ଅଲୋଡ଼ା ଜୀବନ

– ସ୍ୱର୍ଣ୍ଣଲତା ତରାଇ

ଯେ ବାସହୀନ, ବାପା ମା’ ଛେଉଣ୍ଡ,
ତାକୁ ନା ଡରେଇ ପାରେ,
ବୈଶାଖର ନିଦାଘ ନା ଆଷାଢର ମେଘ।
ନା’ ତାକୁ ଖୁସି ଦେଇ ପାରେ,
ଚଇତ୍ରର ମଳୟ ପବନ ନା ଫୁଲ ଭରା ଫଗୁଣ।

ଭୋକିଲା ପେଟ, ଉଦାସ ଆଖି, ଲୁହ ଭରା ମୁହଁ ଦେଖି,
କେଜାଣି କାହିଁକି, ବୋଧେ ଟିକେ ଭାବିଦେଲି ବେଶୀ।
ପାଦେ ପଛକୁ ଲେଉଟି, ତାର ମୁଣ୍ଡ ଦେଲି ଆଉଁସି।

ପଚାରିଲି ଆରେ ବାବୁ!
ଦେଖିଛୁ ତୁ କଣ୍ଟା ସିଜୁ ?

ନାହିଁ ରେ ତାର ଗହଳ ପତର,
କେମିତି ବହିବ ଶିତଳ ସମୀର,
ଛାଇ ମିଳିବ କାହୁଁ।
ଛାଇ ଆଶା କରି ଆଉଜି ପଡିଲେ,
ଦେହରୁ ଝରିବ ଲହୁ।

କଣ୍ଟା ସିଜୁ ପ୍ରାୟ ଉଚ୍ଚ ନିଳୟ,
କାହିଁକି ଚାହିଁଛୁ ଆଉ।
ଫେରି ଯାଆ ଗାଁ, ଝାଟି କୁଡିଆର ମାଟି ଦୁଆରକୁ
ହେଲେ ପାଇବୁ ଟିକିଏ ଜାଉ।

ଜାଣି ନାହିଁ ଯିଏ ଭୋକର ଯନ୍ତ୍ରଣା,
ସେ କି ବୁଝିବ
ଭୋକିଲା ପେଟର ଦାଉ।

କୁହୁଡ଼ି, ରାଜ କନିକା କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *