ଅନୁଗୋଳ ଜିଲ୍ଲାରେ ଆର୍ଟ ଅଫ୍ ଗିଭିଂ’ ଦିବସ ପାଳିତ

ଅନୁଗୋଳ, ୧୭/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲାରେ ୫ମ ବାର୍ଷିକ ଅନ୍ତର୍ଜାତିକ ‘ଆର୍ଟ ଅଫ୍ ଗିଭିଂ’ ଦିବସ ଗୁରୁବାର ଦିନ ପାଳିତ ହୋଇଯାଇଛି। ଏହି ଜିଲ୍ଲାର ରାୱା ଏକାଡେମୀ ଦ୍ୱାରା ପରିଚାଳିତ ଆଦୃତ ସେବାସଦନ, ଦୃଷ୍ଟି ହୀନ ତାଲିମ କେନ୍ଦ୍ର, ଦିବ୍ୟାଙ୍ଗ ଅନୁଷ୍ଠାନ, ବିଭିନ୍ନ ବସ୍ତି ଆଦି ପ୍ରାୟ ୧୫ଟି ସ୍ଥାନରେ ଉକ୍ତ ଦିବସକୁ ଉତ୍ସାହର ସହ ପାଳନ କରାଯାଇଥିଲା। ଚଳିତବର୍ଷ ଆର୍ଟ ଅଫ୍ ଗିଭିଂ’ର ବିଷୟବସ୍ତୁ ଥିଲା ‘ପ୍ୟାର ଭରା ପ୍ୟାକ୍-ଫିଡ଼ିଂ ଉଇଥ ଲଭ୍(ଶ୍ରଦ୍ଧାର ଭୋଜନ)। ସ୍ଥାନୀୟ ବାଜି ରାଉତ ଛାତ୍ରାବାସଠାରେ ପାଳିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅନୁଗୋଳ ଜିଲ୍ଲାପାଳ ଏବଂ ବିଶିଷ୍ଟ ଅତିଥିଭାବେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ। ‘ଆର୍ଟ ଅଫ୍ ଗିଭିଂ’ ଡେ’ର ପ୍ରତିଷ୍ଠାତା ମାନ୍ୟବର ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ସେ ଏହି ଦିବସକୁ ୨୦୧୩ ମସିହା ମଇ ୧୭ ତାରିଖରେ ଆରମ୍ଭ କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହି ଦିବସକୁ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକମାନେ ଦେବେ ଓ ଲୋକମାନେ ଶ୍ରଦ୍ଧାର ସହ ଭୋଜନ କରିବେ। ଅନ୍ୟକୁ ଦାନ କରିବାରେ ବାସ୍ତବିକ ଏକ ନିଆରା ଉଦ୍ୟମ ଶ୍ରୀଯୁକ୍ତ ସାମନ୍ତଙ୍କ ମନରେ ପିଲାବେଳୁ ଉଦ୍ରେକ ହୋଇଥିଲା। ତାଙ୍କରି ଉଦ୍ୟମରେ ସର୍ବଭାରତୀୟସ୍ତରରେ ତଥା ଓଡ଼ିଶାର ବିଭିନ୍ନ ଜିଲ୍ଲା ମୂଖ୍ୟାଳୟଠାରୁ ଆରମ୍ଭ ହୋଇ ପଂଚାୟତ ଏବଂ ମ୍ୟୁନିସିପାଲିଟି ସ୍ତରରେ ପାଳନ କରାଯିବା ପ୍ରୟାସକୁ ଅତିଥିଗଣ ପ୍ରଶଂସା କରିଥିଲେ। ଏହି ଅବସରରେ ବାଜି ରାଉତ ଛାତ୍ରାବାସରେ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ପରିବେଷିତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କଳିଙ୍ଗ ଟିଭି ଜିଲ୍ଲା ପ୍ରତିନିଧି ମାନସ ରଞ୍ଜନ ମିଶ୍ରଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ଏତଦ୍ ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ପାଳିତ ଏହି ‘ଆର୍ଟ ଅଫ୍ ଗିଭିଂ’ ଦିବସରେ ପ୍ରାୟ ୧୫ଶହ ଜଣଙ୍କୁ ଶ୍ରଦ୍ଧାର ସହ ଭୋଜନ ଖାଇବାକୁ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *