ଅନୁଗୋଳରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳିତ

ଅନୁଗୋଳ,୫/୭ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା):୬୮ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ ଅନୁଗୋଳ ଉଚ୍ଚବିଦ୍ୟାଳୟଠାରେ ପାଳିତ ହୋଇଯାଇଛି। ଅନୁଗୋଳ ଜିଲ୍ଲାପାଳ ଅନିଲ କୁମାର ସାମଲ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ବିଦ୍ୟାଳୟ ପରିସରରେ ଚାରାରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବୃକ୍ଷକୁ ଭଲ ପାଇବା ଓ ,ହାର ସୁରକ୍ଷା କରିବା ନିମନ୍ତେ ଶ୍ରୀ ସାମଲ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଆମ ପରିବେଶର ସୁରକ୍ଷା ଦୃଷ୍ଟିରୁ ବୃକ୍ଷ ରୋପଣ ଏବଂ ଶକ୍ତି ସଂରକ୍ଷଣ ଏହି ୨ଟି କାର୍ଯ୍ୟ ଆମର ପ୍ରମୁଖ କର୍ତ୍ତବ୍ୟଭାବେ ପରିଗଣିତ ହୋଇଗଲାଣି। ସମସ୍ତେ ମୁଣ୍ଡ ପିଛା ନିଜ ବାଡ଼ିବଗିଚାରେ ଗଛ ଲଗାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜଙ୍ଗଲ ହେଉଛି ଆମର ଅମୂଲ୍ୟ ସମ୍ପଦ। ଶରୀରରେ ଫୁସ୍ ଫୁସ୍ ସହିତ ଜଙ୍ଗଲକୁ ତୁଳନା କରାଯାଇଛି। ଜିଲ୍ଲାରେ ବୃକ୍ଷରୋପଣ କାର୍ଯ୍ୟକୁ ବ୍ୟାପକ କରାଯିବା ନିମନ୍ତେ ସ୍ୱାଧୀନତା ଦିବସ ପାଳନ ଅବସରରେ ପିଲାମାନଙ୍କୁ ପୁରସ୍କାର ସହିତ ବୃକ୍ଷ ଚାରା ପ୍ରଦାନ କରାଯିବାସହ ସ୍କୁଲ,କଲେଜର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଚାରା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଏହା ବ୍ୟତୀତ ଜିଲ୍ଲା ଖଣିଜ ପାଣ୍ଠିରୁ ୬୦ଲକ୍ଷ ଟଙ୍କା କେବଳ ବୃକ୍ଷରୋପଣ ପାଇଁ ଦିଆଯାଇଥିବାବେଳେ ଶିଳ୍ପ ସଂସ୍ଥାମାନଙ୍କୁ ସହରାଞ୍ଚଳ ବୃକ୍ଷରୋପଣ ନିମନ୍ତେ ୧ଲକ୍ଷ ଚାରା ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଅଯାଇଛି ବୋଲି ଶ୍ରୀ ସାମଲ ସୂଚନା ଦେଇଥିଲେ। ବୈଠକରେ ଅଧ୍ୟକ୍ଷତା କରିଥିବା ଆଞ୍ଚଳିକ ମୂଖ୍ୟ ବନ ସଂରକ୍ଷକ ତଥା କ୍ଷେତ୍ର ନିର୍ଦ୍ଦେଶକ ସାତକୋଶିଆ ବନଖଣ୍ଡ ଡା.ସୁଦର୍ଶନ ପଣ୍ଡା ନିଜ ବକ୍ତବ୍ୟରେ ପୃଥିବୀ ପୃଷ୍ଠରେ ଜୀବନ ଧାରଣ ପାଇଁ ଅମ୍ଲଜାନ ଓ ଜଳର ଆବଶ୍ୟକତା ରହିଛି ଯାହାକି ଆମକୁ ଉଦ୍ଭିଦରୁ ମିଳିଥାଏ ବୋଲି କହିଥିଲେ। ତେଣୁ ଜଙ୍ଗଲ ସୁରକ୍ଷା ଓ ଏହାର ସୁପରିଚାଳନା ଉପରେ ସେ ଗୁରତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥିଭାବେ ଆଠମଲ୍ଲିକ ବନଖଣ୍ଡ ଅଧିକାରୀ କେ.ଏସ୍.ପ୍ରଦୀପ,ସାତକୋଶିଆ ଡି.ଏଫ୍.ଓ ଏସ୍.ଏମ୍.ଟି.ରହମନ,ନିୟୁଜର ସମ୍ପାଦକ ପ୍ରସନ୍ନ କୁମାର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଡି.ଏଫ୍.ଓ ଗୋଦାବରୀଶ ପଣ୍ଡା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବନ ମହୋତ୍ସବ ପାଳନର ଉଦେ୍ଦଶ୍ୟ ଓ ଆଭିମୂଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଜଙ୍ଗଲ ବା ବୃକ୍ଷ ଆମ ଜୀବନରେ ପ୍ରମୁଖ ଭୂମିକା ନିଭାଇଥାଏ। ଆମର ଦୈନନ୍ଦିନ ଆବଶ୍ୟକତା ଜଙ୍ଗଲରୁ ପୂରଣ ହୋଇଥାଏ। କ୍ରମବଦ୍ଧିଷ୍ଣୁ ଜନସଂଖ୍ୟା ଯୋଗୁଁ ଏହା କମିବାରେ ଲାଗିଛି। ସମଗ୍ର ଭାରତବର୍ଷରେ ୨୧ପ୍ରତିଶତ ଜଙ୍ଗଲ ଥିବାବେଳେ ଓଡ଼ିଶାରେ କେବଳ ୩୨ ପ୍ରତିଶତ ଜଙ୍ଗଲ ରହିଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ। ବୃକ୍ଷରୋପଣ ସଚେତନତା ଉପରେ ଗୁରୁତ୍ୱାରୋପ କରିବାସହ ଶ୍ରୀ ପଣ୍ଡା ଅନୁଗୋଳର ସ୍କୁଲ,କଲେଜର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚାରା ପ୍ରଦାନ କରାଯାଉଥିବାବେଳେ ବ୍ୟକ୍ତି ବିଶେଷଙ୍କୁ ଏକ ଟଙ୍କାରେ ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରିଥିଲେ। ଏହି ଉପଲକ୍ଷେ ବିଜୁ ପଟ୍ଟନାୟକ ଜଙ୍ଗଲ ସୁରକ୍ଷା ପୁରସ୍କାର ଅନୁଗୋଳ ଉପଖଣ୍ଡସ୍ତରରେ ଆମ୍ବପାଳ ବନ ସୁରକ୍ଷା ସମିତି,ତାଳଚେର ଉପଖଣ୍ଡସ୍ତରରେ ଟିପୋ ବନ ସୁରକ୍ଷା ସମିତି ଓ ଆଠମଲ୍ଲିକ ଉପଖଣ୍ଡସ୍ତରରେ ଭଗାମୁଣ୍ଡା ବନ ସୁରକ୍ଷା ସମିତିକୁ ପ୍ରଦାନ କରାଯାଇଥିଲା। ଏହାଛଡ଼ା ମୂଷା ପାପୁଲି ବନ ସୁରକ୍ଷା ସମିତି, ବଳରାମ ପ୍ରସାଦ ବନ ସୁରକ୍ଷା ସମିତି, ବଳରାମ ପ୍ରସାଦ ଉଚ୍ଚ ପ୍ରାଥମିକ ସ୍କୁଲ, କଣିହାଁ ଓ ଧଉରାବଣି କୋଡ଼ା ସାହି ବନ ସୁରକ୍ଷା ସମିତିର ପ୍ରକୃତି ମିତ୍ର ପୁରସ୍କାର ବିଜେତାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଶେଷରେ ଅନୁଗୋଳ ଉଚ୍ଚ ବିଦ୍ୟାଳୟର ମଧୁସ୍କିତା ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଗୋଳ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ବିଭିନ୍ନ ବନସୁରକ୍ଷା ସମିତିର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ଓ ବନ ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *