ଅନୁଗୁଳ ଜିନ୍ଦଲ କମ୍ପାନୀର ସ୍ଥାନୀୟ ପ୍ରୀତି ଗଲା କୁଆଡେ?

ଅନୁଗୋଳ ୧୬/୫ (ଓଡ଼ିଆ ପୁଅ/ଜଗନ୍ନାଥ ସାହୁ) ଅନୁଗୁଳବାସୀଙ୍କ ପାଇଁ ଜିନ୍ଦଲ କମ୍ପାନୀ ଏକ ପ୍ରକାର ଭାତ ହାଣ୍ଡି ଭଳି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାୟ ୧୦/୧୨ ବର୍ଷ ହେଲା ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଅଂଚଳରେ ଜିନ୍ଦଲ କମ୍ପାନୀ ଗଢିଉଠିଲା। ସେହି ଦିନଠାରୁ ଜିନ୍ଦଲ କମ୍ପାନୀକୁ ସ୍ଥାନୀୟ ଲୋକମାନେ ଜମି ଦେବାକୁ କୌଣସି ପ୍ରତିବନ୍ଧକ ସୃଷ୍ଟି ନ କରି, କମ୍ପାନୀ କିପରି ସୁଚାରୁରୂପେ ସ୍ଥାପିତ ହେବ ସେଥିପାଇଁ ସହଯୋଗର ହାତ ବଢାଇଥିଲେ। ଜିନ୍ଦଲ କମ୍ପାନୀର ମାଲିକ ତଥା ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ମଧ୍ୟ ଅନୁଗୁଳବାସୀଙ୍କ ପାଇଁ ତାଙ୍କର ହୃଦୟରେ ସ୍ଥାନ ଦେଇଥିଲେ। ସେହିଦିନ କଥା ମନେପଡେ, ଯେଉଁ ଦିନ ଶ୍ରୀ ନବୀନ ଜିନ୍ଦଲ ପ୍ରଥମଥର ପାଇଁ ଅନୁଗୁଳ କଲେଜର ବାର୍ଷିକ ଉତ୍ସବରେ ଯୋଗ ଦେବା ପାଇଁ ନିଜ ହେଲିକପ୍ଟର ଯୋଗେ ଅନୁଗୁଳ ଷ୍ଟାଡିୟମରେ ଓହ୍ଲାଇଥିଲେ। ଷ୍ଟାଡିୟମଠାରୁ ଏକ ବିରାଟ ଶୋଭାଯାତ୍ରାରେ ନବୀନ ଜିନ୍ଦଲଙ୍କୁ ଅନୁଗୁଳବାସୀ ସ୍ୱାଗତ ଜଣାଇଥିଲେ ଏବଂ ଉକ୍ତ ଦିନ ନବୀନବାବୁ ଶପଥ ନେଇଥିଲେ ଯେ ଜିନ୍ଦଲ କମ୍ପାନୀ ଥିଲା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାବାସୀଙ୍କ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହାନୁଭୂତି କରିବ। ଜିନ୍ଦଲ କମ୍ପାନୀର ଦିନକୁ ଦିନ ଅଭିବୃଦ୍ଧି ହେବା ସହିତ ଅନୁଗୁଳବାସୀଙ୍କ ମଧ୍ୟ ପ୍ରତ୍ୟକ୍ଷ ପରୋକ୍ଷରେ ଆର୍ଥିକ ଅଭିବୃଦ୍ଧି ହୋଇଥିଲା। ଜିନ୍ଦଲ କମ୍ପାନୀ ସ୍ଥାପନା ପାଇଁ ଯେଉଁ ଗ୍ରାମବାସୀମାନେ ଜମି ହରାଇଥିଲେ ସେମାନଙ୍କୁ ଜିନ୍ଦଲ କମ୍ପାନୀ ଜମିର ଉଚିତ୍ ମୂଲ୍ୟ ଦେବା ସହିତ ଚାକିରି ଦେବାରେ କେବେ ପଛଘୁଂଚା ଦେଇନଥିଲା। ତେଣୁ ଜିନ୍ଦଲ କମ୍ପାନୀ ପ୍ରତି ଅନୁଗୁଳବାସୀଙ୍କ ନିବିଡ ପ୍ରେମ ମଧ୍ୟ ଦେଖିବାକୁ ମିଳିଥିଲା। ଜିନ୍ଦଲ କମ୍ପାନୀ ନିଜ ଖର୍ଚ୍ଚରେ ଜମିହରା ପ୍ରଜାମାନଙ୍କ ପିଲାଙ୍କୁ ଆଇଟିଆଇ ଟ୍ରେନିଂ ନିଜ ଓ.ପି. ଜିନ୍ଦଲ ଆଇ.ଟି.ଆଇ. କେନ୍ଦ୍ର ସହିତ ଅନୁଗୁଳସ୍ଥିତ ଅନ୍ୟ ଆଇଟିଆଇ କେନ୍ଦ୍ରରେ ଟ୍ରେନିଂ ଦେଇ ନିଜ କମ୍ପାନୀରେ ମଧ୍ୟ ଚାକିରି ଦେଇଥିଲା। ଅନୁଗୁଳରେ ବେକାର ଶିକ୍ଷତ ଯୁବକ ଓ ଯୁବତୀମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରିବାପାଇଁ ଚାକିରି ଦେଇଥିଲା। କିନ୍ତୁ ହଠାତ୍ ୨୦୧୩ ମସିହାରୁ କମ୍ପାନୀର ଏମିତି କ’ଣ ହେଲା ଯେ ଧିରେ ଧିରେ କମ୍ପାନୀର ସ୍ଥାନୀୟ ପ୍ରୀତି ଉଭାନ୍ ହୋଇଗଲା। ସ୍ଥାନୀୟବାସୀଙ୍କ ପ୍ରତି ପୂର୍ବ ଭଳି ସହଯୋଗ ନ ରହି କମିବା ସହିତ ନୂତନ ନିଯୁକ୍ତି ମଧ୍ୟ ଦିଆଗଲା ନାହିଁ। ବରଂ ଯେଉଁ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେଇଥିଲା ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ଚାକିରି ଛଡାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଯେଉଁ ପିଲାମାନେ ଅଫିସରେ ବସି ଆକାଉଂଟ, କିଣା ଓ ବିକା, ସ୍ଥାନୀୟ ବାସିନ୍ଦାମାନଙ୍କ ମଙ୍ଗଳ ପାଇଁ କାର୍ଯ୍ୟରତ ଥିଲେ ସେମାନଙ୍କୁ କୋଇଲା ଲୋଡିଂ ବିଭାଗ, ସାଇଡ୍ ସୁପରଭାଇଜରିଂ ବିଭାଗ ଏହିପରି କେତେଗୁଡିଏ ବିଭାଗ ଅଛି ଯେଉଁ ବିଭାଗରେ ଏମାନଙ୍କ ଜ୍ଞାନ କହିବାକୁ ଗଲେ ମୋଟେ ନାହିଁ, ସେହିପରି ସ୍ଥାନକୁ ବଦଳି କରାଗଲା। ଆଜିର ଦିନରେ ଅନୁଗୁଳର ବହୁ ଯୁବକ ଓ ଯୁବତୀ ଚାକିରି ଛାଡି ଦେବାର ଦେଖାଦେଇଛି। ଏକ ପ୍ରକାର କହିବାକୁ ଗଲେ ସିଧାସଳଖ ଚାକିରିରୁ ବାହାର କରାନଯାଇ କୌଶଳ କରି ସେମାନଙ୍କୁ ବାଧ୍ୟ କରାଯାଇଛି ସେମାନେ କିପରି ଚାକିରି ଛାଡି ଦେବା ପାଇଁ। ଜିନ୍ଦଲରେ ଥିବା କିଛି ଓଡିଆ ଲୋକମାନେ ଭଲ ଭଲ ଏକ ଦୁଇଟି ପୋଷ୍ଟରେ ଥିବା ଲୋକମାନେ ଚାକିରି ଛାଡି ଦେଇଛନ୍ତି। ଏଠାରେ ଏକ ଉଦାହରଣ ସ୍ୱରୂପ ଏଚ ଆର ବିଭାଗର ହେଡ୍ ଭାବେ ନିଯୁକ୍ତି ପାଇଥିବା ମହାନ୍ତିବାବୁ ଓ ମହାପାତ୍ର ବାବୁଙ୍କୁ ବାଧ୍ୟ କରାଯାଇଥିଲା ଯେ୍, କମ୍ପାନୀରୁ ଯେକୌଣସି ଉପାୟରେ ୩୦ରୁ ୪୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ। କିନ୍ତୁ ସେମାନେ ସେ କାର୍ଯ୍ୟ କରିନପାରିବାରୁ କମ୍ପାନୀ ତାଙ୍କ ପ୍ରତି ମଧ୍ୟ ଅବିଚାର ଆରମ୍ଭ କରିବାରୁ ସେମାନେ ମଧ୍ୟ ବାଧ୍ୟ ହୋଇ ଚାକିରି ଛାଡି ଦେଇଥିବାର ଜଣାପଡିଛି। ବର୍ତ୍ତମାନ ଅନୁଗୁଳର ବହୁ ଯୁବକ ଯୁବତୀ କମ୍ପାନୀରୁ ଚାକିରି ଛାଡି ବେକାର ଜୀବନ ଯାପନ କରୁଛନ୍ତି। ଶୁଣିବାକୁ ମିଳେ ଯେ, ଦୀର୍ଘ ୫/୬ ବର୍ଷ ହେଲା କମ୍ପାନୀ କ୍ଷତିରେ ଚାଲୁଥିବାରୁ ମାର୍ ମାର୍ ଭଣ୍ଡାରିଆକୁ ମାର୍ ନୀତିରେ ମାସକୁ ୨ ଲକ୍ଷରୁ ୫/୭ ଲକ୍ଷ ଟଙ୍କାରେ ଚାକିରି କରିଥିବା ବ୍ୟକ୍ତିମାନଙ୍କୁ ଏ.ସି କାର୍, ଘର, ପ୍ଲେନରେ ଯିବା ଆସିବା ପାଇଁ ଖର୍ଚ୍ଚ ପ୍ରଦାନ କରୁଛି, ହେଲେ ସେମାନଙ୍କୁ ବରଖାସ୍ତ ନ କରି ମାସକୁ ୩୦ରୁ ୪୦ ହଜାର ଟଙ୍କାରେ ଚାକିରି କରିଥିବା ସ୍ଥାନୀୟ ଯୁବକ ଯୁବତୀଙ୍କୁ ବୁଦ୍ଧି ଖଟାଇ ଚାକିରିରୁ ବାହାର କରୁଛନ୍ତି ଏବଂ ଏମାନେ ବାଧ୍ୟ ହୋଇ ମଧ୍ୟ ଚାକିରି ଛାଡି ଦେଉଛନ୍ତି। କମ୍ପାନୀ କହିବା ମୁତାବକ ବର୍ତମାନ କମ୍ପାନୀର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଏହିପରି ଘଟଣା ଘଟୁଛି। ସ୍ଥାନୀୟ ପିଲାମାନଙ୍କ କହିବା ମୁତାବକ ଯେଉଁ ବ୍ୟକ୍ତିମାନଙ୍କୁ କମ୍ପାନୀ ମାସିକ ୧୦ ଲକ୍ଷ ଟଙ୍କା ଦେଇ ରଖିଛି, ସେମାନେ କି କାର୍ଯ୍ୟ କରୁଛନ୍ତି? କେବଳ ଅଫିସରେ ବସି ଆମରି ଦ୍ୱାରା ହୋଇଥିବା କାର୍ଯ୍ୟରେ ଶେଷକୁ ଗୋଟିଏ ଦସ୍ତଖତ କରୁଛନ୍ତି। ତେଣୁ ସେହିଭଳି ଉଚ୍ଚ ଦରମା ପାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଯଦି ୪/୫ ଜଣଙ୍କୁ ବାହାର କରାଯାଆନ୍ତା ତେବେ ଆମ ଭଳି ବେକାର ହୋଇଯାଇଥିବା ଶତାଧିକ ବେକାର ଯୁବକ ଯୁବତୀଙ୍କର ଚାକିରି ଯାଇନଥା’ନ୍ତା। ତେଣୁ ବର୍ତମାନ ଜିନ୍ଦଲ କମ୍ପାନୀର ଏହି ନୀତି ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମନରେ ବହୁ ଆଘାତ ସୃଷ୍ଟି କରିବା ସହ ଆଗାମୀ ଦିନରେଏହା ଜନ ଆନ୍ଦୋଳନର ରୂପ ନେବା ପାଇଁ ଦାନା ବାନ୍ଧୁଥିବାର ଖବର ସାଧାରଣରେ ଚର୍ଚ୍ଚା ଚାଲିଛି।

Leave a Reply

Your email address will not be published. Required fields are marked *