ଅବହେଳିତ ୧୦୭ ବର୍ଷର ପ୍ରାଥମିକ ବିଦ୍ୟାଳୟ

ବନ୍ତ, ତା୧୨/୫/୨୦୧୮(ଓଡ଼ିଆ ପୁଅ/ମନୋଜ କୁମାର ବେହେରା):୬ ବର୍ଷରୁ ୧୪ ବର୍ଷର ପିଲାଙ୍କୁ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ଯୋଗାଇ ଦେବା ପାଇଁ ସରକାରୀ ସ୍ତରରେ ପ୍ରଣୟନ ହୋଇଥିବା ଶିକ୍ଷା ଅଧିକାର ନିୟମ ଏବେ ଦିଗ ହରା ପ୍ରାୟ। ସେଥିପାଇଁ ରାଜ୍ୟର ସରକାରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଅବସ୍ଥା ଏବେ ବିପର୍ଯ୍ୟସ୍ତ। ସର୍ବ ଶିକ୍ଷା ଅଭିଯାନର ସ୍ଲୋଗାନ “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” କେବଳ ପ୍ରଚାର ଓ ପ୍ରସାରରେ ସିମିତ। ପିଲାମାନଙ୍କୁ ଶିକ୍ଷାମନସ୍କ କରିବା ଓ ବିଦ୍ୟାଳୟକୁ ଆକୃଷ୍ଟ କରିବା ପାଇଁ ଗଣ ଶିକ୍ଷା ବିଭାଗ ପକ୍ଷରୁ ଗୋଟିଏ ପରେ ଗୋଟିଏ ଯୋଜନା ପ୍ରସ୍ତୁତ ହେବା ଓ ଏଥିପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହି ଅର୍ଥ ସଠିକ ଭାବେ ବିନିଯୋଗ ହେଉଛି କି ନାହିଁ ତାକୁ ପ୍ରଶାସନିକ ସ୍ତରରେ କିମ୍ବା ଲୋକପ୍ରତିନିଧି କେହି ଦୃଷ୍ଟି ନ ଦେଇଥିବାର ଅଭିଯୋଗ ହେଉଛି। କେଉଁଠି ଶ୍ରେଣୀ ଗୃହ ଅଛିତ ଶିକ୍ଷକ ନାହାନ୍ତି, କେଉଁଠି ଶିକ୍ଷକ ଅଛନ୍ତି ତ ପିଲା ନାହାନ୍ତି, ପୁଣି କେଉଁଠି ପିଲା ଓ ଶିକ୍ଷକ ଉଭୟ ଅଛନ୍ତି କିନ୍ତୁ ଶ୍ରେଣୀ ଗୃହ ନାହିଁ। ଯଦିବି ଶ୍ରେଣୀ ଗୃହ ଅଛି ତାହା ପୁଣି ବିପଦ ସଙ୍କୁଳ ଅବସ୍ଥାରେ ! ତେଣୁ ଏଠାରେ ପ୍ରଶ୍ନ ଉଠେ ଯେ ସରକାରଙ୍କ ପ୍ରଦତ୍ତ ଯୋଜନାର ସଫଳ ରୂପାୟନ ନ ହେବା ପଛରେ ଦାୟୀ କିଏ ? ପ୍ରଶାସନିକ ଅବହେଳା ନା ଆଉ କଣ ? ୦୧.୦୧.୧୯୧୧ ମସିହାରେ ସ୍ଥାପିତ ଅଡ଼ାଳପଙ୍କସ୍ଥ ଯୋଗିନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ୮୯ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପାଞ୍ଚଟି ଶ୍ରେଣୀ ପାଇଁ ଦୁଇଟି ଗୃହ ଉର୍ଦ୍ଦିଷ୍ଟ ଥିବା ବେଳେ ୪ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏହା ମଧ୍ୟରେ ୧୦୭ ବର୍ଷ ଅତିକ୍ରମ କରିଯାଇଥିଲେ ସୁଦ୍ଧା ବିଦ୍ୟାଳୟଟିର ଶୈକ୍ଷିକ ପରିବେଶରେ ଉନ୍ନତି ନ ହେବା ବଡ଼ ଦୁଃଖ ଓ ଅନୁତାପର ବିଷୟ। ଦୁଇଟି ଗୃହରେ ପାାଞ୍ଚଟି ଶ୍ରେଣୀର ପାଠ ପଢା କିପରି ଚାଲୁଛି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ନିତ କରିବା ସହ ଏଠାରେ କିପରି ଅଧ୍ୟାପନା କାର୍ଯ୍ୟ ସଂପାଦନ ହେଉଥିବ ତାହା ସହଜରେ ଅନୁମେୟ। ଦୁଇଟି ଗୃହ ଅଛି ସତ କିନ୍ତୁ ତାର ଅବସ୍ଥା କହିଲେ ନ ସରେ। ବର୍ଷା ହେଲେ ଛାତରୁ ପାଣି ଗଳିବା ସହ ଠାଏଁ ଠାଏଁ ଏହା ଫାଟି ବିପଦ ସଙ୍କୁଳ ଅବସ୍ଥାରେ ଅଛି। ବିଦ୍ୟାଳୟଟିର ସ୍ଥାଯୀ ପାଚେରୀ ନ ଥିବାରୁ ଓ ଏହା ସମ୍ମୁଖରେ ରାସ୍ତା ଯାଇଥିବା ସହ ବିଦ୍ୟାଳୟ ପରିସରରେ ଏକ ପୋଖରୀ ଥିବାରୁ ଏହା ମଧ୍ୟ କୋମଳମତି ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବିଦ୍ୟାଳୟ କାର୍ଯ୍ୟାଳୟଟି ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ଦଣ୍ଡାୟମାନ। କାନ୍ଥ ସବୁ ଫାଟି ଯାଇଥିବାରୁ ଏହା ମଧ୍ୟରେ ବିଶଧର ସାପ ରହୁ ଥିବାର ଦୃଷ୍ଟି ଗୋଚର ହେଉଛି। ସ୍ଥାୟୀ ପାଚେରୀ ନଥିବାରୁ ବୁଲା ଗୋଋ ଗାଈଙ୍କର ଅବାଧ ପ୍ରବେଶ ହେଉଥିବାରୁ ଅଧିକାଂଶ ସମୟରେ ଏହାର ଶୈକ୍ଷିକ ନଷ୍ଟ ହେବାରେ ଲାଗିଛି। ବିଦ୍ୟାଳୟକୁ ବିଦ୍ୟୁତ୍ ସଂଯୋଗୀକରଣ ହୋଇପାରି ନାହିଁ। ତେଣୁ ଏତେ ପୁରାତନ ବିଦ୍ୟାଳୟଟିରେ ଏହିପରି ଅବ୍ୟବସ୍ଥା ଯଦି ଲାଗି ରହେ ତେବେ ଏହା ନିଶ୍ଚିନ୍ତ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରବାହ ପକାଇବ ଏଥିରେ ଦ୍ୱିମତ ନାହିଁ ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରୁଛନ୍ତି। ବିଦ୍ୟାଳୟଟିର ସମସ୍ୟା ବିଷୟରେ ସିଆରସିସି ଭଗବାନ ପୁରୀଙ୍କୁ ଯୋଗାଯୋଗ କରିବାରୁ ସ୍କୁଲ ସମସ୍ୟାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଡ଼ିପିସି ଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ସେମାନେ ଏଥିପ୍ରତି ଉଚିତ୍ ପଦକ୍ଷେପ ନେବେ ବୋଲି ଏହି ପ୍ରତିନିଧିଙ୍କୁ କହିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଏହିପରି ପ୍ରହସନ ଆଉ କେତେ ଦିନ ବୋଲି ସାଧାରଣ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସବୁ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *