ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)- ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ନିଳୋକରେ ପଞ୍ଚାୟତ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ତେବେ ଅବ୍ୟବସ୍ଥା କାରଣରୁ ବହୁ ଭିନ୍ନକ୍ଷମ ଶିବିରରୁ ଫେରିଯାଇଥିବା ଦେଖିବାକୁ ମିଳିଥିଲା। ବ୍ଳକ ତରଫରୁ କିଛିଦିନ ପୂର୍ବେ ୧୫ ଓ ୧୬ ନଂ ଜୋନରେ ଥିବା ୧୩ ପଞ୍ଚାୟତ ପାଇଁ ନିଳୋକ ଆଦର୍ଶ ବିଦ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରିବା ନେଇ ଘୋଷଣା କରାଯାଇଥିଲା। ଲଘୁଚାପ ବର୍ଷା ସତ୍ୱେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଭିନ୍ନକ୍ଷମ ଗାଡି ଭଡା କରି ଶିବିରରେ ପହଞ୍ଚି ଥିଲେ। ଶିବିରରେ ଜିଲାପାଳଙ୍କ ସମେତ ଜିଲ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମ ଗତକାଲି ସକାଳ ୯ଟାରେ ଆରମ୍ଭ ହେବା କଥା। ମାତ୍ର ବର୍ଷା ଯୋଗୁଁ ଦିନ ୧୧ଟାରେ ଆରମ୍ଭ ହୋଇଥିଲେ ମଧ୍ୟ ଜିଲାର କୌଣସି ଅଧିକାରୀ ଏଥିରେ ଯୋଗ ଦେଇପାରି ନଥିଲେ। ଫଳରେ ବିଡିଓ ରେବେକା ବିଲୁଙ୍କଙ୍କ ତତ୍ତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ଓ ତହସିଲଦାର ଫକୀର ଚରଣ ପରିଡା ଉକ୍ତ ଶିବିରରେ ଯୋଗ ଦେଇଥିଲେ। ଏହି ଶିବିରରେ କେବଳ ୧୫ ଓ ୧୬ ନମ୍ବର ଜୋନର ଭିନ୍ନକ୍ଷମମାନେ ଯୋଗ ଦେବାକୁ ଥିବାବେଳେ ୧୪ ନଂ ଜୋନର ଭିନ୍ନକ୍ଷମମାନେ ବର୍ଷାରେ ଭିଜି ଯୋଗ ଦେଇଥିଲେ। ହେଲେ ସେମାନଙ୍କୁ ଫେରାଇ ଦିଆଯାଇଥିଲା। ସେହିପରି ଶିବିରରେ ପରୀକ୍ଷା କରିବା ପାଇଁ କୌଣସି ଉପକରଣ ନଥିବାରୁ ବହୁ ଭିନ୍ନକ୍ଷମଙ୍କୁ ନିଜେ ପରୀକ୍ଷା କରି ଆସିବାକୁ କହି ଫେରାଇ ଦିଆଯାଇଥିଲା। ଫଳରେ ବର୍ଷାରେ ଭିଜି ଦୂରଦୂରାନ୍ତରୁ ଆସିଥିବା ହିତାଧିକାରୀମାନେ ନିରାଶ ହୋଇ ଫେରିଥିଲେ। ଏହି ଶିବିର ଆୟୋଜନ ହୋଇଥିବା ଟେଣ୍ଟରେ ନହୋଇ ସ୍କୁଲ ବାରଣ୍ଡାରେ ହେବାରୁ ଅନେକ ଭିଡରେ ଅଣନିଶ୍ୱାସୀ ହୋଇପଡିଥିଲେ। ସେହିପରି ଶିବିରାର୍ଥୀଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଆୟୋଜକଙ୍କ ଅବହେଳା ଯୋଗୁଁ ବହୁ ଲୋକ ନଖାଇ ଫେରିଥିଲେ। ଏହି ଶିବିରରେ ମୋଟ ୫୨୧ ଜଣ ହିତାଧିକାରୀ ପଞ୍ଜୀକରଣ କରିଥିଲେ। ଶିବିରରେ ମେଡିସିନ ବିଭାଗର ବରିଷ୍ଠ ଡାକ୍ତର ଶୈଳେଶ ଧଳ, ଅସ୍ଥିସଲ୍ୟ ବିଭାଗ ଡ. ଆର୍ଯ୍ୟ ମିଶ୍ର, ଚକ୍ଷୁ ବିଭାଗରୁ ଡ. ସଂନ୍ତୋଷ ସିଂହ, ଇଏନଟି ବିଭାଗର ଡ. ଅସିତ କୁମାର ବିଶ୍ୱାଳ, ଡିଏସଏସଓ ହରେନ୍ଦ୍ର କୁମାର ଦେହୁରୀ, ସିଆରଏସଆର ଭଗବାନ ପରିଡାଙ୍କ ସହ ଦୁଷ୍ମନ୍ତ କୁମାର ମହାନ୍ତି, କମଳାକାନ୍ତ ବାରିକ, ଅଭିମନ୍ୟୁ ମଲ୍ଲିକ ପ୍ରମୁଖ ବିଭିନ୍ନ ରୋଗର ପରୀକ୍ଷା କରିଥିଲେ। ସେହିପରି ରାଜ୍ୟରେ ପ୍ରଥମ ଥର ୧୮ ବର୍ଷରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମଙ୍କ ପାଇଁ ଭୋଟର ତାଲିକା କକ୍ଷ ଖୋଲା ଯାଇଥିଲା। ଏଥିରେ ୧୩ ଜଣ ନାମ ପଞ୍ଜିକୃତ କରିଥିଲେ।
