ଅନ୍ତରା ମହତୀପୁର ନୋଡାଲ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍ଘାଟିତ

ଖଇରା /ବାଲେଶ୍ୱର୧୩ /୧(ନରେନ୍ଦ୍ର ପ୍ରସାଦ ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତରା ମହତୀପୁର ନୋଡାଲ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଗତକାଲି ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବରେ ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ବଂଶୀଧର ମହୁରୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ମନ୍ତ୍ରୀ ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ ଶିକ୍ଷା ଉପରେ ଛାତ୍ରଛାତ୍ରୀ ମାନେ ଅଧିକ ସମୟ ଦେବା ସହିତ ଶିକ୍ଷାକୁ ଗୁଣାତ୍ମକ ଭାବେ ଗ୍ରହଣ କରି କାର୍ଯ୍ୟରେ ଲଗାଇଲେ ସମାଜରେ ପରିବର୍ତ୍ତନ ହେବ ବୋଲି ପ୍ରକାଶ କରିଥିଲେ। ଏଥିରେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, ସାଂସଦ ଅର୍ଜୁନ ଚରଣ ସେଠୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସକାଳ ଅଧିବେଶନରେ ବିଦ୍ୟାଳୟ ପରିସରରେ ଅଗଣି ଚରଣ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଓ ପୂରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅନ୍ତରା ଠାରୁ ବରଦା ଭଗବତୀ ପୀଠ ପର୍ଯ୍ୟନ୍ତ ଶୋଭାଯାତ୍ରା ଓ ମସାଲ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳ ଅଧିବେଶନକୁ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ଖିଲାର ଉଦ୍ଘାଟନ କରିଥିଲେ। ଏଥିରେ ପ୍ରଥମ ପରିଚାଳନା କମିଟି ସଦସ୍ୟ ଓ ପୂର୍ବତନ ପ୍ରଧାନ ଶିକ୍ଷକ ଜଗବନ୍ଧୁ ନାୟକ, ପୂର୍ବତନ ପରିଚାଳନା କମିଟି ସଦସ୍ୟ ମଦନ ମୋହନ ଯେନା, କାହ୍ନୁ ଚରଣ ସାହୁ, ଗୌରହରୀ ବାରିକ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନବକିଶୋର ପଲେଇଙ୍କ ସମେତ ପ୍ରଥମ ପରିଚାଳନା କମିଟି ସଦସ୍ୟ ଓ ପୂର୍ବତନ ପ୍ରଧାନ ଶିକ୍ଷକ ଜଗବନ୍ଧୁ ନାୟକ, ପୂର୍ବତନ ପରିଚାଳନା କମିଟିର ସଦସ୍ୟ ମଦନ ମୋହନ ଯେନା, କାହ୍ନୁ ଚରଣ ସାହୁ, ଗୌରହରୀ ବାରିକ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଗୁରୁ ବାଦଲ ଚନ୍ଦ୍ର ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ମୋଗଲ ତାମସା କରାଯାଇଥିଲା। ଶେଷରେ ପୂରାତନ ଛାତ୍ର କୃଷ୍ଣ ଚନ୍ଦ୍ର ଯେନା ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *