ଜିଲ୍ଲା ପରିକ୍ରମା

ଅଭିନବ ଭାବେ ମହିଳାଙ୍କୁ ଚକ୍ମା ଦେଇ ଲୁଟିଆ ଲୁଟିଲା ୧୦ ହଜାର

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାଳୀପୂଜାର ମାହୌଲ ସରିଆସିଥିବାବେଳେ ଲୁଟେରାଙ୍କ ପ୍ରାଦୁର୍ଭାବ ସହରବାସୀଙ୍କୁ ଏବେ ଅତିଷ୍ଠ କରିଛି । ଆଜି ପ୍ରାତଃରେ ଆଖଣ୍ଡଳମଣି ଛକ ନିବାସୀ ଜନୈକା ମହିଳା ଏଟିଏମ୍ରୁ ଟଙ୍କା କାଢି ଠିଆ ହୋଇଥିବାବେଳେ ଜଣେ ଅପରିଚିତ ହେଲମେଟ୍ ପିନ୍ଧା ଯୁବକ ସ୍କୁଟିରେ ଆସି ତାଙ୍କୁ ଭାଉଜ ସମ୍ବୋଧନ କରି ଟଙ୍କା ବ୍ୟାଗ୍ ଲୁଟିନେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ ଏହି ଘଟଣାରେ ସହରାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପି.ସି.ଆର ଭ୍ୟାନ୍ ସଂଗେ ସଂଗେ ସେଠାରେ ପହଞ୍ଚô ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରା ଯୁବକର କୌଣସି ସନ୍ଧାନ ମିଳିପାରିନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଲୁଟେରା ଯୁବକ ଜଣକ ମହିଳାଙ୍କୁ ତାଙ୍କ ପରିବାର ସଂପର୍କରେ ସୂଚନା ଦେଇ ଭାବ ବିନିମୟ ପରେ ତାଙ୍କ ସ୍ୱାମୀଙ୍କର ମାଉସୀ ପୁଅ ଭାଇ ବୋଲି କହି ଅଭିନବ ଢଙ୍ଗରେ ଟଙ୍କା ବ୍ୟାଗ୍ ଲୁଟିନେବା  ସ୍ଥାନୀୟ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଖଣ୍ଡଳମଣି ଛକ ନିବାସୀ ବସ୍ ମାଲିକ ନିଲନ କୁମାର ଦାସଙ୍କ ପତ୍ନୀ ମୋନାଲିସା ଆଜି ସକାଳେ ପୋଷ୍ଟ ଅଫିସ୍ ଛକ ନିକଟରେ ଥିବା ଷ୍ଟେଟ୍ବ୍ୟାଙ୍କ ଏଟିଏମ୍ରୁ ୧୦ ହଜାର ଟଙ୍କା ଉଠାଇ ରାସ୍ତାକୁ ଆସୁଥିବାବେଳେ ହଠାତ୍ ଏକ ଧଳା ସ୍କୁଟିରେ ନୀଳରଂଗର ହେଲମେଟ୍ ପିନ୍ଧିଥିବା ଯୁକଟି ଆସି ‘ଭାଉଜ ନମସ୍କାର’ ବୋଲି କହିଥିଲା । ଏବଂ ଘରକୁ ଯିବକି ବୋଲି ପଚାରିବାରୁ ସେ ତାର ପରିଚୟ ଜାଣିବାକୁ ଚାହିଁଥିଲେ । ଯୁବକ ଜଣକ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କ ନାମ କହି ସେ ତାଙ୍କର ମାଉସୀ ପୁଅ ଭାଇ ବୋଲି ପରିଚୟ ଦେଇଥିଲେ । ଫଳରେ ମହିଳା ଜଣକ ବିଶ୍ୱାସ କରି ତାଙ୍କ ସ୍କୁଟି ପଛରେ ବସି କଚେରୀ ଫୁଲ ମାର୍କେଟ୍ ନିକଟରେ ଟମାଟୋ କିଣିବାକୁ ଗାଡି ଅଟକାଇବାକୁ କହିଥିଲେ । ଟମାଟୋ କିଣୁଥିବା ସମୟରେ ଯୁବକ ଜଣକ ତାଙ୍କୁ ‘ଭାଉଜ ତୁମେ ଟମାଟୋ ବାଛ, ମୋତେ ବ୍ୟାଗ୍ ଦିଅ, ମୁଁ ଧରିଛି’ ବୋଲି କହି ତାଙ୍କ ଠାରୁ ତାହା ମାଗିନେବା ପରେ ମହିଳାଙ୍କୁ ଚକ୍ମା ଦେଇ ଫେରାର ହୋଇଯାଇଥିଲା । ଏଭଳି ଘଟଣା ଭଦ୍ରକ ସହରରେ ନୂଆ ନୁହେଁ, କାଳୀପୂଜା ଗହଳିରେ ଦୁଇଜଣ ପୁଲିସ୍ କର୍ମଚାରୀଙ୍କ ପତ୍ନୀଙ୍କ ନିକଟରୁ ମଧ୍ୟ ଏହିଭଳି କିଛି ଲୁଟେରା ସୁନାହାର ଲୁଟିନେଇଥିବାର ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top