ଜିଲ୍ଲା ପରିକ୍ରମା

ଅପହୃତ ପୁତ୍ରକୁ ଉଦ୍ଧାର ସହ ପରିବାରକୁ ସୁରକ୍ଷା ଦେବାନେଇ କର୍କଟ ପୀଡିତା ମା’ର ଆକୁଳ ନିବେଦନ, ଏସ୍ଡିପିଓଙ୍କ ହସ୍ତକ୍ଷେପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏକ ହୋଟେଲରେ ଖାଇବାକୁ କେନ୍ଦ୍ର କରି ଉପୁଜିଥିବା ଗଣ୍ଡଗୋଳରେ କେତେକ ଶାସକ ଦଳର ଲୋକେ ହୋଟେଲରେ ଭଂଗାରୁଜା କରିବା ସହ ତାର ମାଲିକଙ୍କ ପୁତ୍ରକୁ ଅପହରଣ କରିନେଇଥିବା ଅଭିଯୋଗରେ ଆଜି କର୍କଟ ରୋଗାକ୍ରାନ୍ତ ମାତା ସପରିବାର ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଶରଣାପନ୍ନ ହୋଇଛନ୍ତି। ତେବେ ଏସ୍ଡିପିଓ ତରୁଣ କୁମାର ଦାସ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଉପଲବ୍ଧô କରି ବାଂଶଡା ଥାନାଧିକାରୀଙ୍କୁ ନିରପେକ୍ଷ ତଦନ୍ତ ପୂର୍ବକ ଅପହୃତ ଯୁବକର ଉଦ୍ଧାର ନେଇ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି। ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସି ଏସ୍ଡିପିଓ ଶ୍ରୀ ଦାସଙ୍କ ନିକଟରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ଏହି ଜିଲାର ବାଂଶଡା ଥାନା ଅଧୀନସ୍ଥ ଦକ୍ଷିଣ ଧାମରା ନିବାସୀ ଖଗେଶ୍ୱର ମାଝୀଙ୍କର ମା’ ଧାମରାଈ ନାମକ ଏକ ହୋଟେଲ ତାରିଣୀ ଛକରେ ରହିଛି। ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ଶାସକ ଦଳର କେତେକ ବ୍ୟକ୍ତି ହୋଟେଲକୁ ଖାଇବାକୁ ଆସି ପଇସା ମାଗିବାରୁ ତା ଦେଇନଥିଲେ। ଅପରପକ୍ଷେ ପାଇକସାହି ନିବାସୀ ଗଂଗାଧର ଦାସଙ୍କ ପୁତ୍ର ପରୀକ୍ଷିତଙ୍କ ନିର୍ଦ୍ଦେଶରେ ଦୋକାନକୁ ଭଂଗାଭଂଗି କରି ବେଂଚ୍ଗୁଡିକ ବିଚ୍ ରାସ୍ତାରେ କଚାଡି ଭାଂଗିଥିଲେ। ପ୍ରତିବାଦ କରିବାରୁ କର୍କଟ ପୀଡିତା ଅଯୋଧ୍ୟା ଓ ତାଙ୍କ ସ୍ୱାମୀ ଖଗେଶ୍ୱରଙ୍କୁ ନାରକୀୟ ଭାବେ ରାସ୍ତାରେ ଘୋଷାଡି ତାଙ୍କ ସାନପୁତ୍ର ଅଜୟଙ୍କୁ କେଉଁଆଡେ ଅପହରଣ କରିନେଇଥିଲେ। ଏବଂ ରାତି ସୁଦ୍ଧା ହୋଟେଲକୁ ପୋଡିଦେବା ସହ ଅଯୋଧ୍ୟାଙ୍କ ଇଜ୍ଜତ ନେଇ ହତ୍ୟା କରିବାର ଚେତାବନୀ ଦେଇଥିଲେ। ଏହି ଘଟଣାରେ ସେମାନେ ପ୍ରଥମେ ସ୍ଥାନୀୟ ଧାମରା ଫାଣ୍ଡିକୁ ଯାଇ ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ଅଭିଯୁକ୍ତମାନେ ପ୍ରଭାବଶାଳୀ ହୋଇଥିବାରୁ ତାହାକୁ କେହି ଗ୍ରହଣ କରିନଥିଲେ। ଏଣୁ ପତି-ପତ୍ନୀ ସପରିବାର ବାଧ୍ୟ ହୋଇ ଆଜି ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇଥିଲେ। ଶେଷ ସମ୍ବାଦରୁ ଯାହା ଜଣାଯାଏ ଅପହୃତ ହୋଇଥିବା ଅଜୟକୁ ବାଂଶଡା ଥାନା ପୁଲିସ୍ ଉଦ୍ଧାର କରି ଥାନାରେ ରଖିଥିବାବେଳେ ଘଟଣା ଭିଆଇଥିବା ବ୍ୟକ୍ତିମାନେ ସ୍ଥାନୀୟ ଜଣେ ଶାସକ ଦଳ ନେତାଙ୍କ ବାହୁଛାୟା ତଳେ ରହି ସମସ୍ତ ବିଷୟକୁ ଚପାଇ ଦେବାର ଉଦ୍ୟମ କରୁଥିବାରୁ ଉକ୍ତ ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି। ଏବଂ ସେମାନଙ୍କୁ ନ୍ୟାୟ ନମିଳିଲେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବାର ଚେତାବନୀ ଦେଇଛନ୍ତି। ଏଣୁ ଜିଲା ଆରକ୍ଷୀ ଅଧିକ୍ଷକ ଏ ଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଦରିଦ୍ର ପରିବାରଟିକୁ ସୁରକ୍ଷା ଦେବାକୁ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ଓ ଛାତ୍ରନେତା ବଳରାମ ରାଉତ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top