ଅବ୍ୟବସ୍ଥା ଶିକ୍ଷା ବ୍ୟବସ୍ଥା ଭିତରେ ନବୀନ କହିବେ ମନର କଥା !

ଭୁବନେଶ୍ୱର ୧୩-୧୧ (ଓଡିଆ ପୁଅ- ପ୍ରିୟରଂଜନ ସାହୁ)ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୧୪ ହେଉଛି ଶିଶୁ ଦିବସ। ଆମ ଭାରତର ପୂର୍ବତନ ପ୍ୟଧାନମନ୍ତ୍ରୀ ଜବାହର୍ଲାଲ୍ ନେହେରୁଙ୍କ ଜନ୍ମ ଦିବସକୁ ଆମେ ଶିଶୁ ଦିବସ ଭାବରେ ପାଳନ କରୁ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସ୍ତରରେ ଏହି ଉତ୍ସବକୁ ବହୁ ଆଡମ୍ବରରେ ପାଳନ କରାଯାଏ। କାରଣ ଏହି ଗୋଟିଏ ଦିନ କେବଳ ଶିଶୁ ମାନଙ୍କ ପାଇଁ ହିଁ ଉଦିଷ୍ଟ। ଓଡିଶାରେ ବି ଶିଶୁ ଦିବସକୁ ଅତି ଜାକଜକମରେ ପାଳନ କରାଯାଏ। ମାତ୍ର ଏହି ବର୍ଷ ଏହି ଉତ୍ସବକୁ ଅତି ନିଆରା ଢଙ୍ଗରେ ପାଳନ କରାଯାଉଛି। ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବେ ମନର କଥା। ସ୍କୁଲ ପିଲା, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନବୀନ ଶୁଣାଇବେ ନିଜ ମନର କଥା। ୪୫ ମନିଟ୍ ଧରି ଚାଲିବ ନବୀନଙ୍କ ଭାଷଣ। ଭୁବନେଶ୍ୱସ୍ଥିତ କ୍ୟାପିଟାଲ ହାଇସ୍କୁଲ ପଡିଆରେ ହୋଇଛି ଏହି ବିରାଟ ଆୟୋଜନ। ୨୫ ଗୋଟି ସ୍କୁଲରୁ ୪୫୦୦ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗ ଦେବେ। ବାକି ସ୍କୁଲ ଗୁଡିକରେ ରେଡିଓ ଓ ଟେଲିଭିଜନ୍ ମାଧ୍ୟମରେ ଆୟୋଜନ କରାଯାଇଛି ଏହି ମନର କଥା ଶୁଣିବା ପାଇଁ। ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଛି ଆୟୋଜନ। ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଓ ରେଡିଓ ମାଧ୍ୟମରେ ଏହାର ହେବ ସିଧା ପ୍ରଚାର ଓ ପ୍ରସାରଣ। ବିଭିନ୍ନ ମିଡିଆରେ ଏହି କାର୍ଯ୍ୟକ୍ରମର ବହୁଳ ପ୍ରଚାର ଓ ପ୍ରସାର କରାଯାଇଛି। କୋଟି କୋଟି ଟଙ୍କାର ବ୍ୟୟ ଅଟ୍ଟକଳ। ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ଦୀର୍ଘ ୧୭ ବର୍ଷ ଶାସନ କ୍ଷମତାରେ ରହିଲା ପରେ ହଠାତ୍ ଏ ସରକାରର ଛାତ୍ରଛାତ୍ରୀମାନଙ୍କ ପ୍ରତି ଏତେ ସମବେଦନା ଜାଗ୍ରତ ହେଲା କାହିଁକି ?

ଓଡିଶାରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ସରକାରୀ ସ୍କୁଲରେ ଅଧ୍ୟୟନ କରୁଛନ୍ତି। ବିଭିନ୍ନ ପଞ୍ଚାୟତରେ ଏକାଧିକ ସ୍କୁଲ। ଅଧ୍ୟାପନାରେ ନିୟୋଜିତ ହୋଇଛନ୍ତି ଅଗଣିତ ଶିକ୍ଷକ/ଶିକ୍ଷୟତ୍ରୀ। ମଧ୍ୟାନ ଭୋଜନ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ଚାଲିଛି ସରକାରଙ୍କର। ତଥାପି ଶିକ୍ଷା କ୍ଷେତ୍ରରେ ଭାରତର ମାନଚିତ୍ରରେ ଓଡିଶା ଆଜି ପଛୁଆ। ପିଲା ସ୍କୁଲକୁ ଯାଉ ନାହାଁନ୍ତି। ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ସ୍କୁଲରେ ଉପସ୍ଥାନ ସଂଖ୍ୟା ଅତି ନଗଣ୍ୟ। ସ୍କୁଲର ଶ୍ରେଣୀ ଗୃହ ଗୁଡିକର ଅବସ୍ଥା ଅବର୍ଣ୍ଣନୀୟ। ସରକାରୀ ସ୍କୁଲର ଶିକ୍ଷକମାନେ ମଧ୍ୟ ନିୟମିତ ସ୍କୁଲକୁ ଯାଉ ନାହାଁନ୍ତି। ୪୦ ରୁ ଉର୍ଦ୍ଧ୍ୱ ଶିକ୍ଷକ ସଂଘ ଓଡିଶାରେ କାମ କରୁଛି। ବାର ମାସରୁ ଛଅ ମାସ ଏମାନେ ବିଭିନ୍ନ ସମସ୍ୟା ଧରି ରାଜଧାନୀ ରାଜରାସ୍ତାରେ ଧାରଣା ଦେଉଛନ୍ତି। ପାଠ ପଢା ଅପେକ୍ଷା ଏହି ଶିକ୍ଷକମାନେ ବିଭିନ୍ନ ରାଜନୈତିକ ଦଳର ପୃଷ୍ଟପୋଷକତାରେ ରାଜନୀତିରେ ଲିପ୍ତ। ସ୍କୁଲ ଓ ଗଣଶିକ୍ଷା ଏପରି ଏକ ବିଭାଗ ଯେଉଁ ବିଭାଗର ଦାୟିତ୍ୱ ନେବାକୁ କୌଣସି ମନ୍ତ୍ରୀ ରାଜି ନୁହଁନ୍ତି। ବିଭାଗୀୟ ସଚିବ ହେବାକୁ ବି କୌଣସି ପ୍ରଶାସନିକ ଅଧିକାରୀ ପ୍ରସ୍ତୁତ ନୁହଁନ୍ତି। ଏହାକୁ ଏକ ଅଳିଆ ବିଭାଗ ବୋଲି ସମସ୍ତେ ବିବେଚନା କରନ୍ତି। ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ମଧ୍ୟାନ୍ନ ଭୋଜନର ମାନ ବର୍ଣ୍ଣନା ନ କରିବା ଭଲ। ଫଳସ୍ୱରୂପ ସରକାରୀ ଅପେକ୍ଷା ବେସରକାରୀ ସ୍କୁଲ ଗୁଡିକର ଡିମାଣ୍ଡ ରାଜ୍ୟରେ ଅଧିକା। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାରୀ ସ୍ତରରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବାରେ ସରକାର ବିଫଳ।

ତେଣୁ ଶିକ୍ଷା ବ୍ୟବସ୍ଥାର ଏପରି ଦୁର୍ଦ୍ଦିନ ଅବସ୍ଥା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମନର କଥା କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି। ଓଡିଆ ଭାଷା କହିପାରୁ ନଥିବା ତଥା ବୁଝି ପାରୁ ନଥିବା ନବୀନ ବାବୁ ଏତେ ସମୟ ଧରି କିପରି ନିଜର ମନର କଥା କହିବେ ତାହା ଏହି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟରେ ଶାସିତ ବିଜେଡି ସରକାର ଏବେ ବ୍ୟାକ୍ଫୁଟ୍ରେ ଅଛି। ଲୋକପ୍ରିୟତା ଧିରେ ଧିରେ ତଳକୁ ଖସୁଛି। ରାଜ୍ୟ ସରକାର ମଧ୍ୟ ଏହା ଉପଲବ୍ଧ କରି ସାରିଲେଣି। ଆଗକୁ ଆସୁଛି ନିର୍ବାଚନ। ତେଣୁ ଲୋକପ୍ରିୟତାକୁ ଉପରକୁ ଉଠାଇବା ପାଇଁ ସରକାରଙ୍କର ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ରାଜ୍ୟବାସୀ ଅନୁଭବ କରୁଛନ୍ତି।

Leave a Reply

Your email address will not be published. Required fields are marked *