ଅପରାଜିତାକୁ ପୋଷ୍ୟ ସନ୍ତାନ ରୂପେ କୋଳେଇନେଲେ ଯୁକ୍ତରାଷ୍ଟ୍ର ଆମେରିକା ଦମ୍ପତି

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : “ବାତ୍ସଲ୍ୟ” ଶିଶୁ ଯତ୍ନ ଅନୁଷ୍ଠାନରେ ଦିନ କାଟୁଥିବା ଅନାଥ ଶିଶୁ “ଅପରାଜିତା” ୬ ବର୍ଷକୁ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ଦମ୍ପତି ମାଥେ ଜେମସ୍ ସ୍ପୋଡା(୨୯) ଓ ମେରିଡିଥ୍ କାୟେ ସ୍ପୋଡା (୩୦) ପୋଷ୍ୟ ସନ୍ତାନ ଶିଶୁ ରୂପେ ଗ୍ରହଣ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଗତ ୨୦୧୨ ମସିହା ଫେବୃୟାରୀ ୧୮ ତାରିଖ ଦିନ ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ ସନ୍ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ କୁକୁର ମୁହଁରୁ ବଂଚିଯାଇଥିବା ଅପରାଜିତା ନିଜର ଏକ ହାତ ହରାଇଥିଲା। ତେବେ ତାକୁ ଅତ୍ୟନ୍ତ ମୁମୂର୍ଷ ଭାବେ ଉଦ୍ଧାର କରାଯିବା ପରେ ବାତ୍ସଲ୍ୟ ପକ୍ଷରୁ ପ୍ରଥମେ ଭଦ୍ରକ ଓ ପରେ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇ ତାର ପ୍ରାଣରକ୍ଷା କରାଯାଇପାରିଥିଲା। ସେହିଦିନରୁ ସେ ବାତ୍ସଲ୍ୟରେ ରହିଆସୁଥିଲା। ଇତିମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରୋକ୍ତ ଦମ୍ପତିଙ୍କ ଆଗ୍ରହ କ୍ରମେ ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ଏବଂ ଶେଷରେ କେନ୍ଦୁଝରସ୍ଥିତ ଏସ୍ଆରଏମ୍ ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା ସହ ସାମିଲ କରାଯାଇ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସମ୍ଭାବ୍ୟ ପୋଷ୍ୟା ଗ୍ରାହୀ ଦମ୍ପତିଙ୍କୁ “କାରା” (କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସଂସାଧନ ସଂସ୍ଥା) ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିଲେ। ସମସ୍ତ ଆଇନ୍ଗତ ପ୍ରକ୍ରିୟା ସମାପ୍ତ ପରେ ଆଜି ଭଦ୍ରକ ଜିଲାପାଳ ଜ୍ଞାନ ଦାସ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଶିଶୁ ସୁରକ୍ଷା ଅଧିକାରୀ ପଦ୍ମନ ରାୟ, ଶିଶୁ ମଂଗଳ କମିଟି ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ, ବାତ୍ସଲ୍ୟର ସଂପାଦିକା ନମିତା ବଳ, ଜିଲା ଶିଶୁ ସୁରକ୍ଷା ୟୁନିଟର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ଙ୍କ ଉପସ୍ଥିତିରେ ଉକ୍ତ ଦମ୍ପତି ଅପରାଜିତାଙ୍କୁ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *