ଅନୁଗୋଳ, ୧୦/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପଂଚାୟତରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ରାଜ୍ୟର ସମସ୍ତ ଜିଲ୍ଲାର ଗ୍ରାମାଂଚଳ ଲୋକଙ୍କୁ ନିରାପଦ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ପାନୀୟ ଜଳ ଉତ୍ସଗୁଡ଼ିକରେ ବିଷୁଦ୍ଧିକରଣ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ଅନୁଗୋଳ ଜିଲ୍ଲା ପାଇଁ ସୋମବାର ପୂର୍ବାହ୍ନରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟ ପରିସରରୁ ୨ ପର୍ଯ୍ୟାୟରେ ପାନୀୟଜଳ ବିଶୁଦ୍ଧିକରଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅନିଲ କୁମାର ସାମଲ ଆନୁଷ୍ଠାନିକଭାବେ ଶୁଭାରମ୍ଭ କରିଥିଲେ। ଚଳିତବର୍ଷ ବର୍ଷା ଋତୁ ପାଇଁ ବିଭିନ୍ନ ଜଳଉତ୍ସଗୁଡ଼ିକରେ ଥିବା ପାଣି ପ୍ରଦୁଷିତ ହେଉଥିବାରୁ ଏହି କାର୍ଯ୍ୟକ୍ରମ ଦ୍ୱାରା ସେଗୁଡ଼ିକୁ ଶୁଦ୍ଧ କରାଯାଇ ଲୋକଙ୍କୁ ଯୋଗାଇ ଦିଆଯିବ। ଏହି କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାରେ ଥିବା ୧୫ହଜାର ୧୨୨ଟି ନଳକୂପ ଓ ୨୭୦ଟି ପାଇପ ଲାଇନ୍ ପାନୀୟ ଜଳଯୋଗାଣ ଉତ୍ସ ଗୁଡ଼ିକରେ ବ୍ଲିଚିଂ ପାଉଡ଼ର ଦ୍ୱାରା ବିଶୋଧନ କରାଯାଉଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ପ୍ରକାଶ ଥାଉକି ଗତ ମାସରେ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ କରାଯାଇଛି। ୨ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ବିକାଶ ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
