ଅବ୍ୟବସ୍ଥା ବ୍ୟବସ୍ଥା ଘେରରେ ଚେମେଣା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ପ୍ରତ୍ୟେକ ଦିନ ବିଳମ୍ବରେ କାର୍ଯ୍ୟାଳୟ ଖୋଲିବାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି, ଜଳଛତ୍ର ନାମରେ ଟଙ୍କା ହଡପର ଚେଷ୍ଟା ହେଉଥିବା ଅଭିଯୋଗ

ତୁରୁମୁଙ୍ଗା, ୧୬.୦୪ (ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକ ଅନ୍ତର୍ଗତ ଚେମେଣା ଗ୍ରାମ ପଞ୍ଚାୟତରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ସରକାରଙ୍କ ନିୟମକୁ ଖୁଲମଖୋଲା ଉଲଗ୍ନ କରୁଥିବାର ଦୃଶ୍ୟମାନ ହୋଇଛି। ସରପଞ୍ଚ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜ ମନଇଛାରେ କାର୍ଯ୍ୟ କରିବା ସହ ବିଳମ୍ବରେ ପଞ୍ଚାୟତ କାର୍ଯ୍ୟାଳୟ ଖୋଲିବାକୁ ନେଇ ଆଜି ଜନଅସନ୍ତୋଷ ବୃଦ୍ଧି ପାଇଛି। ଗ୍ରୀଷ୍ମ ଦିନର ଭିଷଣ ଗରମକୁ ହେତୁ ଆଜି କାର୍ଯ୍ୟାଳୟ ବିଳମ୍ବରେ ଖୋଲିବାକୁ ନେଇ ଭତା ହିତାଧିକାରୀଙ୍କ ମଧ୍ୟରେ ହୋ ହାଲା ସୃଷ୍ଟି ହୋଇଥିଲା। ଗ୍ରୀଷ୍ମ ପ୍ରବାହ ପାଇଁ ସରକାରଙ୍କର ନିୟମ ଅନୁଯାୟୀ ସକାଳିଆ ଅଫିସ ଖୋଲିବାକୁ ନିର୍ଦ୍ଦେଶ ରହିଛି। ସୂଚନା ଅନୁଯାୟୀ ସରକାରୀ ବାବୁମାନଙ୍କ ନିଦ ନ ଭାଙ୍ଗିବା ସହ ପୂର୍ବ ପରି ସୋମବାର ଦିନ ୧୦ଟା ସମୟରେ କାର୍ଯ୍ୟାଳୟ ଖୋଲାଯାଇଥିବାର ଅଭିଯୋଗ ହୋଇଛି। ଭତ୍ତା ଟଙ୍କା ପାଇଁ ଦୂରଦୁରାନ୍ତରୁ ଆସିଥିବା ବୃଦ୍ଧ ବୃଦ୍ଧାମାନେ ଭୀଷଣ ଖରାକୁ ନେଇ ନାହିଁନଥିବା ଅସୁବିଧାରେ ସମ୍ମୁଖିନ ହେବା ସହ ଖରାରେ ବସି ଭତ୍ତା ଟଙ୍କାକୁ ଅପେକ୍ଷା କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ବିଳମ୍ବରେ ଆସି ଅଫିସ ଖୋଲି ଥିଲେ ହିତାଧିକାରୀଙ୍କ ମଧ୍ୟରେ ହୋ ହାଲା ହେବା ପରେ ଭତ୍ତା ଟଙ୍କା ବଣ୍ଟନ କରାଯାଇଥିଲା। କାର୍ଯ୍ୟାଳୟ ଖୋଲିବାର ବିଳମ୍ବ ଦେଖି ଘଟଣା ସମ୍ପର୍କରେ ଜାଣିବା ପାଇଁ ସରପଞ୍ଚ ଉଦୟନାଥ ନାଏକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ସେ ଫୋନ ଉଠାଇ ନ ଥିଲେ।କାର୍ଯ୍ୟ ନିର୍ବାହୀ ଅଧିକାରୀ ମଦନ ସୁନ୍ଦର ପାତ୍ରଙ୍କୁ ବିଳମ୍ବରେ ଆସିବା ବାବଦରେ ପଚାରିବାରୁ କିଛି କାମରେ ରହି ବିଳମ୍ବ ହୋଇଥିବାର ସ୍ୱୀକାର କରିଥିଲେ। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାକୁ ନେଇ ପଞ୍ଚାୟତ ପକ୍ଷରୁ ଜଳଛତ୍ରର ବ୍ୟାନର ମରିଯାଇଛି କିନ୍ତୁ ପାଣି ହାଣ୍ଡି ନଥିବା ସହ ପାଣିର ବ୍ୟବସ୍ଥା କରାଯାଇନାହିଁ।ତାହାକୁ ନେଇ ଯାତାୟତ କରୁଥିବା ବାଟୋଇ ମାନେ ପାଣି ପାଇଁ ଡହଳ ବିକଳ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କେତେକ ଲୋକ ଜଳଛତ୍ରର ବ୍ୟାନରକୁ ଦେଖି ପାଣି ପିଇବା ପାଇଁ ଦୌଡି ଯାଇଥାନ୍ତି କିନ୍ତୁ ପାଣିର ବ୍ୟବସ୍ଥା ନଥିବାକୁ ନେଇ ନିରାଶ ହୋଇ ଫେରିଥାନ୍ତି। ସରକାରୀ ନିୟମକୁ ଉଲ୍ଲଘଂନ କରି କାର୍ଯ୍ୟାଳୟକୁ ବିଳମ୍ବରେ ଖୋଲିବା ସହ ଶହ ଶହ ଲୋକମାନଙ୍କୁ ଖରାରେ ଠିଆ କରିବା ଘଟଣା ଓ ଜଳଛତ୍ର ନାମରେ ଟଙ୍କା ହଡପ କରିଥିବାର ଚେଷ୍ଟା କୁ ଗୋଷ୍ଠି ଉନୟନ ଅଧିକାରୀ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସମିତି ସଭ୍ୟ ପ୍ରମିଳା ମହାନ୍ତ ଓ ଭତ୍ତା ହିତାଧିକାରୀମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *