ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନହେବା ନେଇ ପରିବାର ପକ୍ଷରୁ ଅନଶନ

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ଥାନାଧିକାରୀ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବିରୁଦ୍ଧରେ ଆଜି ଆକ୍ରମଣର ସମ୍ମୁଖୀନ ହେଉଥିବା ପରିବାରଙ୍କ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏ ସଂପର୍କରେ କୁନିରାଣୀ ଯେନା ଓ ତାଙ୍କ ସ୍ୱାମୀ ଅଭିରାମ ଯେନା କରିଥିବା ଅଭିଯୋଗ ମୂଳେ ତାଙ୍କ ଗ୍ରାମ ଦହିପୁର ଯେନାସାହି ନିବାସୀ ବସନ୍ତ ଯେନା, ହଗରା ଯେନା, ଗୌରା ଯେନା, ସୁକୁଟା ଯେନା, ବାବୁଲା ଯେନାଙ୍କ ଭଳି କେତେକ ଖଳ ଓ ଦୁର୍ଦ୍ଦାନ୍ତ ପ୍ରକୃତିର ଲୋକେ କୁନିରାଣୀ ଓ ଅଭିରାମକୁ ମାରି ଲହୁଲୁହାଣ କରିବା ପରେ ମୂମୁର୍ଷ ଅବସ୍ଥାରେ ପକାଇଦେଇଥିଲେ। ଏ ବାବଦରେ ଗତ ମଇ ୧୫ ତାରିଖରେ ମୁଦାଲାମାନଙ୍କ ବିରୁଦ୍ଧରେ ଧାମନଗର ଥାନାରେ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗ ପତ୍ର ତଥା ଏତଲା ନଂ ୦୦୮୪ ରେ ମଧ୍ୟ କେଶ୍ ହୋଇଥିଲା। ମାତ୍ର କେଶ୍ ହେବା ପରେ ମୁଦାଲାମାନଙ୍କୁ ଧାମନଗର ଥାନା ପୁଲିସ୍ ଗିରଫ ନକରିବାରୁ ତାଙ୍କ ବିରୁଦ୍ଧରେ ଗତ ମଇ ୨୯ ତାରିଖ ଦିନ ଜିଲା ଆରକ୍ଷୀ ଅଧିକ୍ଷକ ବି. ଗଂଗାଧରଙ୍କୁ ସାକ୍ଷାତ୍ କରି ସେ ସମସ୍ତ ବିଷୟ ଅବଗତ କରାଇବା ପରେ ମଧ୍ୟ ମୁଦାଲାମାନେ ଗିରଫ ହୋଇନଥିଲେ। ମାତ୍ର ଇତିମଧ୍ୟରେ ନ୍ୟାୟ ମିଳିବା ତ ଦୂରର କଥା ଧାମନଗର ଥାନାଧିକାରୀଙ୍କ ଘଣ୍ଟଘୋଡା ନୀତିରୁ ଅଭିଯୁକ୍ତମାନେ ସେମାନଙ୍କୁ ଜୀବନରୁ ହତ୍ୟା କରିବା ପାଇଁ ରାସ୍ତା, ଛକ ଓ ବଜାରରେ ବିଭିନ୍ନ ମାରଣାସ୍ତ୍ର ଧରି ପଇଁତରା ମାରୁଥିବାର ଅଭିଯୋଗ ହୋଇଛି। ଏଣୁ ଉପାୟ ଶୂନ୍ୟ ହୋଇ ସେ ବାଧ୍ୟହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। ପରେ ଜିଲାପାଳଙ୍କ ପକ୍ଷରୁ ଜିଲା ସ୍ୱଳ୍ପ ସଂଚୟ ଅଧିକାରୀ ତଥା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନ ରାୟ ସେମାନଙ୍କ ନିକଟରେ ପହଞ୍ଚି ଏ ସଂପର୍କରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା ହୋଇ ସେମାନଙ୍କ ଅଭିଯୋଗ ପତ୍ରକୁ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ପଠାଯାଇଥିବାର ସୂଚାଇଥିଲେ। ଏବଂ ଖୁବ୍ଶୀଘ୍ର ନିରପେକ୍ଷ ତଦନ୍ତ ପରେ ପ୍ରକୃତ ଅଭିଯୁକ୍ତମାନଙ୍କୁ ଦଣ୍ଡ ଦିଆଯିବାର ପ୍ରତିଶ୍ରୁତି ଦେବା ପରେ ଏହି ଅନଶନ ପ୍ରତ୍ୟାହୃତ ହୋଇଥିଲା।

Leave a Reply

Your email address will not be published. Required fields are marked *