ଅପହଂଚ ଇଲାକାରେ ପ୍ରଶାସନ – ବଣ ପାହାଡ ଉପରେଥିବା ଡୁଣ୍ଡା ଗ୍ରାମରେ ଧର୍ମଗଡ ଉପଜିଲ୍ଲାପାଳ

କଳାହାଣ୍ଡି ୨୨-୨ -(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ଗ୍ରାମପଂଚାୟତ ବଣପାହାଡ ଘେରା ଅଂଚଳ ହୋଇଥିବା ବେଳେ ଡୁଣ୍ଡା ଗ୍ରାମଟି ପାହାଡ ଉପରେ ଅବସ୍ଥିତ। ସ୍ୱାଧୀନତା ର ଦୀର୍ଘ ବର୍ଷ ବିତି ଯାଇଥିଲେ ହେଁ ପ୍ରଥମ କରି ଏହି ଉପାନ୍ତ ଅଂଚଳକୁ ଧର୍ମଗଡ ଉପଜିଲ୍ଲାପାଳ ୟେଦୁଲ୍ଲା ବିଜୟ ଗସ୍ତ କରି ସ୍ଥାନୀୟ ଅଧିବାସୀମାନଙ୍କ ଆପତି ଶୁଣାଣି କରିଛନ୍ତି। ଏହି ଡୁଣ୍ଡା ଗ୍ରାମକୁ ଯିବାକୁ ହେଲେ ଦୁନ୍ଦେଲମାଲ ଗ୍ରାମପଂଚାୟତର ଜିଲିଂଦର ଗ୍ରାମ ଠାରୁ ପୋଡପୋଡି ଗ୍ରାମ ପର୍ଯ୍ୟନ୍ତ ଯାଇ ସେଠାରୁ ପ୍ରାୟ ୨ କି.ମି.ତୀକ୍ଷ୍ମ ପାହାଡ ଚଢି ଯିବାକୁ ହୋଇଥାଏ। ଚାରିପଟେ ପାହାଡ ମଝିରେ ତଳଡୁଣ୍ଡା ଏବଂ ଅଳ୍ପ କିଛି ଦୂରରେ ପାହାଡ ଝୋଲା ମଧ୍ୟରେ ଉପର ଡୁଣ୍ଡା ଜନବସତି ଅବସ୍ଥିତ। ପ୍ରାୟ ପାଂଚଶହ ଜନସଂଖ୍ୟା ବିଶିଷ୍ଟ ଏହି ଦୁଇଟି ଜନବସତିକୁ ମିଶାଇ ଦୁନ୍ଦେଲମାଲ ଗ୍ରାମ ପଂଚାୟତର ୧୧ ନମ୍ବର ୱାର୍ଡ ଗଠିତ ହୋଇଛି। ସ୍ୱାଧିନତା ପରେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଅଂଚଳଟି ପାଇଁ କୌଣସି ପ୍ରକାର ସରକାରୀ ଅଧିକାରୀ କାହିଁକି କୌଣସି ଯୋଜନା ମଧ୍ୟ ସଠିକ ଭାବେ ପହଂଚି ପାରିନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ ସେବା ଭଲି ଅତ୍ୟାବଶ୍ୟକୀୟ ସେବା ଏଠାରେ ସାତ ସପନ। ସେହିପରି ପିଡିଏସ ବ୍ୟବସ୍ଥା, ସାମାଜିକ ସୁରକ୍ଷା ଯୋଜନା ମଧ୍ୟ ସଠିକ ଭାବେ ପହଂଚି ପାରିନାହିଁ। ପ୍ରାଥମିକ ସ୍କୁଲ କେବଳ ନାମକୁ ମାତ୍ର ଥିବା ବେଳେ ଏଠାକୁ ଶିକ୍ଷକ କେବେ କେମିତି ଆସନ୍ତି ଏପରିକି କେହି କେହି ଶିକ୍ଷକ ପୋଷ୍ଟିଂ ହେବା ଦିନଠୁ ବଦଳି ହେବା ପର୍ଯ୍ୟନ୍ତକୁ ସ୍କୁଲକୁ ନଯାଇ ମଧ୍ୟ ସେଠାରୁ ବଦଳି ହୋଇ ଯାଇଥିବା ଉଦାହରଣ ମାନ ରହିଛି। ବିଜୁଳି ବ୍ୟବସ୍ଥା ବରଂ ନକହିବା ଭଲ। ଏକମାତ୍ର ନଳକୂପ ହିଁ ସେଠାରେ ଥିବା ବେଳେ ପ୍ରାୟତଃ ଅଚଳ ହୋଇ ପଡିରହେ। ଏପରିକି ପ୍ରଶାସନର କୌଣସି ପ୍ରକାର ଦୃଷ୍ଟି ଏହି ଅଂଚଳ ପ୍ରତି ପଡିନଥାଏ।

ଗତ ପଂଚାୟତ ନିର୍ବାଚନ ରେ ଆଦିବାସୀ ମାନଙ୍କ ଉପରେ ତଥା ବୃକ୍ଷଲତା ଉପରେ ଗବେଷଣାରତ ଉଚ୍ଚଶିକ୍ଷତ ଡଃ ତ୍ରୀଭୂବନ ପଣ୍ଡା ସରପଂଚ ଭାବେ ନିର୍ବାଚିତ ହେବା ପରେ ସେହି ଅଂଚଳର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି। ଗତ ଫେବୃଆରୀ ୧୨ ତାରିଖ ଦିନ ଦୁନ୍ଦେଲମାଲ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ସେହି ଅଂଚଳର ଲୋକେ ବିଭିନ୍ନ ସମସ୍ୟା ଗୁଡିକ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ଏଭଲି ଉପାନ୍ତ ଅଂଚଳର ବିଭିନ୍ନ ସମସ୍ୟାର ତ୍ୱରିତ ସମାଦାନ ପାଇଁ ଧର୍ମଗଡ ଉପଜିଲ୍ଲାପାଳ ନିଜେ ସେହି ଉପାନ୍ତ ଅଂଚଳ ଗସ୍ତ କରି ବିଭିନ୍ନ ସମସ୍ୟା ତଥା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି ଆଦି ବିଷୟରେ ଲୋକଙ୍କ ସହିତ ଆଲୋଚନା କରିଥରଲେ। ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ କିଆପଦର, ସାପମୁଣ୍ଡି ଆଦି ଆଖପାଖ ଗ୍ରାମରୁ ମଧ୍ୟ ଲୋକେ ସେମାନଙ୍କ ଦୈନନ୍ଦିନ ଜୀବନ ଜୀବିକା ନିର୍ବାହ କରିବା ପାଇଁ ଏହି ଡୁଣ୍ଡା ଗ୍ରାମ ମଧ୍ୟଦେଇ ଜୁନାଗଡ ବ୍ଲକ ଅଂଚଳ ଉପରେ ନିର୍ଭର କରିଥାନ୍ତି। ଏତେ ବର୍ଷ ପରେ ହେଉ ପଛକେ ଉପଜିଲ୍ଲାପାଳ ପାହାଡ ଚଢି ସେହି ଅଗମ୍ୟ ଇଲାକାକୁ ଯାଇ ସେମାନଙ୍କ ଆପତି ଶୁଣାଣି କରିଥିବା ହେତୁ ସ୍ଥାନୀୟ ଲୋକେ ଆନନ୍ଦିତ ହୋଇପଡିଥିବା ଜଣାପଡିଛି। ଗମନାଗମନ ପାଇଁ ଡୁଣ୍ଡା ଗ୍ରାମଠାରୁ ଦୁଇ କି.ମି.ପାହାଡିଆ ଘାଟି ରାସ୍ତା ନିର୍ମାଣ କରାଗଲେ ସେମାନଙ୍କ ଦୁଃଖ ଦୂର ହୋଇପାରିବ ବୋଲି ସ୍ଥାନୀୟ ଲୋକେ ଉପଜିଲ୍ଲାପାଳଙ୍କୁ ଆପତି କରିଛନ୍ତି। ଉପଜିଲ୍ଲାପାଳଙ୍କ ସହିତ ସହକାରୀ ଜିଲ୍ଲାପାଳ ବିଜୟ କୁମାର ବରିହା, ଦୁନ୍ଦେଲମାଲ ସରପଂଚ ଡଃ ତ୍ରୀଭୂବନ ପଣ୍ଡା ସେଠାକୁ ଗସ୍ତ କରିଥିଲେ।

Leave a Reply

Your email address will not be published. Required fields are marked *