ଜିଲ୍ଲା ପରିକ୍ରମା

ଅଲ୍ଟ୍ରାସାଉଣ୍ଡ ଡାକ୍ତରଙ୍କ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ପୁରୀ ଜିଲ୍ଲାର ଜୟନ୍ତ କୁମାର ଦାସ ନାମକ ଜନୈକ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ଭଦ୍ରକରେ କାର୍ଯ୍ୟ କରୁଥିବା ଅଲ୍ଟ୍ରା ସାଉଣ୍ଡ ଟେକ୍ନିସିଆନ (ଡାକ୍ତର)ଙ୍କ ଯୋଗ୍ୟତାର ପ୍ରମାଣପତ୍ର ଯାଞ୍ଚ କରାଯାଇଛି। ଅଲଟ୍ରାସାଉଣ୍ଡ ପରୀକ୍ଷା କରିବାର ଦକ୍ଷତା ଓ ଯୋଗ୍ୟତା ନଥାଇ କେତେକ ଡାକ୍ତର ମିଥ୍ୟା ସାର୍ଟିଫିକେଟ ଦେଇ ଅଲ୍ଟ୍ରାସାଉଣ୍ଡ କରୁଥିବା ନେଇ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପ ସଚିବ ମାନସୀ ମାନ୍ଧାତା ଓ ରାଜ୍ୟ ସ୍ୱାସ୍ଥ୍ୟ ଉପନିର୍ଦ୍ଦେଶକ ଡ଼ା. ତାପସ ପାତ୍ର ଭଦ୍ରକରେ ପହଞ୍ଚି ଆବଶ୍ୟକୀୟ ଯାଞ୍ଚ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଉପ ନିର୍ଦ୍ଦେଶକ ଡ଼ାକ୍ତର ତାପସ ପାତ୍ରଙ୍କ କହିବା ଅନୁଯାୟୀ ସରକାରୀ ନିୟମରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ, ରେଡ଼ିଓଲୋଜି ବିଭାଗର ବିଶେଷଜ୍ଞ ଓ ବିଭାଗୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଡ଼ାକ୍ତର ଅଲଟ୍ରା ସାଉଣ୍ଡ ପରୀକ୍ଷା କରିପାରିବେ। ତେବେ ଭଦ୍ରକ ଜିଲ୍ଲାରେ ମୋଟ ୨୦ଟି ପଞ୍ଜିକୃତ ଅଲଟ୍ରାସାଉଣ୍ଡ କ୍ଲିନିକ ରହିଛି ଓ ସେଥି ମଧ୍ୟରୁ ୭ଟି ଏବେ ସରକାରଙ୍କ ଅନୁମତି କ୍ରମେ ଚାଲୁ ରହିଛି। ସମସ୍ତ କ୍ଲିନିକ ପରିଚାଳନା କରୁଥିବା ଡ଼ାକ୍ତରଙ୍କ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ ପାଇଁ ସିଡିଏମ୍ଓ ଡାକ୍ତରମାନଙ୍କୁ ଚିଠି କରିଥିଲେ। ଏହି ଅନୁଯାୟୀ ଆଜି ଟିମ୍ ଆଗରେ ଡାକ୍ତରମାନେ ହାଜର ହୋଇ ସେମାନଙ୍କ ଯୋଗ୍ୟତାର ପ୍ରମାଣପତ୍ର ଦର୍ଶାଇଥିଲେ। ଯାଞ୍ଚ ପରେ ସମସ୍ତଙ୍କ ସାର୍ଟିଫିକେଟ ଠିକ ରହିଛି ବୋଲି ଜିଲ୍ଲା ଚିକିତ୍ସାଧିକାରୀ ଡ଼ାକ୍ତର ଅବଦୁଲ ରସିଦ କହିଛନ୍ତି। ତେବେ ଭାରତୀୟ ଚିକିତ୍ସକ ସଂଘର ଜିଲ୍ଲା ସମ୍ପାଦକ ଡ଼ାକ୍ତର ହରେକୃଷ୍ଣ ନାୟକ କହିଛନ୍ତି ଯେ ଅଲଟ୍ରାସୋନୋଲଜି ପରୀକ୍ଷା ପାଇଁ ସରକାର କଠୋର ନିୟମ ପ୍ରଣୟନ କରିଛନ୍ତି। କୌଣସି ଡ଼ାକ୍ତର ଏହି ନିୟମ ବାହାରକୁ ଯାଇ ପରୀକ୍ଷା କରିବା ସମ୍ଭବ ନୁହେଁ। ଜିଲ୍ଲାରେ ସରକାରଙ୍କ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ ଟିମ କାର୍ଯ୍ୟ କରୁଛି। ନିୟମିତ ବ୍ୟବଧାନରେ ଏହି ଟିମ୍୍ ସମସ୍ତ କ୍ଲିନିକକୁ ଯାଇ ପୁଙ୍ଖାନୁପୁଙ୍ଖ ଭାବେ ରେକର୍ଡ଼ ଯାଞ୍ଚ କରିବା ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରୁଛି। ଏପରିସ୍ଥଳେ ଯୋଗ୍ୟତା ନଥିବା ଡ଼ାକ୍ତର କେବେ ମଧ୍ୟ ଅଲଟ୍ରାସାଉଣ୍ଡ ପରୀକ୍ଷା କରି ପାରିବେ ନାହିଁ। କିନ୍ତୁ ଭଦ୍ରକର ଜଣେ ନିର୍ଦ୍ଦିଷ୍ଟ ଡ଼ାକ୍ତର ପୁରୀ ଜିଲ୍ଲାର ଜଣେ ସୂଚନା ଅଧିକାର କର୍ମୀଙ୍କୁ ହାତବାରିସି କରି ଜିଲ୍ଲାରେ ଅଲଟ୍ରାସାଉଣ୍ଡ କରୁଥିବା ଅଭିଜ୍ଞ ଡ଼ାକ୍ତର ଓ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନକୁ ନିନ୍ଦିତ କରିବାକୁ ଚେଷ୍ଟା କରୁଛନ୍ତି। ଏହା ବ୍ୟତୀତ ନିଜ ବ୍ୟବସାୟିକ ସ୍ୱାର୍ଥ ହାସଲ ପାଇଁ ସାଧାରଣ ରୋଗୀଙ୍କ ମାନସିକତାକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଡାକ୍ତର ନାୟକ ଅଭିଯୋଗ କରିଛନ୍ତି। ସୂଚନା ଅଧିକାର କର୍ମୀ ହୁଅନ୍ତୁ ଅଥବା ଅନ୍ୟ କେହି ରୋଗୀଙ୍କ ସ୍ୱାର୍ଥ ସହ ଖେଳ ନ ଖେଳିବାକୁ ଡ଼ା. ନାୟକ ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top