କଳାହାଣ୍ଡି

ଅମିତ ଶାହାଙ୍କ କଳାହାଣ୍ଡି ଗସ୍ତ, ନେତୃତ୍ୱ ଏବଂ ଦେଢ କୋଟିର ଷ୍ଟେଜ କୁ ନେଇ ଚର୍ଚ୍ଚା ।

କଳାହାଣ୍ଡି- (ଓଡିଆପୁଅ/ତା୦୩.୦୪.୨୦୧୮)
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଗାମୀ ୪ ତାରିଖ ଦିନ କଳାହାଣ୍ଡି ଗସ୍ତରେ ଆସୁଥିବା ହେତୁ ସମଗ କଳାହାଣ୍ଡିରେ ରାଜନୀତି ସରଗରମ ହୋଇଯାଇଛି । କଳାହାଣ୍ଡି ଗସ୍ତ ଅବସରରେ ଅମିତ ଶାହା ଲାଲବାହାଦୁର ଷ୍ଟାଡିୟମ ଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଗତ ଦଶ/ବାର ଦିନ ହେବ ଛତିଶଗଡ ରୁ କାର୍ଯ୍ୟକର୍ତାମାନେ ଆସି ଥିବା ବେଳେ ରାଜ୍ୟ ସଭାପତି ଭବାନୀପାଟଣା ଠାରେ ଡେରା ପକାଇ କାର୍ଯ୍ୟକର୍ତା ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଗତ ୨୦୧୭ ମସିହା ସେପ୍ଟେମ୍ବରରେ ଓଡିଶା ଗସ୍ତରେ ଭୂବନେଶ୍ୱର ଠାରେ ରାଜ୍ୟ ପଦାଧିକାରୀ ମାନଙ୍କୁ ମିଶନ୧୨୦ର ହୋମୱାର୍କ ଦେଇଥିବା ବେଳେ ପୂର୍ବରୁ ଜୁଲାଇ୪ ତାରିଖରେ ଗଞ୍ଜାମ ଓ ୫ ତାରିଖରେ ଯାଜପୁର ଗସ୍ତ କରିଥିଲେ । ବର୍ତମାନ ଏହି ତୃତୀୟ ଗସ୍ତ ନେଇ କର୍ମୀ ମହଲରେ ଉତ୍ସାହ ଦେଖାଦେଇଛି । ଭବାନୀପାଟଣା ସହର ଏବେ ଗେରୁଆମୟ ହୋଇଯାଇଛି । ଏଥି ପାଇଁ କଳାହାଣ୍ଡିରେ ସବୁଠାରୁ ବ୍ୟୟ ବହୁଳ ଷ୍ଟେଜ ନିର୍ମାଣ କରାଯାଉଥିବା ଚର୍ଚ୍ଚା ହେଉଛି । ଷ୍ଟେଜ ନିର୍ମାଣ ପାଇଁ ଛତିଶଗଡ ରାଜ୍ୟର ଭାରତ ଏସୋସିଏଟ୍ସକୁ ଦାୟୀତ୍ୱ ଦିଆଯାଇଥିବା ବେଳେ ମୂଖ୍ୟ ଷ୍ଟେଜରେ ସଂପୂର୍ଣ୍ଣ ଏସି ବ୍ୟବସ୍ଥା କରାଯାଉଥିବା ସହିତ ବାମ ପାଶ୍ୱର୍ରେ ରାଜ୍ୟ ଓ ଜିଲ୍ଲା ପଦାଧିକାରୀମାନଙ୍କ ପାଇଁ ଏବଂ ଡାହାଣ ପାଶ୍ୱର୍ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆଉ ଦୁଇଟି ଷ୍ଟେଜ ନିର୍ମାଣ କରାଯାଉଛି । ସମ୍ମୁଖରେ ଜନସାଧାରଣଙ୍କ ପାଇଁ ଏଲହେଙ୍ଗର ବ୍ୟବସ୍ଥିତ ଷ୍ଟେଜ ନିର୍ମା କରାଯାଉଛି । ଏଥିନିମନ୍ତେ ପ୍ରାୟ ଦୁଇଶହରୁ ଉଦ୍ଧ୍ୱର୍ ଶ୍ରମିକ ନିୟୋଜିତ ହୋଇ ଦିନରାତି କାମ କରୁଥିବା ଦେଖାଯାଉଛି । ପ୍ରାୟ ଦେଢକୋଟି ବ୍ୟୟ ଅଟକଳରେ ଏଭଲି ବ୍ୟୟ ବହୁଳ ଷ୍ଟେଜ ନିର୍ମାଣ ହେଉଥିବା ଅସମର୍ଥିତ ସୂତ୍ରରୁ ପ୍ରକାଶ । ହେଲେ କଳାହାଣ୍ଡିରେ ଏଭଲି ବ୍ୟୟବହୁଳ ଷ୍ଟେଜ ଆଗରୁ କେବେ ନିର୍ମାଣ ହୋଇନଥିବା ଚର୍ଚ୍ଚା ହେଉଛି । ସେହିପରି ଭବାନୀପାଟଣା ସହର ନିକଟ ଖରିଆର ରାସ୍ତାରେ ଭଙ୍ଗାବାରୀ ଠାରେ,ଜୁନାଗଡ ରାସ୍ତାରେ ଡଙ୍ଗରୀପଡା ଛକ ଠାରେ,ତାରିଣୀ ମନ୍ଦିର ରାସ୍ତାରେ,ଦୁଆରଶନୀ ଠାରେ ଦଳୀୟ କର୍ମୀ ମାନଙ୍କ ପାଇଁ ଦଳ ପକ୍ଷରୁ ଖାଇବା
ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ବିଭିନ୍ନ ବ୍ଲକରୁ ଲୋକଙ୍କୁ ଆଣିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଥିବା ଯୋଜନା ହୋଇଥିବା କୁହାଯାଉଛି ।
ଏଭଲି ପ୍ରାୟ ୩ କୋଟିରୁ ଉଦ୍ଧ୍ୱର୍ ବ୍ୟୟ ଅଟକଳ ହୋଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରାଯାଉଥିବା ନେଇ ବିଜେଡି ଓ କଂଗ୍ରେସ ପକ୍ଷରୁ ଭୃକୃଂଚନ ଦେଖାଦେଇଛି । କଂଗ୍ରେସ ପକ୍ଷରୁ ଅମିତ ଶାହାଙ୍କ ଗସ୍ତକୁ ବିରୋଧ କରି ଜୁନାଗଡ,କେସିଙ୍ଗା ଓ ଧର୍ମଗଡ ଠାରେ ପ୍ରତିବାଦ ସଭା ମାନ ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ପକ୍ଷରେ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ଜିଲ୍ଲା ବିଜେପି ନେତୃତ୍ୱ ଯେତେ ବାହୋସ୍ଫୋଟ ମାରୁଥିଲେହେଁ ସେହି ନିର୍ବାଚନ ପରିଚାଲନା ପାଇଁ ଛତିଶଗଡରୁ ସ୍ୱତନ୍ତ୍ର ପ୍ରଭାରୀ ଆସି ବିଜେପି କୁ ଜିତାଇଥିବା ଲୋକେ ଠିକ ଭାବେ ଜାଣିସାରିଛନ୍ତି । ସେହିପରି ଅମିତଶାହାଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟ ନେତୃମଣ୍ଡଳୀ ଭବାନୀପାଟଣା ଠାରେ ଡେରା ପକାଇ ଜିଲ୍ଲା ପଦାଧିକାରୀଙ୍କୁ ତାଗିଦ କରୁଥିବା ନେଇ ସେମାନେ ସହଜରେ ହଜମ କରିପାରୁନଥିବା ଚର୍ଚ୍ଚା ହେଉଛି । ଜିଲ୍ଲା ପଦାଧିକାରୀମାନେ ରାଜ୍ୟ ପଦାଧିକାରୀ ମାନଙ୍କ ନିକଟତର ହେବା ପାଇଁ କସରତ କରୁଥିବା ବେଳେ ଅନେକେ ହୋର୍ଡିଂ,ସୋସିଆଲ ମିଡିଆ ଆଦି ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ଦେଖାଦେଉଛି । କଳାହାଣ୍ଡିରେ ବିଜେପିର ସାଙ୍ଗଠନିକ ବ୍ୟବସ୍ଥା କେବଳ ନାମକୁ ମାତ୍ର ଚାଳିଥିବା ଆଲୋଚନା ହେଉଛି । ଦକ୍ଷ ଓ ଅନୁଭବୀ କର୍ମୀ ଓ ନେତାଙ୍କୁ ଉପେକ୍ଷା କରାଯାଇ ଜିଲ୍ଲା ସଙ୍ଗଠନ ଚାଲିଥିବାରୁ ତୃଣ ମୂଳ ସ୍ତରରେ ବିଜେପିର ପ୍ରଭାବ ହ୍ରାସ ପାଇବାରେ ଲାଗିଥିବା କୁହାଯାଉଛି । ବିଭିନ୍ନ କ୍ଷେତ୍ରରେ ମଣ୍ଡଳ ସଭାପତି ମାନଙ୍କୁ ମଧ୍ୟ ଉପେକ୍ଷା କରାଯାଉଥିବା ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ସଂଘପରିବାର କୁ ସାମିଲ କରାଯାଇନଥିବା ହେତୁ ମଧ୍ୟ ସାଙ୍ଗଠନିକ ବ୍ୟବସ୍ଥା ସୁଦୃଡ ହୋଇପାରୁନଥିବା ବେଳେ ଖୋଦ ସଂଘର ସାଙ୍ଗଠନିକ ବ୍ୟବସ୍ଥା ମଧ୍ୟ ଢିଲା ପଡିଯାଇଥିବା ଚର୍ଚ୍ଚା ହେଉଛି । ପୁରାତନ ସ୍ୱୟଂ ସେବକ ମାନଙ୍କୁ ଉପେକ୍ଷା ଏବଂ ଦୀର୍ଘ ଦିନ ହେବ ସେହି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସଂଘ କାର୍ଯ୍ୟକ୍ରମ ଚାଲିଥିବା ଏବଂ ନୂତନ ସ୍ୱୟଂସେବକ ସୃଷ୍ଟି କରିପାରୁନଥିବା ମଧ୍ୟ ଆଲୋଚନା ହେଉଛି । ଅନୂରୂପ ଭାବେ ବିଜେପିରେ ମଧ୍ୟ ସେହି ଏକା ଅବସ୍ଥା ଥିବା ଆଲୋଚନା ହେଉଛି । ତୃଣ ମୂଳ ସ୍ତରରୁ କାର୍ଯ୍ୟକର୍ତା ଚୟନ କରାଯିବା ବଦଳରେ ଜିଲ୍ଲା ସ୍ତରରେ ସଭାପତି ଚୟନ କରିଦେବା ପରେ ତାଙ୍କୁ ସୁହାଇବା ଭଲି ଜିଲ୍ଲା ପଦାଧିକାରୀ ନିଯୁକ୍ତି କରାଯାଉଥିବା ହେତୁ ଅନେକ ଦକ୍ଷ ଓ ଅନୁଭବୀ କର୍ମୀ ଓ ନେତା ଛାଡି ହୋଇଯାଉଥିବା ସ୍ୱାଭାବିକ । ଫଳତଃ ତୃଣମୂଳ ସ୍ତରରେ ଥିବା ଦକ୍ଷ ଓ ଅନୁଭବୀ କର୍ମୀ ଓ ନେତାଙ୍କୁ ଯଦିଓ ସଭାପତି ଙ୍କ ଶୁଭ ଦୃଷ୍ଟି ପଡିବ ନାହିଁ ତେବେ ତାଙ୍କୁ ସୁଯୋଗ ମିଳି ପାରିବ ନାହିଁ ଏବଂ ସେ ଅବହେଲିତ ହୋଇ ରହିଯିବେ । ଏଭଲି କ୍ଷେତ୍ରରେ ଅମିତ ଶାହାଙ୍କ ଗୁରୁ ମନ୍ତ୍ର କେତେ ଦୂର ସଫଳ ହୋଇପାରିବ ତାହା ଆଗାମୀ ଦିନରେ ଜଣାପଡିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ଭବାନୀପାଟଣା ଗସ୍ତ ଅବସରରେ ଶହୀଦ ରେଣ୍ଡୋମାଝୀଙ୍କ ମୂର୍ତୀରେ ମାଲ୍ୟାର୍ପଣ ତଥା ମାଣିକେଶ୍ୱରୀ ଦର୍ଶନ ଓ ରାଜବାଟୀରେ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ନେଇ ବହୁ ନେତାଙ୍କ ଅକଳ ଗୁଡୁମ ହୋଇଯାଇଥିବା ଚର୍ଚ୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top