ଆମ ସଂସ୍କୃତି, କଳା ଓ ଐତିହ୍ୟ

ଅବକ୍ଷୟିତ ମୂଲ୍ୟବୋଧର ପରିଣାମ

– ଦେବପ୍ରସାଦ ମିଶ୍ର
ପୁରୀ ସହରରେ ବର୍ତ୍ତମାନ ଯୋରଖରା, ଖରାରେ ଘରେ ନ ରହି କେତକ ବୟସ୍କ ଜଗନ୍ନାଥ ପ୍ରେମୀ ରଥଖଳାକୁ ଆସି ରଥ ତିଆରି ଦେଖିବାରେ ବ୍ୟସ୍ତ, ଏମାନଙ୍କ ବୟସ୍କ ଅବସର ପ୍ରାପ୍ତ ବୃଦ୍ଧ ଲୋକେ ଏଠାରେ ଖରାବେଳ ଟାକୁ ସେଠାରେ କାଟୁଛନ୍ତି ଏମାନଙ୍କ ସହ ବାହାରୁ ଆସୁଥିବା ତୀର୍ଥ ଯାତ୍ରୀ ମଧ୍ୟ ମିଶି ଦେଶ ତଥା ରାଜ୍ୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରୁଛନ୍ତି ଗତ ଦୁଇ ଦିନ ତଳେ ହଠାତ ଜଣେ ଅବସରପ୍ରାପ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କ ସହିତ ପୁରୀ ମନ୍ଦିରର ଜଣେ ବୟସ୍କ ସେବକ ଏ ଦୁହେଁ ଖବର କାଗଜକୁ ଦେଖି ପରସ୍ପର ଆଲୋଚନା କରୁଥାନ୍ତି, ଜଣେ ଆର ଜଣଙ୍କୁ କହୁଥାନ୍ତି ହଇଏ, ଆଜିର ଖବରକାଗଜ ଦେଖିଲଣି ଯାହା ପ୍ରମୁଖ ପୃଷ୍ଠାରେ ବାହାରିଛି ତାକୁ ଦେଖିଲେ ଲାଗୁଛି ବର୍ତ୍ତମାନ ଘୋର କଳିକାଳର ଶେଷ ସମୟ ଆସିଲା ଏ ପ୍ରଳୟ ନୁହେଁ ମଣିଷ ପରସ୍ପର ମଧ୍ୟରେ ନିଜ ନିଜ ଭିତରେ ହଣାହଣି ହୋଇ ମରିବେ। ଦ୍ୱାପରରେ ଶ୍ରୀକୃଷ୍ଣ ଯେପରି କୋକୁଆ ଭୟ ସୃଷ୍ଟିକରି ଯାଦବ ବଂଶକୁ ସୋମରସ ପିଆଇ ପରସ୍ପର ଭିତରେ ହଣାହଣି ହୋଇ ମଲେ ସଂପୂର୍ଣ୍ଣ ଯଦୁବଂଶ ଧ୍ୱସଂ ହୋଇଗଲା ବର୍ତ୍ତମାନ ସେପରି ଘଟିବାର ସମୟ ଆସିଗଲାଣି। ଆମେ ନିଜେ ନିଜକୁ ଯେତିକି ଶିକ୍ଷିତ ସଭ୍ୟ ବୋଲାଉଛୁ, ସେତିକି ଆମେ ଅମଣିଷ ହୋଇ ଯାଉଛେ, ମଣିଷ ଭିତରେ ପଶୁ ପ୍ରବୃତ୍ତି ବଢି ଚାଲିଲାଣି ମଣିଷ ପୁରା ପଶୁ ପାଲଟି ଗଲାଣି। ଖବରକାଗଜ, ଟିଭି ଆଦି ଖୋଲିଦେଲା ମାତ୍ରକେ ଖାଲି ବଳାତ୍କାର, ଧର୍ଷଣ, ବ୍ୟଭିଚାର, ହତ୍ୟା ନରସଂହାର ଏଥିରୁ ମାଇପି ଛୋଟ ପିଲା ମଧ୍ୟ ବାଦ ପଡୁ ନାହାନ୍ତି, କେଉଁଠି ଗୁଣୀଗାରେଡି, ତନ୍ତ୍ର ମନ୍ତ୍ର କରୁଛନ୍ତି କହି ଉଭୟ ପୁରୁଷ, ବୃଦ୍ଧା, ବୃଦ୍ଧ, ଯୁବକ, ଯୁବତୀ ମାନଙ୍କୁ ଦିନଦ୍ୱିପହରରେ ବିଭତ୍ସ ଭାବେ ହତ୍ୟା, ଗାଁ ଗହଳରେ ବେକାର ମୂର୍ଖ, ଦରପାଠୁଆ, ଶ୍ରୀ ଅକ୍ଷର ବିବର୍ଜିତ ଅଳ୍ପ ବୟସର ଟୋକାମାନେ ରାସ୍ତାମଝିରୁ କେଉଁଠାରେ ଘରଭିତରୁ ବାଡି ପଟକୁ ସୌଚ ପାଇଁ ଯାଉଥିବା ମହିଳାଙ୍କୁ ଉଠାଇ ନେଇ ଧର୍ଷଣ କରୁଛନ୍ତି, ଯେଉଁଠାରେ ଧରା ପଡିଯିବା ବାହାନାରେ ତାକୁ ସେହିଠାରେ ହତ୍ୟା ମଧ୍ୟ କରି ଦେଉଛନ୍ତି, ମଣିଷ ଜୀବନଟା ଛେଳି ମେଣ୍ଢା ପରି ହୋଇଗଲାଣି, ଏବେ ସହଜ ଉପାୟ ହୋଇଛି ପ୍ରମାଣ ନଷ୍ଟ ପାଇଁ କିରୋସିନି ବା ପେଟ୍ରୋଲ ଆଦି ଢାଳି ତାକୁ ନିଆଁରେ ଜାଳି ଦେଉଛନ୍ତି। ଜନସଂଖ୍ୟା ଦ୍ରୁତ ଗତିରେ ବଢୁଥିବାରୁ ତାକୁ ହ୍ରାସ କରିବା ପାଇଁ କେତକ କୂସଂସ୍କାରୀ ଏପରି କାଣ୍ଡ ଭିଆଉ ନାହାନ୍ତି ନା ଲୋକଙ୍କର ଆଇନ କାନୁନ ପୁଲିସ ଉପରୁ ଭରସା ତୁଟୁ ଗଲାଣି ? ନା ମଣିଷ ଆହୁରି ଅଧିକ ଗଣତନ୍ତ୍ର ବା ସ୍ୱାଧୀନତା ଚାହୁଁଛି, ଦେଖୁନ ଦୁଇଦିନ ତଳେ ସାଲେପୁର ଓ ଜଗତସିଂହପୁର ଆଡେ ଦୁଇ ଦୁଇ ଜଣ ନାବାଳିକା ଛୋଟପିଲା ୬ବର୍ଷ, ୧୧ବର୍ଷ ତାଙ୍କୁ ଭୁଲାଇ ଆଣି ଧର୍ଷଣ କଲେ ତହିଁରୁ ଗୋଟେ ଛୁଆ କଟକ ମେଡିକାଲରେ ୯ ଦିନ ପଡି କଷ୍ଟ ପାଇ ପାଇ ମରିଗଲା। ହଁ ଭାଇନା ସବୁ ଟିଭିରୁ ଦେଖୁଛି, ଖବର କାଗଜରୁ ପଢୁଛି। ବୁଝିଲ ଆମ ସେ ବେଳ କାଳ ଗଲାଣି ଲୋକେ ବର୍ତ୍ତମାନ ଅସହିଷ୍ଣୁ, ଧର୍ଯ୍ୟହରା, ଦିଗହରା ନିଜକୁ ସଭ୍ୟ ଶିକ୍ଷିତ କହିଲେ କଣ ହେବ। ବିଜ୍ଞାନ ବଳରେ ଆମେ ସବୁ ଅସାଧ୍ୟ କାମକୁ ଆୟତ୍ତ କରି ଦେବୁ ଓ ସମସ୍ତ ବସ୍ତୁବାଦି ସୁବିଧାକୁ ଉପଭୋଗ କରିବାକୁ ପ୍ରୟାସ, ମନରେ କାମ, କ୍ରୋଧ, ଲୋଭ ବିନା ପରିଶ୍ରମରେ ଅଧିକ ସଂପତ୍ତି ଠୁଳ କରି ନିଜର ହୁକୁମତ ଜାହିର କରିବା। ଟିକେ ପଛ କଥା ମନେ ପକାଅ, ଆମ ପିଲାବେଳ କଥା, ସତ୍ୟ, ଅହିଂସା କୁ ଆୟୁଧକରି ମହାତ୍ମା ଗାନ୍ଧୀ ଦେଶକୁ ସ୍ୱାଧୀନ କଲେ, ଗୋପବନ୍ଧୁ, ମଧୁବାବୁ ପଞ୍ଚଶଖା ଆମକୁ ସ୍ୱାଧୀନତା ଓ ସ୍ୱାଭିମାନ ଜାତୀୟତା ଭାବରେ ଆମକୁ ପ୍ରଭାବିତ କଲେ, ସାଧୁ, ସନ୍ଥ, ମହାତ୍ମା ମାନେ ତାଙ୍କର ବାଣୀ ଦ୍ୱାରା ତ୍ୟାଗରେଭୋଗ ଶୁଣାଇ ଆମର ବୈଦିକ ଆତ୍ମାକୁ ପୁନଃ ଜାଗ୍ରତ କଲେ, ଶ୍ରୀକୃଷ୍ଣ ଚୈତନ୍ୟ ଶ୍ରୀକ୍ଷେତ୍ର ଧିଳରେ ଗଡିଯାଇ ଜଗନ୍ନାଥଙ୍କୁ ପ୍ରଣିପାତ କରି କହୁଥିଲେ ଆଚରଣରେ ସ୍ୱଚ୍ଛ ହୁଅ, ଭକ୍ତି ରସରେ ପ୍ଳାବିତ ହୁଅ, ଆମର ତୀର୍ଥବାରୀ ପୂଜାମଣ୍ଡପ ଦେବ ଦେଉଳ ଜନଜୀବନ ଯେତେ ଦିନ ଯାଏ ଆଧ୍ୟାତ୍ମ୍ୟ ରସ ନିବେଦିତ ହୋଇ ଭାରତ ଯେ ଭୋଗର ଭୂମି ନୁହଁ, ତ୍ୟାଗର ଭୂମି ଏ କଥା ଲୋକେ ବୁଝୁଥିଲେ। ଏଠି ଅତିବଡି ଜଗନ୍ନାଥ ଦାସ ଆମ ଓଡିଆ ଭାଷାକୁ ସମୃଦ୍ଧ କଲେ ଧର୍ମକୁ ନେଇ ଲୋକାଳୟର ଆଚାର ସର୍ବସ୍ୱ କରି ରଖିଦେଲେ ଆଧ୍ୟାତ୍ମ୍ୟଭାବ, ନୈତିକତା, ମୂଲ୍ୟବୋଧ ଓ ମୈତ୍ରୀର ପ୍ରକାଶ ପାଇଲା, ସମସ୍ତେ ଦୟା, କ୍ଷମା, ସାଧୁତା, ମୂଲ୍ୟବୋଧ, ନୈତିକତା ଉପରେ ଗଭୀର ଚିନ୍ତା କରି କାର୍ଯ୍ୟରେ ପ୍ରକଟ କଲେ। ମାତ୍ର ଚକ ଘୁରିଗଲା, ପାଶ୍ଚାତ୍ୟ ସଭ୍ୟତାର ସଂଘାତରେ ତଥା ଶିଳ୍ପ ବିପ୍ଳବରେ ଆଗମନରେ ଯନ୍ତ୍ର ହୋଇଗଲା ବିଭୂଷଣ, ମନ ହୋଇଗଲା ଭୋଗଲିପସାରେ ଉଚ୍ଛନ୍ନ, ଆମର ମୌଳିକ ଚିନ୍ତାଧାରାରେ ଯେଉଁ ଧର୍ମ ସଂହତି, ମୈତ୍ରୀ, ଦୟା, କ୍ଷମା, ସାଧୁତା, ନମ୍ରତା, ମୂଲ୍ୟବୋଧ, ମାନବିକତା ଆଦିର ସଦଭାବନା ଥିଲା ତାହା କ୍ରମେ କ୍ରମେ ଲୋପ ପାଇଗଲା, ଶାସନକୁ ଗଣତନ୍ତ୍ର ନାମ ଦିଆଗଲା, ପ୍ରଚ୍ଛନ୍ନରେ ଏହା ବାସ୍ତବରେ ଥିଲା ସ୍ୱେଚ୍ଛାଚାରୀ ଏକଛତ୍ରବାଦୀ ଆଚରଣରେ ଏହା ଗଣତନ୍ତ୍ର, ମାତ୍ର ଭିତରେ ଯେତିକି ଅବିଧି ଓ ଅମାନୁଷିକତାର ଏହା ବିଚରଣ ଭୂମି ହୋଇଗଲା। ସନାତନ ମୂଲ୍ୟବୋଧ ଆଜି ଅବକ୍ଷରିତ, ସବୁ ସମୟରେ ପରିବର୍ତ୍ତନ ଆସିବ ଯିବ ଆସୁଛି ମଧ୍ୟ ମାତ୍ର ପରିବର୍ତ୍ତନରେ ଶୁଭଚିନ୍ତା, ଶୁଭକର୍ମ ବିଧାନ ପରିବର୍ତ୍ତେ ଅଧୋଗମନର ନାରକୀୟତା ସର୍ବତ୍ର ପରିଲକ୍ଷିତ ଶିକ୍ଷାୟତନରେ ଶୁଦ୍ଧତା ନାହିଁ, ବ୍ୟବସାୟ ବାଣିଜ୍ୟରେ ଭେଜାଲ, କପଟତା, ଅସାଧୁତା, ଶାସନରେ ସ୍ୱାର୍ଥ ସର୍ବସ୍ୱ ରାଜନୀତି, ମାତୃଜାତି ନିର୍ଯ୍ୟାତିତ, ଘରେ ବାହାରେ ନିରାପତ୍ତା ନାହିଁ, କୁଳଜ ସନ୍ତାନମାନେ ମଦପିଇ ମାତାଲ ସରକାର ତାଙ୍କୁ ମାତାଲ କରିବା ପାଇଁ ସର୍ବପ୍ରକାର ଆୟୋଜନରେ ବ୍ୟସ୍ତ ରହିଛନ୍ତି, ଗୁରୁ ଲଘୁ ଜ୍ଞାନ ଆଉ ନାହିଁ ପ୍ରକୃତି, ପ୍ରବୃତ୍ତି, ନିବୃତ୍ତି, ସଂସ୍କୃତି ଆଉ କିଛିନାହିଁ କେହି କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ସମୟ ହେଉଛି ଟଙ୍କା, ସମସ୍ତେ ତାରି ପଛରେ ଦଉଡିବାରେ ଲାଗିଛନ୍ତି କାହାରି ଧୈର୍ଯ୍ୟ ନାହିଁ, ଆଜି ଭାଇନା ଯାହାସବୁ ଦେଖୁଛ, ଶୁଣୁଛ ଏ ସବୁ ହେଲା ଅବକ୍ଷୟିତ ମୂଲ୍ୟବୋଧର ପରିଣାମ। ପଣ୍ଡିତେ ସେହି ଖବର କାଗଜଟିକୁ ହାତରେ ଧରି ପିଲାଦିନର ଗାଁ ଚାଟଶାଳୀ କଥା ଓ ଆମ ସତ୍ୟବାଦୀ ବନ ବିଦ୍ୟାଳୟ କଥାକୁ ମନେ ପକାଇଲେ, ଯେଉଁଠି ଏ ସତ୍ୟବାଦୀର ପଞ୍ଚଶଖା ମଣିଷ ତିଆରି କାରଖାନା ସତ୍ୟବାଦୀ ବନ ବିଦ୍ୟାଳୟ ସ୍ଥାପନା କରିଥିଲେ, ବରଣ୍ୟ ପଞ୍ଚଶଖାଙ୍କ ଦ୍ୱାରା ପ୍ରତିଷ୍ଠିତ ବନ ବିଦ୍ୟାଳୟ ବାସ୍ତବ ଆଦର୍ଶବାଦର ଏକ ଜ୍ୱଳନ୍ତ ଉଦାହରଣ, ସତ୍ୟବାଦୀ ବନ ବିଦ୍ୟାଳୟ ସ୍ଥାପନ ମୂଳରେ ଥିଲା ଜୀବନ ଦର୍ଶନ ର ବାସ୍ତବ ସ୍ୱରୂପ। ଆଚାର୍ଯ୍ୟ ହରିହରଙ୍କଠାରୁ ଆରମ୍ଭ କରି ଉତ୍କଳମଣିଙ୍କ ପର୍ଯ୍ୟନ୍ତ ସମସ୍ତେ ଛାତ୍ରମାନଙ୍କର କିପରି ଆତ୍ମାର ବିକାଶ ଘଟିବ ସେ ଦିଗରେ ଲାଗି ପଡିଥିଲେ। ସେମାନେ ଯାହା କହୁଥିଲେ, ତାହା କାର୍ଯ୍ୟରେ ପରିଣତ କରୁଥିଲେ। କହିବା ଓ କରିବା ମଧ୍ୟରେ ଯେ ଏକ ମୌଳିକ ବା ବାହ୍ୟ ପାର୍ଥକ୍ୟ ରହିଛି. ଏହା ସେମାନେ ବିଶ୍ୱାସ କରୁନଥିଲେ। ପ୍ରକୃତ ପକ୍ଷରେ ଦେଖିବାକୁ ଗଲେ ସେମାନେ ଥିଲେ ଜଣେ ଜଣେ ବାସ୍ତବ ଆଦର୍ଶବାଦୀ। ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଟଲଷ୍ଟୟ ଆଶ୍ରମ, ଶାନ୍ତି ନିକେତନ ଠାରେ ବିଶ୍ୱ କବି ରବି ଠାକୁରଙ୍କ ଦ୍ୱାରା ପ୍ରତିଷ୍ଠିତ ଆଶ୍ରମ ଓ ଓଡିଶାର ସତ୍ୟବାଦୀ ଠାରେ ପ୍ରତିଷ୍ଠିତ ବନ ବିଦ୍ୟାଳୟ ମଧ୍ୟରେ ଏକ ଆଦର୍ଶ ଗତ ସାମ୍ୟ ଥିଲା। ପ୍ରତ୍ୟେକ କ୍ଷେତ୍ରରେ ଶିକ୍ଷାର ମୂଳ ଲକ୍ଷ୍ୟ ଥିଲା, ଛାତ୍ରମାନେ ଆତ୍ମାକୁ ଚିହ୍ନନ୍ତୁ। ସେହି ଅନୁଯାୟୀ ପ୍ରତ୍ୟେକ କ୍ଷେତ୍ରରେ ସମସ୍ତ ପ୍ରକାର ଚାରିତ୍ରିକ ଆଦର୍ଶ ବଜାୟ ରଖାଯାଉଥିଲା, ଆତ୍ମିକ ଶିକ୍ଷାଦ୍ୱାରା ଯେ ବ୍ୟକ୍ତିତ୍ୱର ପ୍ରକୃତ ପରିପ୍ରକାଶ ଘଟି ପାରିବ ଏହା ସେମାନେ ଉପଲବ୍ ଧି କରିପାରିଥିଲେ ଓ ତଦନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରୁଥିଲେ କିନ୍ତୁ ଏ ପ୍ରକାର ମୂଳରେ ନ ଥିଲା କୌଣସି ଲିଖିତ ବା, ମୌଳିକ ପାଠ୍ୟକ୍ରମ, କେବଳ ଶିକ୍ଷକମାନେ ନିଜର ଆଦର୍ଶ ଚରିତ୍ର ବଜାୟ ରଖିଥିଲେ ଯାଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେଉଥିଲେ। ଅର୍ଥାତ ଶିକ୍ଷକମାନଙ୍କର ପ୍ରତ୍ୟେକ ପ୍ରକାର ଗୁଣକୁ ନିଜର ଜୀବନରେ ନକଲ କରି ପାରୁଥିଲେ। ସେତେବେଳେ ପିଲାମାନଙ୍କ ପାଇଁ ନୈତିକ ଶିକ୍ଷାର କୌଣସି ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ ନ ଥିଲା, ନୈତିକ ଶିକ୍ଷା ପିଲାମାନେ ଶିକ୍ଷକମାନଙ୍କର ବଳିଷ୍ଟ ବ୍ୟକ୍ତିତ୍ୱ ଠାରୁ ହିଁ ପାଇ ପାରୁଥିଲେ। ବର୍ତ୍ତମାନ ବି ସେ ସତ୍ୟବାଦୀ ବିଦ୍ୟାଳୟ ରହିଛି, ବର୍ତ୍ତମାନ ବି ସେ ଶାନ୍ତିନିକେତନ ରହିଛି କିନ୍ତୁ ସେଠାରେ ନାହିଁ ପୂର୍ବର ଆଦର୍ଶ ଗତ ଶାନ୍ତି, ଆମର ଚିର ନମସ୍ୟ ପଞ୍ଚଶଖା ଚାଲିଯିବା ପରେ ବନ ବିଦ୍ୟାଳୟରୁ ବାସ୍ତବ ଆଦର୍ଶ ଲୋପ ପାଇଗଲା। ଏହାର କାରଣ କଣ ? କାରଣ ଖୋଜିବାକୁ ଗଲେ ଏହା ସ୍ୱତଃ ସ୍ପଷ୍ଟ ହୋଇ ଉଠେ ଯେ, ଆଜି ବାସ୍ତବ ଆଦର୍ଶବାଦୀ ଶିକ୍ଷକର ଅଭାବ ଆଜିର ଶିକ୍ଷକ କେବଳ ଆଦର୍ଶବାଦ ବିଷୟରେ କହନ୍ତି କିନ୍ତୁ ଉକ୍ତ କଥିତ ଆଦର୍ଶକୁ ନିଜର ଜୀବନ କାଳ ମଧ୍ୟରେ କାର୍ଯ୍ୟକାରୀ କରି ପାରନ୍ତି ନାହିଁ ଯାହାର ପରିଣତି ସ୍ୱରୂପ ଆଦର୍ଶର କୌଣସି ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡି ପାରୁନାହିଁ। କାରଣ ଆଜି ଆମେ ଆଦର୍ଶବାଦକୁ ତ୍ୟାଗ କରି ଧୀରେ ଧୀରେ ଜଡବାଦ ଆଡକୁ ଦଉଡୁଛୁ, ଯେଉଁଥିରେ କି ଆଦର୍ଶର ତିଳେ ମାତ୍ର ସ୍ଥାନ ନାହିଁ। ତେଣୁ ସତ୍ୟବାଦୀ ବନ ବିଦ୍ୟାଳୟର ପୂର୍ବ ଆଦର୍ଶ ଓ ଗୌରବକୁ ଫେରାଇ ଆଣିବାକୁ ହେଲେ ଆଜିର ଶିକ୍ଷକ ସମାଜ ବାସ୍ତବ ଆଦର୍ଶବାଦୀ ହେବା ଉଚିତ, ଦକ୍ଷିଣ ଆଫ୍ରିକାର ଟଲଷ୍ଟୟ ଆଶ୍ରମରେ ଶିକ୍ଷକତା କରୁଥିବା ସମୟରେ ଗାନ୍ଧିଜୀ କହିଥିଲେ “ ମୋ ପାଇଁ ନ ହେଉ ପଛେ ସେହି ମାନଙ୍କ ପାଇଁ ମୋତେ ସତ୍ ହେବାକୁ ପଡିବ ଓ ସତ୍ ଜୀବନ ଯାପନ କରିବାକୁ ପଡିବ”। ଉପୋରକ୍ତ ମହତ ବାଣୀକୁ ତର୍ଜମା କଲେ ଜଣାପଡେ ଆଜିର ପ୍ରତ୍ୟେକ ଶିକ୍ଷକ ଓ ଅଭିଭାବକ ନିଜ ପାଇଁ ନ ହେଉ ପଛେ ଆଗାମୀ କାଲିର ଭବିଷ୍ୟ ନାଗରିକମାନଙ୍କ ପାଇଁ ସତ୍ ହେବା ବା‚ନୀୟ ଓ ସତ୍ ଜୀବନ ଯାପନ କରିବା ଆବଶ୍ୟକ। ଛାତ୍ରମାନଙ୍କ ଉପସ୍ଥିତିରେ ହେଉ ବା ଅନୁପସ୍ଥିତିରେ ହେଉ ସର୍ବଦା ଶିକ୍ଷକମାନଙ୍କୁ ବାସ୍ତବ ଆଦର୍ଶ ବଜାୟ ରଖିବାକୁ ପଡିବ। ତେଣୁ ଆଜି ଆମେ ଯେତେବେଳେ ଜଡବାଦ ଦ୍ୱାରା ସଂପୂର୍ଣ୍ଣ କବଳିତ ହୋଇ ଧ୍ୱସଂ ଆଡକୁ ଯାଉଛେ, ସେତେବେଳେ କେବଳ ଶିକ୍ଷକ ସମାଜ ତାହାର ଆଦର୍ଶ ଦ୍ୱାରା ଆମକୁ ରକ୍ଷା କରିପାରିବେ, ଏଥି ପାଇଁ ଶିକ୍ଷକ ସମାଜର ଦାୟିତ୍ୱ ଯେତିକି ଦେଶର ପ୍ରତ୍ୟେକ ନାଗରିକର ମଧ୍ୟ ଦାୟିତ୍ୱ ସେତିକି ଦେଶର ପ୍ରତ୍ୟେକ ନାଗରିକ ଅଭିଭାବକ ତଥା ସରକାରଙ୍କ ଆନ୍ତରିକ ସାହାଯ୍ୟ ସହଯୋଗ ସହାନୁଭୁତି ଶୁଭକାମନା ପାଇଲେ ନିଶ୍ଚିତ ଭାବେ ପ୍ରତ୍ୟେକ ବିଦ୍ୟାଳୟକୁ ଗୋଟିଏ ଗୋଟିଏ ବନ ବିଦ୍ୟାଳୟ ବା ମଣିଷ ତିଆରି କାରଖାନା ରେ ପରିଣତ କରିପାରିବେ। ଖାଲି ଯେ ଆଇନ କରି ଫାଶୀ ବା କାରାଦଣ୍ଡର ବ୍ୟବସ୍ଥା କରିଦେଲେ ଏ ଭ୍ରଷ୍ଟାଚାର, ଧର୍ଷଣ, ବଳାତ୍କାର ଦୁଷ୍କର୍ମ ଆଦିର ବ୍ୟାଧି କମିବ ନାହିଁ, ଏଥିପାଇଁ ମାନସିକ ସଚେତନତା ଆବଶ୍ୟକ ତେଣୁ ଶିକ୍ଷାରେ ଓ ସମାଜରେ ସଂସ୍କାର ଆବଶ୍ୟକ, ଏ ପ୍ରକାର ଘଟଣାରେ ଖାଲି ସରକାରକୁ ଦୋଷ ଦେଲେ ଚଳିବ ନାହିଁ ଏଥିରେ ଆମ ସାମାଜିକ ଚଳଣୀରେ ଆଚାର ବ୍ୟବହାରରେ ସଂସ୍କାର ଆବଶ୍ୟକ। ଏହି ପ୍ରକାର ବ୍ୟଧି ସମାଜରେ ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟା ରୂପେ ଠିଆ ହୋଇଛି। ଏହାର ଉଚିତ ସମାଧାନର ପଥ ଚିନ୍ତା ନ କଲେ ଖୁବ ଶିଘ୍ର ଆମେ ଧ୍ୱଂସ ଆଡକୁ ମୁହାଁଇବା।

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top