ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ,ପାଲଲହଡ଼ା ଶାଖାରୁ ୮ଲକ୍ଷ ଲୁଟ୍

ଅନୁଗୋଳ,୧୬/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ,ପାଲଲହଡ଼ା ଶାଖାରୁ ପ୍ରାୟ ୮ଲକ୍ଷ ପାଖାପାଖି ନଗଦ ଅର୍ଥ ଏବଂ ସୁନାଗହଣା ଲୁଟ ହୋଇଛି । ଶନିବାର ପୂର୍ବାହ୍ନ ୧୦ଟାରେ ବ୍ୟାଙ୍କ ଖୋଲା ହେବା ବେଳେ ଏହି ଲୁଟ୍ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ବ୍ୟାଙ୍କ କର୍ମଚାରୀ ଶନିବାର ୧୦ଟା ବେଳେ ବ୍ୟାଙ୍କ ଖୋଲିବାପରେ ସମସ୍ତ ଜିନିଷପତ୍ର ପଡ଼ିଥିବାର ଲକ୍ଷ୍ୟ କରିବାପରେ ଏହାର ସୂଚନା ପୋଲିସକୁ ଦେଇଥିଲେ । ପୋଲିସ ଆସି ତଦନ୍ତ ଆରମ୍ଭ କରିବା ପରେ ବ୍ୟାଙ୍କ ପଛ ଆଡ଼ୁ ଝରକା,କବାଟ ଆଦି ତଡ଼ାଯାଇ ଗ୍ୟାସ କଟର ସାହାଯ୍ୟରେ ଲକର କଟାଯାଇ ଚୋରି ହୋଇଥିବାର ଜଣାପଡ଼ିଥିଲା । ମୋଟ ୭ଲକ୍ଷ,୮୩ହଜାର,୪୧୯ଟଙ୍କା ନଗଦ ଅର୍ଥ,୨୭ଗ୍ରାମ ସୁନାଗହଣା ଏବଂ ୨ଟି ମୋଡ଼େମ ଚୋରି ହୋଇଥିବାର ବ୍ୟାଙ୍କ କର୍ତୃପକ୍ଷ ସୂଚନା ଦେଇଥିଲେ । ସୁଚିନ୍ତିତ ଯୋଜନା ଅନୁସାରେ ଏକ ବଡ଼ ଧରଣର ରାକେଟ୍ ଏହି ଚୋରିରେ ସାମିଲ ହୋଇ ଥାଇପାରନ୍ତି ବୋଲି ପୋଲିସ ପ୍ରକାର କରିବାସହ ଏହାର ତଦନ୍ତ ଆରମ୍ଭ କରିଛି । ତେବେ ଏହାପୂର୍ବରୁ ଜଣେ ମହିଳାଙ୍କ ଠାରୁ ଅର୍ଥ ଲୁଟ ଏବଂ ଏକ ମଦଭାଟି କାଉଂଟରରୁ ମଧ୍ୟ ଟଙ୍କା ଲୁଟ ହୋଇଥିବାରୁ ପାଲଲହଡ଼ାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *