ଓଡ଼ିଶା

ଅବକାରୀ ବିଭାଗ ଢାଞ୍ଚାରେ ରାଜସ୍ୱ ବିଭାଗ – ମାଫିଆଙ୍କୁ ଛାଡ଼, ଗରିବ ହିତାଧିକାରୀଙ୍କୁ ମାଡ଼

ପାଟଣା, ତା୦୬/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଚୋରା ମଦର ବନ୍ୟା ହେଉଥିବା ବେଳେ ଅବକାରୀ ବିଭାଗ ଟାର୍ଗେଟରେ କେବଳ ଆଦିବାସୀ ଖୁଚୁରା ଚୋରା ମଦ ବିକ୍ରେତା ୩ଲିଟର, ୫ଲିଟର ମଦ ସହ ଗିରଫ ହେବା ଭଳି ପାଟଣା ରାଜସ୍ୱ ବିଭାଗ ମଧ୍ୟ ଅନୁରୂପ କାର୍ଯ୍ୟ ଆରମ୍ଭ କରି ଦେଇଥିବା ଅଭିଯୋଗ ହୋଇଛି। ଦୀର୍ଘବର୍ଷ ଧରି ପାଟଣା ତହସିଲ ଅଞ୍ଚଳରୁ ନାମମାତ୍ର ଟିପି ନେଇ ନିର୍ଦ୍ଧିଷ୍ଟ ଇଲାକାର ସୀମିତ ଉତ୍ତୋଳନ ପାଇଁ ଲିଜ୍ ନେଇ ମାଫିଆମାନେ ଲକ୍ଷ ଲକ୍ଷ ଟନ୍ ବାଲି ଉଠାଇ ବୈତରଣୀକୁ ବାଲିଶୂନ୍ୟ କରିବା, ବିରଳ ନଦୀକୁ ବାଲିଶୂନ୍ୟ କରିବା, ବିଭିନ୍ନ ନାଳକୁ ବାଲିଶୂନ୍ୟ କରି କୋଟି କୋଟି ଟଙ୍କାର ମୁନାଫା ଉଠାଇଥିବା ବେଳେ ଅତୀତରେ ରାଜସ୍ୱ ବିଭାଗ ବାରମ୍ବାର ଅଭିଯୋଗ ସତ୍ତ୍ବେ ନମାମାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚୁପଚାପ୍ ବସିଯାଇଛି। ଯାହାଫଳରେ ଏବେ ଗରୀବ ଇନ୍ଦିରାଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ବାଲି ଦୁଇ ଚାରି ଟ୍ରିପ୍ ଓ ପଥର ଦୁଇ ଚାରି ଟ୍ରିପ୍ ସଂଗ୍ରହ କରିବା ମଧ୍ୟ କାଠିକର ପାଠ ହୋଇପଡୁଛି। ଅପରପକ୍ଷରେ ମାଫିଆମାନେ ପଥର ଓ ବାଲି ଚୋରା ଚାଲାଣରେ ସାଧ୍ୟମତେ ସେମାନଙ୍କର କାମ ଅବ୍ୟାହତ ରଖିଥିବା ବେଳେ ନାମମାତ୍ର ବାଲି ଟ୍ରିପ୍ ପଥର ଟ୍ରିପକୁ ରାଜସ୍ୱ ବିଭାଗ ଜବତ କରି ବାଲି ଓ ପଥର ମୂଲ୍ୟର ୧୦ରୁ ୧୫ଗୁଣ ଅର୍ଥ ଜରିମାନା କରୁଥିବାରୁ ଗରୀବଙ୍କ ଗୃହ ନିର୍ମାଣ ପାଇଁ ଟ୍ରାକ୍ଟର ବାଲା ପଥର ଓ ବାଲି ଯୋଗାଇବାକୁ ମଧ୍ୟ ଭୟ କଲେଣି। ଏପରିକି ଆବାସ ଯୋଜନା ଓ ମନରେଗା ଯୋଜନାରେ ଉନ୍ନୟନ କାମ ପାଇଁ ଲଘୁଖଣିଜ ଦ୍ରବ୍ୟ ରୟାଲଟି ମୁକ୍ତ ବୋଲି ସରକାରୀ ନିର୍ଦ୍ଦେଶକୁ ମଧ୍ୟ ପାଟଣା ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ଫୁ କରି ଉଡାଇ ଦେଉଥିବା ଦେଖାଯାଉଛି। ଏପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ତ୍ୱରାନ୍ୱିତ କରିବାକୁ ତତ୍ପର ଥିବା ବ୍ଲକ ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗରୀବ ହିତାଧିକାରୀଙ୍କ ପାଇଁ ମଧ୍ୟ ଏହା ଦୋହରା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ପାଟଣା ତହସିଲ ଅଞ୍ଚଳର ଉନ୍ନୟନ ପାଇଁ ବାଲି ପଥର ଅଭାବ ଥିବାବେଳେ ମାଫିଆମାନେ ବାହାର ଅଞ୍ଚଳକୁ ବାଲି ପଥର ଚାଲାଣ ଉପରେ ରାଜସ୍ୱ ବିଭାଗ ଅଙ୍କୁଶ ଲଗାଇ ପାରୁନଥିବା ବେଳେ ମାଫିଆଙ୍କୁ ଛାଡ ଓ ଗରୀବ ହିତାଧିକାରୀଙ୍କୁ ମାଡ ଘଟଣା ପଛରେ କି ରହସ୍ୟ ରହିଛି ତାହାର ରହସ୍ୟ ଉନ୍ମୋଚନ ପାଇଁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top