ଅନୁଗୋଳରେ ଚାଂଚଲ୍ୟ ୪ଟି ହତ୍ୟାର ମୁଖ୍ୟ ଅଭିଯୁକ୍ତ ଝସକେତନ କୋର୍ଟ ପରିସରରୁ ଚମ୍ପଟ

ଅନୁଗୋଳ, ୧୮/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ୪ଟି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିବା ଝସକେତନ ରାଉତ କୋର୍ଟ ପରିସରରୁ ଚମ୍ପଟ ମାରିବା ଆଜି ସମଗ୍ର ଅନୁଗୋଳ ଜିଲ୍ଲାରେ ଚାଂଚଲ୍ୟ ସୃଷ୍ଟି କରିଛି। ଅନୁଗୋଳ ଜିଲ୍ଲାର ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଡବଲ ମର୍ଡ଼ର ଏବଂ କୁକୁରପେଟା ମାଉସୀ ପୁତୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଝସକେତନକୁ ଆଜି ସକାଳେ ଅନୁଗୋଳ ଜିଲ୍ଲା କୋର୍ଟକୁ ଅଣାଯାଇଥିଲା। ତେବେ ନିୟମିତ ଶୁଣାଣି ଶେଷ ହେବାପରେ ପରିସ୍ରା କରିବା ବାହାନାରେ ସେ ଏକ ପାଇଖାନାକୁ ଯାଇଥିଲା। ତେବେ ସେଠାରେ କୈାଶଳକ୍ରମେ ଆଜବେଷ୍ଟସ ଭାଙ୍ଗି ଚମ୍ପଟ ମାରିଥିଲା। ତେବେ ଗଲାବେଳେ ସେ ଜନୈକ ପୋଲିସର ମୋବାଇଲ ନେଇ ପଳାଇ ଯାଇଥିବାର ଜଣାପଡ଼ିଛି। ତାକୁ ଖୋଜିବାକୁ ପୋଲିସ ନାକେଦମ ହୋଇଥିଲେ ସୁଦ୍ଧା ସେ ଧରା ପଡ଼ିନାହିଁ। ପ୍ରକାଶ ଥାଉକି, ଝସକେତନ ଏକ ସାଧାରଣ ହତ୍ୟାକାରୀ ନୁହେଁ। ଜଣେ ନୁହେଁ ୪ ଜଣକୁ ସେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବାର ଅଭିଯୋଗରେ ତା ନାମରେ ମାମଲା ଚାଲିଛି। ଝସକେତନ ଗତ ତା୦୪.୦୨.୨୦୧୬ ରିଖରେ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗ୍ରାମର ୨ସମ୍ପର୍କୀୟ ଭାଇ ହିରଣ୍ୟକ୍ଷ ସାହୁ ଓ ଯୋଗେଶ୍ୱର ସାହୁଙ୍କୁ କୁଶକିଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଖୋଳା ଯାଇଥିବା ଗାତରେ ଠେଲି ହତ୍ୟା କରିଥିବାର ଅଭିଯୋଗ ହୋଇଥିବା ବେଳେ ୨୦୧୫ ମସିହା ଅଗଷ୍ଟ ମାସରେ କୁକୁରପେଟା ଗ୍ରାମର ମାଉସୀ ଅବଳା ଗଡ଼ନାୟକ ଏବଂ ପୁତୁରା କୁମୁଦ ଗଡ଼ନାୟକଙ୍କୁ ମଧ୍ୟ ମାରି ପୋତି ଦେଇଥିଲା। ସେ ଧରା ହେବାପରେ ପୋଲିସ ଆଗରେ ଏହି ୪ଟି ହତ୍ୟାର ସ୍ୱୀକରୋକ୍ତିି ମଧ୍ୟ କରିଥିଲା। ସେବେଠାରୁ ସେ ବିଚାରାଧିନ କଏଦୀ ଭାବେ ଜେଲରେ ରହି ଆସୁଥିଲା। ତେବେ ଝସକେତନ ଏପରି ଭାବେ ଚମ୍ପଟ ମାରିବାପରେ ମୃତକମାନଙ୍କ ପରିବାର ଏବଂ ସାକ୍ଷୀମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବାର ଆଲୋଚନା ହେଉଛି। ଅପରପକ୍ଷେ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ପଟ୍ଟନାୟକ ଏହି ଘଟଣା ପରେ ୨ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ତନାଘନା ଚଳାଇଛନ୍ତି। ତେବେ ଅନୁଗୋଳ ପୋଲିସର ପାରିବାପଣିଆ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *