ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ

ଅନୁଗୋଳ, ୨୩/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଡେରେଙ୍ଗଠାରେ ଓଲିଉଡ଼ ତଥା ଯାତ୍ରାର ଲୋକପ୍ରିୟ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଏବଂ ମାଡ଼ ମରାଯାଇଥିବା ଘଟଣା ସାରା ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖବର ମୁତାବକ, ଉଷସୀ ରବିବାର ରାତିରେ ଡେରେଙ୍ଗଠାରେ ଯାତ୍ରାରେ ଅଭିନୟ କରିବାକୁ ଯାଇଥିଲେ। ସେଠାରେ ଯାତ୍ରା ଆରମ୍ଭ ପୂର୍ବରୁ ରାତି ପ୍ରାୟ ୧୧.୪୫ ମିନିଟ ଏକ ଗାଡ଼ିରୁ ଓହ୍ଲାଇ ବାହାରକୁ ଆସୁଥିବା ବେଳେ ତାଙ୍କୁ ଧକ୍କା ମରାଯାଇଥିଲା। ଏହି ଘଟଣାରେ ସେ ଦୃଢ଼ ପ୍ରତିବାଦ କରିବାପରେ ସେଠାରେ କିଛି ବ୍ୟକ୍ତିଙ୍କ ସହ ଉଷସୀଙ୍କର ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଘଟଣା କ୍ରମଶଃ ଉଗ୍ର ରୂପ ନେଇଥିଲା। ରାତ୍ରିର ଏହି ଗହଳିପୂର୍ଣ୍ଣ ସମୟର ଫାଇଦା ନେଇ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାସହ ତାଙ୍କୁ ଧସ୍ତାଧସ୍ତି ଏବଂ ମାଡ଼ ମରାଯାଇଥିଲା। ଏପରିକି ତାଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ଏହାପରେ ଯାତ୍ରାକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା। ତେବେ ପୋଲିସର ହସ୍ତକ୍ଷେପ ପରେ ପୁନର୍ବାର ଯାତ୍ରା ଆରମ୍ଭ ହୋଇଥିଲେ ହେଁ ଉକ୍ତ ଲଜ୍ଜାକର ଘଟଣା ସମଗ୍ର ଯାତ୍ରା ପରିବେଷଣକୁ ପାଣିଚିଆ କରିଦେଇଥିଲା। ଉକ୍ତ ଘଟଣାରେ ଡେରେଙ୍ଗ ପଂଚାୟତର ଇନ୍ଦ୍ରମଣି ସାହୁ ଏବଂ ତାଙ୍କ ୨ପୁଅ ସମ୍ପୃକ୍ତ ଥିବାର ଉଷସୀ କଣିହାଁ ଥାନାରେ ଲିଖିତ ଅଭିଯୋଗ କରିବାସହ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଉତର, କେନ୍ଦ୍ରାଚଂଳ ଡିଆଇଜି ନରସିଂହ ଭୋଳଙ୍କୁ ଅବଗତ କରାଇଥିବାର ଜଣାପଡ଼ିଛି। ତେବେ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ ହୋଇ ଉଷସୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବାସହ ସେ ତାଇକୋଣ୍ଡ ଜାଣିଥିଲେ ବୋଲି ଏକ ବଡ଼ ଦୁର୍ଘଟଣାରୁ ବର୍ତିଗଲେ ବୋଲି ପ୍ରକାଶ କରିଛନ୍ତି। ଯଦି ଜଣେ ସେଲିବ୍ରିଟି ସହ ଏପରି ସ୍ପର୍ଷକାତର ଘଟଣା ଘଟି ପାରୁଛି ତେବେ ସେ ଜାଗାରେ ଜଣେ ସାଧାରଣ ଝିଅ ଥିଲେ ତାଙ୍କ ଅବସ୍ଥା କଣ ହୋଇଥାନ୍ତା ତାହା ସ୍ପଷ୍ଟ ଅନୁମେୟ ବୋଲି ସେ କହିଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ଉକ୍ତ ବ୍ୟକ୍ତି ଏବଂ ତାଙ୍କ ପୁଅଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *