ଅନିଶ୍ଚିତତାରେ ୪୬ ଅସ୍ଥାୟୀ କର୍ମଚାରୀଙ୍କ ଭାଗ୍ୟ

ପୁରୀ:୯/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ୟୁଜର୍ସ ଫି’ ଆଦାୟ ବନ୍ଦ ଆଦେଶ ରୋଗୀଙ୍କ ପାଇଁ ଲାଭପ୍ରଦ ହୋଇଥିବା ବେଳେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ପାଇଁ ନୂଆ ଅଡୁଆ ସୃଷ୍ଟି କରିଛି। ଯେଉଁ କର୍ମଚାରୀମାନେ ଏହି ୟୁଜସର୍ସ ଫି’ରୁ ଦରମା ପାଉଥିଲେ ସେମାନଙ୍କ ଭାଗ୍ୟ ଅନିଶ୍ଚିତତା ଭିିତରକୁ ଠେଲି ହୋଇଯାଇଛି। ସରକାର କୌଣସି ବିକଳ୍ପ ବ୍ୟବସ୍ଥା କରିନଥିବାରୁ ଏହି କର୍ମଚାରୀମାନେ ୬ମାସ ହେବ ବିନା ଦରମାରେ କାର୍ଯ୍ୟ କରୁଛନ୍ତି। ଫଳରେ ଯେଉଁ କର୍ମଚାରୀମାନେ ଏହି ଦରମାରୁ ସେମାନଙ୍କ ଗୁଜୁରାଣ ମେଣ୍ଟାଉଥିଲେ, ସେମାନଙ୍କ ପରିବାରରେ ଏବେ ଭାଳେଣି ପଡିଛି। ମିଳିଥିବା ସୂଚନା ମୁତାବକ, ୨୦୦୫ରୁ ୨୦୦୮ ମସିହା ମଧ୍ୟରେ ୪୬ଜଣ ଅସ୍ଥାୟୀ କର୍ମଚାରୀ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ପାଇଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏହି କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଠାରୁ ଯେଉଁ ୟୁଜର୍ସ ଫି’ ଆଦାୟ ହେଉଛି, ସେହି ଫି’ରୁ ୪୬ଜଣ କର୍ମଚାରୀଙ୍କୁ ଦରମା ମିଳିବ ବୋଲି ରିଜଲୁ୍ୟସନ ପାସ୍ ହୋଇଥିଲା। ସେହି ଅନୁସାରେ କର୍ମଚାରୀଙ୍କ ମାସିକ ଦରମା ମିଳିଲା। ଏହି ଅସ୍ଥାୟୀ କର୍ମଚାରୀଙ୍କ ମଧ୍ୟରେ ୨୨ଜଣ ଆଟେଣ୍ଡାଣ୍ଟ, ୧୬ଜଣ ଝାଡୁଦାର, ୪ଜଣ କିରାଣି, ୩ଜଣ ଡ୍ରାଇଭର, ଜଣେ ଇସିଡି ଟେକ୍ନିସିଆନ୍ ଭାବେ କାମ କରୁଥିଲେ। ୨୦୧୫ ଓ ୨୦୧୭ ମସିହାରେ ଦୈନିକ ସର୍ବନିମ୍ନ ମଜୁରୀ ଯଥାକ୍ରମେ ୨୦୦ ଓ ୨୨୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପୂର୍ବ ଭଳି ଏମାନେ ଦୈନିକ ୧୫୦ ଟଙ୍କା ମଜୁରିରେ କାମ କରି ଆସୁଥିଲେ। ଏବେ ୟୁଜର୍ସ ଫି’ ବନ୍ଦ ହୋଇଯିବା ପରେ ଏହି ଅସ୍ଥାୟୀ କର୍ମଚାରୀ ନିଜର ଭାଗ୍ୟକୁ ନେଇ ଅନିଶ୍ଚିତତା ଭିତରେ ପଡିଛନ୍ତି। କାରଣ ୟୁଜର୍ସ ଫି’ ବ୧ନ୍ଦ ପରେ ୪୬ଜଣ କର୍ମଚାରୀ ୬ମାସ ହେଲା ସେମାନଙ୍କ ଦରମା ପାଉନନାହାନ୍ତି। ଏ ସମ୍ପର୍କରେ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କୁ ଭେଟି ସାରିଲେଣି। ତଥାପି କୌଣସି ସନ୍ତୋଷଜନକ ଉତ୍ତର ମିଳୁ ନଥିବାରୁ ଏହି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *