ସ୍ୱାଧୀନତାର ୭୨ ବର୍ଷପରେବି ମିଳିପାରୁନି ଆଦିବାସୀ ଅଞ୍ଚଳକୁ ସରକାରଙ୍କ ମୌଳିକ ସୁବିଧା

ହରିଚନ୍ଦନପୁର, ତା ୦୫.୦୧(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଅବ୍ୟବସ୍ଥା ଘେରରେ ଚଡକମରା ଗ୍ରାମ, ସରକାରଙ୍କ ମୌଳିକ ସୁବିଧା ସାତସପନ। ସ୍ୱାଧୀନତାର ୭୨ ବର୍ଷପରେବି ମିଳିପାରୁନା ଆଦିବାସୀ ଅଧୂଷିତ ଅଞ୍ଚଳକୁ ସରକାରଙ୍କ ମୌଳିକ ସୁବିଧା। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ହରିଚନ୍ଦନପୁର ବ୍ଲକର ଭଅଁରପୁର ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ଅଞ୍ଚଳ ଭାବେ ପରିଲକ୍ଷିତ ଚଡକମରା ଗ୍ରାମ। ବ୍ଲକର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଥିବା ଏମିତି ଗ୍ରାମ ଗୁଡିକୁ ନିର୍ବାଚନ ବେଳେ ଅନେକ ଦଳର ନେତାମାନେ ଅନେକ ଯୋଜନାର ପ୍ରଲୋଭନ ଦେଖାଇ ଗରିବ ଆଦିବାସୀ ଲୋକମାନଙ୍କଠୁ ଭୋଟ ନେବାରେ ସଫଳ ହୋଇଥାନ୍ତି। କିନ୍ତୁ ନିର୍ବାଚିତ ହେଲାପରେ କୌଣସି ଦିନ ବାବୁମାନଙ୍କ ପାଦ ଏହି ଗ୍ରାମରେ ପଡେନାହିଁ। ଏହି ଗ୍ରାମଟିକୁ ସରକାରଙ୍କ ଅନୁଦାନରୁ ଆସୁଥିବା ଯୋଜନା ଗୁଡିକର ଟଙ୍କାକୁ ହଡପ କରି ରାଜନେତା ଓ ସରକାର ବାବୁମାନେ ଲାଭମାନ ହୋଇଥାନ୍ତି। ଗ୍ରାମ ଗୁଡିକୁ ଦିନଟିଏ ବି କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡୁନଥିବାରୁ ରାଜନେତା ମାନେ ଗରିବ ଆଦିବାସୀ ଲୋକମାନଙ୍କୁ ଭୁଆଁ ବୁଲାଇ ଯୋଜନା ଗୁଡିକୁ ହାତେଇ ନେଇ ହଡପ କରିବାରେ ସଫଳ ହୋଇଥାନ୍ତି। ଏମାନେ ଜଙ୍ଗଲ ଜାତଦ୍ରବ୍ୟ ଯଥା ପୋଡୁ, କୋଳଥ, ମାଣ୍ଡିଆ ଓ ବିରିଭଳି ଅନେକ ପ୍ରକାରର ଚାଷକରି ନିଜର ଗୁଜୁରାଣ ମେଣ୍ଡାଇ ଥାନ୍ତି। ଏହି ଆଦିବାସୀ ଗ୍ରାମ ଗୁଡିକୁ ସ୍ୱାଧିନତାର ୭୨ ବର୍ଷପରେବି ଗମନା ଗମନ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଦ୍ୟୁତ ସେବା ଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଏକ ଅଭିଶପ୍ତ ଜୀବନ ବିତାଇବାର ଦୃଶ୍ୟ ନଦେଖିଲେ ବିଶ୍ୱାସ କରିହେବ ନାହିଁ।

ପାହାଡରୁ ଝରି ଆସିଥିବା ନାଳର ଦୂଷିତ ପାଣି ପିଉଥିବା ସହ ଜଙ୍ଗରରୁ ମିଳୁଥିବା ପତ୍ରମୂଳ ଆହାର କରି ବଞ୍ଚିଥାନ୍ତି। ଗର୍ଭବତୀ ମହିଳା, ମା ଓ ଶିଶୁ ଅପପୃଷ୍ଟିର ଶିକାର ହେବାର ମୁଖ୍ୟ କାରଣ ହୋଇଛି ଏହି ଗ୍ରାମିକୁ ମୁଖ୍ୟତଃ ଗମନା ଗମନ ସୁବିଧା ନଥିବାରୁ ନିୟମିତ ଭାବେ ପୃଷ୍ଟିକର ଖାଦ୍ୟ ଯୋଗାଣ ହୋଇ ପାରେନାହିଁ। ତେଣୁ ନିୟମିତ ଭାବେ ମା ଓ ଶିଶୁ ପୃଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଥାନ୍ତି। ଚଡକମରା ଗ୍ରାମରେ ଜୁଆଙ୍ଗ ସଂପ୍ରଦାୟର ୨୩ ପରିବାର ରହୁଥିବା ସହ ୬୦ ଜଣରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି।ଭଅଁରପୁର ଗ୍ରାମରୁ ରୋହି ଗ୍ରାମ ଗଲାପରେ ସେଠାରୁ ୩ କି.ମିରାସ୍ତା ବଣ ଜଙ୍ଗଲ ପାହାଡ ଦେଇ ପାଦଚଲା ରାସ୍ତାରେ ଗଲାପରେ ଚଡକମରା ଗ୍ରାମଟି ପଡେ। ଭୂପୃଷ୍ଠରୁ ପ୍ରାୟତଃ ୨ଶହଫୁଟ ଉଚ୍ଚ ଶିଖର ମଧ୍ୟରେ ଅବସ୍ଥିତ ଥିବାରୁ ଏହି ଗାଁଟିକୁ ଯାତୟାତ କରିବା ବହୁତ କଷ୍ଟଦାୟକ ହୋଇଥାଏ। ଗମନାଗମନ ସୁବିଧା ହେଉନଥିବାରୁ ଏହି ଗ୍ରାମକୁ ପୂର୍ବରୁ ମାଓବାଦୀ ନିରାପଦ ସ୍ଥାନଭାବି ଅକ୍ତିଆର କରିଥାନ୍ତି। ଚଡକମରା ଗ୍ରାର ଲୋକମାନଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେଲେ କିମ୍ବା ଗର୍ଭବତୀ ମହିଳାଙ୍କୁ ଅତିକଷ୍ଟରେ ଭାର କିମ୍ବା ଖଟିଆରେ ବୋହି ରୋହି ଗ୍ରାମକୁ ଆଣିଥାନ୍ତି। ସେଠାରୁ ଅଟୋରିକ୍ସା ସାହାର୍ଯ୍ୟରେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥାନ୍ତି। ଅଙ୍ଗନୱାଡି ଦାୟୀତ୍ୱରେ ଥିବା ସୁପର ଭାଇଜର କିମ୍ବା ସିଡିପିଓ ଏପର୍ଯ୍ୟନ୍ତ ଏହି ଗ୍ରାମଟିକୁ ଦେଖିନଥିବା ସହ ଏଠାରେ କେତେ ଜଣ ଛୋଟଛୋଟ ଶିଶୁ ଅଛନ୍ତି ତାହାର ହିସାବ ରଖିନଥିବେ ବୋଲି ଜଣାପଡିଛି। କୁନି କୁନି ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ରୋହି ଓ ଭଅଁରପୁର ବିଦ୍ୟାଳୟକୁ ଆସିବାକୁ ହେଲେ ବିପଦ ଶଙ୍କୁଳ ଅବସ୍ଥାରେ ବଣ ପାହାଡ ଦେଇ ଆସିଥାନ୍ତି।ସ୍କୁଲ ବାରଣ୍ଡା ମାଡି ନଥିବା ଏବଂ ଅଧାରୁ ପାଠପଢା ପରିତ୍ୟାଗ କରିଥିବା ପିଲାମାନଙ୍କୁ ଚିହ୍ନଟକରି ପାଠ ପଢାରେ ସାମିଲି କରିବା ସହ ଉପଯୁକ୍ତ ଶିକ୍ଷା ଯୋଗାଇ ଦେବା ଦିଗରେ ଜିଲ୍ଲାପାଳଙ୍କ ପକ୍ଷରୁ ଆସପଢିବା ଯୋଜନାର ବାଟ ହୁଡୁଛି। ଅପହଞ୍ଚ ଇଲାକା ଗୁଡିକରେ ଥିବା ଲୋକଙ୍କୁ ବିଦ୍ୟୁତ ଆଲୋକ ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଦ୍ୟୁତ ଯୋଗାଇ ଦେଇଛନ୍ତି। କିନ୍ତି ଏହି ଗ୍ରାମଟିରେ ବିଦ୍ୟୁତ ସଂଯୋଗ ହେବାର ଏକମାସ ପରେ ବଣୁଆ ହାତୀ ଗୋଟିଏ ଖୁଣ୍ଟ ଭାଙ୍ଗି ଦେଇଥିଲା। ୨ବର୍ଷ ବିତିଯାଇଥିଲେ ମଧ୍ୟ ଖୁଣ୍ଟର ମରାମତି କରାନଯିବା ସହ ବିଦ୍ୟୁତ ସଂଯୋଗ କରାଯାଇନାହିଁ। ତେଣୁ ବନ୍ୟଜନ୍ତୁ ଭୟରେ ଜହ୍ନ ଆଲୋକକୁ ଭରଷା କରି ସନ୍ଧ୍ୟା ୬ଟା ସମୟରୁ ଖାଇପିଇ ଘର କବାଟ ଦେଇ ଶୋଇଥାନ୍ତି। ନାଳ ପାଣିକୁ ବର୍ଷସାରା ପିଉଥିବାରୁ ଏ ଅଞ୍ଚଳର ଲୋକମାନଙ୍କୁ ବର୍ଷତମାମ ମ୍ୟାଲେରିଆ, ଝାଡାବାନ୍ତି ଭଳି ଅନେକ ରୋଗ ଲାଗି ରହିଥାଏ। ଚଡକମରା ଗ୍ରାମର ଲୋକମାନଙ୍କୁ ମନରେଗା ଯୋଜନାରେ ୧୦୦ ଦିନ କାର୍ଯ୍ୟ କରିବା ପାଇଁ ଜବକାର୍ଡ ମିଳିଛି କିନ୍ତୁ ୧ ଦିନ ପାଇଁ ମଧ୍ୟ କୌଣସି କାର୍ଡଧାରୀଙ୍କୁ କାମ ଯୋଗାଇ ଦେବାରେ ପ୍ରଶାସନ ସଫଳ ହୋଇନାହିଁ। ନଗଡା ଘଟଣା ପରଠାରୁ ରଜ୍ୟ ସରକାରଙ୍କ ନିଦ ଭାଙ୍ଗିବା ସହ ସମସ୍ତ ଜିଲ୍ଲାରେ ଥିବା ଅପହଞ୍ଚ ଇଲାକା ଗୁଡିକୁ ଚିହ୍ନଟ କରି ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାରୀ ସ୍ତରରେ ଜିଲ୍ଲପାଳ ମାନଙ୍କୁ କଡା ତାଗିଦ୍ କରାଯାଇଛି। ଏହାସତ୍ୱେ ଚଡକମରା ଅପହଞ୍ଚ ଗ୍ରାମରେ ପରିଲକ୍ଷିତ ହୋଇଥିଲେ ମଧ୍ୟ ଏଠାକୁ କୌଣସି ସରକାରୀ ବାବୁମାନଙ୍କ ପାଦ ପଡିନାହିଁ। ତାହା ସରକାରଙ୍କ ଆଦେଶକୁ ଅବମାନନା କରିବା ସହ କାର୍ଯ୍ୟକାରୀ କରିବାରେ ପ୍ରଶାସନ କେତେ ତପ୍ତର ତାହା ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଠୁଛି। ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟିଦେଇ ତୁରନ୍ତ ଚଡକମରା ଗ୍ରାମଟିକୁ ସରକାରଙ୍କ ମୌଳିକ ସୁବିଧା ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବାକୁ ଏଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *