ଅଶାନ୍ତ ସମୁଦ୍ର ; ମାଡି ଆସୁଛି ଉଚ୍ଚ ଜୁଆର, ଉଛୁଳୁଛି ବୈତରଣୀ ଓ ସାଳନ୍ଦୀ, ଶୀତଳପୁର ଗାଁ ଦାଣ୍ଡରେ ଲହଡି ମାରୁଛି ଜୁଆର ପାଣି

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଲଘୁଚାପ ପ୍ରଭାବରେ ୨ଦିନ ହେଲା ଅଶାନ୍ତ ହୋଇ ପଡିଛି ସମୁଦ୍ର। ମାଡି ଆସୁଛି ଉଚ୍ଚ ଜୁଆର ଢେଉ। ଏପରି ସ୍ଥିତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ତଳିଆ ଅଞ୍ଚଳ ଆରଡି, ନାନ୍ଦପୁର, ଓଳଗ ଓ ସନ୍ଦରପୁର ପଞ୍ଚାୟତରେ। ଏହି ପଞ୍ଚାୟତ ଅଧିନରେ ଥିବା ପ୍ରାୟ ୨୪ ଗୋଟି ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀ ଧାମରା ମୁହାଣ ସହ ସଂଯୋଗ କରୁଥିବାରୁ ଜୁଆର ଢେଉରେ ଫୁଲି ଉଠିବା ସହ ବିଭିନ୍ନ ମାହାରା ଓ ଏସକେପ ଦେଇ ହଜାର-ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ପଡିବା ସହ ଆରଡି ପଞ୍ଚାୟତର ଶୀତଳପୁର ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ଜୁଆର ପାଣି। ଏଥିସହ ଆରଡି-ତିହିଡି ରାସ୍ତାର ସତସଂଘ ଛକ ନିକଟରେ ୨ଫୁଟ ଉଚ୍ଚରେ ଜୁଆର ପାଣି ଚାଲୁଥିବାରୁ ଗମାନଗମନ ନିମନ୍ତେ ଯାତାୟତ କରୁଥିବା ସମସ୍ତ ଗଗାଡି ବନ୍ଦ ହୋଇଯାଇଛି। ସେହିପରି ଆରଡି-ଚାନ୍ଦବାଲି ରାସ୍ତାର ମୁଆଁ ଘୋଷରା ନିକଟରେ ଜୁଆର ପାଣି ପ୍ରବାହିତ ହେଉଥିବାରୁ ଯାତାୟତରେ ବାଧା ଉପୁଜିଛି। ଶୀତଳପୁର ଗାଁର ବିଦ୍ୟାଳର ରାସ୍ତାରେ ୪ଫୁଟ୍ ଉଚ୍ଚରେ ଜୁଆର ପାଣି ପ୍ରବାହିତ ହେଉଥିବାରୁ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ପାଠପଢା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି।ଫଳରେ ଅଧ୍ୟୟନ କରୁଥିବା ପ୍ରାୟ ୫୦ ଛାତ୍ରଛାତ୍ରୀଙ୍କ ବସ୍ତାନିରେ ଡୋରୀ ବନ୍ଧ ହୋଇଯାଇଛି। ବୁଧବାର ଅଗଷ୍ଟ ୧୫ କିପରି ପାଳନ ହେବ ତାହା ଶିକ୍ଷକଙ୍କ ପାଇଁ ଚିନ୍ତାର କାରଣ ପାଲଟଛି। ଏପଟେ ଗତ ୨ଦିନ ହେଲା ହଜାର-ହଜାର ହେକ୍ଟର ସାରଦ ଧାନ ତଳିରେ ଜୁଆର ପାଣି ଜମି ରହିଥିବାର୍ୁ ତାହା ପଚିବାର ଆଶଙ୍କା ଦେଖା ଦେଇଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଏବେ ଧାନ ତଳି ରୁଆ ହେଉଥିବାରୁ ବହୁ ଚାଷଜମିରୁ ଧାନତଳି ଭାସି ଯାଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *