ଗଳ୍ପ

ଅବଶ୍ୟମ୍ଭାବୀ

– ରାଧାକାନ୍ତ ଦାଶ

ନୂଆ ଘରକୁ ଆସି ଜିନିଷ ସଜାଡିବାରେ ବ୍ୟସ୍ତ ପରିଧି। କିଛି ସମୟ ପରେ ତାର ଆଖି ପଡିଲା ଗୋଟେ କାଗଜ କାର୍ଟୁନ ଉପରେ, ଯାହାକି ଘରର ଗୋଟେ କୋଣରେ ରହିଥିଲା। ପରିଧି ସେ କାଗଜ କାର୍ଟୁନ ପାଖକୁ ଯାଇ ଖୋଲିବାରୁ ସେଥିରୁ ବାହାରିଲା ତା ସହ ଅଫିସରେ ବିତିଥିବା କିଛି ମୁହୂର୍ତ୍ତର ଫଟୋ। କିଛି ଅଫିସ ଷ୍ଟାଫଙ୍କ ସହ ପିକନିକ ଏବଂ ଚା ପିଇବାର ଫଟୋ। ଦୀପାବଳୀ ଓ ହୋଲି ଉତ୍ସବର କିଛି ସ୍ମରଣୀୟ ମୁହୂର୍ତ୍ତ ବାନ୍ଧି ହୋଇ ରହିଥିଲା ସେ ଫଟୋ ଭିତରେ। ଫଟୋ ଗୁଡ଼ିକୁ ଦେଖି ସ୍ମିତ ହାସ୍ୟ ଖେଳି ଯାଇଥିଲା ପରିଧି ମୁହଁରେ, ହେଲେ ମନରେ ଆଉ କିଛି।

ଫଟୋକୁ ଧରି ପରିଧି ଭାବିବାକୁ ଲାଗିଲା ବିତିଯାଇଥିବା ଦିନଗୁଡିକୁ। ଏମ୍॰ବି॰ଏ॰ ସାରିବା ପରେ ଗୋଟେ ପ୍ରାଇଭେଟ ମାର୍କେଟିଂ ଅଫିସରେ କାମ କରେ। ସବୁବେଳେ ନିଜ କାମରେ ହେଲା ନ କରି ନିଜ ଅଫିସରେ ସମୟ ଦିଏ ପରିଧି। ଏଭିତରେ ତାର ବିବାହ ହୋଇଛି ପ୍ରିୟ ସାଥିରେ। ପ୍ରିୟ ଜଣେ ଡେଣ୍ଟିଷ୍ଟ। ଘର ପାଖରେ ନିଜର କ୍ଲିନିକ୍ କରି ବେଶ୍ ଭଲ ନାଁ କରିଛନ୍ତି। ବିବାହ ପରେ ଦମ୍ପତିମାନେ କୁଆଡେ ବୁଲିବାକୁ ଗଲାବେଳେ ପରିଧି ଯାଉଥିଲା ଏକା, ତା ପୁଣି ଅଫିସ କାମରେ। ସବୁ ସପ୍ତାହର ଶେଷଦିନ ମାନେ ରବିବାର ପାଇଁ କିଛି ନା କିଛି ପୋଗ୍ରାମ କରେ ପ୍ରିୟ। ହେଲେ ସରି, କହି ଅଫିସ ବାହାରି ଯାଏ ପରିଧି। କଣ ବା କରିବ ଅଫିସର କାମ ବି କରିବାକୁ ପଡିବ। ପ୍ରିୟ ଏସବୁରେ ଖରାପ ଭାବେନି। କାରଣ ସେ ପରିଧିକୁ ଠିକ୍ ରେ ଚିହ୍ନେ। ପରିଧିର ଡେରି ରାତି ପର୍ୟ୍ୟନ୍ତ କାମ କରି ଲେଟରେ ଘରକୁ ଫେରିବା ଓ ଶୋଇବାକୁ ଗଲାବେଳେ ଲାପଟପ ଧରି ଘରେ ବି ଅଫିସ କାମ କରେ, ହେଲେ ଏସବୁ ରେ ବିରକ୍ତ ହୁଏନି ପ୍ରିୟ। କାମ ସାରିବା ପରେ ଦୁହେଁ ମିଶି ରୋଷେଇ କରନ୍ତି ଓ ତା ଭିତରେ ଗପସପ। ରୁଟି ତିଆରି ପରିଧିକୁ ଆସେ ହେଲେ ରୁଟି ପୃଥିବୀ ପରି ଗୋଲ ନହୋଇ ହୋଇଯାଏ ଭାରତ ପରି। କିନ୍ତୁ ପ୍ରିୟକୁ ରୁଟି ତିଆରି ଆସେ ସେଥିପାଇଁ ପ୍ରିୟ ସବୁବେଳେ ରୁଟି ତିଆରି କରେ। ଏଇମିତିରେ ଚାଲେ ତାଙ୍କ ଜୀବନ ସଂସାର।

ପରିଧିକୁ ଡେରି ରାତି ପର୍ୟ୍ୟନ୍ତ କାମ କରିବା ଦେଖି ଅଫିସର ସାଙ୍ଗ ମାନେ କହନ୍ତି, ” ଆରେ ତୁ ଏଠି ଏମିତି ଏତେ ରାତି ପର୍ୟ୍ୟନ୍ତ କାମ ନ କରି କିଛି ସମୟ ତୋ ମିଷ୍ଟରଙ୍କୁ ଦେବା କଥା। ” ପରିଧି କହେ, ” ଆରେ ଦେଖୁଚୁ ତ ଏଠି ଏତେ କାମ, କଣ କରିବି ?” ଆଉ ଜଣେ ସାଙ୍ଗ କହେ, ” ତୋ ପରି ସଚ୍ଚୋଟ କର୍ମଚାରୀଙ୍କୁ କେବେ ବାହା ହେବା କଥା ନୁହେଁ। ” ସମସ୍ତେ ହସନ୍ତି, ପରିଧି ଭାବେ ସେ ଅଫିସର କାମ ପାଇଁ ପ୍ରିୟଠୁ ଦୂରେଇ ଯାଉନିତ ? ଫୋନ ଆସେ ପ୍ରିୟର। କିଛି ସମୟ କଥାହୋଇ ପୁଣି କାମରେ ଲାଗିଯାଏ ପରିଧି। ଅଫିସର ଡାଇରେକ୍ଟର ମଧ୍ୟ ଖୁସି ପରିଧି ଉପରେ। ହେବେନି ବା କେମିତି ପରିଧି ଭଳି କର୍ତ୍ତବ୍ୟପରାୟଣ କର୍ମଚାରୀ ପାଇ ତାଙ୍କ ଅଫିସ ବହୁତ ଆଗରେ। ଏମିତିରେ ଦୁଇବର୍ଷ ବିତିଗଲାଣି। ପରିଧି ଏବେ ଗର୍ଭବତୀ। ଏକଥା ଜାଣିବା ପରେ ପ୍ରିୟ କହେ, ” ଏବେ ଅଫିସ କାମ ସହିତ ତୁମକୁ ଆମ ସନ୍ତାନର ଧ୍ୟାନ ରଖିବାକୁ ପଡିବ। ” ପରିଧି କହେ, ‘ କାଇଁ ତମେ କୁଆଡେ ଗଲ କି ?” ଦୁହେଁ ବହୁତ ଜୋରରେ ହସନ୍ତି।

” ଆଉ କିଛି ଦିନପରେ ଆମ ଅଫିସର ଫାଉଣ୍ଡେସନ ଡେ। ଆଉ ଏଥରକ ‘ବେଷ୍ଟ ଏମ୍ପ୍ଲୋଇ ଅଫ ଇଅର ଆୱାର୍ଡ’ ମୋତେ ମିଳିବ ବୋଲି ସାର କହିଲେ ଆଉ ତା ସାଙ୍ଗକୁ ପ୍ରମୋସନ। କାହିଁକି ନା ମୋ ପାଇଁ ଆମ ଅଫିସ ଆଜି ଏତେ ଉପରେ। ” ଏକଥା ଶୁଣି ପ୍ରିୟ ଆଗୁଆ ଅଭିନନ୍ଦନର ମେଘ ଢାଳି ପକାଏ ପରିଧି ଉପରେ।

ପରିଧି ଏବେ ଛଅ ମାସର ଗର୍ଭବତୀ। ଆଜି ଦେହ ଠିକ୍ ନ ଲାଗିବାରୁ ଜଲଦି ଅଫିସରୁ ଘରକୁ ଫେରିଆସେ। ପରିଧିକୁ ଏତେ ଜଳଦି ଘରେ ଦେଖି ପ୍ରିୟ କୁହେ, ” କଣ ମାଡାମ ଆଜି ଏତେ ଜଲଦି ? ମୁଁ ସ୍ଵପ୍ନ ଦେଖୁନାହିଁ ତଃ ?” ଦୁହେଁ ଖୁବ୍ ମଜା କରନ୍ତି। ଅଫିସର ନୋଟିସ ବୋର୍ଡ ରେ ‘ବେଷ୍ଟ ଏମ୍ପୋଲୋଇ ଅଫ ଇଅର ଆୱାର୍ଡ’ ଆଉ କାହା ନାଁ ପାଖରେ ଦେଖି ପରିଧି ରାଗିଯାଏ। ତା’ ଆଖିରୁ ଝରିପଡେ ଦୁଇଧାର ଲୁହ। ସେ ଜୋର-ଜୋର ପାଦ ପକେଇ ଫେରେ ତା କ୍ୟାବିନ୍ କୁ। ପରିଧି ସହ କାମ କରୁଥିବା ଅନନ୍ୟାକୁ ଦିଆଯାଏ ‘ବେଷ୍ଟ ଏମ୍ପୋଲୋଇ ଅଫ ଇଅର ଆୱାର୍ଡ’।

ସମସ୍ତେ ଅନନ୍ୟାକୁ ଶୁଭେଛାର ବାର୍ତ୍ତା ଦେଉଥାନ୍ତି। ଏସବୁ ଦେଖି ବହୁତ ଭାଙ୍ଗିପଡେ ପରିଧି। ଡାଇରେକ୍ଟରଙ୍କୁ ଦେଖାକରିବା ପାଇଁ ଯାଏ ତାଙ୍କ କ୍ୟାବିନ୍ କୁ। ଡାଇରେକ୍ଟର, ” ପ୍ଳିଜ୍ ସିଟ୍।” ପରିଧି କିଛି କହିବା ଆଗରୁ ଡାଇରେକ୍ଟର କୁହନ୍ତି, ” ପରିଧି ! ଆଇ ଆମ୍ ସରି। ମୁଁ କଣ କରିବି ? ତୁମେ ଏବେ ପ୍ରେଗନେଣ୍ଟ ତା’ ପୁଣି ଛଅ ମାସର। ଆଉ ତୁମେ କାମ କରୁଥିବା ଫାଇଲ ମୁଁ ଏବେ ଅନନ୍ୟାକୁ ଦେଲି। ବିକଚ୍ ତୁମେ କୌଣସି ମୁହୂର୍ତ୍ତରେ ଇରେଗୁଲାର ହେଇପାର। ଆଉ ସେ କଷ୍ଟମର ଚାହାନ୍ତି ଯେ ତାଙ୍କ ଫାଇଲ ‘ବେଷ୍ଟ ଏମ୍ପ୍ଲୋଇ ଅଫ ଇଅର ଆୱାର୍ଡ’ ହିଁ କରନ୍ତୁ। ଆଉ ତୁମେ ଜାଣିଛ ସେ ଆମ ଅଫିସର ପୁରୁଣା କଷ୍ଟମର। ସେଥିପାଇଁ ଆମେ ବାଧ୍ୟ ହୋଇ ଅନନ୍ୟାକୁ ‘ବେଷ୍ଟ ଏମ୍ପ୍ଲୋଇ ଅଫ ଇଅର ଆୱାର୍ଡ’ ଦେବାକୁ ବାଧ୍ୟ ହେଲୁ। ନହେଲେ ମୁଁ କଣ ଅଫିସର ସମସ୍ତ ଷ୍ଟାଫ ଜାଣିଛନ୍ତି ଯେ ତୁମେ କେତେ କାମ କର। ”

ପରିଧି କଣ କହିବ କିଛି ବୁଝିପାରୁ ନଥିଲା। ମନେ ମନେ କାହା ଉପରେ ରାଗୁଥିଲା।

ପୁଣି କହିଲେ ଡାଇରେକ୍ଟର, ” ଆଉ କିଛିଦିନ ପରେ ଆମେ ତୁମକୁ ପ୍ରମୋସନ ଦେଉଛୁ ନା। ତା ପୁଣି ସିନିୟର ମ୍ୟାନେଜର। ”

ପରିଧି ଭାବୁଥିଲା ତାକୁ ଯେମିତି ତା ପ୍ରମୋସନ ଖାଲି ଖାଲି ରେ ମିଳିଯାଉଛି। ପ୍ରମୋସନ ପାଇବାକୁ ହକ୍-ଦାର ସେ। ପରିଧି ଡାଇରେକ୍ଟରଙ୍କ କ୍ୟାବିନ୍ ଠୁ ଫେରିଥିଲା। ମନରେ କଷ୍ଟ ଥିଲା। କି ଏତେ ପରିଶ୍ରମ ଆଊ ଏତେ କାମ ଯେଉଁ ଫାଇଲ ପାଇଁ କରୁଥିଲା ସେ ବି ତା’ ହାତରୁ ଚାଲିଗଲା। ସେ ଘରକୁ ଫେରିଲା ପରେ ପ୍ରିୟକୁ ସବୁକଥା କହିଲା। ପ୍ରିୟ ଏକଥା ଶୁଣି କହିଲା, ” ପ୍ରମୋସନ ପରେ ମୁଁ ତୁମକୁ ‘ମ୍ୟାନେଜର ମାଡ଼ାମ’ ବୋଲି ଡାକିବି। ଆଛା ଦେଖିଲ ସେପଟ ରୁମ୍ ରେ ତୁମକୁ କିଏ ଅପେକ୍ଷା କରିଛନ୍ତି।”

ପରିଧି ଯାଇ ଦେଖେ ପ୍ରିୟର ମା ଆସିଛନ୍ତି। ପରିଧି ମାଙ୍କୁ ମୁଣ୍ଡିଆ ମାରେ। ପ୍ରିୟର ମା ପରିଧିକୁ ବହୁତ ଭଲ ପାଆନ୍ତି। ପରିଧି ମଧ୍ୟ ତାଙ୍କୁ। ସେ କେବଳ ପରିଧିର ଓ ଘରକୁ ଆସୁଥିବା ନୂତନ ଅତିଥିର ଭଲଭାବେ ଦେଖାଶୁଣା କରିବା ପାଇଁ ଆସିଛନ୍ତି। ପରିଧି ଅଫିସରେ ଥିଲାବେଳେ ତା ମୋବାଇଲକୁ ଫୋନ କରନ୍ତି ମା। ମଝିରେ ମଝିରେ କାମ ବ୍ୟସ୍ତରେ ରହି ମାଙ୍କ ଫୋନ ନ ନେଲେ, ମା ଫୋନ କରନ୍ତି ଅଫିସର ଲ୍ୟାଣ୍ଡଲାଇନ କୁ ଓ କୁହନ୍ତି, ” ପରିଧି ତୋ ବ୍ୟାଗ୍ ରେ ମୁଁ ଆପେଲ ରଖିଦେଇଛି ଖାଇଦେବୁ। ” ପରିଧି ବ୍ୟାଗ୍ ରେ ଦେଖେ ଆପେଲ ଅଛି। ପରିଧିକୁ ଏସବୁ ଭଲଲାଗେ ହେଲେ ରାଗ ବି ଲାଗେ। ତା ପାଇଁ ଭଲ ପାଇବା ଦେଖି ମାଙ୍କ ଉପରେ ଖୁସି ହୁଏ ପରିଧି। ଆଉ ସେତ ଏବେ ଛୋଟ ପିଲା ନୁହଁ ହେଲେ, କେତେ ବେଳେ ପାଣି ପିଇବୁ, କଣ ଖାଇବୁ କହନ୍ତି ଫୋନ୍ ଯୋଗେ ମା। ମୁଁ କଣ ଛୋଟ ପିଲା ଏକଥା ଭାବି ବେଳେ ବେଳେ ରାଗିଯାଏ ପରିଧି। ଏଇମିତିରେ କିଛିଦିନ ବିତିଗଲାଣି।

ଆଜି ସନ୍ଧ୍ୟାରେ ଅଫିସର କଂଫେରେନସ ହଲରେ ମିଟିଙ୍ଗ ଅଛି। ପ୍ରମୋସନ ବି ମିଳିବ ପରିଧିକୁ। ଯେତେ ରାଗ ଦୁଃଖ ଥିଲେ ମଧ୍ୟ କେମିତି ଗୋଟେ ଖୁସି ଅଛି ପରିଧି ମୁହଁରେ। ସେ ମିଟିଙ୍ଗ ଚାଲିଥିବା ହଲର ଆଗାଧଡିର ଚେୟାରରେ ବସିଗଲା। ସଭା ଆରମ୍ଭ ହେଲା। ସିନିୟର ମ୍ୟାନେଜର ପ୍ରମୋସନ ପାଇଁ ଡକାଗଲା। ପରିଧି ଠିଆ ହୋଇଗଲା ସିଟ୍ ରୁ। ଶାଢୀ ସଜେଇବା ବେଳେ ମାଇକ୍ ରେ ପରିଧି ମିଶ୍ର ନ ଥିଲା। ଅନ୍ୟ ଜଣେ ଗଲେ ଓ ସିନିୟର ମ୍ୟାନେଜର ପୋଷ୍ଟ କୁ ପ୍ରମୋସନ ହେଲେ। ପରିଧି ଏସବୁ ସହ୍ୟ ନ କରି ଜୋରରେ ପାଦ ପକେଇ ପକେଇ ସିଧା ଫେରିଲା ନିଜ କ୍ୟାବିନ୍ କୁ। ତାକୁ ବହୁତ ରାଗ ଲାଗୁଥିଲା ଆଖିତଳ ଓଦା କରିସାରିଥିଲା ପରିଧି ଆଖିର ଲୁହ। ଲୁହକୁ ପୋଛିଲା ବେଳକୁ କ୍ୟାବିନ୍ କବାଟର କିଛି ଶବ୍ଦ ଶୁଣି ପରିଧି ଚାହେଁ ଡାଇରେକ୍ଟର କବାଟ ଖୋଲି କହିଲେ, ” ପରିଧି ଅଫିସର ବୋର୍ଡ ମେମ୍ବରଙ୍କ କହିବା କଥା ଯଦି ଆମେ ତୁମକୁ ପ୍ରମୋସନ ଦେଉଛୁ ତେବେ ଠିକ ଅଛି, ହେଲେ ତୁମେ ଏବେ ଗର୍ଭବତୀ ଆଉ କିଛି ମାସପରେ ଆଉ କାମ କରିପାରିବ ନାହିଁ ସେଥିପାଇଁ….., ଆମେ ସରି ପରିଧି। ”

ଏକଥା ଗୁଡିକ ଶୁଣିଲା ପରେ ପରିଧି ଭାବୁଥିଲା, ଯେତେ ଦେହ ଖରାପ ହେଲେ ବି ମୁଁ ଅଫିସ ଆସିଛି। ଅଫିସ ପାଇଁ ମୋ ପରିବାର ସହ ମୁଁ ଠିକରେ ସମୟ କାଟିପାରିନି। ହେଲେ ଏ ଅଫିସ ମୋତେ ଦେଇଛି କଣ ? ନିଜର କ୍ରୋଧକୁ ସହ୍ୟ ନ କରିପାରି ସେ ଇସ୍ତଫା ଦେଇଛି। ଘରେ ପ୍ରିୟ ଓ ମା ବହୁତ ବୁଝେଇଛନ୍ତି। ହେଲେ ପରିଧିକୁ ଗ୍ରାସ କରିଛି ଏକ ଦୁଃଖଦ ସମୁଦ୍ର। ସେ ଘର ବାଲକୋନୀରେ ଠିଆ ହୋଇ ଦେଖୁଛି ସୂର୍ୟ୍ୟଙ୍କୁ। ସେ କେମିତି ଧୀରେ ଧୀରେ ଅସ୍ତ ହେଉଛନ୍ତି। ଅନ୍ଧାର ଆଗରେ ସୂର୍ୟ୍ୟଙ୍କ କିରଣ ହାରିଯାଇଛି। ମୁଁ ମଧ୍ୟ ସେହିପରି ହାରି ଯାଇଛି।

କେତେବେଳେ ମା ଆସି ପାଖରେ ପଡିଥିବା ଚେୟାର ରେ ବସିସାରିଛନ୍ତି ପରିଧି ଜାଣିପାରିନି। ମା କହିଛନ୍ତି, ” ପରିଧି ସୂର୍ୟ୍ୟ ସବୁଦିନ ଅସ୍ତ ହୁଏ। କିନ୍ତୁ କିଛି ଘଣ୍ଟାର ବ୍ୟବଧାନରେ ସେ ପୁଣି ଉଦୟ ହୁଏ ଏକ ନୂତନ ସକାଳ ସହ, ନୂତନ ଚିନ୍ତାଧାରା ନେଇ ନୂଆ କିଛି କରିବା ପାଇଁ। ”

ଏଇଭିତରେ ଦୁଇବର୍ଷ ହେଇଗଲାଣି। ପରିଧି ଏବେ କମ୍ପାନୀର ଡାଇରେକ୍ଟର। ମହିଳା ମାନଙ୍କ ପାଇଁ ଶସ୍ତାରେ ସାନିଟାରୀ ନାପକିନ୍ ଯୋଗାଉଥିବା କମ୍ପାନୀ କରି ତାକୁ ସଫଳ କରିବାରେ ସେ ବହୁ ପ୍ରଶଂସାର ପାତ୍ର। ମହିଳାମାନଙ୍କ ପାଇଁ ସାଜିଛନ୍ତି ଏକ ଜ୍ଵଳନ୍ତ ଉଦାହରଣ। ସେ ଜଣେ ସୁପ୍ରତିଷ୍ଠିତ ଶିଳ୍ପୋଦ୍ୟଗୀ ହୋଇପାରିଛି। ମା’ଙ୍କର ସେଇ କେଇପଦ କଥା ‘ ସୂର୍ୟ୍ୟ ସବୁଦିନ ଅସ୍ତ ହୁଏ ହେଲେ ଉଦୟ ବି ହୁଏ କିଛି ନୂଆ କରିବା ପାଇଁ। ‘

ପ୍ରିୟ ଓ ତାଙ୍କ ପୁଅ ପ୍ରଜ୍ଵଳ ସହିତ ପରିଧି ଏବେ ବେଶ୍ ଖୁସିରେ। ………………….

ରତନପୁର ଶାସନ, କୁହୁଡି, ଖୋର୍ଦ୍ଧା -୭୫୨୦୨୭ ଓଡିଶା

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top