ad
ଅନୁଗୁଳ

ଅର୍ଥନୈତିକ ଅବରୋଧ ଆନ୍ଦୋଳନ ପ୍ରତ୍ୟାହୃତ

ତାଳଚେର୧୪/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ସୁରକ୍ଷାମଂଚ ପକ୍ଷରୁ ୧୬ ଦଫା ଦାବି ନେଇ ଗତ ୧୧ତାରିଖରୁ କରା ଯାଉଥିବା ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି। ଏ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲାପାଳ ଅନିଲ ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସୁରକ୍ଷାମଂଚର ସଭାପତି ମୁରଲୀଧର ସାହୁଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତା, ଏମ୍.ସି.ଏଲ.ର କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିଲେ। ବୈଠକରେ ସମସ୍ତ ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ନିଷ୍ପତି ଅନୁଯାୟୀ ଆଗାମୀ ଫେବୃୟାରୀ ୫ତାରିଖ ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଏମ୍.ସି.ଏଲ, ରେଲୱେ ଏବଂ ଏନ୍.ଏଚ୍ ବିଭାଗର ପଦାଧିକାରୀମାନେ ଯୋଗ ଦେଇ ୧୬ ଦଫା ଦାବି ସମ୍ପକରେ ବିସ୍ତୃତ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏଣୁ ସେ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯିବା ନିମନ୍ତେ ତାଳଚେର ସୁରକ୍ଷା ମଂଚ ପକ୍ଷରୁ ସହମତି ପ୍ରକାଶ ପାଇଥିଲା। ଏହାପରେ ତାଳଚେରସ୍ଥିତ ଏମ୍.ସି.ଏଲ.ର ସମସ୍ତ କୋଇଲାଖଣିରୁ ଉତ୍ପାଦନ ଏବଂ ପରିବହନ କାର୍ଯ୍ୟ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା। ପ୍ରକାଶ ଥାଉକି, ବିଗତ ୪ଦିନ ଧରି ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଯୋଗୁଁ ଏମ୍.ସି.ଏଲ.ର ଖଣି କାର୍ଯ୍ୟ ଠପ୍ ହେବାସହ ଏନ୍.ଟି.ପି.ସି, ନାଲକୋ ଆଦି ବିଭିନ୍ନ ଶିଳ୍ପାନୁଷ୍ଠାନକୁ କୋଇଲା ଯୋଗାଣ ମଧ୍ୟ ବନ୍ଦ ହୋଇଯିବାରୁ ଏକପ୍ରକାର ଶକ୍ତିସଙ୍କଟ ସୃଷ୍ଟି ହୋଇଥିଲା। ଗତ ୪ଦିନ ଧରି ଆନ୍ଦୋଳନ ଫଳରେ କେନ୍ଦ୍ର ଏବଂ ରାଜ୍ୟ ସରକାର ୫୦ କୋଟିର ଉର୍ଦ୍ଧ୍ୱ ଟଙ୍କାର ରାଜସ୍ୱ ହାନି ହୋଇଥିଲା। ସେହିପରି ମଂଚର କାର୍ଯ୍ୟକର୍ତାମାନେ ତାଳଚେରର ବନ୍ତୋଲ ଲେବୁଲ କ୍ରସିଂଠାରେ ଆନ୍ଦୋଳନ କରିବାରୁ ଷ୍ଟେସନକୁ ସମସ୍ତ ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ୍ ଆସିବା ବନ୍ଦ ରହିଥିଲା। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅପରପକ୍ଷରେ ମଂଚ ଦ୍ୱାରା ୧୬ ଦଫା ଦାବି ନେଇ ଆନ୍ଦୋଳନ କେବଳ ରାଜନୈତିକ ଫାଇଦା ଏବଂ ଦଳର ସୁଦୃଢ଼ ପାଇଁ କରା ଯାଇଥିଲା ବୋଲି କଂଗ୍ରେସର ଯୁବ ନେତା ଜିନେସ ସାହୁ ଅଭିଯୋଗ କରିଛନ୍ତି। ଏହି ୪ ଦିନ ଧରି ଅର୍ଥନୈତିକ ଆନ୍ଦୋଳନ ଯୋଗୁଁ ହଜାର ହଜାର ସଂଖ୍ୟାରେ ଏମ୍.ସି.ଏଲ କର୍ମଚାରୀ, ଡ୍ରାଇଭର, ହେଲପର ଏବଂ ଅନ୍ୟାନ୍ୟ ଠିକାଶ୍ରମିକମାନେ କାର୍ଯ୍ୟରୁ ବଂଚିତ ହୋଇଛନ୍ତି। ସେହିପରି ଟ୍ରକରେ କୋଇଲା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ତାଳଚେରର ଟ୍ରକମାଲିକମାନେ ଯେଉଁ ଆର୍ଥିକ କ୍ଷତି ସହିଲେ ତାହା କିଏ ଭରଣା କରିବ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିବାସହ ଗୋଟିଏ ବି ଦାବି ପୂରଣ ହୋଇ ନଥିଲେ ମଧ୍ୟ ଆନ୍ଦୋଳନ ହଠାତ୍ କାହିଁକି ପ୍ରତ୍ୟାହୃତ ହେଲା ତାହାର ଜବାବ ତାଳଚେରବାସୀ ୨୦୧୯ ନିର୍ବାଚନରେ ଦେବେ ବୋଲି ସେ ମତବ୍ୟକ୍ତ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top