‘ଅନ୍ଧବିଶ୍ୱାସୀ’ ମତଦାତାଙ୍କ ଭୋଟକୁ ହାତେଇବା ପାଇଁ ‘ନେତା’ ହେଉଛନ୍ତି ‘ନୀତ’ ଓ ‘ପ୍ରାର୍ଥନା ସର୍ବସ୍ୱ’- ଏଫ୍.ପି.ଆଇ.

ଭୁବନେଶ୍ୱର ୦୪/୦୧(ଓଡ଼ିଆ ପୁଅ): ଦୁଃଖ ଓ ଲଜ୍ଜ୍ୟାର ବିଷୟ ଏହି ଯେ ଭାରତର ମତଦାତାଙ୍କୁ ଠିକଣା ଭାବରେ ଶିକ୍ଷିତ କରିବା ଏବଂ ସେମାନଙ୍କ ହୃଦୟରେ ସମତା, ବାକ୍ ସ୍ୱାଧୀନତା, ବୈଜ୍ଞାନିକ ଦୃଷ୍ଟିଭଂଗୀ ଓ ବ୍ୟକ୍ତିମର୍ଯ୍ୟାଦା ପ୍ରତି ମମତା ସୃଷ୍ଟି କରିବା ଲକ୍ଷ୍ୟରେ ଭାରତର କୌଣସି ରାଜନେତା କର୍ମ ତତ୍ପରତା ଦେଖାଉ ନାହାନ୍ତି। ଫି୍ରଥଟ୍ ପାର୍ଟି ଅଫ୍ ଇଣ୍ଡିଆ (ଏଫ୍.ପି.ଆଇ) ମତରେ ଭାରତର ଅନ୍ଧବିଶ୍ୱାସୀ ମତଦାତାଙ୍କ ଭୋଟକୁ ହାତେଇବା ପାଇଁ ପ୍ରତ୍ୟେକ ରାଜନେତା ବସ୍ତୁତଃ ଅନ୍ଧବିଶ୍ୱାସକୁ ସମ୍ମାନ ଜଣାଇ ନିଜର ନେତୃତ୍ୱକୁ ତଦ୍ଦ୍ୱାରା ବଳିପକାଇ ମତଦାତାଙ୍କ ପାଖରେ ନଇଁ ଯାଉଛନ୍ତି ଓ ‘ପ୍ରାର୍ଥନାସର୍ବସ୍ୱ’ ହେଉଛନ୍ତି। ଗତ ଡ଼ିସେମ୍ବର ମାସରେ ଗୁଜରାଟର ମତଦାତାଙ୍କ ନିକଟବର୍ତ୍ତୀ ହେବା ପାଇଁ କଂଗ୍ରେସ ଦଳର ତୁଙ୍ଗନେତା ରାହୁଳ ଗାନ୍ଧି ରାଜ୍ୟର ସୋମନାଥ ମନ୍ଦିରଠାରୁ ଆରମ୍ଭ କରି ଅନେକ ହିନ୍ଦୁ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରିଛନ୍ତି। ଓଡ଼ିଶାର ଜନସାଧାରଣଙ୍କୁ ନିଜ ପାଖକୁ ଟାଣିବା ପାଇଁ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ଜଣେ ଧର୍ମପରାୟଣ ବ୍ୟକ୍ତି ଭାବେ ପ୍ରଦର୍ଶିତ କରିବା ଲକ୍ଷ୍ୟରେ ‘ନ୍ୟୁୟର୍ସ-ଡ଼େ’ରେ ସକାଳୁ ସକାଳୁ ଭୁବନେଶ୍ୱରରୁ ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ପ୍ରାର୍ଥନା କାର୍ଯ୍ୟ ସାରିବା ପରେ ସେ ମନ୍ଦିର ସାମନାରେ ଉପସ୍ଥିତ ଭକ୍ତମାନଙ୍କୁ କହିଛନ୍ତି ଯେ ସେ “ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଜଗନ୍ନାଥଙ୍କୁ ନିଜର ପ୍ରାର୍ଥନା ଜଣାଇଛନ୍ତି।”

ଭାରତୀୟ ଜନତା ପାର୍ଟି (ବିଜେପି)ର ଲୋକେ ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଛାଡ଼ି ନାହାନ୍ତି। ସେମାନେ ‘ନ୍ୟୁୟର୍ସ-ଡ଼େ’ରେ ଜଗନ୍ନାଥଙ୍କ ପାଖରେ ୧୨୦ଟି ଦୀପ ଜାଳିଛନ୍ତି। ଦଳର ସଭାପତି ଅମିତ୍ ସାହା ଯେଉଁ ୧୨୦ଟି ଆସନ ଆସନ୍ତା ୨୦୧୯ ବିଧାନସଭା ନିର୍ବାଚନରେ ପାଇବା ପାଇଁ ଏକ ମିଶନ ବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହା କିପରି ପୂରଣ ହେବ ସେଥିପାଇଁ ପୁରୀର ବିଜେପି ନେତାମାନେ ଜଗନ୍ନାଥଙ୍କ ପାଖରେ ଠିକ୍ ୧୨୦ଟି ଦୀପ ଜଳାଇଛନ୍ତି।

ଫ୍ରାନସ୍ ସମେତ ଅନେକ ସଭ୍ୟ ଶିକ୍ଷିତ ଦେଶରେ ଧର୍ମକୁ ରାଜନୀତିଠାରୁ ପୃଥକ କରାଯାଇଛି। କୌଣସି ରାଜନୈତିକ ଲକ୍ଷ୍ୟ ବା ଜନସାଧାରଣଙ୍କ ସୁଖ, ଶାନ୍ତି ବା ସମୃଦ୍ଧି ‘ଈଶ୍ୱର ଆରାଧନା’ ଉପରେ ପର୍ଯ୍ୟବସିତ ନୁହେଁ ବୋଲି ସେ ସବୁ ଦେଶରେ ତଦ୍ନୁଯାୟୀ ଆଇନ ରହିଛି। ଭାରତର ନେତାମାନଙ୍କ ପରି ସେଠାର ରାଜ ନେତାମାନେ ‘ପ୍ରାର୍ଥନାସର୍ବସ୍ୱ’ ଭୂମିକାରେ ନାହାନ୍ତି। ସେଥିପାଇଁ ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ, କଂଗ୍ରେସ ଦଳର ନୂତନ ସଭାପତି ରାହୁଳ ଗାନ୍ଧି ଏବଂ ଅନ୍ୟାନ୍ୟ ଦଳର ନେତୃବର୍ଗଙ୍କ କାର୍ଯ୍ୟଧାରାର ଘୋର ନିନ୍ଦା କରୁଛି।

ଭାରତ ସଂବିଧାନରେ ନାଗରିକମାନଙ୍କ ମୌଳିକ କର୍ତ୍ତବ୍ୟ ହିସାବରେ ଧାରା ୫୧-ଇ(ଷ) ଉଲ୍ଲେଖ ରହିଛି ଯେ “ପ୍ରତ୍ୟେକ ନାକରିକ ବୈଜ୍ଞାନିକ ଦୁଷ୍ଟିଭଂଗୀ ପୋଷଣ କରିବେ, ମାନବବାଦୀ ହେବେ ଓ ଏଥି ସହିତ ଅନୁସନ୍ଧିତ୍ସୁ ହେବା ସହ ସଂସ୍କାରଧର୍ମୀ ହେବେ।” ଯଦି ଭାରତର ନେତାମାନେ ଜନସାଧାରଣଙ୍କ ଦୁଃଖ ଦୁର୍ଦ୍ଦଶାକୁ ହଟାଇବା ପାଇଁ ଯଥାର୍ଥ ପଦକ୍ଷେପ ନ ନେଇ, ଲୋକମାନଙ୍କର ‘ଲିଡ଼ର’ ନ ହୋଇ, ସେମାନଙ୍କର ‘ଫଲୋୱର’ ହେବେ, ସେମାନଙ୍କର ‘ନୀତ’ ହେବେ ତେବେ ଭାରତବାସୀ ସବୁଦିନ ପାଇଁ ମଧ୍ୟଯୁଗୀୟ ବିଚାରଧାରା ମଧ୍ୟରେ ବାନ୍ଧିହୋଇ ରହିବା ସହ ଜାତିଗତ ଓ ଧର୍ମଗତ ଘୃଣାଭାବର ଶୀକାର ହେଉଥିବେ। ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

୧୫୪୩ ମସିହାରେ ପୋଲାଣ୍ଡର ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ନିକୋଲାସ୍ କୋପରନିକସ୍ ସୌର ଜଗତକୁ ଆବିଷ୍କୃତ କରି ଜନସାଧାରଣଙ୍କୁ ଜଣାଇଥିଲେ ଯେ ଅନ୍ୟାନ୍ୟ ଗ୍ରହ ପରି ପୃଥିବୀ ସୂର୍ଯ୍ୟ ଚାରିକଡ଼େ ବୁଲୁଛି ଏବଂ ଏଥି ସହିତ ପ୍ରତି ୨୪ ଘଣ୍ଟାରେ ନିଜର ଆକ୍ସିସ୍ ବା ଅକ୍ଷ ଚାରିପଟେ ବୁଲୁଛି। ଫଳତଃ ଗୋଲାକାର ପୃଥିବୀର ଏକ ନିଦ୍ଦିଷ୍ଟ ଅଂଚଳ ମାତ୍ର ୧୨ଘଣ୍ଟା ଧରି ସୂର୍ଯ୍ୟ ଆଲୋକରେ ଆଲୋକିତ ହେଉଛି ଏବଂ ସେହି ଅଂଚଳର ବିପରୀତ ପଟେ ଥିବା ଅଂଚଳଟି ରଫ୍ଲି ୧୨ ଘଣ୍ଟା ସୂର୍ଯ୍ୟାଲୋକରୁ ବଂଚିତ ହେଉଛି। ସୂର୍ଯ୍ୟାଲୋକ ପ୍ରଥମେ ପଡ଼ିବାଟା ହେଉଛି ସକାଳ, ସୂର୍ଯ୍ୟାଲୋକ ଚାଲିଯିବାଟା ହେଉଛି ସନ୍ଧ୍ୟା। ଏହି ଦିନ, ରାତି, ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ବର୍ଷାଦିନ, ଖରାଦିନ, ଝଡ଼ ତୋଫାନ, ଭୂମିକମ୍ପ-ଏଥି ମଧ୍ୟରୁ କୌଣସି ଗୋଟିଏ ହେଲେ ଦେବଦେବୀଙ୍କ ଦ୍ୱାରା ନିୟନ୍ତ୍ରିତ ହେଉ ନାହାନ୍ତି। ମଣିଷ ମୁଣ୍ଡ ଉପରକୁ ଯାହା ରହିଛି ତାହା ହେଉଛି ଆକାଶ। ମଣିଷର ପାଦତଳେ ଯାହା ରହିଛି ତାହା ହେଉଛି ପୃଥିବୀ। ମଣିଷର ମୁଣ୍ଡ ଉପରେ ‘ସ୍ୱର୍ଗ’ ବୋଲି କିଛି ନାହିଁ। ମଣିଷର ପାଦ ତଳେ କେଉଁଠି ହେଲେ ‘ନର୍କ’ ନାହିଁ। ତେଣୁ ସ୍ୱର୍ଗ, ନର୍କ, ଭାଗ୍ୟ, ଭଗବାନ, ଜାତିପ୍ରଥା ଏସବୁକୁ ନେଇ ଯେଉଁ ଧାର୍ମିକ ଧାରଣା ପୃଥିବୀର ଭିନ୍ନ ଭିନ୍ନ ଅଂଚଳରେ ପ୍ରତିଷ୍ଠା କରାଯାଇଥିଲା ତାହା ସେ ସମୟର ଧୂର୍ତ୍ତ ମତଲବି ଶାସକମାନଙ୍କର ଦୃଷ୍ଟିଭଂଗୀ ଉପରେ ପର୍ଯ୍ୟବଶିତ ଥିଲା। ଏବେ ଜ୍ଞାନ ବିଜ୍ଞାନର ବିକାଶ ଫଳରେ ଭିନ୍ନ ଭିନ୍ନ ରୋଗର କାରଣ ନିରାକରଣ ଜଣାପଡ଼ିଲା ପରେ ଏବଂ ମୋବାଇଲ୍, ଇଣ୍ଟରନେଟ୍, କମ୍ପୁ୍ୟଟର ଆଦିର ଯୁଗ ଆସିଥିବାବେଳେ ଭାରତବାସୀଙ୍କୁ ଅନ୍ଧବିଶ୍ୱାସ ଓ ଅନ୍ଧପରମ୍ପରା ମଧ୍ୟରେ ଛନ୍ଦି ରଖି ଧୂର୍ତ୍ତ ରାଜନେତାମାନେ ଯେଉଁ ଫାଇଦା ଉଠାଉଛନ୍ତି ସେପରି କାର୍ଯ୍ୟକଳାପକୁ ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଦଳର ସାଧାରଣ ସଂପାଦକ ବି.ରାମଚନ୍ଦ୍ର ସିଏସ୍ଟି ଭୋଲଟେୟାର ତୀବ୍ର ନିନ୍ଦା କରିଛନ୍ତି। ଉନ୍ନତମାନର ପ୍ରାର୍ଥନାବିହୀନ ଇଂରାଜୀ ମାଧ୍ୟମ ଶିକ୍ଷା ସାରା ଦେଶରେ ପ୍ରତ୍ୟେକ ଭାରତୀୟ ଶିଶୁଙ୍କୁ, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦିଆଯାଇ ପାରିଲେ ଭାରତର ନେତାମାନେ ‘ନୀତ’ ହେବାକୁ ଓ ‘ପ୍ରାର୍ଥନାସର୍ବସ୍ୱ’ ହେବାକୁ ଆଦୌ ବାଟ ପାଇବେ ନାହିଁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *