୱର୍ରେ ରହି ଆକାଶ ଆଗକୁ ଯାଉଥିଲାବେଳେ ନିଜର ସରଳତାକୁ ନିଜର ପରିଚୟ କରିଥିଲେ। ଗତ ପଂଚାୟତ ନିର୍ବାଚନରେ ଦଳୀୟ ବିବାଦ ପଦାକୁ ବାହାରିଥିଲାବେଳେ ନିଜର ସମସ୍ତ ଜିଲା ପରିଷଦ ଜୋନକୁ ଆକାଶ ଜିତିଥିଲାବେଳେ କୋରେଇ ପଂଚାୟତ ସମିତିରେ କଂଗ୍ରେସ ବିଜୟୀ ହୋଇଥିଲା। ଏହା ପଛରେ ବିଭିନ୍ନ କାରଣ ଥିବା ଆଲୋଚନା ହେଉଥିଲାବେଳେ ଦଳର କିଛି ନେତା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆକାଶଙ୍କୁ ଛୋଟ କରିବାକୁ ଉଦ୍ୟମ କରୁଥିବା ନେଇ ମଧ୍ୟ ଆଲୋଚନା ହେଉଥିଲା। ପଂଚାୟତ ନିର୍ବାଚନ ପରେ କୋରେଇ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ରାଜନୈତିକ ସମିକରଣ ଦେଖିବାକୁ ମିଳିଥିଲା। ବିଜେଡି ନେତା ଅଶୋକ ବଳ ଆକାଶଙ୍କ ଲୋକପ୍ରିୟତାକୁ ଦେଖି ଆଗାମି ଦିନରେ ବିଜେଡିରେ ତାଙ୍କ ଭବିଷ୍ୟତକୁ ନେଇ ସଂଦିହାନ ଥିଲାବେଳେ ଦଳଛାଡି ବିଜେପିର ହାତ ଧରିଥିଲେ। ଏହା ପରେ କଂଗ୍ରେସ ନେତା ବିଶ୍ୱଜିତ ନାୟକ ନିଜ ଦଳବଳ ସହିତ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ। ଫଳରେ ବିଜେପି ଦଳରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢି ଚାଲିଥିଲା। ପୂର୍ବରୁ ପ୍ରାକ୍ତନ ବିଧାୟିକା ସଂଚିତା ମହାନ୍ତି ଘାଟ ଜଗିଥିଲାବେଳେ ଅନ୍ୟ ଆଶାୟୀଙ୍କୁ ନେଇ ବିଜେପି ରାଜନୀତି ସରଗରମ ହୋଇଥିଲା। ବିଜେପିର ମହାମିଳନରେ କୋରେଇରୁ କିଛି ନେତା ଓ କର୍ମୀ ବିଜେପି ଶିବିରକୁ ଲମ୍ଫ ପ୍ରଦାନ କରିବା ପରେ ବିଜେପିରେ ଟିକେଟ ରାଜନୀତି ବେଶ ସରଗରମ ହୋଇଥିଲା। ଅପରପକ୍ଷେ କୋରେଇରେ କଂଗ୍ରେସର ଦୋଦୁଲ୍ୟମାନ ସ୍ଥିତି ଓ ବିଜେପିର ଗୋଷ୍ଠି ବିବାଦରୁ ଫାଇଦା ନେବାକୁ ବିଧାୟକ ଆକାଶ ଦାସନାୟକ ନିଜ ରଣନୀତି ପ୍ରସ୍ତୁତ କରିବା ସହିତ ଭୋଟରଙ୍କ ସହିତ ସଂପର୍କକୁ ବେଶ ଦୃଢ କରିଥିଲେ। ଏହା ସହିତ କୋରେଇ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରି ମୁଖ୍ୟମନ୍ତ୍ରୀଙ୍କର କୋରେଇବାସୀଙ୍କ ପ୍ରତି ଥିବା ଭଲ ପାଇବାକୁ ଲୋକଙ୍କ ନିକଟରେ ପହଂଚାଇବାକୁ ଉଦ୍ୟମ କରିଥିଲେ। ଆକାଶ ଗତ ବିଜେପୁର ନିର୍ବାଚନରେ ଦଳ ପାଇଁ ବ୍ୟାପକ ପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କ ଶୁଭ ଦୃଷ୍ଟିରେ ଥିଲାବେଳେ ଆଗାମି ନିର୍ବାଚନ ପୂର୍ବରୁ ଦଳକୁ ସଂଗଠିତ କରିବାକୁ ନିର୍ବାଚନ ମଣ୍ଡଳୀରେ ଡେରା ପକାଇଛନ୍ତି। ଏହି ସମୟରେ ବିଜେପି ଛାଡି ବିଜେଡିକୁ ଫେରିଛନ୍ତି ଅଶୋକ ବଳ। ବିଜେଡିରେ ଅଶୋକ ବଳଙ୍କର ସେଭଳି ବଳ ନଥିଲାବେଳେ ଦଳକୁ ଫେରିଲା ପରେ ଦଳ ମଧ୍ୟରେ ନିଜର ପ୍ରଭାବକୁ ବଢାଇବାକୁ ଅଶୋକ ନିଶ୍ଚୟ ଉଦ୍ୟମ କରିବେ। ଟିକେଟ ନପାଇ ବିଜେଡିରୁ ମୁହଁ ମୋଡି ବିଜେପି ମୁହାଁ ହୋଇଥିବା ଅଶୋକ ଶେଷରେ ବିଜେପିରୁ ସମାନ ସ୍ଥିତିରେ ମୁହଁ ମୋଡି ବିଜେଡି ମୁହାଁ ହୋଇଛନ୍ତି। ବିଭିନ୍ନ ସମୟରେ ଦଳର ହାତଛାଡିଥିବା ନେତା ମାନଙ୍କ ପରେ ମଧ୍ୟ ବିଜେଡି ସଂଗଠନକୁ ମଜବୁତ କରିବାକୁ ଉଦ୍ୟମ କରୁଥିବା ବିଧାୟକ ଆକାଶ ଦାସ ନାୟକଙ୍କ ସାଂଗଠନିକ ସନ୍ତୁଳନକୁ ଅଶୋକଙ୍କ ଲେଉଟାଣି ଯେ ବିଗାଡି ଦେବ ଏହା ନିସଂଦେହ। ଦଳ ପାଇଁ ଅହରହ କାର୍ଯ୍ୟ କରୁଥିବା ନେତା ଓ କର୍ମୀଙ୍କ ପାଇଁ ବିଭିନ୍ନ ସମୟରେ ଦଳ ବଦଳାଉଥିବା ଅଶୋକଙ୍କ ଲେଉଟାଣି କେତେ ଗ୍ରହଣଯୋଗ୍ୟ ହେବ ତାହାକୁ ନେଇ କୋରେଇବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱଭାବିକ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top