ଅପହୃତ ଚାରି ବର୍ଷର ଛାତ୍ରୀ ବୌଦ୍ଧରେ ପହଞ୍ଚିଲା, ବାପା ମାଆଙ୍କୁ ହସ୍ତାନ୍ତର

ବୌଦ୍ଧ, ୨୫ା୧୦ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଡାଇମେନସନ ପବ୍ଳିକ ସ୍ମୁଲରୁ ଗତ ବୁଧବାର ଦିନ ଅପହରଣ ହୋଇଥିବା ୪ବର୍ଷର ଛାତ୍ରୀ ନାନସି ପାତ୍ରକୁ ପୋଲିସ ଉଦ୍ଧାର କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଓ ଥାନା ଅଧିକାରୀ ଅମୂଲ୍ୟ କୁମାର ଧରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସବ୍ ଇନସପେକ୍ଟର ଲିସାରାଣୀ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଝାରଖଣ୍ଡ ଗସ୍ତ କରିଥିଲା। ମିଳିଥିବା ତଥ୍ୟକୁ ଆଧାର କରି ଓ ମୋବାଇଲ ଟ୍ରାକିଂ ଜରିଆରେ ତଦନ୍ତକାରୀ ଟିମ୍ ଝାରଖଣ୍ଡ ରାଜ୍ୟର ସାହେବଗଂଜ ପୋଲିସ ସହାୟତାରେ ଫତେପୁର ରାଜମହଲ ଠାରେ ଅଭିଯୁକ୍ତ ଶେଖ ଫାରୁଖ୍ର ଘର ଉପରେ ଚଢାଉ କରି ନାନ୍ସିକୁ ଉଦ୍ଧାର କରିଥିଲା। ତେବେ ଅଭିଯୁକ୍ତ ଶେଖ୍ ଫାରୁଖ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଥିଲା। ଫାରୁକ୍ ମାଲିକଙ୍କ ଝିଅକୁ ବୁଲାଇବାକୁ ଆଣିଥିବା କହି ନିଜ ପରିବାର ଜିମାରେ ନାନସିକୁ ଦେଇ କୁଆଡେ ଫେରାର ହୋଇଯାଇଥିବା ତଦନ୍ତକାରୀ ଟିମ୍ ନିକଟରୁ ସୂଚନା ମିଳିଛି। ତେବେ ଏହି ଅପହରଣ ଘଟଣା ପଛରେ ରହିଥିବା କାରଣ ସଂପର୍କରେ ମଧ୍ୟ ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି। ସ୍ୱଛଭାରତ ଯୋଜନାରେ ପାଇଖାନା ନିର୍ମାଣର ପାରିଶ୍ରମିକ ପ୍ରଦାନକୁ ନେଇ ବିବାଦରୁ ନାନସିକୁ ଶ୍ରମିକମାନେ ଅପହରଣ କରିଥିବା ଆଲୋଚନା ହେଉଥିବାବେଳେ ଫାରୁକ୍ ଘରୁ ବୌଦ୍ଧର ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିବା ଚେକ୍ ର ନକଲ ମଧ୍ୟ ତଦନ୍ତକାରୀ ଟିମ୍ ର ହସ୍ତଗତ ହୋଇଥିବା ଜଣାଯାଇଛି। ତେବେ ଏହି ମାମଲାର ପ୍ରକୃତ ତଦନ୍ତ କରାଗଲେ ଆଗାମୀ ଦିନରେ ଏହି ଅପହରଣ ଘଟଣା ପଛରେ ରହିଥିବା ପ୍ରକୃତ ତଥ୍ୟ ପଦାକୁ ଆସିପାରିବ।

Leave a Reply

Your email address will not be published. Required fields are marked *